ରାଜକୁମାରୀ ଅତି ଆନନ୍ଦରେ ସେହି ପୁଷ୍ପଗୁଚ୍ଛଟି ଗ୍ରହଣ କରି ପିତାଙ୍କୁ କହିଲେ, “ବାବା, ଏପରି ସୁନ୍ଦର ଫୁଲ ମୁଁ ପୂର୍ବରୁ କେବେବି ଦେଖି ନାହିଁ । ଦେଖିବାକୁ ଏହା ଯେପରି ସୁନ୍ଦର, ଏହାର ସୁଗନ୍ଧ ମଧ୍ୟ ଠିକ୍ ସେପରି ଚମତ୍କାର । ଏହାକୁ ଆଣି ଆମ ଉଦ୍ୟାନରେ ରଖିବା ।”
ରାଜା କହିଲେ “ନିଶ୍ଚୟ, ରଖା ହେବ, ସେ ବ୍ୟବସ୍ଥା ମୁଁ କରିବି ।” ତା’ପରେ ରାଜା ରାଜକୁମାରୀଙ୍କଠାରୁ ପୁଷ୍ପ ଗୁଚ୍ଛଟି ଧରି ତାକୁ ନିରୀକ୍ଷଣ କରି କହିଲେ, “ଆଃ, କି ଚମତ୍କାର ସୁଗନ୍ଧ । ପୁଣି ଦେଖିବାକୁ ବି ସୁନ୍ଦର । ଆଜି ପର୍ଯ୍ୟନ୍ତ ଏପରି ଏକ ଆଶ୍ଚର୍ଯ୍ୟ ପୁଷ୍ପ କିପରି ଆମ ଆଖିରେ ପଡି ନଥିଲା । ଏହାକୁ ତୁରନ୍ତ ରାଜଉଦ୍ୟାନକୁ ନେଇ ଯାଅ, ସେଠାରେ ଏହା ଖୁବ୍ ଶୋଭା ପାଇବ । ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । ବସନ୍ତୋତ୍ସବର ଅନ୍ୟାନ୍ୟ ସମସ୍ତ ଫୁଲ ଏହା ସମ୍ମୁଖରେ ମଳିନ ହୋଇ ଯିବେ । ଏହାତ ପାର୍ଥିବ ନୁହେଁ, ବରଂ ସ୍ୱର୍ଗୀୟ, ଯେପରି ସ୍ୱର୍ଗର ଉଦ୍ୟାନ ନନ୍ଦନ କାନନରୁ ଏହା ଆସିଛି । ମୁଁ ଏହାକୁ ଆଣିବାର ତୁରନ୍ତ ବ୍ୟବସ୍ଥା କରିବି ।” କିଛି ସମୟ ପରେ ପୁରସ୍କାର ବିତ୍ତରଣ ଉତ୍ସବ ଶେଷ ହେଲା । ରାଜା ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି କହିଲେ, “ହେ ମୋର, ପ୍ରିୟ ନାଗରିକ । ଏବର୍ଷ ଅନ୍ୟାନ୍ୟ ବର୍ଷ ଅପେକ୍ଷା ଅଧିକ ଆଡମ୍ବର ସହକାରେ ବସନ୍ତ ଉତ୍ସବ ପାଳନ କରାଯାଇଛି । କ୍ରୀଡା ପ୍ରତିଯୋଗୀତାରେ ଉତୁଙ୍ଗ ଓ ତା’ର ସାଥୀମାନେ ଯେପରି କୌଶଳସବୁ ଦେଖାଇଲେ, ତାହା ଅଦ୍ୱିତୀୟ । ତେଣୁ ଆସନ୍ତାବର୍ଷଠାରୁ “ଲପକ” ଖେଳର ନାମ ଆମେ “ମାୟାକ୍ରୀଡା” ଦେବା କାରଣ ଶୃଙ୍ଗମାୟ ପାହାଡବାସୀମାନେ ଏହାକୁ ଅତି ସୁନ୍ଦର ଭାବରେ ଖେଳିଲେ । ପୁଣି ମୁଁ ଭାବିଛି ଯେ ସେହି ପାହାଡୀ ଗ୍ରାମର ଯୁବକମାନଙ୍କୁ ମୁଁ ମୋ ସୈନ୍ୟ ବିଭାଗରେ ମଧ୍ୟ ସ୍ଥାନ ଦେବି । କାଲି ବସନ୍ତଉତ୍ସବର ଶେଷଦିନ । ସବୁବର୍ଷ ପରି କାଲି ମଧ୍ୟ ରାଜପ୍ରାସାଦର ଦ୍ୱାର ସମସ୍ତିଙ୍କ ପାଇଁ ଖୋଲା ରହିବ । ଯାହାର ଯାହା ଭେଟି ନେଇ ଆସିବା ପାଇଁ ଇଚ୍ଛା ସେ ଯେକୌଣସି ସମୟରେ ଆସିପାରେ । ଦେବୀମାତା ଆମକୁ ରକ୍ଷା କରନ୍ତୁ ।”
ରାଜାଙ୍କର ଏହି ଘୋଷଣା ଶୁଣି ସମସ୍ତେ କରତାଳି ଧ୍ୱନିରେ ରାଜାଙ୍କର ପ୍ରଶଂସା କଲେ । ସମସ୍ତେ ବହୁତ ଖୁସି ହେଲେ । ରାଜା ଓ ରାଜକୁମାରୀଙ୍କର ଜୟଜୟକାର କଲେ । ତା’ପରେ ରାଜା ଓ ରାଜକୁମାରୀ ଭିନ୍ନ ଭିନ୍ନ ରଥରେ ଚଢି ରାଜ ନଅରକୁ ଲେଉଟି ଆସିଲେ । ରାଜକୁମାରୀଙ୍କ ସହିତ ତାଙ୍କର ଦୁଇଜଣ ସଖୀ ଥା’ନ୍ତି । ରାସ୍ତାର ଦୁଇ ପାଶ୍ୱର୍ରେ ବିପୁଳ ଜନତା ରାଜା ଓ ରାଜକୁମାରୀଙ୍କୁ ଅଭିବାଦନ କରୁଥିଲେ ଓ ଶୁଭକାମନା ଜଣାଉଥିଲେ ।
ରାଜନଅରରେ ପହଁଚି ରାଜକୁମାରୀ କାଚର ଫୁଲଦାନୀରେ ସେହି ଫୁଲଗଛ ସଜାଇ ରଖିଲେ । ତାହା ଅତ୍ୟନ୍ତ ସୁନ୍ଦର ଦେଖାଗଲା । ରାଜକୁମାରୀ ଖୁବ୍ ଆନନ୍ଦିତ ହେଲେ ।
ପରଦିନ ପ୍ରଭାତରୁହିଁ ଉତ୍ସବ ଆରମ୍ଭ ହୋଇଗଲା । ରାଜା, ରାଜକୁମାରୀ ଓ ରାଜପରିବାରର ଅନ୍ୟାନ୍ୟ ଲୋକମାନେ ଉପର ମହଲାରେ ଥାଇ ଜନତାଙ୍କର ଶୁଭକାମନା ଗ୍ରହଣ କରୁଥା’ନ୍ତି । କେହି କେହି ବା ଭିତରେ ପ୍ରବେଶ କରି ନାନା ଉପହାର ଦେଉଥାଏ । କିଛି ସମୟ ପରେ ଯୁବକ ଯୁବତୀଙ୍କ ମଧ୍ୟରେ ହୋଲି ଖେଳ ଆରମ୍ଭ ହୋଇଗଲା ଓ ତା’ ସହିତ ନାଚ ଗୀତ ମଧ୍ୟ । ସାରା ରାଜ୍ୟର ଲୋକ ସେଥିରେ ଭାଗ ନେଉଥିଲେ । କୌଣସି ବାଧା ନାହିଁ, ସାମାଜିକ ନିୟମ ବି ନାହିଁ । ମନ ଆନନ୍ଦରେ ସମସ୍ତେ ସେଥିରେ ଭାଗ ନେଉଥିଲେ । ରାଜ ପରିବାରର ଲୋକମାନେ ମଧ୍ୟ ସାଧାରଣଙ୍କ ସହିତ ମିଶି ଉତ୍ସବରେ ଅଂଶଗ୍ରହଣ କରୁଥିଲେ । ସଂଧ୍ୟା ହୋଇ ଆସିବାରୁ ଉତ୍ସବ କମିଗଲା । ତା’ପରେ ରାଜା ତାଙ୍କ ସେନାପତିଙ୍କୁ ଡାକି କହିଲେ, “କାଲି ଉତୁଙ୍ଗ ଯେଉଁ ପୁଷ୍ପଗୁଚ୍ଛ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଦେଇଛି ତାହା ତମେ ଦେଖିଛ ନା ନାହିଁ? ଯାହାହେଉ ପ୍ରିୟମ୍ବଦାର ଇଚ୍ଛା ସେହି ପୁଷ୍ପ ରାଜନଅର ଉଦ୍ୟାନରେ ରହିବ । ତେଣୁ ତମେ ଦୁଇଜଣ ସୈନିକଙ୍କୁ ସେହି ପାହାଡ ଅଂଚଳକୁ ପଠାଅ । ସେମାନେ ପ୍ରଥମେ ଯାଇ ଉତୁଙ୍ଗ ସହ ଦେଖା କରିବେ । ଉତୁଙ୍ଗ ଫୁଲଗଛ ଆଣିବାରେ ସାହାଯ୍ୟ କରିବ ।”
ସେନାପତି ଗମ୍ଭୀରସିଂହ ଦୁଇଜଣ ହୃଷ୍ଟପୁଷ୍ଟ ସୈନିକଙ୍କୁ ରାଜମହଲକୁ ଆଣି ଫୁଲଗୁଡିକ ଦେଖାଇ କହିଲେ, “ରାଜକୁମାରୀଙ୍କର ଇଚ୍ଛା ତୁମେମାନେ ଶୃଙ୍ଗମାୟ ପର୍ବତ ପାଖକୁ ଯାଇ ଏହି ଫୁଲର ଗଛ ଆଣିଦେବ । ମନେ ଅଛି ବସନ୍ତ ଉତ୍ସବ ସମୟରେ ଉତୁଙ୍ଗ ନାମକ ଏକ ପାହାଡୀ ଯୁବକ ଏହି ଫୁଲ ଗଛକୁ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଦେଇଥିଲା । ଏହି ଗଛକୁ ଆମ ରାଜନଅରର ଉଦ୍ୟାନରେ ଲଗାଇବାକୁ ରାଜକୁମାରୀଙ୍କର ଭାରି ଇଚ୍ଛା । ସେଥିପାଇଁ ତୁମକୁ କଷ୍ଟ କରି ସେ କାର୍ଯ୍ୟ ପୁରା କରିବାକୁ ହେବ । ପ୍ରଥମେ ଉତୁଙ୍ଗ ସହ କଥାବାର୍ତ୍ତା କରିବ । ସେ ତୁମକୁ ଏ କାର୍ଯ୍ୟରେ ସହାୟତା କରିବ ।”
ସୈନ୍ୟମାନେ ଫୁଲଗୁଡିକୁ ଦେଖି ଖୁବ୍ ଖୁସି ହୋଇ ରାଜାଙ୍କଠାରୁ ବିଦାୟ ନେଇ ଶୃଙ୍ଗମାୟ ପାହାଡ ପାଖକୁ ଗଲେ ।
ସେମାନେ ଯିବାର ଏକ ସପ୍ତାହ ହୋଇଗଲା ହେଲେ କିଛି ଖବର ନାହିଁ । ଏଣେ ଫୁଲଗୁଡିକ ସେମିତି ସଜୀବ ଥା’ନ୍ତି । ଟିକିଏ ହେଲେ ମଉଳି ଯାନ୍ତି ନାହିଁ । ପ୍ରିୟମ୍ବଦାଙ୍କର ମନ ନାନା ଆଶଙ୍କାରେ ଭରିଗଲା । ଦୁଇ ସପ୍ତାହ ମଧ୍ୟ ବିତିଗଲା । ସେମାନଙ୍କର ଦେଖାଦର୍ଶନ ନାହିଁ । ରାଜା ରାଜକୁମାରୀ ଓ ସେନାପତି ସେମାନଙ୍କ ବାଟଚାହିଁ ରହିଥା’ନ୍ତି । ମନ ବଡ ଉତ୍କଣ୍ଠିତ ଥାଏ । ତିନି ସପ୍ତାହ ପରେ ସେମାନେ ଫେରିଲେ । ସେନାପତି ସେମାନଙ୍କୁ ସିଧା ରାଜମହଲକୁ ନେଇଗଲେ । ସେମାନେ ଅଧିକ କିଛି ଫୁଲ ଧରି ଫେରିଥାନ୍ତି ସିନା ମାତ୍ର ଗଛ ଆଣି ନଥା’ନ୍ତି । ସେନାପତି କହିଲେ, “ସେଠାରେ ବହୁତ ଫୁଲ ମିଳୁଛି କିନ୍ତୁ ଗଛ ମିଳୁନାହିଁ ।”
ରାଜା ପଚାରିଲେ “ଇଏ ପୁଣି କିପରି କଥା? ଗଛ କାହିଁକି ମିଳିଲା ନାହିଁ?”
ଜଣେ ସୈନିକ କହିଲା, “ପ୍ରଭୂ ଆମେ ବହୁ କଷ୍ଟକରି ସେଠାରେ ପହଁଚିଲୁ । ଉତୁଙ୍ଗ ଆମକୁ ଦେଖି ବହୁତ ଖୁସି ହେଲା । ସେ ଆମକୁ ସବୁ ପାହାଡ ବୁଲାଇ ଦେଖାଇଲା । ମନେ ହେଉଥାଏ ପାହାଡ ଯେପରି ଆକାଶ ସ୍ପର୍ଶ କରୁଛି । ସେପରି ଉଚ୍ଚ ପାହାଡ ଉପରେ ଏହି ଫୁଲର ଗଛ ଅଛି । ସେହି ଫୁଲକୁ ସେଠାକାର ଲୋକେ ବିଦ୍ୟୁତ୍ ପୁଷ୍ପ ବୋଲି କୁହନ୍ତି । ଏହା ଶହେ ବର୍ଷରେ ଥରେ ମାତ୍ର ଫୁଟେ । ସେଥିପାଇଁ ତାକୁ “ଶତାଦ୍ଦୀ ପୁଷ୍ପ” ମଧ୍ୟ କୁହନ୍ତି । ଫୁଲ ବହୁତ ଦିନ ଧରି ଫୁଟେ । ତା’ପରେ ଗଛ ମରିଯାଇ ନୂଆ ଗଛ କଅଁଳିଥାଏ । ତାହା ଦୁଇବର୍ଷରେ ଦେଖାଦିଏ । ପୁଣି ଗଛ ଧୀରେ ଧୀରେ ବଢି ବଡ ହେବାରୁ ଫୁଲ ଧରେ । ଇତିମଧ୍ୟରେ ଶହେବର୍ଷ ଅତୀତ ହୋଇଥାଏ । ସେଠାକାର ବୃଦ୍ଧ ଭଦ୍ରଲୋକମାନେ ଏକଥା କହିଲେ । ଆମେ ଯେଉଁ ଫୁଲ ଆଣିଲୁ ସେଥିପାଇଁ ଆମକୁ ଗୋଟିଏ ଗଛ କାଟିବାକୁ ପଡିଲା । କାଳେ ଆମେ ଖାଲି ହାତରେ ଆସିଲେ ରାଜକୁମାରୀ ନିରାଶ ହେବେ ଭାବି ଆମେ ଏପରି କଲୁ ।”
ସୈନିକଙ୍କ କଥା ଶୁଣି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ରାଜା କହିଲେ “ଠିକ୍ ଅଛି ଦୁଇବର୍ଷ ପରେ ଯେତେବେଳେ ନୂଆ ଗଛ ଉଠିବ, ତାକୁ ଆମେ ଆଣି ଆମ ଉଦ୍ୟାନରେ ଲଗାଇବା ।” ପ୍ରିୟମ୍ବଦା ନିରାଶ ହୋଇ କହିଲେ “କିନ୍ତୁ ସେଥିରେ ଶହେବର୍ଷ ପରେ ଫୁଲ ଫୁଟିଲେ ତ ସେ ଫୁଲ ଦେଖିବାର ସୌଭାଗ୍ୟ ମୋର ହେବ ନାହିଁ ।”
ରାଜା ସେହି ସୈନିକମାନଙ୍କୁ ତାଙ୍କର କଷ୍ଟ ପାଇଁ ପୁରସ୍କାର ଦେବାକୁ ସେନାପତିଙ୍କୁ କହିଲେ । ସେନାପତି ସେମାନଙ୍କୁ ନେଇ ଚାଲିଗଲେ ।
ଇତିମଧ୍ୟରେ ସେ ଫୁଲ ବିଷୟରେ ନାନା ରକମର ଖବର ସଂଗ୍ରହ କରାଗଲା । ରାଜଗୁରୁ ଗୌରୀନାଥ ସେ ବିଷୟରେ ଅନେକ ଗ୍ରନ୍ଥ ମଧ୍ୟ ପଢିଥାନ୍ତି; ସେ ବିଦ୍ୱାନ ଥିଲେ । ରାଜାଙ୍କୁ ଫୁଲ ବିଷୟରେ କିଛି ଖବର ଦେବାକୁ ସେ ରାଜମହଲକୁ ଆସିଲେ ।
ହଠାତ୍ ରାଜଗୁରୁଙ୍କର ଆଗମନ ଦେଖି ରାଜା ଭାରି ଆଶ୍ଚର୍ଯ୍ୟ ହେଲେ । ତା’ପରେ ତାଙ୍କୁ ସ୍ୱାଗତ କରି ନେଇ ଆସନରେ ବସାଇଲେ ଓ କହିଲେ, “ଆପଣଙ୍କର ଏପରି ହଠାତ୍ ଏଠାକୁ ଆସିବାର କାରଣ କ’ଣ?”
ରାଜଗୁରୁ ଉତ୍ତର ଦେଲେ “ଏକ ବିଶେଷ ସୁଚନା ଆପଣଙ୍କୁ ଦେବାକୁ ଚାହୁଁଥିଲି ରାଜନ୍ ।”
ରାଜା ଉତ୍କଣ୍ଠାର ସହିତ ତାଙ୍କ କଥା ଶୁଣିବାକୁ ଅପେକ୍ଷା କରି ରହିଲେ ।
ରାଜଗୁରୁ କହିଲେ, “ରାଜନ୍, ମୁଁ ଶତାଦ୍ଦୀ ପୁଷ୍ପ ବିଷୟରେ ସବୁ ଖବର ଶୁଣିଛି ଓ ସେ ବିଷୟରେ ଅନେକ ଖବର ମଧ୍ୟ ସଂଗ୍ରହ କରିଛି । ସେ ଫୁଲ ରାଜନଅରର ଉଦ୍ୟାନରେ ଲଗାଇଲେ, ରାଜପରିବାରପାଇଁ ଓ ରାଜ୍ୟ ପାଇଁ ବହୁତ ଅନିଷ୍ଟ ଓ ବିପଦ ପଡିବାର ଯଥେଷ୍ଟ ଆଶଙ୍କା ଅଛି ।”
ରାଜା ବଡ ଆଶ୍ଚର୍ଯ୍ୟ ହୋଇ ରାଜଗୁରୁଙ୍କୁ ପଚାରିଲେ “ଅନିଷ୍ଟ? ଆପଣ ଏ କ’ଣ କହୁଛନ୍ତି?” “ସେହି କଥା ତ କହିବାକୁ ମୁଁ ଏଠାକୁ ଦୌଡି ଆସିଛି । ଯଦି ରାଜ୍ୟର ଓ ରାଜପରିବାରର କିଛିବି ଅନିଷ୍ଟ ହୁଏ । ତେବେ ସେ ପୁଷ୍ପ ଆମ ଉଦ୍ୟାନରେ କାହିଁକି ରହିବ? ତେଣୁ ରାଜକୁମାରୀଙ୍କୁ ବୁଝାଇ ଦିଅନ୍ତୁ ଯେ ସେ ଏ ବିଷୟରେ ଆଦୌ ନିଜ ମନ ଖରାପ କରିବେ ନାହିଁ । ଯେଉଁ ଫୁଲଗୁଡିକ ଅଛି ତାକୁ ଦେଖି ଖୁସି ହୁଅନ୍ତୁ । ତାହା ମାସେରୁ ବେଶି ରହିବ । କିନ୍ତୁ ସେହି ପୁଷ୍ପର ବୃକ୍ଷ ରୋପଣ କରିବାକୁ ସେ ଯେପରି କେବେହେଲେବି ଚେଷ୍ଟା କରିବେ ନାହିଁ ।”