ଝକମକି ବାକ୍ସ

ଏପରି କଥା ଶୁଣି ସେ ସୈନିକଟି କହିଲା ‘କାହିଁକି? ରାଜକୁମାରୀ ଏପରି ଗୋପନରେ ରହିବାର କାରଣ କ’ଣ?’

ତା’ପରେ ଲୋକଟି ଉତ୍ତର ଦେଲା ‘ଜଣେ ଜ୍ୟୋତିଷ ରାଜକୁମାରୀ ଜଣେ ସାମାନ୍ୟ ସୈନିକକୁ ବିଭାହେବ ବୋଲି କହିଥିବାରୁ ରାଜା ତାକୁ ଏପରି ଗୋପନରେ ରଖିଛନ୍ତି ଓ କେବଳ ଏଇଥିପାଇଁ ସେ ରାଜା ଓ ରାଣୀଙ୍କ ମନରେ ଆଦୌ ସୁଖ ନାହିଁ ।’

ସେ ଲୋକଟିଠାରୁ ଏକଥା ଶୁଣି ସୈନିକଟିର ରାଜକୁମାରୀକୁ ଦେଖା କରିବାର ନିଶା ପ୍ରବଳ ହୋଇ ଉଠିଲା । ସେ ବହୁ ଚେଷ୍ଟା କରି ମଧ୍ୟ ରାଜକୁମାରୀର ସାକ୍ଷାତ ପାଇଲା ନାହିଁ । ଦିନକୁ ଦିନ ବିଳାସ ବ୍ୟସନରେ ଜୀବନ ଯାପନ କରିବା ଫଳରେ ସେ ଆଣିଥିବା ସମସ୍ତ ଧନ ଅଳ୍ପଦିନରେ ଶେଷ ହୋଇଗଲା । ପାଖରୁ ଧନ ସରିଯିବାପରେ ସେ ତାର ସୁନ୍ଦର ଘରୁ ଯାଇ ଗୋଟିଏ ଛୋଟିଆ ଚାଳଘରେ ରହିଲା । ଏପରିକି ତାର ପୋଷାକପତ୍ର ଓ ଯୋତା ପ୍ରଭୃତି ଚିରିଯିବାରୁ ସେ ଚିରା ପୋଷାକ ଓ ଛିଣ୍ଡା ଯୋତା ପ୍ରଭୃତି ପିନ୍ଧି ଦିନ କାଟିବାକୁ ଲାଗିଲା । ସେ ଧନୀଥିବାବେଳେ ଯେଉଁ ତୋଷାମଦକାରୀ ବଂଧୁମାନେ ଆସୁଥିଲେ ଗରିବ ହୋଇ ଯିବାପରେ ସେମାନେ ଆଉ କେହି ବି ଆସିଲେ ନାହିଁ ।

ଦିନେ ସଂଧ୍ୟା ବେଳେ ସୈନିକଟି ଗୋଟିଏ ବିଡି ଲଗାଇବାପାଇଁ ଦିଆସିଲିଟିଏ ଖୋଜିଲା । ମାତ୍ର ତା’ ପାଖରେ ପଇସା ନଥିବାରୁ ସେ ଦିଆସିଲିଟିଏ ବି କିଣି ପାରିଲା ନାହିଁ । ମନଦୁଃଖରେ ବସିଥିବାବେଳେ ତାର ଝକମକି ବାକ୍ସ ଯାହାକୁ ସେ ଗଛ କୋରଡରୁ ଆଣିଥିଲା ତା କଥା ମନେ ପଡିବାରୁ ସେ ଝକମକି ବାକ୍ସଟି ଆଣି ବିଡି ଲଗାଇବାକୁ ଚେଷ୍ଟା କଲା । ସେ ଝକମକି ବାକ୍ସଟିକୁ ଆଣି ଯେମିତି ଥରେ ଘସି ଦେଇଛି ହଠାତ୍ ତା ଆଗରେ ଥାଳି ଭଳିଆ ଆଖିଥିବା କୁକୁରଟି ଆସି ପହଁଚି କହିଲା, ‘ପ୍ରଭୋ! ଆପଣଙ୍କର କି ଆଦେଶ ପାଳନ କରିବି କୁହନ୍ତୁ ।’

ସୈନିକଟି କୁକୁରକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ଓ ସେ ସାଙ୍ଗେ ସାଙ୍ଗେ କୁକୁରଟିକୁ କିଛି ଧନ ଆଣିବାକୁ କହିଲା । କୁକୁରଟି କ୍ଷଣିକ ମଧ୍ୟରେ ଅନ୍ତର୍ଧ୍ୟାନ ହୋଇଗଲା ଓ ଗୋଟିଏ ଥଳିରେ କିଛି ଧନରତ୍ନ ଧରି ସୈନିକ ପାଖରେ ଆସି ପୁଣି ପହଁଚିଗଲା ।

                ସୈନିକଟି ଏଥର ସେ ଝକମକି ବାକ୍ସର ଅସଲ ଗୁଣ ଠିକ୍ ବୁଝି ପାରିଲା । ସେ ଝକମକି ବାକ୍ସଟିକୁ ଥରେ ଘସିଲେ ତମ୍ବା ମୁଦ୍ରାଥିବା ସିନ୍ଦୁକକୁ ଜଗୁଥିବା କୁକୁରଟି ଓ ଦୁଇଥର ଘସିଲେ ରୂପା ମୁଦ୍ରା ଥିବା ସିନ୍ଦୁକକୁ ଜଗୁଥିବା କୁକୁରଟି ଓ ତିନିଥର ଘସିଲେ ସୁନାମୋହର ଥିବା ସିନ୍ଦୁକକୁ ଜଗୁଥିବା କୁକୁରଟି ଆସି ପହଁଚି ଯାଉଥିଲେ । ଏହି କୁକୁର ମାନଙ୍କ ଦ୍ୱାରା ଧନରତ୍ନ ପାଇ ସୈନିକଟି ପୁଣି ପୂର୍ବ ଭଳି ଅତି ଆନନ୍ଦରେ କାଳ କାଟିଲା । ତାର ପୁରୁଣା ବଂଧୁ ମାନେ ମଧ୍ୟ ପୁଣି ତା ପାଖକୁ ଫେରି ଆସିଲେ ।

                ଦିନେ ରାତିରେ ସେ ସୈନିକଟି ଭାବିଲା ଏହା ଏକ ଆଶ୍ଚର୍ଯ୍ୟ କଥା ଯେ ଏ ଦେଶର ରାଜକୁମାରୀକୁ କେହି ବି ଦେଖି ନାହାଁନ୍ତି । ସେ ତ ଅତି ସୁନ୍ଦରୀ ବୋଲି ସମସ୍ତେ କହନ୍ତି । ମୁଁ ଆଜି ନିଶ୍ଚୟ ତାଙ୍କୁ ଦେଖି ପାରିବି । ଏହା ଭାବି ସେ ଝକମକି ବାକ୍ସଟିକୁ ଥରେ ଘଷି ଦିଅନ୍ତେ ପ୍ରଥମ କୁକୁରଟି ଆସି ତା ନିକଟରେ ପହଁଚିଲା ।

                ସୈନିକଟି ସେ କୁକୁରକୁ ଆଦେଶ ଦେଲା ଯେ ସେ ରାଜକୁମାରୀଙ୍କୁ ଦେଖିବାକୁ ଚାହେଁ । କୁକୁରଟି ସେ ସୈନିକଠାରୁ ଏଭଳି ଆଦେଶ ପାଇ ରାଜପ୍ରାସାଦକୁ ଯାଇ ରାଜକୁମାରୀଙ୍କୁ ଶୋଇବା ଅବସ୍ଥାରେ ନିଜ ପିଠିରେ ପକାଇ ସୈନିକ ପାଖକୁ ନେଇ ଆସିଲା ଏବଂ ସୈନିକଟି ରାଜକୁମାରୀଙ୍କୁ ଦେଖି ସାରିବା ପରେ ପୁଣି ପିଠିରେ ପକାଇ ନେଇ ରାଜ ପ୍ରାସାଦରେ ରାଜକୁମାରୀ ଶୋଇଥିବା ଶେଯରେ ଶୁଆଇ ଦେଇ ଆସିଲା ସେ କୁକୁର ।


ଗପ ସାରଣୀ

ତାଲିକାଭୁକ୍ତ ଗପ