ଶୁଆ ଶାରୀ କଥା

         ଇନ୍ଦ୍ର ପଚାରିଲେ, ତୁ କିଏ? ଏମିତି ଲୁଚି, ଛପି କାହିଁକି ମାଧବୀ ସହିତ ସାକ୍ଷାତ କରୁଛୁ । ରାଜ ପୁତ୍ର କହିଲେ, ମୁଁ ହେଉଛି ଉଜ୍ଜୟିନୀ ରାଜା ବିକ୍ରମ ସିଂହ । ଆପଣଙ୍କର ଏହି ଅପସରା ସହିତ ମର୍ତ୍ୟ ଲୋକରେ ଦେଖା ସାକ୍ଷାତ କରିବା ନିମନ୍ତେ ଏଠାକୁ ଆସୁଛି । ଏହି କଥା ଶୁଣିଲା ପରେ ଇନ୍ଦ୍ର ଦେବତା ରାଗି ଲାଲ୍ ପଡି ଗଲେ । ତାପରେ କହିଲେ – ଯଦି ତୁମର ମାଧବୀ ସହିତ ଏତେ ପ୍ରେମ, ତେବେ ମୋ ଦରବାରରେ ଚାକିରୀ କର, ତମେ ମାଧବୀକୁ ପାଇ ପାରିବ । ମାଧବୀ ସ୍ୱର୍ଗ ତ୍ୟାଗ କରି ଯାଇ ପାରିବ ନାହିଁ । ରାଜା କହିଲେ –

ଆହେ ଦେବ ରାଜ                     ଏ ନୁହେଁ ସହଜ

                 କ୍ଷତ୍ରୀୟ କୁଳେ ଜନମ

 ଅନ୍ୟର ନିକଟେ                        ଚାକିରୀ କରିବି

                ନଷ୍ଟ ହେବ ରାଜ ଧର୍ମ

ଘରେ ମୋର ନାରୀ                  ଚତୁରୀ ସୁନ୍ଦରୀ

                କରିବେ ସେମାନେ କିସ

 ମୋ ବିହୁନେ ପ୍ରଜା                ବ୍ୟାକୁଳ ହୋଇବେ

                ନାଶ ହୋଇ ଯିବ ଦେଶ ।

         ରାଜାଙ୍କର ଅନ୍ୟ ସ୍ତ୍ରୀ ଥିବା କଥା ଶୁଣି ମାଧବୀ ଅପସରା ବେହୋସ ହୋଇ ଗଲା । ଏବେ ଇନ୍ଦ୍ର ରାଜାଙ୍କୁ ସମ୍ବୋଧନ କରି କହିଲେ – ଯାଅ ତୁମେ, ଶୁଆଟିଏ ହୋଇ ମର୍ତ୍ୟ ଲୋକରେ ରୁହ । ଇନ୍ଦ୍ରଙ୍କ ମୁହଁରୁ ଏପରି ଅଭିଶାପ କଥା ସରିଛି କି ନାହିଁ ରାଜା ଶୁଆଟିଏ ହୋଇ ମର୍ତ୍ୟକୁ ଗଳି ପଡିଲେ । ଅପସରା ମାଧବୀ ଯେତେ ବେଳେ ଚେତା ପାଇଲେ ସେ ରାଜାଙ୍କୁ ପାଖରେ ଦେଖିଲେ ନାହିଁ, ରାଜାଙ୍କ ନାମ ବାରମ୍ବାର ଉଚ୍ଚାରଣ କରି କାନ୍ଦିବାକୁ ଲାଗିଲେ ।

         ଇନ୍ଦ୍ର ଅଧିକ ରାଗି ଯାଇ କହିଲେ – ତୁ ମଧ୍ୟ ଯାଆ, ମର୍ତ୍ୟ ଲୋକରେ ଶାରୀଟିଏ ହୋଇ ରୁହ ।

         ମାଧବୀ କହିଲା – ଦେବରାଜ, ତେବେ ମୋ ପ୍ରତି ସୁଦୟା ହୁଅନ୍ତୁ । ମୁଁ ଯେମିତି ଅଭିଶପ୍ତ ରାଜ ପୁତ୍ରଙ୍କ ସହିତ ସାକ୍ଷାତ କରି ପାରିବି । ଆଉ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତୁ ଯେମିତି କିଛି ବର୍ଷ ମର୍ତ୍ୟରେ ରହିବା ପରେ ଆମେ ଦୁହେଁ ଏହି ଇନ୍ଦ୍ରଲୋକକୁ ଫେରି ଆସି ପାରିବୁ ।

         ମାଧବୀର କଥା ଶୁଣି ଇନ୍ଦ୍ର କହିଲେ ତାହାହିଁ ହେବ । ତୁମେ ଦୁହେଁ ସ୍ୱର୍ଗଲୋକକୁ ଫେରି ଆସିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ