ସୁନା ସମ୍ପଦ

ଗହଣାଛଡା ସୁନାର ଅନ୍ୟାନ୍ୟ ବ୍ୟବହାର :-

                ସୁନାରେ ଗହଣାଗାଣ୍ଠି ତିଆରି ହେଉଥିବା କଥା ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ସୁନ କେବେ କଅଣ ଅନ୍ୟ କୌଣସି କାମରେ ଲାଗେ? ହଁ ଲାଗେ । ବରଂ ଅନ୍ୟ ସବୁ ଧାତୁ ତୁଳନାରେ ଏହା ବେଶୀ ଉପଯୋଗୀ । ହେଲେ ବଡ ଦୁଃଖର କଥା ଯେ ଏହାର ପରିମାଣ ଖୁବ୍ କମ୍ ।

                ବେଳଥିଲା, ଯେତେବେଳେ ସୁନା ବ୍ୟବହାର କରାଯାଉଥିଲା ମୁଦ୍ରା ଭାବରେ । ବିକାକିଣା କରିବାରେ ଲୋକେ ସୁନାର ବ୍ୟବହାର କରୁଥିଲେ । ଜିନିଷପତ୍ର କିଣାକିଣି କରି ତା’ର ମୂଲ୍ୟ ହିସାବରେ ଦିଆଯାଉଥିଲା ସୁନା । ଏପରି ଚଳଣି ୬୦୦୦ ବର୍ଷରୁ ବେଶୀ ତଳେ ପ୍ରଚଳିତ ରହିଥିଲା ବୋଲି ଲେଖାଅଛି ।

                ସେ ଯାହାହେଉ, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ ତିଆରିରେ ସୁନା ବ୍ୟବହୃତ ହୋଇଥାଏ । କାରଣ ସୁନା ମାଧ୍ୟମରେ ବିଦ୍ୟୁତ୍ ସ୍ରୋତ ଅତି ସହଜରେ ପ୍ରବାହିତ ହୋଇପାରେ । ବିଜ୍ଞାନ ଭାଷାରେ କହିଲେ ସୁନା ହେଉଛି ଏକ ଖୁବ୍ ସନ୍ତୋଷଜନକ ବିଦ୍ୟୁତ୍-ସୁପରିବାହୀ । ତେଣୁ ଅତି ବିଦ୍ୟୁତ୍ ସ୍ରୋତକୁ ମଧ୍ୟ ଏହା ସହଜରେ ପରିବହନ କରିପାରେ । ପୁଣି ସୁନାରେ କଳଙ୍କି ଲାଗୁ ନ ଥିବାରୁ ଏହାର କାର୍ଯ୍ୟରେ କୌଣସି ବାଧା ଉପୁଜିବାର ସମ୍ଭାବନା ନ ଥାଏ । ଏହି କାରଣରୁ ବିଦୁ୍ୟତ୍ଚାଳିତ ଯନ୍ତ୍ରପାତିରେ ସୁନା ଉପକରଣର ବ୍ୟବହାର ବେଶ୍ ଉପଯୋଗୀ । ବିଦ୍ୟୁତ୍ ପ୍ରବାହ ପାଇଁ ତାର ଯୋଡିବା, ସଂଚାରଣକୁ ସୁଗମ କରିବା, ସୁଇଚ୍ ଭାବରେ କାମ କରିବା ଇତ୍ୟାଦି ପାଇଁ ସୁନାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମୋବାଇଲ୍ ଫୋନ୍, କାଲ୍କୁଲେଟର୍ ଭଳି ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ତିଆରିରେ ବ୍ୟବହାର କରାଯାଏ ଖୁବ୍ କମ୍ ମାତ୍ରାର ସୁନା । କମ୍ପୁଟର୍ ଓ ଟେଲିଭିଜନ୍ରେ ମଧ୍ୟ ସୁନାର ସୂକ୍ଷ୍ମ ଉପକରଣ ବ୍ୟବହୃତ ହୁଏ ।

                ପୁଣି ମହାକାଶଯାନ ନିର୍ମାଣ ପାଇଁ ଅନେକ ଉପକରଣରେ ସୁନାକୁ କାମରେ ଲଗାଯାଇଥାଏ । ସେଗୁଡିକରେ ବ୍ୟବହୃତ ହୋଇଥାଏ ସୁନାର ପ୍ରଲେପ ଦିଆଯାଇଥିବା ପଲିଷ୍ଟର୍ ବା ପଲିମର୍ ଫିଲ୍ମ । ଏହି ଫିଲ୍ମରୁ ପ୍ରତିଫଳିତ ହୁଏ ଇନ୍ଫ୍ରାରେଡ୍ ବା ପାରାଲୋହିତ ବିକିରଣ । ଏହିପରି ଭାବରେ ତାହା ମହାକାଶଯାନରେ ତାପମାତ୍ରାକୁ ସ୍ଥିର ରଖିବାରେ ସାହାଯ୍ୟ କରେ ।

                ଏହାଛଡା, ନାନୋଟେକ୍ନୋଲୋଜି, ଔଷଧ, ଦନ୍ତବିଜ୍ଞାନ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୋଇଥାଏ ସୁନା ।

ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ସୁନା :-

                ହଜାର ହଜାର ବର୍ଷ ଧରି, ଚିକିତ୍ସା ବିଜ୍ଞାନ ଓ ଦନ୍ତବିଜ୍ଞାନ ଶାଖାରେ ସୁନା ବ୍ୟବହୃତ ହୋଇଆସୁଛି । ପାଖାପାଖି ୪୫୦୦ ବର୍ଷତଳୁ ରୋଗୀ ଚିକିତ୍ସାରେ ସୁନା ବ୍ୟବହାର କରାଯାଉଥିବାର ପ୍ରମାଣ ଅଛି । ବିଭିନ୍ନ ସଂସ୍କୃତି ଓ ସଭ୍ୟତାରେ ବସନ୍ତ, ମିଳିମିଳା ଓ ଚର୍ମଘାଆର ଚିକିତ୍ସାରେ ବ୍ୟବହୃତ ହେଉଥିଲା ସୁନା ରହିଥିବା ଔଷଧପତ୍ର ।

                ବିଂଶ ଶତାବ୍ଦୀରେ ରିଉମାଟଏଡ୍ ଆର୍ଥ୍ରାଇଟିସ୍ ନାମକ ଗଣ୍ଠିରୋଗରେ ସୁନା ରହିଥିବା ଔଷଧ ପ୍ରୟୋଗ କରାଯାଉଥିଲା । ଏହିପରି ଏକ ଔଷଧର ନାଆଁ ଥିଲା ‘ଅରାନୋଫିନ୍’ । ସୁନାର ବିଜ୍ଞାନ ନାଆଁ ‘ଅରିୟମ୍’ ବୋଲି ତୁମମାନଙ୍କୁ ତ ଆଗରୁ କୁହାସରିଛି । ଜୀବାଣୁମାନଙ୍କ ବଂଶବୃଦ୍ଧିକୁ କେବଳ ସୁନାଥିବା ଔଷଧ ହିଁ ବାଧା ଦେଇଥାଏ । କାନ ଭିତରେ ହେଉଥିବା ଏକ ଧରଣର ଜୀବାଣୁ ରୋଗର ଚିକିତ୍ସା ନିମନ୍ତେ ସୁନା ରହିଥିବା ପଦାର୍ଥ ରୋପଣ କରାଯାଇଥାଏ । ଏପରିକି କ୍ୟାନ୍ସରର ଚିକିତ୍ସାରେ ମଧ୍ୟ ପ୍ରୟୋଗ ହୁଏ ସୁନାମିଶିଥିବା ଔଷଧ । ମୁଖମଣ୍ଡଳର ଏକ ସ୍ନାୟୁ – ପକ୍ଷାଘାତ ରୋଗରେ ଉପର ଆଖିପତାରେ ରୋପଣ କରାଯାଇପାରେ ଖାଂଟିସୁନାର ପଦାର୍ଥ । କବିରାଜି ଚିକିତ୍ସାରେ ମଧ୍ୟ ବିନିଯୋଗ ହୋଇଥାଏ ସ୍ୱର୍ଣ୍ଣଭସ୍ମ ।

                ୨୦୦୧ ମସିହାରେ ପ୍ରଥମ ଥର ପାଇଁ ହୃତପିଣ୍ଡର ଶଲ୍ୟଚିକିତ୍ସାରେ ବ୍ୟବହୃତ ହୋଇଥିଲା ସୁନାର ପ୍ରଲେପ ଦିଆଯାଇଥିବା ଷ୍ଟେଂଟ୍ । ସଂକୁଚିତ ହୋଇଯାଇଥିବା ରକ୍ତନଳୀକୁ ପ୍ରସାରିତ କରି ରଖିବା ନିମନ୍ତେ ଷ୍ଟେଂଟ୍ ବ୍ୟବହୃତ ହୋଇଥାଏ ।

ସୁନା ବିଷୟରେ କେତେକ ଜାଣିବା କଥା

  • ସୁନା କେତେ ଖାଂଟି ବା କେତେ ଶୁଦ୍ଧ ତାହା କ୍ୟାରଟ୍ ଭାବରେ ଉଲ୍ଲେଖ କରାଯାଏ । କ୍ୟାରଟ୍ ଏକକକୁ ଇଂରାଜୀ ବଡ ଅକ୍ଷର ‘କେ’ (K) ଭାବରେ ପ୍ରକାଶ କରିବା ହିଁ ନିୟମ ।
  • ୨୪ କ୍ୟାରଟ୍ ସୁନା ହେଉଛି ସବୁଠାରୁ ଖାଂଟି । ଏଥିରେ ସୁନାର ମାତ୍ରା ଶତକଡା ୯୯.୯ ଭାଗ । ଏଥିରେ ମିଶିଥାଏ ଅତିସାମାନ୍ୟ ଅନ୍ୟ ପଦାର୍ଥ । ୧୮ କ୍ୟାରଟ୍  ସୁନାରେ ଖାଂଟି ସୁନାର ମାତ୍ରା ୭୫ ପ୍ରତିଶତ ଏବଂ ୨୨ କ୍ୟାରଟ୍ରେ ୯୧.୬ ପ୍ରତିଶତ ।
  • ସୁନାର ଶୁଦ୍ଧତା କେବଳ ଏସିଡ୍ ଦ୍ୱାରା ହିଁ ପରୀକ୍ଷା କରାଯାଏ । ତେବେ ଏଥିପାଇଁ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ବ୍ୟବହୃତ ହୁଏ । ତେବେ ଏସିଡ୍ ପରୀକ୍ଷାଦ୍ୱାରା କିଛି ସୁନା ନଷ୍ଟ ହୋଇ ଯାଉଥିବାବେଳେ ଇଲେକ୍ଟ୍ରୋନିକ୍ ଉପକରଣ ସାହାଯ୍ୟରେ ପରୀକ୍ଷାକରିବା ନିମନ୍ତେ ବେଶୀ ଖର୍ଚ୍ଚ ପଡେ ।
  • ପୃଥିବୀର ସମୁଦ୍ର ଜଳରେ ରହିଛି ପାଖାପାଖି ୧୫୦ ଲକ୍ଷ କିଲୋଗ୍ରାମ୍ ସୁନା । କିନ୍ତୁ ଏକ ନିର୍ଦ୍ଦିଷ୍ଟ ପରିମାଣର ସମୁଦ୍ର ଜଳରେ ତାହା ଏତେ କମ୍ ପରିମାଣରେ ଥାଏ ଯେ ତା’କୁ ଆହରଣ କରିବା ଆଦୌ ସହଜ ନୁହେଁ ।
  • ଆମେରିକାର ଫୋର୍ଟ୍ ନକ୍ସରେ ଗଚ୍ଛିତ ହୋଇ ରହିଛି ସେହି ଦେଶ ସରକାରଙ୍କ ସୁନା । ଏହାର ପରିମାଣ ୪୫ ଲକ୍ଷ ୮୨ କିଲୋଗ୍ରାମ୍ ପାଖାପାଖି ।
  • ଆମ ଇଣ୍ଡିଆରେ ସୁନାର ଚାହିଦା ଯେତେ ତା’ର ପ୍ରାୟ ୨୦୦ ଭାଗରୁ ୧ ଭାଗ ମାତ୍ର ଏଠାରେ ଉତ୍ପାଦିତ ହୋଇଥାଏ । ତେଣୁ ଆମକୁ ବାହାର ରାଷ୍ଟ୍ରଗୁଡିକରୁ ସୁନା ଆମଦାନୀ କରିବାପାଇଁ ପଡେ ।
  • ‘ଆକୁଆ ରେଜିଆ’ ହେଉଛି ନାଇଟ୍ରିକ୍ ଏସିଡ୍ ଏବଂ ହାଇଡ୍ରୋକେଲାରିକ୍ ଏସିଡ୍ର ଏକ ମିଶ୍ରଣ । ଏଥିରେ ଏକଭାଗ ନାଇଟ୍ରିକ୍ ଏସିଡ୍ ଏବଂ ତିନି ଭାଗ ହାଇଡ୍ରୋକେଲାରିକ୍ ଏସିଡ୍ ରହିଥାଏ । ‘ଆକୁଆ ରେଜିଆ’ର ଅନ୍ୟ ନାଁ ‘ରାଜକୀୟ ଜଳ’ ବା ‘ରୟାଲ୍ ୱାଟର୍’ । କାରଣ ଏଥିରେ ସୁନା ମିଳେଇ ଯାଇପାରେ ।
  • ପଚାଶବର୍ଷ ପୂରିଯିବାଟାକୁ କୁହାଯାଏ ସୁବର୍ଣ୍ଣ ଜୟନ୍ତୀ । କାରଣ ୫୦ବର୍ଷ ପୂର୍ତ୍ତି ସୁନାପରି ଏକ ଅତି ମୂଲ୍ୟବାନ ଘଟଣା ।
  • ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ରହିଛି ପୃଥିବୀର ସବୁଠାରୁ ବଡ ସୁନାମୂର୍ତ୍ତି । ଏହି ମୂର୍ତ୍ତିକୁ ‘ସୁବର୍ଣ୍ଣ ବୁଦ୍ଧ’ ବା ‘ଗୋଲ୍ଡେନ୍ ବୁଦ୍ଧ’ ବୋଲି କୁହାଯାଏ । ନିଦା ସୁନାରେ ତିଆରି ଏହି ପ୍ରତିମୂର୍ତ୍ତିଟିର ଉଚ୍ଚତା ୩ ମିଟର ଏବଂ ଏହାକୁ ନିର୍ମାଣ କରିବା ନିମନ୍ତେ ଲାଗିଛି ୫୫୦୦ କିଲୋଗ୍ରାମ୍ ସୁନା । ଏହାକୁ ନିର୍ମାଣ କରିବା ନିମନ୍ତେ ଖର୍ଚ୍ଚ ହୋଇଥିଲା ପାଖାପାଖି ୨୫ କୋଟି ଡଲାର୍ ବା ୧୨୫୦୦ କୋଟି ଟଙ୍କା ।
  • ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ଡେନମାର୍କକୁ ଆକ୍ରମଣ କଲା । ହଙ୍ଗେରୀର ରସାୟନ ବିଜ୍ଞାନୀ ଜର୍ଜ ଡି ହେଭେସି ନିଜେ ନୋବେଲ୍ ପୁରସ୍କାର ବିଜେତା ଜର୍ମାନ୍ ପଦାର୍ଥବିଜ୍ଞାନୀ ମାକ୍ସ ଭନ୍ ଲାଉଏ ଏବଂ ଜେମ୍ସ ଫ୍ରାଙ୍କ୍ଙ୍କ ନୋବେଲ୍ ସୁନା ମେଡାଲ୍ ଦୁଇଟିକୁ ଆକୁଆ ରେଜିଆରେ ଦ୍ରବୀଭୂତ କରିଦେଇଥିଲେ । କାରଣ ଜର୍ମାନୀର ନାଜି ବାହିନୀ ମେଡାଲ୍ ଦୁଇଟିକୁ ବାଜ୍ୟାପ୍ତ କରିଦେବାର ଯଥେଷ୍ଟ ଆଶଙ୍କା ରହିଥିଲା । ଯୁଦ୍ଧ ସରିଗଲା ପରେ ଡି ହେଭେସି ଆକୁଆ ରେଜିଆରୁ ସୁନାତକ ଅବକ୍ଷେପଣ ବା ପ୍ରେସିପିଟେସନ୍ କରେଇଦେଲେ ନିଜ ଲାବୋରେଟୋରୀରେ । ସେହି ସୁନାକୁ ନୋବେଲ୍ ପୁରସ୍କାର ଦେଉଥିବା ରୟାଲ୍ ସୁଇଡିଶ୍ ଏକାଡେମୀକୁ ପଠେଇ ଦିଆଯାଇଥିଲା । ଏକାଡେମୀ ସେଥିରୁ ପୁଣି ଦୁଇଟି ମେଡାଲ୍ ତିଆରି କରି ନୋବେଲ୍ ବିଜେତା ଭନ୍ ଲାଉଏ ଏବଂ ଜେମ୍ସ ଫ୍ରାଙ୍କ୍ଙ୍କୁ ପ୍ରଦାନ କରିଥିଲେ ।
  • ପାଇରାଇଟ୍ ହେଉଛି ଲୌହସଲ୍ଫାଇଡ୍ । ଏହାର ରଙ୍ଗ ପିତଳ ଭଳି ହଳଦିଆ । ତେଣୁ ପାଇରାଇଟ୍କୁ କୁହାଯାଏ ‘ମୂର୍ଖଙ୍କ ସୁନା’ ବା ‘ଫୁଲ୍ସ୍ ଗୋଲ୍ଡ’ । ଏହା ସୁନାଠାରୁ ହାଲୁକା ଏବଂ ସୁନା ତୁଳନାରେ ବେଶୀ କଠିନ ।
  • ଗଲ୍ରାଜ୍ୟକୁ ଆକ୍ରମଣ କରି ବିଜୟଲାଭ କଲାପରେ ଜୁଲିଅସ୍ ସିଜାର୍ ଖୁବ୍ ଖୁସି ହୋଇ ତାଙ୍କ ସେନାବାହିନୀର ପ୍ରତ୍ୟେକ ସୈନିକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ୨୦୦ଟି ଲେଖାଏଁ ସୁନାମୁଦ୍ରା ।
  • ବଂଶୀ ତିଆରି କରିବା ନିମନ୍ତେ ନିଦା ଗୋଲାପି ସୁନା ବ୍ୟବହାର କରାଯାଇପାରେ । କିନ୍ତୁ ଏପରି ବଂଶୀର ଦାମ୍ ଖୁବ୍ ବେଶୀ ।
  • ସୁନାର ଚରିତ୍ର ଏପରି ଯେ ସୁନାଗହଣା ପିନ୍ଧିଲେ ତାହା ଆମକୁ ଥଣ୍ଡା ଲାଗେ ନାହିଁ କି ଗରମ ବି ଲାଗେ ନାହିଁ । ତେଣୁ ସୁନାଗହଣା ପିନ୍ଧିବା ଦ୍ୱାରା ବେଶ୍ ଆରାମ ଲାଗେ ।
  • ପୃଥିବୀରେ ସଭ୍ୟତାର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଖଣିରୁ ଉତ୍ତୋଳନ କରାଯାଇପାରିଛି ୧୭୧,୩୦୦ ଟନ୍ ବା ୧୭୧,୩୦୦,୦୦୦ କିଲୋଗ୍ରାମ ସୁନା ।
  • ଲିଓନେଲ୍ ମେସି ହେଉଛନ୍ତି ଆର୍ଜେଂଟିନାର ପୃଥିବୀ ବିଖ୍ୟାତ ଫୁଟ୍ବଲ୍ ଖେଳାଳି । ଜାପାନ୍ର ଜଣେ ସୁନା କାରିଗର ମେସିଙ୍କ ବାମପାଦର ଅବିକଳ ଆକୃତିକୁ ସୁନାରେ ତିଆରି କରିଛନ୍ତି । ପୃଥିବୀ ବଜାରରେ ସେହି ସୁନା ଗୋଡର ମୂଲ୍ୟ ୫୩ ଲକ୍ଷ ୫୦ ହଜାର ଡଲାର ।
  • ସୁନା ୧୦୬୪ ଡିଗ୍ରୀ ସେଂଟିଗ୍ରେଡ୍ରେ ତରଳିଥାଏ ଏବଂ ଫୁଟିଥାଏ ୨୮୦୮ ଡିଗ୍ରୀ ସେଂଟିଗ୍ରେଡ୍ ତାପମାତ୍ରାରେ ।
  • ଖାଂଟି ବା ବିଶୁଦ୍ଧ ସୁନା ଏତେ ନରମ ଯେ ୩୦ ଗ୍ରାମ ସୁନାକୁ ପିଟିପିଟି ନଅ ବର୍ଗମିଟର ଆକାରର ସୁନାଚାଦର ପ୍ରସ୍ତୁତ କରିବା ସମ୍ଭବ । ଏଥିରୁ ପ୍ରସ୍ତୁତ ଅତି ସରୁ ତାରର ଲମ୍ବ ହୋଇଯିବ ୮୦.୪ କିଲୋମିଟର ।
  • ପୃଥିବୀରେ ଯେତିକି ସୁନା ଅଛି ସବୁତକ ସୁନାରୁ ୦.୦୦୫ ମିଲିମିଟର୍ ମୋଟାର ତାର ତିଆରି କଲେ ସେ ତାରଟି ଏତେ ଲମ୍ବା ହୋଇଯିବ ଯେ ତା’କୁ ୭୨ ଲକ୍ଷ ଥର ପୃଥିବୀ ଚାରିକଡେ ଗୁଡେଇ ଦିଆଯାଇପାରିବ ।
  • ୧୯୬୧ ମସିହାରେ ମହାକାଶଯାନର ଅତି ସୂକ୍ଷ୍ମ ଯନ୍ତ୍ରପାତିଗୁଡିକୁ ବିକିରଣର କ୍ଷତିକାରୀ ପ୍ରଭାବରୁ ମୁକ୍ତ ରଖିବା ନିମନ୍ତେ ବ୍ୟବହାର କରାଯାଇଥିଲା ସୁନା । ୧୯୮୧ରେ ମହାକାଶ ସଟଲ୍ୟାନ ନିର୍ମାଣରେ ଲାଗିଥିଲା ୪୧ କିଲୋଗ୍ରାମ୍ ସୁନା ।
  • ତମ୍ବା ଖଣିରୁ ତମ୍ବା ଉତ୍ତୋଳନ କରିବା ପ୍ରକ୍ରିୟାରେ ମଧ୍ୟ କିଛି ପରିମାଣର ସୁନା ମିଳିଥାଏ ।
  • ମିଶରର ରାଜା ବା ଫାରୋହା ତୁତାନ୍ଖାମୁନ୍ଙ୍କ କବର ଭିତରେ ରଖାଯାଇଥିବା ତାଙ୍କ ମୁଖାଟିର ତିଆରିରେ ଲାଗିଥିଲା ୧୦.୮ କିଲୋଗ୍ରାମ ଓଜନର ସୁନା ।
  • ପ୍ରାଚୀନ କାଳରେ ଇହୁଦୀରାଜା ସୋଲୋମନ୍ ନିର୍ମାଣ କରିଥିଲେ ଏକ ବିଖ୍ୟାତ ସ୍ୱର୍ଣ୍ଣ ମନ୍ଦିର । ମନ୍ଦିରର ବାହାର, ଭିତର, ଚଟାଣ ଓ କବାଟଗଡିକୁ ସୁନାରେ ଛାଆଣି କରିଥିଲେ ସେ । ସେ ମନ୍ଦିରଟିକୁ ତିଆରି କରିବା ନିମନ୍ତେ ସାତବର୍ଷ ସମୟ ଲାଗିଥିଲା ।
  • ଯିଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ସ୍ମୃତିକୁ ଖ୍ରୀଷ୍ଟିଆନ୍ ସଂପ୍ରଦାୟ ଇଷ୍ଟର ପର୍ବ ଭାବରେ ପାଳନ କରିଥାନ୍ତି । ଏହି ପର୍ବରେ ଭେଟି ଭାବରେ ଦିଆଯାଇଥାଏ କୃତ୍ରିମ ଚକୋଲେଟ୍ ଅଣ୍ଡା । ୧୮୮୫ ମସିହାରେ ରୁଷିଆର ଜାର୍ ବା ସମ୍ରାଟ୍ ସୁନା କାରିଗର କାର୍ଲ୍ ଫାବର୍ଜ୍ଙ୍କ ଦ୍ୱାରା ତିଆରି କରାଇଥିଲେ ଖାଂଟିସୁନାର ଏକ ଅଣ୍ଡା ଏବଂ ଏଥିରେ ମୂଲ୍ୟବାନ୍ ପଥରମାନ ମଧ୍ୟ ଖଞ୍ଜା ଯାଇଥିଲା । ଉକ୍ତ ସୁନା ଅଣ୍ଡାଟିକୁ ବା ‘ଇଷ୍ଟର ଏଗ୍’କୁ ଜାର୍ ନିଜ ମହାରାଣୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଜାର୍ ନିଜର ରାଣୀଙ୍କୁ ସୁନାରେ ତିଆରି ଇଷ୍ଟର ଅଣ୍ଡା ଉପହାର ଦେବାର ଚଳଣି ୧୮୮୫ ମସିହାଠାରୁ ୧୯୧୭ ମସିହା ପର୍ଯ୍ୟନ୍ତ ଚାଲୁ ରହିଥିଲା ।
  • ଜାପାନର ଟୋଇ ଗୋଲ୍ଡ ମୁ୍ୟଜିୟମ୍ରେ ରହିଛି ପୃଥିବୀର ସବୁଠାରୁ ବଡ ସୁନାଖାଡି । ଆଉ ସେହି ସୁନାଖାଡିଟିର ଓଜନ ୨୫୦ କିଲୋଗ୍ରାମ୍ ।

ଗପ ସାରଣୀ

ତାଲିକାଭୁକ୍ତ ଗପ