ଅନେକ ଦିନ ପୂର୍ବର କଥା । ମଳୟ ରାଜ୍ୟରେ ଜାମୋରିନ୍ ବଂଶର ରାଜା ରାଜତ୍ତ୍ୱ କରୁଥିଲେ । ଥରେ ତାଙ୍କୁ
କିଏ ଏହି ପ୍ରସ୍ତାବ ଦେଲା କି ସାରା ରାଜ୍ୟରେ ତେନ୍ତୁଳି ଗଛ ଲଗା ହେଲେ ଲୋକମାନେ ପ୍ରଚୁର ତେନ୍ତୁଳି ଖାଇବାକୁ ପାଇବେ, ରପ୍ତାନୀ କରି ପଇସା ମଧ୍ୟ ଆସିବ, ଅଥଚ ସେ ଗଛର ଯତ୍ନ ନେବା କିଛି ମଧ୍ୟ ଦରକାର ନାହିଁ ।
ରାଜାଙ୍କ ମନକୁ ଏହି କଥାଟା ବେଶ୍ ପାଇଲା । ଏଣୁ ସେ ଆଦେଶ ଦେଲେ ଯେ, ସାରା ରାଜ୍ୟରେ ତେନ୍ତୁଳି ଗଛ ଲଗାହେବ । ସେ ରାଜ୍ୟରେ ନାମ୍ବିୟାର୍ ନାମକ ଜଣେ ବୈଦ୍ୟ ଥା’ନ୍ତି । ସେହି ସମୟରେ ଦିଲ୍ଲୀରେ ବାଦଶାହଙ୍କ ବୈଦ୍ୟ ଜଣେ ହାକିମ (ମୁସଲ୍ମାନ ବୈଦ୍ୟ) ଥା’ନ୍ତି । ସେ ପ୍ରାକୃତିକ ଚିକିତ୍ସାରେ ବହୁ ଖ୍ୟାତି ଅର୍ଜ୍ଜନ କରିଥା’ନ୍ତି । ନାମ୍ବିୟାର୍ ରାଜାଙ୍କ ଏଭଳି ଖିଆଲ୍ କଥା ଶୁଣିଲେ । ସେ ରାଜାଙ୍କୁ ଅନୁରୋଧ କରି କହିଲେ, “ମହାରାଜ, ତେନ୍ତୁଳି ଭଲ ଯେ, କିନ୍ତୁ ଆଖପାଖରେ ଏତେଗୁଡିଏ ତେନ୍ତୁଳି ଗଛ ଲାଗିଲେ ତା’ର ପବନ ସ୍ୱାସ୍ଥ୍ୟ ପାଇଁ ମୋଟେ ଭଲ ନୁହେଁ । ଯଦି ଚାରିଆଡେ ନିମ୍ବଗଛ ଲଗାନ୍ତି ତେବେ ସେ ଗଛର ପବନରେ ଦେହ ନୀରୋଗ ରହିବ ।”
କିନ୍ତୁ ଜାମୋରିନ୍ ତାଙ୍କ କଥା ଉପରେ ଅଟଳ, ଚାରିଆଡେ ତେନ୍ତୁଳି ଚାରା ପୋତା ହେଲା । ରାଜା ନାମ୍ବିୟାର୍ଙ୍କୁ ବୁଝାଇଲେ, “ତେନ୍ତୁଳି ଗଛର ଯତ୍ନ ନ ନେଇ ମଧ୍ୟ ସେ ଆମକୁ ତେନ୍ତୁଳି ଦେବ । ତା’ର ଡାଳ ଭାଙ୍ଗିଗଲେ ଜାଳେଣି କାଠ ହେବ । ବିକ୍ରି କଲେ ବହୁ ପଇସା ମିଳିବ । ଏହାର କଅଁଳ ପତ୍ର ଓ ଫୁଲ ମଧ୍ୟ ରାନ୍ଧି ଖାଇବାକୁ ବଡ ସୁଆଦ । ତେନ୍ତୁଳି ତ ବର୍ଷ ସାରା ଦରକାର ହୁଏ । ଆଉ ପୁଣି ସେ ଗଛ କୁଆଡେ ଶୀଘ୍ର ବଢିଯାଏ । ରାସ୍ତାରେ ଯିବା ଆସିବା କରୁଥିବା ବାଟୋଇ ମଧ୍ୟ ସେହି ଗଛ ଛାୟାରେ ବିଶ୍ରାମ କରିଥା’ନ୍ତି । ଆଉ ନିମ୍ବଗଛର ଏତେ ଗୁଣ କେଉଁଠି?”
ରାଜାଙ୍କ କଥା ଶୁଣି ନାମ୍ବିୟାର୍ ନୀରବ ରହିଲେ । ତା’ପରେ ସେ ଭାବିଚିନ୍ତି ମନ୍ତ୍ରୀଙ୍କୁ ଯାଇ ଦେଖା କଲେ । କିନ୍ତୁ ନାମ୍ବିୟାର୍ କିଛି ନ କହି ମନ୍ତ୍ରୀଙ୍କୁ ବାରମ୍ବାର ଆପାଦମସ୍ତକ ନିରୀକ୍ଷଣ କରୁଥା’ନ୍ତି । ମନ୍ତ୍ରୀ ଅପ୍ରତିଭ ହୋଇ କହିଲେ, “ନାମ୍ବୟାର୍ ମହାଶୟ, ଆଜି ଆପଣଙ୍କର କ’ଣ ହୋଇଛି? ଏତେ ଗମ୍ଭୀର; ପୁଣି ମୋତେ ବାରମ୍ବାର ଚାହିଁ କ’ଣ ଦେଖୁଛନ୍ତି? ମୋ ସ୍ୱାସ୍ଥ୍ୟ ଠିକ୍ ଅଛି ତ?” ନାମ୍ବିୟାର୍ ଗମ୍ଭୀର କଣ୍ଠରେ କହିଲେ, “ଏବେ ତ ଆପଣ ଠିକ୍ ଅଛନ୍ତି । କିନ୍ତୁ ଆଉ ଛଅମାସ ପରେ ଦେଖିବେ, ଆପଣଙ୍କୁ କୌଣସି ଏକ ଭୟଙ୍କର ରୋଗ ଗ୍ରାସ କରିବ ।”
ମନ୍ତ୍ରୀ ଏଥିରେ ବ୍ୟସ୍ତ ହୋଇ କହିଲେ, “ତେବେ ଶୀଘ୍ର ଚିକିତ୍ସା ଆରମ୍ଭ କରି ଦିଅନ୍ତୁ ।”
ନାମ୍ବିୟାର୍ କହିଲେ “କିନ୍ତୁ ଏ ରୋଗର ଔଷଧ ମୋ ହାତରେ ନାହିଁ । ସେଥିପାଇଁ ଆପଣଙ୍କୁ ଦିଲ୍ଲୀ ଯିବାକୁ ହେବ । ସେଠାରେ ବାଦଶାହଙ୍କ ଚିକିତ୍ସକ ହାକିମ୍ ଆପଣଙ୍କ ରୋଗର ଯଥାର୍ଥ ଚିକିତ୍ସା କରିପାରିବେ ।”