ବେତାଳ ସମ୍ମୁଖେ କମଳିନୀ

         କିଛି କ୍ଷଣ ପରେ ଦାସୀମାନେ ଆସି ରାଜାଙ୍କୁ ଉଠାଇଲେ । ରାଜା ବିକ୍ରମାଦିତ୍ୟ ଦାସୀମାନଙ୍କୁ କହିଲେ ଗତକାଲି ରାତ୍ରିରେ ଦେବରାଜ ଇନ୍ଦ୍ର ଦେବତାଗଣଙ୍କ ସହ ମୋତେ ଦେଖିବାକୁ ଆସିଥିଲେ । ଏହି କୋଳିଗୁଡିକ ମୋତେ ଶ୍ରଦ୍ଧାରେ ଦେଇଛନ୍ତି । ଏହି ରାଜକୁନ୍ଦ କୋଳି ତୁମେ ନେଇଯାଅ । ତିରିଶ କାହାଣ ତୁମ୍ଭ ରାଜଜେମାଙ୍କୁ ଦେଇ ଅବଶିଷ୍ଟ ବାଂଟିଖାଇବ । ନିଜର କର୍ତ୍ତବ୍ୟ ସାରି ଦାସୀମାନେ ସମସ୍ତ କୋଳି ନେଇଗଲେ । ଜେମାଙ୍କ ନିକଟରେ ଅଜାଡି ଦେଇ ଗତ ରାତ୍ରିର ସମସ୍ତ ଘଟଣା କହିଲେ । କମଳିନୀ ମନରେ ଚିନ୍ତାକଲା ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ କାଲି ମୋତେ ଏ କୋଳି ଦେଇଥିଲା । ମୋର ପତି କେଉଁଠୁ ଏ କୋଳି ପାଇଲେ । ଦାସୀମାନେ କହିଲେ ସ୍ୱର୍ଗରୁ ଇନ୍ଦ୍ର ଦେବତାମାନଙ୍କୁ ସଙ୍ଗରେ ଆଣି ତୁମ୍ଭ ସ୍ୱାମୀଙ୍କୁ ଦେଖିବାକୁ ଆସିଥିଲେ । ତୁମ୍ଭଙ୍କୁ ତିରିଶ କାହାଣ କୋଳି ଦେଇଛନ୍ତି । କମଳିନୀ ଜାଣିଲା ମୋର ସ୍ୱାମୀ ଜଣେ ଶ୍ରେଷ୍ଠ ପୁରୁଷ । ମୋ ସ୍ୱାମୀଙ୍କ ତୁଳନାରେ ଏ ଗନ୍ଧର୍ବ ତୁଚ୍ଛ । ରାଜକୁମାରୀ ଏବେ ଚିତ୍ରରଥକୁ ଆଉ ମନରେ ସ୍ଥାନ ଦେଲା ନାହିଁ । ଚାହୁଁ ଚାହୁଁ ଦିନ ଶେଷ ହେଲା । ମୁଣ୍ଡରେ ହସ୍ତଦେଇ କମଳିନୀ ବସିଗଲା । ଏତିକିବେଳେ ଗନ୍ଧର୍ବ ଚିତ୍ରରଥ ଆସି ପ୍ରବେଶ ହେଲା । ଦେଖିଲା କୋଳି ଦୁଆରେ ଗଦା ହୋଇଛି । କମଳିନୀକୁ ପଚାରିଲା ଏତେ କୋଳି ତୁମ୍ଭେ କେଉଁଠୁ ପାଇଲ । କମଳିନୀ କହିଲା ମୋ ସ୍ୱାମୀକୁ ଦର୍ଶନ କରିବା ନିମିତ୍ତ ଇନ୍ଦ୍ର ଦେବଗଣଙ୍କୁ ଧରି ଆସିଥିଲେ । ଉପହାର ସ୍ୱରୂପରେ ସେ ଏ କୋଳି ଆଣିଥିଲେ । ଚିତ୍ରରଥ କହିଲା ଏ କୋଳି ଦେବଙ୍କୁ ଅଗୋଚର, ଏ ପାଇଲା କିପରି କାଲି ବୁଝିବି । ଚିତ୍ରରଥ କମଳିନୀର ମୁଖରେ ଚୁମ୍ବନଦେଲା । ତାଳ ବେତାଳ ଦୁହେଁ କ୍ରୋଧ ହୋଇ ଗନ୍ଧମାର୍ଦ୍ଦନ ପର୍ବତକୁ ଗଲେ । ନାରଦଙ୍କ ରୂପ ବେତାଳ ହେଲେ ତାଳ ସାଥିହୋଇ ଅଦୃଶ୍ୟରେ ରହିଲା । ଚିତ୍ରରଥର ମନ୍ଦିରେ ନାରଦ ରୂପି ବେତାଳ ପ୍ରବେଶନ୍ତେ ତା’ର ସ୍ତ୍ରୀ ପ୍ରଣାମ ଜଣାଇ ପଚାରିଲେ ହେ ଦେବର୍ଷି ତୁମ୍ଭେ ଏତେ ରାତ୍ରିରେ କିମ୍ପାଇଁ ଆସିଲ ।

         ନାରଦ ରୂପି ବେତାଳ କହିଲା ତୋର ସ୍ୱାମୀ ମର୍ତ୍ୟପୁରରେ ଏକ ମାନବୀ ପ୍ରେମରେ ପଡିଛି । ତୋତେ କହିବାପାଇଁ ଆସିଛି । ଏତେକ କହି ବେତାଳ ଅନ୍ତର୍ଦ୍ଧାନ ହେଲେ । ଚିତ୍ରରଥ କମଳିନୀପୁର ତ୍ୟାଗକରି ନିଜ ଗୃହରେ ପ୍ରବେଶି କବାଟରେ ହସ୍ତ ମାରିଲା । ଯେତେ ଡାକିଲେ ସୁଦ୍ଧା ତା’ର ସ୍ତ୍ରୀ ତା’ର କଥାକୁ କର୍ଣ୍ଣପାତ କଲାନାହିଁ । ବହୁ କଷ୍ଟରେ ଗନ୍ଧର୍ବୀଙ୍କ ପାଟି ଖୋଲିଲା । ଚିତ୍ରରଥ ଗନ୍ଧର୍ବକୁ ପ୍ରଶ୍ନକଲା କାଲି ରାତ୍ରିରେ କାହାର ପୁରରେ ଥିଲ । ଧିକ ତୁ ଲମ୍ପଟ, ତୋତେ ଲାଜ ଲାଗୁନାହିଁ । ଇନ୍ଦ୍ର ଏକଥା ଜାଣିଲେ ତୁମ୍ଭର ବଡପଣ ରହିବ ତ? ପ୍ରତିଦିନ ରାତ୍ରିରେ ଯାଇ ମର୍ତ୍ୟର ମାନବୀ ସଙ୍ଗରେ ପ୍ରୀତି କରୁଛୁ । ଚିତ୍ରରଥ କହିଲା ପ୍ରିୟେ ତୁମ୍ଭଙ୍କୁ ଏ କଥା କିଏ କହିଲା । ଗନ୍ଧର୍ବୀ କହିଲା ଏକଥା ମୋତେ ନାରଦ ମହର୍ଷି କହିଲେ । ଗନ୍ଧର୍ବକୁ ଗାଳିଦେଇ ଗନ୍ଧର୍ବୀ ଘରୁ ତଡିଦେଲା । ଗନ୍ଧର୍ବ ପତ୍ନୀର ଗୋଡ ଧରି ଭୁଲ୍ ମାଗିଲା । ତାଳ ବେତାଳ ଏହା ଲୁଚି ଦେଖୁଥିଲେ । କାର୍ଯ୍ୟ ବଢାଇ ଦେଇ ରାଜା ବିକ୍ରମାଦିତ୍ୟଙ୍କ ପାଖରେ ପହଁଚିଲେ । ବିକ୍ରମାଦିତ୍ୟ ବେତାଳଙ୍କଠାରୁ ସମସ୍ତ କଥା ଶୁଣି ତାଙ୍କୁ ଧନ୍ୟବାଦ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ