ଶତ୍ରୁ – ମିତ୍ର

ରାକ୍ଷସ ସବୁ ଶୁଣି କହିଲା, “ତମେ ତ ଖାଲି ରାଜା ନୁହଁ, ବୀର ମଧ୍ୟ ।” ତମକୁ ସାହାଯ୍ୟ କଲେ ମୋର ପୁଣ୍ୟ ହେବ । ମୁଁ ଯାଇ ସେ ବିଶ୍ୱାସଘାତକ ସେନାପତି ସହ ଲଢିବାକୁ ପ୍ରସ୍ତୁତ ।”

“ଧନ୍ୟବାଦ । ପ୍ରୟୋଜନ ହେଲେ ମୁଁ ନିଶ୍ଚୟ ତମକୁ ଖବର ଦେବି ଓ ତମ ସାହାଯ୍ୟ ଗ୍ରହଣ କରିବି ।” ଏହା କହି ସେ ରାଜା ଚାଲିଗଲେ ।

ତା’ପରେ ସେ ରାଜା ଯାଇ ବୈଶାଳୀ ନଗରୀରେ ପହଁଚିଲେ । ବୈଶାଳୀ ସହ ତାଙ୍କ ରାଜ୍ୟ ଚିତପୁରର ବହୁଦିନ ଧରି ବିବାଦ ଚଳି ଆସୁଥିଲା । ତଥାପି ସେ ଯାଇ ବୈଶାଳୀର ରାଜାଙ୍କୁ ଭେଟିଲେ ଓ କହିଲେ, “ମହାରାଜ, ଦୁଇ ତିନି ପୁରୁଷ ଧରି ଆମ ଦୁଇ ରାଜ୍ୟ ଭିତରେ ଶତ୍ରୁତା ଲାଗିଛି । ତଥାପି ଆଜି ମୁଁ ଆପଣଙ୍କ ସାହାଯ୍ୟରେ ମୋ ବିଶ୍ୱାସଘାତକ ସେନାପତିକୁ ଦମନ କରିବାକୁ ଚାହେଁ । ମୁଁ କେବଳ ଏତିକି କହିବି, ଯଦି ଦୈବାତ୍ କେବେ ଆପଣ ରାଜଚ୍ୟୁତ ହୁଅନ୍ତି, ତେବେ ମୁଁ ପ୍ରାଣପାତ କରି ଆପଣଙ୍କର ସହାୟତା କରିବି ।”

ସବୁକଥା ଶୁଣି ସାରିଲା ପରେ ବୈଶାଳୀର ରାଜା କିଛି ସମୟ ଚିନ୍ତା କରି କହିଲେ, “ମହାରାଜ, ଆପଣଙ୍କର ସହାୟତା କରିବାକୁ ମୁଁ ପ୍ରସ୍ତୁତ ।” ଏତିକି କହି ସେ ସଙ୍ଗେ ସଙ୍ଗେ ନିଜ ସୈନ୍ୟବାହିନୀ ଧର୍ମଗୁପ୍ତଙ୍କ ନେତୃତ୍ୱରେ ଚିତପୁରୀ ପଠାଇଲେ । ସେ ସୈନ୍ୟବାହିନୀ ସାହାଯ୍ୟରେ ରାଜା ଧର୍ମଗୁପ୍ତ ଅକ୍ଳେଶରେ ତାଙ୍କ ସେନାପତିକୁ ପରାଜିତ କଲେ ଓ ବନ୍ଦୀ କଲେ । ଏଥୁଅନ୍ତେ ତାଙ୍କ ରାଜ୍ୟରେ ଆନନ୍ଦ ଲହରୀ ଖେଳିଗଲା ।

ଏହା ପରେ ରାଜା ଦିନେ ଅରଣ୍ୟ ଭିତରକୁ ଯାଇ ରାକ୍ଷସକୁ ଭେଟିଲେ ଓ ତାକୁ କହିଲେ, “ଶୁଣ, ତମେ ଏଠାରେ ରହିବା ଫଳରେ ଆମର ପ୍ରଜାମାନେ ସ୍ୱଚ୍ଛନ୍ଦରେ ଅରଣ୍ୟକୁ ଯାଇପାରୁ ନାହାଁନ୍ତି । ତମେ ଯେଉଁଠାରୁ ଆସିଛ, ସେଠାକୁ ଚାଲିଯାଅ ।”

ରାଜାଙ୍କ ଏଭଳି  ନିର୍ଦ୍ଧେଶରେ ସେ ରାକ୍ଷସ ରୁକ୍ଷ ଭାବରେ ପଚାରିଲା “ନ ଗଲେ?”

ତା’ପରେ ରାଜା ନିଜ ତରବାରୀ ଉପରେ ହାତ ପକାଇଲେ ଓ କହିଲେ, “ଏ ରାଜ୍ୟରେ ଜଣେ ରାଜା ରହିବ ନହେଲେ ଗୋଟାଏ ରାକ୍ଷସ ରହିବ । ହେଲେ ଦୁହେଁ ରହିପାରିବେ ନାହିଁ ।”

ଏକଥା ଶୁଣି ରାକ୍ଷସ ରାଜାଙ୍କ ଆଡକୁ ଥରେ ଅନାଇ ଦେଇ ଅରଣ୍ୟ ଛାଡି ଚାଲିଗଲା ।

ଏହାର ଦୁଇଦିନ ପରେ ରାଜା ହଠାତ୍ ଦିନେ ଅରଣ୍ୟର ଗୋଟିଏ ଅଂଚଳ ଘେରାଉ କରି ଡାକୁ ବିକଟବର୍ମାକୁ ଧରିନେଲେ । ତା’ ଦସ୍ୟୁଦଳର ଅନ୍ୟମାନେ ଆତ୍ମସମର୍ପଣ କଲେ ।

ଏହାର କିଛିଦିନ ପରେ ଦିନେ ତାଙ୍କର ଏକ ଛୋଟ ପ୍ରତିବେଶୀ ରାଜ୍ୟ କାନେଶ୍ୱରରୁ ଦୂତ ଆସି ତାଙ୍କୁ ଖବର ଦେଲା କି ବୈଶାଳୀ କାନେଶ୍ୱର ଆକ୍ରମଣ କରିଛି । ନିଜ ରାଜ୍ୟ ରକ୍ଷା କରିବା ନିମନ୍ତେ କାନେଶ୍ୱରର ରାଜା ଚିତପୁରର ଶରଣ ନେଉଛନ୍ତି ।

ରାଜା ଧର୍ମଗୁପ୍ତ ସଙ୍ଗେ ସଙ୍ଗେ ନିଜ ସୈନ୍ୟଦଳ ଧରି କାନେଶ୍ୱର ସୀମାନ୍ତରେ ପହଁଚିଲେ ଓ ଯୁଦ୍ଧ କରି ବୈଶାଳୀର ସୈନ୍ୟ-ବାହିନୀକୁ ପରାସ୍ତ କରିବା ସଙ୍ଗେ ସଙ୍ଗେ ବୈଶାଳୀ ରାଜାଙ୍କୁ ବନ୍ଦୀ ବି କଲେ ।

ବନ୍ଦୀ ରାଜା ଧର୍ମଗୁପ୍ତଙ୍କୁ କହିଲେ, “ଦେଖୁଛି, ଆପଣ ଆମର ଦୁଇ ତିନି ପୁରୁଷର ଶତ୍ରୁତାକୁ ଭୁଲି ନାହାଁନ୍ତି!”

ତା’ପରେ ଧର୍ମଗୁପ୍ତ ଉତ୍ତର ଦେଲେ, “ମହାରାଜ! ମୁଁ ଭୁଲିଯିବାକୁ ଆଗ୍ରହୀ । ସେ ଦିଗରେ କିଛି ପକ୍କା ବ୍ୟବସ୍ଥା କଲେ କିପରି ହୁଅନ୍ତା?”

ଏହା ଶୁଣି ବୈଶାଳୀର ବନ୍ଦୀ ରାଜା କୌତୁହଳୀ ହୋଇ ପଚାରିଲେ “କି ବ୍ୟବସ୍ଥା?”


ଗପ ସାରଣୀ

ତାଲିକାଭୁକ୍ତ ଗପ