ବୋଧିସତ୍ୱ ତାଙ୍କର ଏକ ଜନ୍ମରେ ଏକ କୁକୁର ରୂପେ ବାରାଣସୀରେ ଜନ୍ମ ହୋଇଥିଲେ । ସେ ସହରର ଗୋଟିଏ ବଡ ମଶାଣିରେ ରହୁଥିଲେ । ସେତେବେଳେ ସେ ଥିଲେ ଶହ ଶହ କୁକୁରଙ୍କର ଦଳପତି ।
ଦିନକର ଘଟଣା । ରାଜା ତାଙ୍କ ଘୋଡାଗାଡିରେ ବସି ସହର ବୁଲିବାକୁ ଗଲେ । ସଂଜ ହେବା ପରେ ସେ ନଅରକୁ ଫେରିଆସିଲେ । ଚାକରମାନେ ଘୋଡାମାନଙ୍କର ଲଗାମ୍ ଖୋଲିଦେଇ ସେମାନଙ୍କୁ ନେଇ ଘୋଡାଶାଳରେ ବାନ୍ଧିଦେଲେ ଓ ଲଗାମ୍ଗୁଡିକୁ ନଅରର ଅଗଣାରେ ରଖିଦେଲେ ।
ସେଦିନ ରାତିରେ ଅସରାଏ ବର୍ଷା ହୋଇଗଲା । ଚମଡା ତିଆରି ଲଗାମ୍ ଗୁଡିକ ପାଣିରେ ଭିଜିଯିବାରୁ ନରମ ହୋଇଗଲା । ନଅର ଭିତରେ ଗୁଡିଏ ଜାତିଆ କୁକୁର ଥିଲେ । ରାଜା ସେଇ କୁକୁର ଗୁଡିକୁ ପୋଷିଥିଲେ । ସେମାନେ ନଅରର ଭଲ ଭଲ ଖାଦ୍ୟ ଖାଇ ଆରାମରେ ଥିଲେ । ରାତିରେ ସେଇ କୁକୁରମାନେ ଅଗଣାରେ ବୁଲୁଥିଲେ । ପାଣିରେ ଭିଜି ନରମ ହୋଇଯାଇଥିବା ଲଗାମ୍ଗୁଡିକୁ ସେମାନେ ଚୋବାଇବାକୁ ଲାଗିଲେ ।
ତା’ପରଦିନ ସକାଳେ ଚାକରମାନେ ଲଗାମ୍ ନେବାକୁ ଆସି ଦେଖିଲେ ଯେ କୁକୁରମାନେ ଲଗାମ୍ଗୁଡିକ ଚୋବାଇ ଖଣ୍ଡ ଖଣ୍ଡ କରିଦେଇଛନ୍ତି । କେଉଁ କୁକୁର ଏପରି କରିଛନ୍ତି ତାହା ସେମାନେ ଜାଣିପାରିଲେ ନାହିଁ । ଚାକରମାନେ ଯାଇ ରାଜାଙ୍କୁ କହିଲେ – “ମଣିମା, ଆମେ ଘୋଡାର ଲଗାମ୍ଗୁଡାକ ଅଗଣାରେ ରଖିଥିଲୁ । କୁକୁରମାନେ ସେଗୁଡିକ କାମୁଡି ଛିଣ୍ଡେଇଦେଇଚନ୍ତି ।”
ଏହା ଶୁଣି ରାଜା ରାଗିଯାଇ ଆଦେଶ ଦେଲେ ଯାଅ, “ନଗରରେ ଯେତେ କୁକୁର ଅଛନ୍ତି ସେଗୁଡାକୁ ମାରିପକାଅ ।”
ରାଜାଙ୍କ ଆଦେଶରେ ଚାକରମାନେ ସହର ସାରା ବୁଲି ଯେଉଁଠି କୁକୁର ଦେଖିଲେ ତାକୁ ମାରିପକାଇଲେ । ବହୁତ କୁକୁର ମଲେ । ଏହା ଦେଖି କେତେକ କୁକୁର ମଶାଣିକୁ ଯାଇ ସେମାନଙ୍କ ଦଳପତି ବୋଧିସତ୍ୱଙ୍କୁ ସେମାନଙ୍କ ବିପଦ କଥା ଜଣାଇଲେ । କୁକୁରବଂଶକୁ ରକ୍ଷାକରିବା ପାଇଁ କିଛି ଗୋଟାଏ ଉପାୟ କରିବାକୁ ଅନୁରୋଧ କଲେ ।