ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା

                ଦିନକର କଥା । ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥାରେ ସେ ଆମ୍ତେ ହଠାତ୍ ଭୀଷଣ ରାଗିଗଲେ । ଯେଉଁ ବନ୍ଧୁଙ୍କୁ ଦିନେ ନ ଦେଖିଲେ ସେ ରହିପାରୁନଥିଲେ, ସେ ତା’ର ମୁହଁକୁ ଆଉ ମୋଟେ ଚାହିଁଲେ ନାହିଁ । ଫଳରେ ସେ ବନ୍ଧୁ ଜଣକ ବହୁତ ମନଦୁଃଖରେ ରହିଲେ ।

                ସେ ବନ୍ଧୁଜଣକ ଆମ୍ତେଙ୍କ ପ୍ରତି ଅତ୍ୟନ୍ତ ଶ୍ରଦ୍ଧାଶୀଳ ଥିବାରୁ କେମିତି ହେଲେ ବନ୍ଧୁଙ୍କ ସହିତ ସାଲିସ୍ କରିବା ଲାଗି ସେ ନିଷ୍ପତି ନେଲେ । ବହୁବାର ଆମ୍ତେଙ୍କୁ ଭେଟି ତାଙ୍କ ବନ୍ଧୁ ଜଣକ ନିଜ ଆଡୁ କଥାବାର୍ତ୍ତା କରି ମିଳାମିଶା କରିବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ସେ ସବୁ ବିଫଳ ହୋଇଗଲା ।

                ଶେଷରେ ସେ ବନ୍ଧୁଜଣକ ଆମ୍ତେଙ୍କ ମାଆ ପାଖରେ ସମସ୍ତ ଘଟଣା ଉପସ୍ଥାପନ କରି କାନ୍ଦି ପକାଇଲା । ଏହାଶୁଣି ମାଆ ପୁଅର ଏତାଦୃଶ କାର୍ଯ୍ୟକୁ ଆଦୌ ପସନ୍ଦ କରିନଥିଲେ ଏବଂ ତା’ର ବନ୍ଧୁକୁ ଆଶ୍ୱାସନା ଦେଇ ଭବିଷ୍ୟତରେ ଏହାର ସମାଧାନ କରିଦେବେ ବୋଲି କହିଥିଲେ ।

                ବସନ୍ତଋତୁ ସମୟ । ଗଛଗୁଡିକରୁ ପତ୍ରଝଡି ଥୁଂଟା ଦେଖାଯାଉଥାଏ । ଆଉ କେତେକ ଗଛରେ କଅଁଳିଆ ପତ୍ର କଅଁଳିବାକୁ ଆରମ୍ଭ କଲାଣି । ଠିକ୍ ଏହିଭଳି ସମୟରେ ମଧ୍ୟାହ୍ନ ବେଳାରେ ମାଆ ତାଙ୍କ ପୁଅ ଆମ୍ତେକୁ ସାଙ୍ଗରେ ନେଇ ବଗିଚାକୁ ବୁଲି ବାହାରିଲେ । ତା’ପରେ ସେ ଦୁହେଁ ଯାଇ ଏକ ଥୁଂଟା ଗଛମୂଳେ ବସି ପଡିଲେ ।

                ଏଥର ମାଆ ଏକ ଥୁଂଟାଗଛ ଆଡକୁ ହାତଦେଖାଇ ତାଙ୍କ ପୁଅକୁ କହିଲେ, “ଦେଖତ, ଏ ଗଛରୁ ପୁରୁଣା ପତ୍ରଗୁଡିକ କିପରି ଖସିପଡୁଛି? ଆଉ କେତେକ ଗଛରେ ସବୁଜପତ୍ର କଅଁଳି କେଡେ ସୁନ୍ଦର ଦେଖାଗଲାଣି?”

                ମାଆ କଥା ଶୁଣି ତାଙ୍କ ପୁଅ ଏକ ଲୟରେ ବୃକ୍ଷରୁ ପତ୍ରଝଡିଯାଇ ଅସୁନ୍ଦର ଦେଖାଯିବା ଓ ତା’ ପରିବର୍ତ୍ତେ ନୂଆ ସବୁଜପତ୍ର କଅଁଳି ସୁନ୍ଦର ଦେଖାଯିବା ଦୃଶ୍ୟକୁ ନିରୀକ୍ଷଣ କରୁଥାଏ । ଏଥର ମାଆ ଆମ୍ତେଙ୍କୁ ବୁଝାଇ କହିଲେ, “ବାବା! ଆମର ହୃଦୟ ଭିତରେ ଗଛର ଶୁଖିଲା ପତ୍ରଭଳି ସକଳ ପ୍ରକାର ମନୋମାଳିନ୍ୟ, ଘୃଣା, ଈର୍ଷା, ପରଶ୍ରୀକାତରତା ଆଦି ଦୁର୍ଗୁଣ ଆଜି ପୂରି ରହିଛି । ଗଛ ତା’ର ଡାଳରୁ ଶୁଖିଲା ପତ୍ରଝଡାଇ ଦେଇ ନୂଆପତ୍ର ଧାରଣ କଲାଭଳି ଆମକୁ ଆମ ହୃଦୟ ଭିତରେ ଥିବା ଦୁର୍ଗୁଣଗୁଡିକୁ ପରିତ୍ୟାଗ କରି କ୍ଷମା, ଦୟା, ସହନଶୀଳତା ଆଦି ସୁଗୁଣକୁ ଗ୍ରହଣ କରିବା ଉଚିତ । ଏହାଦ୍ୱାରା ମଣିଷ ତା’ ଉନ୍ନତି ପଥରେ ଗତି କରିବା ପାଇଁ ଆଉ କିଛି ବି ଅସୁବିଧା ହୁଏ ନାହିଁ ।”

                ସେଦିନ ମାଆଙ୍କର ଏଭଳି ହିତୋପଦେଶ ଆମ୍ତେଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ସେ ଏତେମାତ୍ରାରେ ପ୍ରଭାବିତ ହୋଇଗଲେ ଯେ, ସେହି ବଗିଚାରୁ ହିଁ ସେ ସିଧାସିଧା ତାଙ୍କର ଘନିଷ୍ଠ ମିତ୍ରଙ୍କ ଘରକୁ ଗଲେ, ଯାହାଙ୍କ ଉପରେ ସେ ଅତୀତରେ ଖପ୍ପା ହୋଇ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ତାଙ୍କ ସହିତ ବେଶ୍ ଆନନ୍ଦଉଲ୍ଲାସର ସହିତ କଥାବାର୍ତ୍ତା କରି ଆମ୍ତେ ତାଙ୍କ ଘରକୁ ଫେରିଲେ ।

                ଦେଖାଗଲା ଯେ, ସେହଦିନଠାରୁ ଆମ୍ତେ ସମ୍ପୂର୍ଣ୍ଣ ରୂପେ ବଦଳି ଗଲେ । ତାଙ୍କ ମନରୁ ରାଗ, ଅହଂକାର କୁଆଡେ ଚାଲିଗଲା । ପରବର୍ତ୍ତୀ କାଳରେ ବାବା ଆମ୍ତେ ସମାଜସେବା କ୍ଷେତ୍ରରେ ଖ୍ୟାତିର ଶୀର୍ଷସ୍ଥାନରେ ପହଁଚିପାରିଥିଲେ । ଏହାର ମୂଳରେ ଥିଲା ତାଙ୍କ ମାଆଙ୍କର ପ୍ରେରଣା ଓ ଉଚିତ୍ ଦିଗ୍ଦର୍ଶନ ।


ଗପ ସାରଣୀ

ତାଲିକାଭୁକ୍ତ ଗପ