ଯାଦୁ ମହଲ

ସନ୍ନ୍ୟାସୀ ତକିଆକୁ ଆଉଜି ବସିଥିଲେ । ଏଥର ଉଠିବସିଲେ ଓ ମହେନ୍ଦ୍ରନାଥଙ୍କ କଥା ମନ ଦେଇ ଶୁଣିଲେ । ମହେନ୍ଦ୍ର କହିଲେ, “ଏବେ ବର୍ତ୍ତମାନର ପରିସ୍ଥିତି ହେଉଛି ରାଜକୁମାରୀ ବିଦ୍ୟାବତୀଙ୍କୁ କେହି ଅପହରଣ କରି ନେଇ ଯାଇଛି । ରାଜାଙ୍କ ସୈନିକମାନେ ଚାରିଆଡେ ଖୋଜି ଖୋଜି ହତାଶ ହୋଇ ପଡିଛନ୍ତି । କୌଣସି ଖବର ମଧ୍ୟ ମିଳୁନାହିଁ । ମୁଁ ଭାବିଲି ସୈନିକମାନଙ୍କ ଅପେକ୍ଷା ମୁଁ ବେଶି ମନ ଦେଇ ଖୋଜିବି । ସଫଳ ହେଲେ ହୁଏ ତ ରାଜା ମୋତେ ଦରବାରରେ ନିଶ୍ଚୟ କିଛି କାମ ଦେବେ । ରାଜକୁମାରୀ ସାରସ ସରୋବରରେ ଥିବାବେଳେ ନିଖୋଜ ହୋଇଗଲେ । ତେଣୁ ମୁଁ ହ୍ରଦର ନିକଟବର୍ତ୍ତୀ ଜଙ୍ଗଲ ସବୁ ଖୋଜି ଖୋଜି ଆସି ଏଠାରେ ପହଁଚିଲି ।”

ସବୁକଥା ଶୁଣି ସନ୍ନ୍ୟାସୀ କହିଲେ “କିନ୍ତୁ ବତ୍ସ, ଏହି ଜଙ୍ଗଲରେ ତ କେହିବି ରହନ୍ତି ନାହିଁ । ପୁଣି ଧବଳ ଗିରି ପର୍ବତର ଏପାଖ ଏକବାରେ ଦୁର୍ଗମ । ଅନ୍ୟ ପାଖରେ ହିମଗିରିରାଜ୍ୟ ଅଛି । ଜଙ୍ଗଲ ଭିତର ଦେଇ ସେଠାକୁ ଯିବା ଅସମ୍ଭବ ।” ମହେନ୍ଦ୍ର କହିଲେ “ପ୍ରଭୂ, ମୁଁ ଯୁବକ, ମୋର ଶକ୍ତି ବେଶ୍ ଅଛି । ମୋର ଧାରଣା ଯେ ଯେକୌଣସି ବିପଦର ସମ୍ମୁଖୀନ ହୋଇ ମୁଁ ନିଜକୁ ବଂଚାଇ ପାରିବି ।” ସନ୍ନ୍ୟାସୀ କହିଲେ “ଠିକ୍ ଅଛି ପୁଅ, ମୁଁ ତୁମର କଥା ବୁଝିପାରୁଛି । ଏବେ ତୁମେ କ୍ଳାନ୍ତ । ତୁମର ବିଶ୍ରାମ ଲୋଡା । ଆଜି ବିଶ୍ରାମ କରି କାଲି ତୁମେ ପୁଣି ଯାତ୍ରା ଆରମ୍ଭ କରିବ, ଏବେ ଯାଇ ତୁମେ କିଛି ଖାଇ ନିଅ । ମୋ ଆଶ୍ରମରେ ଯାହା ଅଛି ମୁଁ ତାହା ଆଣି ତୁମକୁ ଦେଉଛି । ସେତକ ଖାଇ ଶୋଇପଡ ।”

ସକାଳୁ ମହେନ୍ଦ୍ରନାଥ ଉଠି ଦେଖିଲେ ସନ୍ନ୍ୟାସୀଙ୍କର ଗଭୀର ସମାଧି ଅବସ୍ଥା । ସେ ନିଜର ଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଓ ସନ୍ନ୍ୟାସୀଙ୍କର ଧ୍ୟାନ ଭଙ୍ଗ ହେବା ପରେ ସେ ତାଙ୍କୁ ଦଣ୍ଡବତ କରି ବିଦାୟ ନେଲେ । ସନ୍ନ୍ୟାସୀ ତାଙ୍କୁ ଆଶିର୍ବାଦ ଦେଇ କହିଲେ, “ତୁମର ଇଚ୍ଛା ଅଟଳ, ମୁଁ ତୁମର ସାଫଲ୍ୟ କାମନା କରୁଛି । ନିଅ ଏହି ମୁଦିଟିକୁ ପାଖରେ ରଖ । ଏଇଟି ମୁଁ ତୁମପାଇଁ ଅଭିମନ୍ତ୍ରିତ କରିଛି । ଏହା ତୁମକୁ ନିଶ୍ଚୟ ସମସ୍ତ ବାଧା ବିପତ୍ତିରୁ ରକ୍ଷା କରିବ । ତୁମେ ଏହି ମୁଦିର ଶକ୍ତି ବିଷୟରେ କାହାକୁ କିଛି ମଧ୍ୟ କହିବ ନାହିଁ, କହିଲେ ଏହାର ଶକ୍ତି ନଷ୍ଟ ହେବ । ଫେରିବା ବାଟରେ ମୋତେ ଦେଖା କରି ଯିବ । ତୁମ ମା ତୁମ ପାଇଁ ବାଟ ଚାହିଁ ବସିଥିବେ ।” “ଭଗବାନ୍ । ମୁଁ ଆପଣଙ୍କୁ ତାଙ୍କ ବିଷୟ କହିନାହିଁ । ଆମ ରାଜା ବଡ ମହାନ୍ । ମୁଁ ଯେତେଦିନ ବାହାରେ ରହିବି ରାଜା ମୋ ମାଙ୍କର ସମସ୍ତ ପ୍ରକାର ଦେଖାଶୁଣା ପାଇଁ ବ୍ୟବସ୍ଥା କରି ଦେଇଛନ୍ତି । ସେ ବ୍ୟବସ୍ଥା ରାଜପ୍ରାସାଦରୁହିଁ ହୋଇଛି । ମୁଁ ମା’ଙ୍କ ବିଷୟରେ କୌଣସି ଚିନ୍ତା କରୁନାହିଁ । ମୁଁ ନିଶ୍ଚିନ୍ତ ହୋଇ ମୋ କାମରେ ଯାଉଛି । ଏହି ରକ୍ଷାକରୀ ମୁଦିଟି ପାଇଁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ । ମୋ କାମ ପୁରା ହେବା ପରେ ମୁଁ ନିଶ୍ଚୟ ଆପଣଙ୍କୁ ଦର୍ଶନ କରିବା ପରେହିଁ ମୋ ଘରକୁ ଫେରିବି, ସେ ବିଷୟରେ ଆପଣ ନିଃସନ୍ଦେହ ରହନ୍ତୁ ।” ମହେନ୍ଦ୍ର ଏତକ କଥା କହିଲେ ଓ ତାଙ୍କୁ ପ୍ରଣାମ କଲେ ।

ସନ୍ନ୍ୟାସୀ ତାଙ୍କୁ ଅତି ସ୍ନେହରେ ଆଲିଙ୍ଗନ କଲେ । ତାଙ୍କୁ ଏପରି ଭାବବିହ୍ୱଳ ଅବସ୍ଥାରେ ଦେଖି ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ଭାବିଲେ, “ସଂସାରର ସୁଖଦୁଃଖ ଛାଡି ଯିଏ ଏତେ ଦିନ ବସବାସ କରିଛନ୍ତି, ସେ ଆଜି ଏପରି ବିହ୍ୱଳ ହୋଇ ପଡିଲେ କିପରି?”

ମହେନ୍ଦ୍ର ସନ୍ନ୍ୟାସୀଙ୍କ କୁଟୀରରୁ ତ ବାହାରି ଆସିଲେ, କିନ୍ତୁ ତା’ପରେ ଭାବିବାକୁ ଲାଗିଲେ ଯେ କେଉଁ ଆଡକୁ ସେ ଏବେ ଯିବେ । ତାଙ୍କର ସେନାପତିଙ୍କ କଥା ମନେ ପଡିଲା, ସେ କହିଥିଲେ ଦକ୍ଷିଣ ଆଡକୁ ଯାଇ ପଶ୍ଚିମକୁ ଗଲେ ଭଲ ହେବ । ସେ ସେହିପରି ଯାତ୍ରା ଆରମ୍ଭ କଲେ ।

ସେ ପୂର୍ବରୁ ଯେତେ କଠିନ ବୋଲି ଭାବିଥିଲେ ମାତ୍ର ରାସ୍ତା ସେତେ କଠିନ ନୁହେଁ । ଅଳ୍ପ ସମୟ ମଧ୍ୟରେ ସେ ପାହାଡ ପାଖରେ ପହଁଚି ପାହାଡ ଚଢିବାକୁ ଆରମ୍ଭ କଲେ । ଯେତେ ଉପରକୁ ସେ ଉଠୁଥା’ନ୍ତି ଗଛମାନେ ସେତେ ଛୋଟ ଓ ଅଳ୍ପ ଗହଳ ହେଉଥାଏ । ତାଙ୍କୁ ଚାଲିବାକୁ ବେଶ୍ ସୁବିଧା ହେଉଥାଏ । ଏମିତି ଯାଉଯାଉ ସେ ପାହାଡର ଶିଖର ଦେଶରେ ଯାଇ ପହଁଚିଲେ । ପାହାଡ ବହୁତ ଉଚ୍ଚ ଥିଲା । ସେଠାରେ ଥାଇ ସେ ଚାରିଆଡକୁ ଦୃଷ୍ଟିପାତ କଲେ । ଗଛମାନଙ୍କର ଗହଳି ମଧ୍ୟରେ ବହୁତ ଦୂରରେ ଧୁଆଁ ଳିଆ ହୋଇ କୌଣସି ଏକ ପ୍ରାସାଦର ପ୍ରାଚୀର ଦେଖାଗଲା; କ୍ରମେ ସେ ଦେଖି ପାରିଲେ ଭବନଟି ବହୁତ ଉଚ୍ଚ ଓ ବଡ । ସେ ପ୍ରାସାଦଟିର ଚାରିପଟ ବୁଲିବୁଲି ଦେଖିଲେ । କିନ୍ତୁ କୌଣସି ଦ୍ୱାର ନାହିଁ । ପୁଣି ବୁଲିଲେ ଦେଖିଲେ ଗୋଟିଏ ସ୍ଥାନରେ ପଥର ପାହାଚ ଅଛି । ସେଥିରେ ସେ ଗୋଟିଏ ବଡ ପଥର ଉପରକୁ ଚଢିଲେ; ସେ ଦେଖିଲେ ପୁଣି ପାହାଚ ତଳକୁ ଯାଇ ଏକ ଲୁହା ଫାଟକ ଥିବା ଦ୍ୱାର ସାମନାରେ ଶେଷ ହୋଇଛି । ସେଠାରେ ଏକ ବଡ ତାଲା ଝୁଲୁଛି । ସେ ସେଠାକୁ ଓହ୍ଲାଇ ଯାଇ ତାଲାଟିକୁ ଧରି ଖଡଖଡ କଲେ । ଭିତରୁ ଜଣେ ଲୋକ ଆଲୋକଟିଏ ଧରି ବାହାରି ଆସିଲା । ନିକଟକୁ ଆସି ଚମକି ପଡି ସେ କହିଲା, “ଓଃ ମୁଁ ଭାବିଲି ମାଲିକ ଆସିଗଲେ । ତୁମେ କିଏ?” ମହେନ୍ଦ୍ର କହିଲେ “ମୁଁ ବୀରଗିରିର ଜଣେ ନାଗରିକ । ମୋର ନାମ ମହେନ୍ଦ୍ରନାଥ । ମୋତେ ସେଠାରେ କିଛି କାମ ନମିଳିବାରୁ ମୁଁ ହିମିଗିରିକୁ ଆସିଛି କୌଣସି କାମ ପାଇବାକୁ । ମୁଁ ଶୁଣିଥିଲି ଏହି ପାହାଡରେ ଏକ ଛୋଟ ରାସ୍ତା ଅଛି । କିନ୍ତୁ ଏଠାରେ ପହଁଚିବାକୁ ମୋତେ ତିନିଦିନ ଲାଗିଗଲା । କ’ଣ ଏହି ରାତିକ ଏଠାରେ ରହିପାରିବି? ରାତି ପାହିବା ମାତ୍ରେ ମୁଁ ଏଠାରୁ ହିମଗିରିକୁ ଚାଲିଯିବି । ରାତି ଅଧିକ ହେଲାଣି, ମୁଁ ରାସ୍ତା ଦେଖି ପାରୁନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ