ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାକାବ୍ୟ

ବିଷ୍ଣୁପୁର ଗ୍ରାମରେ ଚତୁର୍ଭୁଜ ନାମରେ ଜଣେ ବ୍ୟକ୍ତି ରହୁଥାନ୍ତି । ସେ ଜଣେ ବୋକା କବି ଥିଲେ । ନିଜକୁ କବି ବୋଲି ଭାବି ସେ ଅନେକ କବିତା ରଚନା କରନ୍ତି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଲେ ବି ପଢିବାର ଯୋଗ୍ୟ ନୁହେଁ । ଦିନେ କବିତାଟିଏ ଲେଖୁ ଲେଖୁ କବିତାଟି ଅନେକ ବଡ ହୋଇଗଲା । ଚତୁର୍ଭୁଜ ତାକୁ ବାରବାର ପଢିବା ପରେ ତାଙ୍କ ମନ ଆନନ୍ଦ ହୋଇଗଲା । ସେ ନିଜକୁ ପ୍ରଶଂସା କରି କହିଲେ, “ଆହା, ମୁଁ ତ ଜାଣିନଥିଲି ଯେ ମୁଁ ମହାକାବ୍ୟ ଲେଖିପାରେ ।” ସେ ପୁଣି ଭାବିଲେ ଯେ କିଏ ଯଦି ତାଙ୍କ ମହା-କାବ୍ୟଟିକୁ ପଢି ପ୍ରଶଂସା କରନ୍ତା ଓ ଏକଥା ସମସ୍ତିଙ୍କ କାନରେ ପଡନ୍ତା, ମାନେ ଟିକିଏ ପ୍ରଚାର ହୋଇଯା’ନ୍ତା ତେବେ ମୋର ପିତାମାତା, ବନ୍ଧୁବାନ୍ଧବ, ଗ୍ରାମ, ଦେଶ ସମସ୍ତେ ମୋ ପାଇଁ ଅତ୍ୟନ୍ତ ଗର୍ବ କରନ୍ତେ ।”

ଭାବୁ ଭାବୁ ତାଙ୍କ ମନକୁ ଏକ ଉପାୟ ଜୁଟିଲା । ଯଦି ଗ୍ରାମର ପଣ୍ଡିତ ଇନ୍ଦ୍ରନାଥ ତା’ କାବ୍ୟର ପ୍ରଶଂସା କରନ୍ତି ତ ସବୁ ଠିକ୍ ହୋଇଯିବ । କାବ୍ୟଟିକୁ ଧରି ଚତୁର୍ଭୁଜ ଇନ୍ଦ୍ରନାଥଙ୍କ ପାଖରେ ଯାଇ ପହଁଚିଲେ ଓ କହିଲେ, “ପଣ୍ଡିତ ମହାଶୟ ମୁଁ କାବ୍ୟଟିଏ ରଚନା କରିଛି । ଯଦି ଶୁଣାଇବା ପାଇଁ କିଛି ସମୟ ଦିଅନ୍ତେ ତ ମୁଁ କୃତଜ୍ଞ ହୁଅନ୍ତି ।”

“ନିଶ୍ଚୟ, ନିଶ୍ଚୟ, ଶୁଣାଅ ।” ପଣ୍ଡିତ ତ ଏତକ କହି ଦେଇଛନ୍ତି ଆଉ ଯିବେ କୁଆଡେ? ଚତୁର୍ଭୁଜ ତତକ୍ଷଣାତ୍ କାବ୍ୟଟି ପଢିବାକୁ ଆରମ୍ଭ କରିଦେଲେ । ଲେଖାଟି ଅଳ୍ପ ଶୁଣିବା ପରେ ପଣ୍ଡିତେ କହିଲେ, “ଏବେ ଥାଉ ପରେ ଦେଖାଯିବ, ଆଜି ମୋର କିଛି କାମ ଅଛି ।”

“ଠିକ୍ ଅଛି କାଲି ସକାଳୁ ସକାଳୁ ମୁଁ ଆସିଯିବି ।” ଏହା କହି ଚତୁର୍ଭୁଜ ସେଦିନ ସେଠାରୁ ଚାଲିଗଲେ ।

ପରଦିନ ସେହି ଏକହିଁ ଘଟଣା । ଅଳ୍ପ ଶୁଣି ପଣ୍ଡିତେ କାମର ବାହାନା କରି ପରଦିନକୁ ରଖି ପୁଣି ଚାଲିଗଲେ । ଏମିତି ଏମିତି ହୋଇ ପ୍ରାୟେ ମାସେ ଚାଲିଲା ହେଲେ ମହାକାବ୍ୟ ଶେଷ ହେଲାନାହିଁ ।

ଦିନେ ଚତୁର୍ଭୁଜ ଭାବିଲେ କି ପଣ୍ଡିତଙ୍କର ଶୁଣିବାକୁ ବୋଧହୁଏ ଇଚ୍ଛା ନାହିଁ । ସେଦିନ ସେ ଗମ୍ଭୀର ହୋଇ କହିଲେ, “କ’ଣ ଆପଣ ମୋର କାବ୍ୟଟିକୁ ପଢିବାକୁ ବା ଶୁଣିବାକୁ ଦିନଟିଏ ସମୟ ଦେଇପାରୁ ନାହାଁନ୍ତି?”

ପଣ୍ଡିତେ ପଚାରିଲେ “ଦେବି ଯେ କିନ୍ତୁ କାହିଁକି?” ଚତୁର୍ଭୁଜ କହିଲେ “ମୁଁ ମୋର ଏହି କାବ୍ୟଟିକୁ ଏକ କବିସମ୍ମିଳନୀରେ ଶୁଣାଇବି ।”

ପଣ୍ଡିତେ ପଚାରିଲେ “ତେବେ ମୋତେ କ’ଣ କରିବାକୁ ହେବ କୁହ ତ?”

ଚତୁର୍ଭୁଜ କହିଲେ “ଆପଣଙ୍କୁ ଯଦି ଏଇଟି ମହାକାବ୍ୟ ଭାବରେ ପ୍ରତୀତ ହୁଏ ତେବେ ତ ମୋର ଶ୍ରମ ସାର୍ଥକ ହେବ ।”

“କ’ଣ ମହାକାବ୍ୟ? ଆଚ୍ଛା ତେବେ ତୁମେ ମହାକାବ୍ୟ ଲେଖିଛ? ମୂଳରୁ କହିଲ ନାହିଁ । ସେଥିପାଇଁ ଏତେ କଷ୍ଟ କରୁଛ?” ପଣ୍ଡିତେ ଏତକ ବ୍ୟଙ୍ଗ କରି କହିଲେ; ହେଲେ ଚତୁର୍ଭୁଜ ସେଥିରୁ ମୋଟେ କିଛି ବୁଝିପାରିଲେ ନାହିଁ ।”

ପଣ୍ଡିତେ ପୁଣି କହିଲେ, “ଆଚ୍ଛା, ମୁଁ କହି ଦେଉଛି ଏଇଟି ମହାକାବ୍ୟ । କ’ଣ ଏଥର ଖୁସି ତ?”

ଚତୁର୍ଭୁଜ କହିଲେ “ଆଜ୍ଞା ଆପଣ ଘରେ ବସି କହିଦେଲେ ଅନ୍ୟମାନେ କିପରି ଜାଣିବେ?”

ପଣ୍ଡିତ ବ୍ୟଙ୍ଗ କରି କହିଲେ “ଆଚ୍ଛା ଗୋଟାଏ କାମ କର ବହିଟିର ନାମ “ମହାକାବ୍ୟ;” ଦେଇଦିଅ” ତେବେ ତ ସମସ୍ତେ ମହାକାବ୍ୟ ବୋଲି କହିବାକୁ ବାଧ୍ୟ ହେବେ ।” ତାହା ମଧ୍ୟ ସେ ବୁଝିଲେ ନାହିଁ । ତା’ପରେ ପଣ୍ଡିତ କହିଲେ, “ଦେଖ ଚତୁର୍ଭୁଜ, ତମେ ଯଦି ଅନ୍ୟ ପଣ୍ଡିତଙ୍କଠାରୁ ମହାକାବ୍ୟର ପ୍ରଶଂସା ଶୁଣିବାକୁ ଚାହଁ, ତେବେ ପ୍ରଥମ ସର୍ତ୍ତ ହେଲା କାବ୍ୟଟି ପଢି ଶୁଣାଇବ ନାହିଁ ।”

ଚତୁର୍ଭୁଜ ପଚାରିଲେ “ତେବେ ତା’ର ମହତ୍ତ୍ୱ ସେ କିପରି ଜାଣିବେ?”

ପଣ୍ଡିତ କହିଲେ “ପୁଅ, ଏହାକୁ ବୁଝିବା ବଡ କଷ୍ଟକର । ତେଣୁ ପଣ୍ଡିତ ଯଦି ଏକଥା ଜାଣିବେ, ତେବେ ସେ ପଢିବା ପୂର୍ବରୁ ମହାକାବ୍ୟ ବୋଲି ଚଟାପଟ କହିଦେବେ ।”

ଚତୁର୍ଭୁଜ କହିଲେ “ମୁଁ ଚାହୁଁଥିଲି ଆପଣ କେଉଁଠି ଟିକିଏ ଭୁଲ୍ଭଟକା ଠିକ୍ କରିଦେଲେ ହୁଅନ୍ତା ନାହିଁ?”

ପଣ୍ଡିତେ କହିଲେ “ହଁ, କାହିଁକି ହୁଅନ୍ତା ନାହିଁ? କିନ୍ତୁ ସମଗ୍ରଟା ପୁଣି ଥରେ ପଢିବାର ବା ଶୁଣିବାର କଷ୍ଟ ସ୍ୱୀକାର କରିବାକୁ ହେବ; ଯେଉଁଟା ମୋ ପାଇଁ ଅସମ୍ଭବ ।”

ଚତୁର୍ଭୁଜ କହିଲେ “ଯଦି ଆପଣଙ୍କୁ ଏହା ଭଲ ନ ଲାଗିଲା ତେବେ ମୂଳରୁ କହିଲେ ନାହିଁ?”

ପଣ୍ଡିତ କହିଲେ “ଆଚ୍ଛା ମୁଁ ତ ମୂଳରୁ ନାନା ପ୍ରକାର ସଙ୍କେତ ଦେଲି ନାନା ପ୍ରକାର ଭାବରେ କହିଲି, ତୁମେ ଯଦି ସେତିକି ବୁଝି ନ ପାରିଲ, ତେବେ ତୁମର ମହାକାବ୍ୟ କିଏ ବୁଝିବ?”

ଚତୁର୍ଭୁଜ ଏବେ ସବୁ ବୁଝିଗଲେ । ସଙ୍କେତ, ସୂଚନାର ଭାଷା ସେ ବୁଝିପାରୁ ନଥିଲେ ତେଣୁ ସ୍ପଷ୍ଟ କରିବା ପାଇଁ ହେଲା । ଏତିକି ଉପଲବ୍ଧି କଲେ ଯେ ସେହି ମହାକାବ୍ୟ ଆଉ କେବେ କାହାକୁ ପଢିବାକୁ ବା ଶୁଣିବାକୁ ପଡିବ ନାହିଁ । ମହାକାବ୍ୟଟି ପୋଥି ରୂପରେ ଖାଲି କବିଙ୍କ ପାଖରେହିଁ ରହିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ