ଭାଣ୍ଡର ଲଢେଇ

ସେ କାଳର ପ୍ରତ୍ୟେକ ରାଜାଙ୍କ ପାଖରେ ରହସ୍ୟ ପୂର୍ଣ୍ଣ ଦୁଇ ଚାରି ଜଣ ଭାଣ୍ଡ ଥିଲେ । ସେମାନେ ରାଜାଙ୍କର ନିରସ ମନକୁ ସରସ କରିବା ପାଇଁ କଥା କଥାକେ ହସର ଯୁଆର ଛୁଟାଇ ଦେଉ ଥିଲେ । ହେଲେ ଗୋପାଳ ଭାଣ୍ଡର ସୁଖ୍ୟାତି ଯେତେ ଦୂର ବ୍ୟାପି ଯାଇ ଥିଲା ତା’ପରି କୌଣସି ଭାଣ୍ଡ କୌଣସି ରାଜାଙ୍କ ପାଖରେ ଥାଇ ସେହି ପରି ସୁନାମ ଅର୍ଜନ କରି ନଥିଲେ । ତଥାପି ସେମାନେ ଗୋପାଳର ନାମ ଓ କାମ ଶୁଣି ତା’ ଉପରକୁ ମନେ ମନେ ଚିଡି ଉଠୁ ଥିଲେ । ଭାବୁ ଥିଲେ ଗୋପାଳ ଦିନେ ମାତ୍ର ଆମର ହାବୁଡେ ପଡିଲେ, ଗୁଆ କାତିରେ ଗୁଆ ଚାପିଲା ପରି ତାକୁ ଚାପି ଧରନ୍ତୁ ଓ ତାର ଭାଣ୍ଡ ପଣ ଏକା ଥରକେ ଛଡାଇ ଦିଅନ୍ତୁ । ଭାଣ୍ଡ ମାନେ ଏହି ପରି ଭାବନ୍ତି କିନ୍ତୁ ହାବୁଡେ ପଡିଲେ ସେମାନଙ୍କର ବୁଦ୍ଧି ବିଦ୍ୟା କେଉଁ ଆଡେ ଉଭେଇ ଯାଏ । ଗୋପାଳ ତା’ର ଉପସ୍ଥିତ ଭାଣ୍ଡ ପଣ, ବିଜ୍ଞତା, ଚାତୁର୍ଯ୍ୟ ଓ ନ୍ୟାୟ ଶାସ୍ତ୍ର ପଣରେ ଅନ୍ୟ ଭାଣ୍ଡଙ୍କ ମୁଖରେ ଚୂନ କାଳି ଦେଇ ପରିଷ୍କାର ବାଟ ଧରି ଚାଲି ଆସେ ।

                 ସେଦିନ ବର୍ଦ୍ଧମାନ ରାଜା ତାଙ୍କର ରାଜ ସଭାରେ ବସି ଗୋପାଳ ଭାଣ୍ଡର ପ୍ରଶଂସା ଗାଇଲେ । ତାଙ୍କ ସଙ୍ଗରେ ପଣ୍ଡିତ ମାନେ ମଧ୍ୟ ତାଳ ଧଇଲେ । କେବଳ ତାଙ୍କର ଯେଉଁ ଭାଣ୍ଡ ଜଣକ ଥିଲେ, ସେ ଚିଡି ଉଠି କହିଲେ – ମହାରାଜ! ଆପଣ ଯାହା କହୁଛନ୍ତି ଏ ତ ବଡ ଲଜ୍ଜାର କଥା । ନିଜର ଭାଣ୍ଡକୁ ଗୋଡରେ ଦଳି ଦେଇ ଅନ୍ୟ ଭାଣ୍ଡକୁ ମୁଣ୍ଡ ଉପରେ ତୋଳି ଧରି ଛନ୍ତି । ଆପଣଙ୍କ ଭାଣ୍ଡ ଗୋପାଳ ଭାଣ୍ଡ ଠାରୁ କେତେ ନିଉନ, ତାହା ଦିନେ ପରୀକ୍ଷା କରି ଦେଖିଛନ୍ତି କି?

                 ଏହା ଶୁଣି ବର୍ଦ୍ଧମାନ ରଜା କହିଲେ – ନା ମୁଁ ଦିନେ ପରୀକ୍ଷା କରି ନାହିଁ ସତ, କିନ୍ତୁ ଯାହାକି ଲୋକ ମୁଖରୁ ଶୁଣା ଯାଉଛି ସମ୍ମୁଖ ପରୀକ୍ଷା କଲେ ତୁମେ ନିଶ୍ଚୟ ହାରି ଯିବ । ଭାଣ୍ଡ କହିଲା – ହାରିବି କି ଜିତିବି ତାହା ଆପଣ ଜାଣିଲେ କିପରି? ତାକୁ ଦିନେ ଏଠାକୁ ଘେନି ଆସି ପରୀକ୍ଷା କରନ୍ତୁ ତ ଦେଖିବା ସେ କିପରି ମୋ ଠାରୁ ବଳି ଯିବ । ମୁଁ ଏ ରାଜ ସଭାରେ ଏପରି ପ୍ରତିଜ୍ଞା କରି କହୁଛି, ତାକୁ କଥା କଥାରେ ପରାସ୍ତ ନ କଲେ ଆଉ ଏଠାରେ ମୁଁ ମୋ ମୁଖକୁ ଦେଖାଇବି ନାହିଁ । ଆପଣ ସ୍ୱଚକ୍ଷୁରେ ଦେଖି ପାରିବେ, ମୋ ବୁଦ୍ଧିରେ ସେ ଭଣ୍ଡାରୀ ଭାଣ୍ଡଟା ନିଜ ମୁହଁରେ ନିଜେ ଚୂନ କାଳି ମାଖି ସାତ ବେଂଟି ହୋଇ ପଳାଇ ଯିବାକୁ ବାଟ ପାଇବନି । ମୋର ବିଚକ୍ଷଣ ବୁଦ୍ଧିର କୌଶଳ ତା ଗାଲରେ ଯୋତା ପାହାର ବସାଇ ଦେବ ।

ଭାଣ୍ଡର ପ୍ରତିଜ୍ଞା ଶୁଣି ବର୍ଦ୍ଧମାନ ରାଜା କହିଲେ – ବେଶ୍ ତ ଗୋପାଳ ଭାଣ୍ଡକୁ ଡକାଇ ଆଣିବି । ରାଜ୍ୟର ବିଶିଷ୍ଟ ଲୋକଙ୍କୁ ଡାକି ଅଣାଇବି । ଏଠାରେ ସଭା ଲାଗିବ, ଗୋଟିଏ କଦଳୀ ଓ ଦଶ ହଜାର ଟଙ୍କାର ଥଳୀଟିଏ ରଖା ହେବ । ମୁଁ ନିଜେ ତୁମ ଦୁହିଁକି ପରୀକ୍ଷା କରିବି । ସେ ପରୀକ୍ଷାରେ ଯେ ଉପଯୁକ୍ତ ହେବ ସେ ଟଙ୍କା ଥଳୀ ନେଇ କଦଳୀ ଅପର ଭାଣ୍ଡର ମୁହଁରେ ଢୁକାଇ ଦେଇ ଚାଲି ଯିବ । ଏହା ନ କରିବା ଯାଏଁ ମୋର ମନ ସାଧ୍ୟ ମେଂଟିବନି ।

ଏଥିରେ ଭାଣ୍ଡ ରାଜି ହେଲା । ସଭାରେ ପଣ୍ଡିତ ମାନେ ହଁ କହି ସ୍ୱୀକାର କଲେ । ସଙ୍ଗେ ସଙ୍ଗେ ରାଜା ଖଣ୍ଡିଏ ଚିଠି ଲେଖି ଦୂତ ହସ୍ତରେ କୃଷ୍ଣ ଚନ୍ଦ୍ର ରାଜାଙ୍କ ପାଖକୁ ପଠାଇ କହିଲେ – ଗୋପାଳ, ବର୍ଦ୍ଧମାନ ରାଜା ମୋତେ ଓ ତୁମକୁ ଡକେଇଛନ୍ତି, ସେଠାରେ ଭାଣ୍ଡ ଲଢେଇ ହେବ । ତୁମେ ଯିବତ? ଗୋପାଳ ଭାଣ୍ଡ ହାତ ଯୋଡି କହିଲା – ଛାମୁଙ୍କର ଭାଣ୍ଡ କଦାପି ଅବୀର ପରି ପଛାଏନା ଆଜ୍ଞା । ମର ବା ମାରୁ ସେ ନିଶ୍ଚୟ ତାଳ ପକାଇ ବାକୁ ଆଗଭର ହୁଏ । ତେବେ ଡେରି କରୁଛନ୍ତି କାହିଁକି, ଚାଲନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ