ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାୟାବିନୀ ଅସୁରୁଣୀ କଥା

ତା’ପରଦିନ ବୋଲକରା ଉପଦେଷ୍ଟାଙ୍କର ଗଣ୍ଠିଲି ଧରି ତାଙ୍କ ପଛେ ପଛେ ଚାଲି ଥାଏ । ଦୂର ଦେଶ, ଅଜଣା ରାସ୍ତା, ଦିନେ କେବେ ବି ବୋଲକରା ତା ଜୀବନରେ ଏପରି ପଥାଦି ଦେଖି ନଥିଲା, ରାସ୍ତା କଡେ କଡେ ସୁନ୍ଦର ସୁନ୍ଦର ପୁଷ୍ପ ବୃକ୍ଷ ମାନ ଦେଖି ସେ ବୋଲକରା ଆନନ୍ଦ ହୋଇ ଯାଉ ଥାଏ । ଅଦେଖା ନଦୀର ଜଳ ଭରା ଦେଖି କେତେ ଯେ ତା’ ମନରେ ଆନନ୍ଦ ଖେଳି ଗଲାଣି । ସେଥିରେ ପୁଣି ମଠ ମନ୍ଦିର ଆଉ ଧର୍ମଶାଳା । ଏଥର ଉପଦେଷ୍ଟାଙ୍କ ସାଥିରେ ତୀର୍ଥ ଯିବା ଆନନ୍ଦ ପାଇଛି ବୋଲକରା ।

                ସେଦିନ ମନ ଆନନ୍ଦରେ ଗୁଣୁ ଗୁଣୁ ଗୀତ ଗାଇ ଗାଇ ବୋଲକରା କିଛି ବାଟ ଯାଇଛି ଯେ ପାଦ ତା’ର ସେହିଠାରେ ଅଟକି ଗଲା । ଛତା କମ୍ବଳକୁ ସେହିଠାରେ ଥୋଇ ଦେଲା । ପଛକୁ ପଛକୁ ଚାହିଁ ଚତୁର ବ୍ୟଙ୍ଗକାର ଦେଖିଲେ ପଛରେ ଆସୁ ଆସୁ ବୋଲକରା ବସି ଯାଇଛି । ସେ ତହୁଁ ଫେରି ଆସି କହିଲେ –

                କିରେ ବୋଲକରା ହୋଇଲୁ କି ବାଇ

                ବାଟେ ଥକ୍କା ମାରୁ ଗଣ୍ଠିଲି ଥୋଇ

                ଉଠାସେ କମ୍ବଳ ଧରିଆ ଛତା

                ତୀର୍ଥ ଯିବା ପରା ବହୁତ ରାସ୍ତା

ବୋଲକରା କହିଲା –

                ଥାଉ ହୋ ଗଣ୍ଠିଲି ଥାଉ ସେ ତୀର୍ଥ

                ଯାହା କଥା ଅଛି କୁହ ଉଚିତ ।

                ଭଙ୍ଗା ରାଜବାଟୀ ଅଧା ମନ୍ଦିର

                ପଥ ମଧ୍ୟେ ଅଛି କାରଣ ତାର

                କୁହହୋ ମହାନୁଭବ କଥା ଅସଲ

                ନକହିବା ଯାଏଁ ରହିଲି ଭଲ ।

                ବୋଲକରାର ଏ କଥା ଶୁଣି ଚତୁର ବ୍ୟଙ୍ଗକାର ଟିକେ ଧ୍ୟାନ କରି ନେଲେ । କାରଣ ଧ୍ୟାନ ବଳରେ ସେ ଆଗତ ଭବିଷ୍ୟତର ସବୁ କଥା ଜାଣି ପାରନ୍ତି । ତହୁଁ ସେ କିଛି ସମୟ ଥକ୍କା ମରା ଭାବରେ ସେଠାରେ ବସି ପଡିଲେ । ସେ ଭଲ ଭାବେ ଜାଣନ୍ତି ଯେ ଟିକିଏ ଟିକିଏ କଥାରେ ଏ ବୋଲକରା ଅବୋଲକରା ହୋଇ ଯାଏ । ଯେତେବେଳେ ଯାହା ତା ମୁଣ୍ଡରେ ପଶିବ ତା’ର ସେ ସେୟା ହିଁ କରିବ । ସେତେବେଳେ ତାକୁ ବ୍ରହ୍ମା ବିଷ୍ଣୁ ଆସି ବୁଝାଇଲେବି ସେ ବୁଝିବ ନାହିଁ । ତେଣୁ ତା’ର କଥାକୁ ନେଇ କାମ କରିବାକୁ ହେବ । ତହୁଁ ଗେହ୍ଲେଇ ଗେହ୍ଲେଇ କହିଥିଲେ –

                ବସ ବୋଲକରା ରଅଖ ଛତା

                ରାତ୍ରି ହୋଇଯିବ ସରୁନି ରାସ୍ତା

                ପକାଅ କମ୍ବଳ ଲଣ୍ଠନ ଜାଳ

                ବିଶ୍ରାମ କରିବା ହେଉ ସକାଳ ।

                ଦେଖେ ବୋଲକରା, ଆମେ ଆଜି ଏହି ଠାରେ ରହି ଯିବା । ୟେ ଆମ ଲାଗି ନିର୍ଭୟର ସ୍ଥାନ ହୋଇଛି । ଏଠାରେ କୌଣସି ହିଂସ୍ରଜନ୍ତୁଙ୍କର ଭୟ ନାହିଁ । ଯଦି ଭୂତ ପିଶାଚ ହିଂସ୍ରତାକୁ ମୁଁ ମନ୍ତ୍ର ବଳରେ ବଶ କରି ଦେବି । ଏଠାରେ ତ ଆଉ ମଠ ମନ୍ଦିର, ସହର ବଜାର କିଛି ନାହିଁ, ଗଣ୍ଠିଲିରେ ଉଖୁଡା ହୁଡୁମ ଆଉ ମୁଢି ଅଛି ତାହାକୁ ଖାଇ ଆଜି ରାତ୍ରିଟି ଏଠାରେ ବିତାଇ ଦେବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ