ଅଦ୍ଭୁତ ବାୟସ

କାଉର କଥା ଅନୁସାରେ ସୁଦାମ ଯାଇ ରାଜାଙ୍କୁ ସବୁକଥା କହିଲା । ରାଜାଙ୍କ ଆଦେଶରେ ସୁଦାମକୁ ଗୋଟିଏ ଗାଡି ଭର୍ତ୍ତିକରି ମଦ ବାଲ୍ଟି ଦିଆଗଲା । ସେ ମନ ଖୁସିରେ କାଉ ସହିତ ଯାଇ ସେହି ପୋଖରୀ ଭିତରେ ମଦ ସବୁ ଢାଳିଦେଲା । ହାତୀଦଳ ଆସି ସେହି ପାଣି ପିଇଲେ ଓ କିଛି ସମୟ ପରେ ମାତାଲ୍ ହୋଇ ସେଇଠି ସେମାନେ ପଡିଗଲେ । ସୁବିଧା ଦେଖି ସୁଦାମ୍ ହାତୀମାନଙ୍କର ଦାନ୍ତ ସବୁ କାଟି ଆଣିଲା ଓ ସେସବୁକୁ ଗାଡିରେ ବୋଝାଇ କରି ରାଜଧାନୀକୁ ସେ ଫେରିଲା ।

ଏତେଗୁଡିଏ ହାତୀଦାନ୍ତ ଦେଖି ରାଜା ଖୁବ୍ ଖୁସି ହେଲେ । ସଙ୍ଗେ ସଙ୍ଗେ ସେ ପକ୍ଷୀପାଇଁ ଘର ବନାଇ ଦିଆଗଲା । ସୁଦାମ ମଧ୍ୟ ରାଜାଙ୍କଠାରୁ ବହୁତ ଧନରତ୍ନ ପାଇଲା । ଏସବୁ ଦେଖି ବିଦୁଷକ ଆହୁରି ଜଳିଲେ । ହେଲେ ତାଙ୍କ ମନକଥା ମନରେ ହିଁ ସେ ରଖିଲେ; ପୁଣି ତାଙ୍କ ମୁଣ୍ଡକୁ ଏକ ଦୁଷ୍ଟବୁଦ୍ଧି ଜୁଟିଲା । ସେ ରାଜାଙ୍କୁ କହିଲେ, “ମହାରାଜ, ଏତେ କଷ୍ଟରେ ଘରଟିଏ କରାଗଲା ଯେ ମନେହୁଏ ପକ୍ଷୀଟି ଏଠାରେ ଦୁଃଖରେ ରହିଛି, କାରଣ ଖୁସିଥିଲେ ପକ୍ଷୀଟି ଗୀତ ଗାଉଥା’ନ୍ତା ।”

ରାଜା ତାଙ୍କୁ ପଚାରିଲେ “ତେବେ ସେଥିପାଇଁ କ’ଣ କରାଯିବ?”

ବିଦୁଷକ କହିଲେ “ସେଇ ଟୋକାକୁ କୁହନ୍ତୁ ସେ ତା’ ପାଇଁ ସାଥୀ ଖୋଜି ଆଣି ଦେବ । ନହେଲେ ସେ ତା’ ମାଲିକ ବା ସାଥିଚଢେଇକୁ ଖୁବ୍ ଝୁରି ହେଉଛି ବୋଲି ଦୁଃଖରେ ଗୀତ ଗାଉନାହିଁ ।”

ରାଜା ପୁଣି ସୁଦାମକୁ ଡାକି କଡା ସ୍ୱରରେ ତାକୁ କହିଲେ, “ଦେଖ ଚାଳିଶଦିନ ମଧ୍ୟରେ ପକ୍ଷୀର ମାଲିକକୁ ବା ତା’ସାଥୀକୁ ଆଣିଦେବାକୁ ହେବ, ନହେଲେ ତମ ମୁଣ୍ଡକାଟ ହେବ ।”

ମହାରାଜାଙ୍କ ଆଦେଶ ସୁଦାମ ଉପରେ ବଜ୍ରପାତ ପରି ହେଲା । ଏଣୁ ସେ ବଡ ମନଦୁଃଖରେ ସେଠାରୁ ଫେରିଲା । ସେ ଭାବିଲା, “ଏଥର ମୋର ମୃତ୍ୟୁ ସୁନିଶ୍ଚିତ; ଏପରି ଭାବୁ ଭାବୁ ବଡ ଉଦାସ ହୋଇ ଆକାଶକୁ ଚାହିଁଥାଏ ଦେଖିଲା କାଉଟି ଉଡି ଆସୁଛି । ଫଳରେ ତା’ମନରେ ଆଶାର ସଂଚାର ହେଲା । କାଉ ଉଡି ଆସି ସୁଦାମ ପାଖରେ ବସି କହିଲା, “ଆଜି ପୁଣି କାହିଁକି ଏତେ ଉଦାସ?”

ଏଥୁଉତାରେ ସୁଦାମ କାଉକୁ ସବୁକଥା କହିଲା ।

ସବିଶେଷ କଥା ଶୁଣି ସେ କାଉଟି କହିଲା “ଆରେ ଏଇ ଟିକକ କଥା ପାଇଁ ପୁଣି ତୋର ଏତେ ଦୁଃଖ? ତୁମେ ଏଥର ରାଜାଙ୍କଠାରୁ ନୌକାଟିଏ ମାଗ । ଆଉ ପୁଣି ସେଥିରେ ସମସ୍ତ ପ୍ରକାର ରାଜକୀୟ ସାଜସଜ୍ଜା ହେବା ଦରକାର । ନଦୀରେ ପୂର୍ବମୁଖ ହୋଇ ପ୍ରାୟ ଶହେ ମାଇଲ୍ ଯିବା ପରେ କିନ୍ନରଙ୍କର ଦେଶ ପଡିବ । ସେଠାରେ ତୁମ ନୌକା ଦେଖିବାକୁ ବହୁତ ଲୋକ ଆସିବେ । ସେଠାକାର ରାଣୀ ମଧ୍ୟ ଆସିବେ । ହେଲେ ତୁମେ ରାଣୀଙ୍କ ଛଡା ଆଉ କାହାକୁ ବି ନୌକା ଉପରକୁ ଆସିବାକୁ ଦେବନାହିଁ । ତା’ପରେ ରାଣୀ ଗୋଡ ଦେବା ମାତ୍ରେ ତୁମେ ନୌକା ଛାଡିଦେବ । ତା’ପରେ ତମେ ନିଜ ଦେଶକୁ ଫେରି ଆସିବ । ସେହି ରାଣୀ ହେଉଛନ୍ତି ସେହି ପକ୍ଷୀର ମାଲିକ ।”

କାଉର କଥା ଅନୁସାରେ ସୁଦାମ୍ ମହାରାଜାଙ୍କୁ କହି ସୁନ୍ଦର ନୌକା ତିଆରି କରାଗଲା । ତା’ପରେ ସେହି ନୌକା ନାନା ପ୍ରକାର ଭୋଗ୍ୟବସ୍ତୁରେ ପୂର୍ଣ୍ଣ ହୋଇ ଚାଲିଲା । କିଛିଦିନ ପରେ ସେ ନୌକାଟି ଯାଇ କିନ୍ନର ରାଜ୍ୟରେ ପହଁଚିଲା । କିନ୍ନରମାନେ ତ କେବେବି ନୌକା ଦେଖି ନଥିଲେ ତେଣୁ କୌତୁହଳବଶତଃ ସେମାନେ ନୌକା ଉପରକୁ ଆସିବାକୁ ଚାହିଁଲେ । କିନ୍ତୁ ସୁଦାମ ସେମାନଙ୍କୁ ନୌକା ଭିତରକୁ ଆଦୌ ଛାଡିଲା ନାହିଁ । ତା’ପରେ ସେ ସେମାନଙ୍କୁ କହିଲା, “ତୁମମାନଙ୍କ ରାଣୀଙ୍କୁ ନୌକାରେ ନେଇ ବହୁତ ସମୟ ବୁଲାଇଲା ପରେ ଯାଇ ମୁଁ ପୁଣି ତୁମମାନଙ୍କୁ ନେବି ।”

ଠିକ୍ ସେତିକିବେଳେ କିନ୍ନରଙ୍କର ରାଣୀ ସେଠାରେ ଆସି ପହଁଚିଲେ । ସୁଦାମର କଥା ଶୁଣି ସେ ଖୁବ୍ ଖୁସି ହେଲେ ଓ ନୌକା ଉପରକୁ ଉଠିଗଲେ । ସୁଦାମ ତାଙ୍କୁ ନୌକାର ଭିତର ପଟ ଦେଖାଇଲା । ସେଠାରେ ନାନା ସାଜସଜ୍ଜା, ନାନାରଙ୍ଗର ଚିତ୍ରପଟସବୁ, ମଖମଲ ଗଦି ଓ ରୂପାର ଝାଲର ସବୁ ଲାଗିଥାଏ । ରାଣୀ ସେସବୁ ଦେଖୁ ଦେଖୁ ଏତେ ମୁଗ୍ଧ ହେଲେ ଯେ ତାଙ୍କ ଦେଖା ଶେଷ ହେଲାନାହିଁ । ଇତିମଧ୍ୟରେ ସୁଦାମ ଚଟାପଟ ନୌକା ଖୋଲିଦେଲା । ନୌକା ଫେରିବା ରାସ୍ତାରେ ଜୋର୍ରେ ଚାଲିଥାଏ । ତା’ଭିତରେ ସୁଦାମ ରାଣୀଙ୍କୁ ନୂଆ ନୂଆ ଜିନିଷ ଦେଖାଇ ତାଙ୍କର କୌତୁହଳକୁ ସେ ଆହୁରି ଅଧିକ କରୁଥାଏ । ଏମିତି ଏମିତି ହୋଇ ସେ ନୌକା ଯାଇ ସୁଦାମର ରାଜ୍ୟରେ ପହଁଚିଲା । ଏହାପରେ ସୁଦାମ ରାଣୀଙ୍କୁ ରାଜପ୍ରାସାଦକୁ ନେଇଗଲା । ରାଣୀଙ୍କୁ ଦେଖିବା ମାତ୍ରେହିଁ ସେ ଆଶ୍ଚର୍ଯ୍ୟ ପକ୍ଷୀଟି ଅତି ଆନନ୍ଦରେ ନାନା ପ୍ରକାର କଳରବ କଲା । ତା’ପରେ ଖୁବ୍ ମଧୁର ସ୍ୱରରେ ସୁନ୍ଦର ଭାବରେ ସେ ଗୀତ ଗାଇଲା । ପକ୍ଷୀର ଗୀତ ଶୁଣି ରାଜା ଅତ୍ୟନ୍ତ ଖୁସି ହୋଇଗଲେ । ତା’ପରେ କିନ୍ନର ରାଣୀଙ୍କ ଉପରେ ତାଙ୍କର ଦୃଷ୍ଟି ପଡିବାରୁ ସେ ଆହୁରି ଅଧିକ ଖୁସି ହେଲେ । ଦୁହିଁଙ୍କର ସମ୍ମତିରେ ବିବାହ ହୋଇଗଲା ।

ସୁଦାମ ଏ ବିବାହରେ ଶ୍ରେଷ୍ଠ ବ୍ୟକ୍ତି ହେଲା । ଉତ୍ସବର ସମସ୍ତ ଆୟୋଜନ ସେ ନିଜେ ହିଁ ଦେଖାଶୁଣା କରୁଥାଏ । ତା ସଙ୍ଗେ ସଙ୍ଗେ ନିଜେ ବହୁତ ପୁରସ୍କାର ବି ସେ ପାଉଥାଏ । ଏଣେ ତା’ କାନ୍ଧରେ ସେ ଅପୂର୍ବ କାଉଟି ବି ବସିଥାଏ । ସେତେବେଳେ ସେଠାକୁ ରାଣୀ ଆସିଲେ, ସୁଦାମ ତାଙ୍କୁ ଚିହ୍ନାଇ ଦେଲା ଯେ, “ଏ କାଉଟି ମୋର ବନ୍ଧୁ ।”

କିନ୍ତୁ ରାଣୀ କାଉକୁ ଦେଖିବା ମାତ୍ରେ ହଠାତ୍ ରାଗିଯାଇ କହିଲେ, “ଆରେ ପିଶାଚିନୀ, ତୁ ଏଠାରେ ମଧ୍ୟ ଆସି ପହଁଚି ଗଲୁଣି?”

ରାଣୀଙ୍କର ଏପରି କଥା ଶୁଣି ସୁଦାମକୁ ଭାରି ଖରାପ ଲାଗିଲା ତଥାପି ବି ସେ କହିଲା, “ଏଥିରେ ଯଦି କିଛି ଭୁଲ୍ ହୋଇଗଲା ତେବେ ଆପଣ ମୋତେ କ୍ଷମା କରନ୍ତୁ । କିନ୍ତୁ ଏ କାଉ ତ ସର୍ବଦା ମୋତେ ବିପଦବେଳେ ସାହାଯ୍ୟ କରେ । ଆପଣଙ୍କ ବିଷୟରେ ଖବର ମୁଁ ତ ଏହି କାଉଠାରୁହିଁ ଶୁଣିଥିଲି ।”

ସୁଦାମ ମୁହଁରୁ ଏସବୁ କଥା ଶୁଣି ରାଣୀଙ୍କ କ୍ରୋଧ ଟିକେ ଶାନ୍ତ ହେଲା । ସେ କହିଲେ, “ଏତେ ପର୍ଯ୍ୟନ୍ତ ତ ସେ ବଡ ଗର୍ବୀ ଥିଲା । କେବଳ ସେଇଥିପାଇଁ ମୁଁ ତାକୁ କାଉ କରି ଦେଇଥିଲି, ଏବେ ଯଦି ତମେ କହିବ ତ ମୁଁ ତାକୁ ପୁଣି ତା’ର ନିଜ ରୂପ ଦେଇଦେବି ।”

ସେତେବେଳେ ତ ସେ କାଉଟି ସୁଦାମର କାନ୍ଧରେ ବସି ପକ୍ଷ ଫଡ ଫଡ କରୁଥିଲା । ରାଣୀ ଯେମିତି ମନ୍ତ୍ରପାଠ କରିଛନ୍ତି ସେ ସଙ୍ଗେ ସଙ୍ଗେ ଏକ ଦିବ୍ୟସୁନ୍ଦରୀ ଯୁବତୀରେ ପରିଣତ ହୋଇଗଲା ।

ଏସବୁ ଦେଖି ସେ ରାଜା ବହୁତ ଖୁସି ହେଲେ । ତା’ପରେ ଶୁଭମୁହୂର୍ତ୍ତ ଦେଖି ରାଜା ସୁଦାମ ସହିତ ସେ ଝିଅର ବିବାହ କରାଇ ଦେଲେ । ସେମାନେ ଖୁସିରେ ରହିଲେ । ସୁଦାମକୁ ରାଜା ନିଜ ଦରବାରରେ ରଖିଲେ । ଏଥୁଅନ୍ତେ ସମସ୍ତେ ମହା ଖୁସିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ