ମନଗୁଣେ ରୋଗ

ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଲା ଯେ, ତା’ର ପଶ୍ଚାତ୍ ଭାଗରେ ସେ ଦେଶର ରାଜା ଖୋଦ୍ ନିଜେ ଦଣ୍ଡାୟମାନ ହୋଇଛନ୍ତି । ଶିକାର ଉଦ୍ଧେଶ୍ୟରେ ସେ ଜଙ୍ଗଲକୁ ଆସିଥିଲେ । କୌଣସି ଜନ୍ତୁ ଉପରକୁ ଚଳାଇଥିବା ତୀର ଲକ୍ଷ୍ୟଭ୍ରଷ୍ଟ ହୋଇ ଏଠାରେ ଆସି ପଡିଛି । ଦେବବ୍ରତକୁ ମହାରାଜ କହିଲେ, “ଅଜାଣତରେ ମୁଁ ଏପରି ଭୁଲ୍ କରି ବସିଛି । ତୁମେ ମଧ୍ୟ ଜାଣିଶୁଣି ମୋର ନିନ୍ଦା କରିନାହଁ । ଏଥିରେ ତୁମର କୌଣସି ଭୁଲ୍ ନାହିଁ ।” ଦେବବ୍ରତ ନିଜର କ୍ରୋଧ ଶାନ୍ତ ନ କରି କହିଲା, “ତୁମେ ଏପରି ଲକ୍ଷ୍ୟହୀନ ଭାବରେ ତୀର ନିକ୍ଷେପ କରିଥିବାରୁ ନିଜର ତ୍ରୁଟି ସ୍ୱୀକାର କରୁଛ । ତୀର ମୋ ନିକଟରେ ପଡିବାରୁ ମୁଁ ଗାଳି ଦେଲି । ଏଥିରେ ମୋର ଆଉ କେଉଁଠାରେ ଭୁଲ୍ ରହିଲା ।”

ରାଜା କ୍ଷୁବ୍ଧ ହୋଇ କହିଲେ “ମୁଁ ଏହି ଦେଶର ରାଜା । ପ୍ରଥମେ ମହାରାଜାଙ୍କୁ ସମ୍ମାନ କରିବା ଶିଖ । ତା’ପରେ ଯାଇ କିଏ କେତେ ଭୁଲ୍ କରିଛି ତା’ର ହିସାବ କରିବ ।”

ଦେବବ୍ରତ ଆହୁରି ଉତ୍ତେଜିତ ହୋଇ କହିଲା, “ସାଧାରଣ ବ୍ୟକ୍ତିର ଭୁଲ୍ରେ ତା’ର ନିଜର କ୍ଷତି ହୁଏ । କିନ୍ତୁ ଦେଶର ଶାସକ ଯେଉଁ ଭୁଲ୍ କରେ, ତାହା ସାରା ଦେଶର କ୍ଷତି କରିଥାଏ । ଏପରି ଭୁଲ୍ କରିଥିବା ରାଜା ସମ୍ମାନର ଯୋଗ୍ୟ ନୁହେଁ ।”

ଏପରି ଦମ୍ଭୋକ୍ତି ଶୁଣି ରାଜାଙ୍କର କ୍ରୋଧର ଆଉ କୌଣସି ସୀମା ରହିଲା ନାହିଁ । ସେ ତାଳି ବଜାଇବାରୁ ତୁରନ୍ତ ଦଶଜଣ ସୈନିକ ସେଠାରେ ଆସି ପହଁଚିଲେ । ରାଜା ତାଙ୍କୁ କହିଲେ, “ନିଜର ଦୋଷ ସ୍ୱୀକାର କରି ସାରିବା ସତ୍ତ୍ୱେ ଜଣଙ୍କୁ ଗାଳି କରିବା ଓ ନିଜ ଦେଶର ରାଜାଙ୍କ ଅସମ୍ମାନ କରିବା ଅପରାଧ ପାଇଁ ଏହି ଦୁଷ୍ଟକୁ ତା’ ଦଣ୍ଡସ୍ୱରୂପ ଏକଶହ ବେତ ପ୍ରହାର କର ।”

ରାଜାଙ୍କ ଆଦେଶ ଶୁଣିବା କ୍ଷଣି ଦୁଇଜଣ ସୈନିକ ଦେବବ୍ରତର ହାତକୁ ପଛପଟରୁ ମୋଡି ଧରିଲେ । ଜଣେ ପ୍ରହାର କରିବା ପାଇଁ ଉଦ୍ୟତ ହେଲା ।

ଏବେ ଦେବବ୍ରତ ପରିସ୍ଥିତିର ଗୁରୁତ୍ୱ ବୁଝି ପାରିଲା । ତେଣୁ ସେ ଭୟରେ ଥରି ଥରି ପ୍ରାର୍ଥନା କଲା, “ମହାରାଜ, ମୁଁ ପ୍ରସିଦ୍ଧ ବୈଦ୍ୟ ସତ୍ୟବ୍ରତଙ୍କ ପୁତ୍ର ଅଟେ । ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇ ଏଠାକୁ ଚେରମୂଳ ସନ୍ଧାନରେ ଆସିଥିଲି । ସେହି ରୋଗ କାରଣରୁ କ୍ରୋଧ ଓ ଚିଡିଚିଡା ସ୍ୱଭାବ ଉପରେ ମୁଁ ଆଦୌ ମୋର ନିୟନ୍ତ୍ରଣ ରଖିପାରୁନାହିଁ । ତେଣୁ ମୁଁ ଉତ୍ତେଜିତ ହୋଇ, ଏତେ କଥା ବକିଗଲି । ମୋତେ ଏଥର ଆପଣ କ୍ଷମା କରନ୍ତୁ ।”

ତା’ର ସମସ୍ତ କଥା ଶୁଣି ରାଜା କହିଲେ, “ଆଛା, ପ୍ରହାର ନାମ ଶୁଣୁ ଶୁଣୁ ତୁମ ଭିତରେ ହଠାତ୍ ଏତେ ପରିବର୍ତ୍ତନ ଆସିଗଲା । ତେବେ ପ୍ରହାର ବସିଗଲେ ତ ସବୁଦିନ ପାଇଁ ତମର ଏହି ସ୍ୱଭାବ ବଦଳି ଯିବ । ଅତେବ ତୁମକୁ ମାଡ ଖାଇବାକୁ ହିଁ ପଡିବ ।”

ସୈନିକମାନେ ବେତ ପ୍ରହାର ପାଇଁ ତା’ ଦେହରୁ ପୋଷାକ ଉତାରି ଦେଲେ । ତା’ର ଶରୀରରେ ରୋଗର ଦାଗ ଗୁଡିକୁ ରାଜା ସମେତ ସୈନିକ ଗଣ ସମସ୍ତେ ଦେଖି ପାରିଲେ । ତା’ପରେ ସେ ରାଜା ନିଜର ଆଦେଶ ଫେରାଇ ନେଇ କହିଲେ, “ଏହାକୁ ଛାଡିଦିଅ । ସେ ଯେଉଁ ରୋଗ କଥା କହୁଥିଲା, ତାହା ସତ୍ୟ ଅଟେ ।”

ଦଣ୍ଡରୁ ରକ୍ଷା ମିଳିବାରୁ ଦେବବ୍ରତ ଏଥର ଖୁସି ମନରେ ଜଡିବୁଟି ଧରି ଘରକୁ ଫେରି ଆସିଲା । ପିତାଙ୍କ ନିକଟରେ ଘଟିଯାଇଥିବା ସମସ୍ତ ଘଟଣା ସେ ବର୍ଣ୍ଣନା କରି କହିଲା, “ଆପଣ ମୋତେ ବୁଝାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ମୁଁ ତାହା ଆଦୌ ଗ୍ରହଣ କରୁ ନ ଥିଲି । ଏପରିକି ବାକ୍ ସଂଯମତା ରକ୍ଷା କରିବା ପାଇଁ ତୁମର ପରାମର୍ଶକୁ ମୁଁ ହେୟଜ୍ଞାନ କରୁଥିଲି । ଆଜି ସେହି କାରଣରୁ ମୁଁ ଦଣ୍ଡିତ ହେବାକୁ ଯାଉଥିଲି । ମୋର ଚର୍ମର ଏହି ଦାଗ ଗୁଡିକ ନ ଥିଲେ, ଆଜି ମୋର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥାନ୍ତା ।”

“ତେବେ ଏହି ରୋଗ ତୁମର ଉପକାରରେ ଆସିଛି । ଏବେ ତୁମେ ଠିକ୍ ବୁଝି ପାରୁଥିବ କ୍ରୋଧ, ବାଚାଳତା କିପରି ବିବେକହୀନ କାର୍ଯ୍ୟ ଓ ଭୟଙ୍କର ରୋଗ ସଦୃଶ । ତୁମଠାରେ ଯେଉଁ ମାନସିକ ପରିବର୍ତ୍ତନ ଘଟିଛି, ତାହା ତୁମର ଶରୀରକୁ ଯଥାଶୀଘ୍ର ରୋଗମୁକ୍ତ କରାଇବ ।” ଏହାପରେ ସତ୍ୟବ୍ରତ ନିଜ ପୁତ୍ରର ଚିକିତ୍ସା କରି ମାତ୍ର ଦଶଦିନରେ ତାକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଇଲେ । ସୁସ୍ଥ ଶରୀର ପାଇଁ ଯେ ସୁସ୍ଥ ମନ, ନିର୍ମଳ ଅନ୍ତର ଲୋଡା । ତାହା ସେ ପ୍ରମାଣିତ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ