ତିନି ପୁରୁଷର ବିତ୍ତ

ପଦ୍ମନାଭ ଶ୍ରୀରଙ୍ଗପତନରେ ଯାଇ ପହଁଚିଲେ । କିନ୍ତୁ ସେତେବେଳକୁ ସେ ସହରକୁ ଅନ୍ୟ ଜଣେ ରାଜା ଆକ୍ରମଣ କରିଥାନ୍ତି । ଯୁଦ୍ଧ ଦେଖି ପଦ୍ମନାଭ ସେଠାରୁ ପଳାଇ ଆସିଥିଲେ ସେ ହୁଏତ ଏକ ବୁଦ୍ଧିମାନର କାମ କରିଥାନ୍ତେ, କିନ୍ତୁ ତାହା ନକରି ସେ ମୋତିଲାଲଙ୍କ ଘର ଖୋଜିବାକୁ ଲାଗିଲେ । ସେ ଯେତେବେଳେ ବହୁତ କଷ୍ଟରେ ମୋତିଲାଲଙ୍କ ଘର ପାଇଲେ, ସେତେବେଳେ ଆକ୍ରମଣକାରୀମାନେ ତାଙ୍କ ଘର ଲୁଣ୍ଠନ କରୁଥାନ୍ତି । ସେମାନେ ପଦ୍ମନାଭକୁ ଧରି ପକାଇ ତାଙ୍କଠୁ ସେହି ହୀରା ଖଣ୍ଡିକ ପାଇ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ସେ କାଳେ ହୀରା ବେପାରୀ ହୋଇଥିବେ ଓ ଆହୁରି ହୀରା କେଉଁଠି ରଖିଥିବେ, ଏହା ସନ୍ଦେହ କରି ସେମାନେ ତାଙ୍କଠୁ କଥା ଆଦାୟ କରିବା ପାଇଁ ତାଙ୍କୁ ବହେ ପିଟିଲେ । ଶେଷକୁ ଅବଶ୍ୟ ସେମାନେ ତାଙ୍କୁ ଛାଡିଦେଲେ, କିନ୍ତୁ ପଦ୍ମନାଭ ବିଶାଖପାଟଣା ଫେରି ଆସି ଶଯ୍ୟା ଗ୍ରହଣ କଲେ ଓ କ୍ରମେ ତାଙ୍କ ଅବସ୍ଥା ଶୋଚନୀୟ ହେଲା । ମୃତ୍ୟୁ ନିକଟ ଜାଣି ସେ ତାଙ୍କ ପୁଅ ଚନ୍ଦ୍ରଶେଖରକୁ ଡାକି କହିଲେ, “ବାପା, ମୁଁ ଋଣ ପରିଶୋଧ କରିବା ପାଇଁ ଯାଇଥିଲି, କିନ୍ତୁ ହୀରାକୁ ହୀରା ହରାଇବା ସଙ୍ଗେ ସଙ୍ଗେ ବହୁତ ମାଡ ବି ଖାଇଲି । ଦୁର୍ଭାଗ୍ୟ । କିନ୍ତୁ ମୋ ମୃତ୍ୟୁ ପରେ ତୁ ଯାଇ ମୋତିଲାଲଙ୍କ ଋଣ ପରିଶୋଧ କରିବୁ । ନହେଲେ ମୋ ବାପାଙ୍କ ଆତ୍ମା କେବେବି ଶାନ୍ତି ପାଇବ ନାହିଁକି ମୋ ଆତ୍ମା ବି କେବେବି ଶାନ୍ତି ପାଇବ ନାହିଁ ।”

ଏହା ପରେ ପଦ୍ମନାଭଙ୍କର ମୃତ୍ୟୁ ହେଲା । ଚନ୍ଦ୍ରଶେଖର କର୍ମଠ ଓ ବିବେକୀ ଥିଲେ । ସେ ବହୁତ ପରିଶ୍ରମ କରି ଯାହା ଉପାର୍ଜନ କରୁଥାନ୍ତି, ସେଥିରୁ ସେ କିଛି କିଛି ସଂଚୟ କରୁଥାନ୍ତି । ଆହୁରି ପାଂଚବର୍ଷ ଗଲା । ସେ ସର୍ବମୋଟ ଚାରିହଜାର ସ୍ୱର୍ଣ୍ଣମୁଦ୍ରା ଧରି ଶ୍ରୀରଙ୍ଗପତନ ଗଲେ ।

ସେତେବେଳକୁ ମୋତିଲାଲଙ୍କ ପରଲୋକ ହେବା ସଙ୍ଗେ ସଙ୍ଗେ ତାଙ୍କ ପୁଅ ସନାତନଙ୍କର ମଧ୍ୟ ପରଲୋକ ହୋଇଗଲାଣି । ଏବେ କେବଳ ତାଙ୍କ ନାତି ଗୋବିନ୍ଦ ଥାନ୍ତି । ସନାତନ ବହୁତ କରଜ କରିଥାନ୍ତି । ଗୋବିନ୍ଦ ଛୋଟିଆ ଚାକିରୀଟିଏ କରିବା ସଙ୍ଗେ ସଙ୍ଗେ ଛୋଟିଆମୋଟିଆ ଚିଜରେ ବେପାର କରି ଅଳ୍ପ ଅଳ୍ପ ଆୟ କରି, ନିଜେ ବହୁ କଷ୍ଟରେ ରହି ପିତାଙ୍କ ଋଣ ପରିଶୋଧ କରୁଥାନ୍ତି ।

ଅବଶେଷରେ ସେ ଦିନେ ଦେଖିଲେ, ପିତା ସନାତନ ଯେତେ ଲୋକଙ୍କଠୁଁ ଯେତେ ଯାହା କରଜ କରିଥିଲେ, ସେ ସବୁକୁ ସେ ପରିଶୋଧ କରି ଦେଇଛନ୍ତି । ସେଦିନ ସେ ଶାନ୍ତିରେ ଟିକେ ନିଃଶ୍ୱାସ ନେଲେ ।

ସେହିଦିନ ସନ୍ଧ୍ୟାରେ ଚନ୍ଦ୍ରଶେଖର ତାଙ୍କୁ ଭେଟିଲେ ।

ଚନ୍ଦ୍ରଶେଖର କହିଲେ “ମହାଶୟ, ଆପଣଙ୍କ ଜେଜେବାପାଙ୍କ ଖାତା ବାହାର କରନ୍ତୁ । ସେଥିରେ ଗୋଟିଏ ବାକି ଟଙ୍କାର ଉଲ୍ଲେଖ ଅଛି ।”

ଏକଥା ଶୁଣି ଗୋବିନ୍ଦ ହତାଶ କଣ୍ଠରେ କହିଲେ, “ଭାଇ! ଗତ ପାଂଚବର୍ଷ ଧରି ଚେଷ୍ଟା କରି କରି ମୁଁ ମୋ ବାପା ଛାଡିଯାଇଥିବା ଋଣତକ ପରିଶୋଧ କରିଛି । ଏବେ ପୁଣି ମୋ ଜେଜେବାପାଙ୍କ ଋଣ ପରିଶୋଧ କରିବାକୁ ହେବ? ଆଉ ପୁଣି କେତେଦିନ ଲାଗିବ କେଜାଣି!”

ତାଙ୍କ କଥାରେ ଚନ୍ଦ୍ରଶେଖର ହସିଲେ ଓ କହିଲେ, “ଭାଇ! ଆଦୌ ବ୍ୟସ୍ତ ହୁଅନାହିଁ । ତମ ଜେଜେବାପା ଋଣ କରି ନଥିଲେ । ତମ ଜେଜେବାପାଙ୍କୁ ମୋ ଜେଜେବାପା କିଛି ଦେବାର ଥିଲା । ଖାତା ବାହାର କର । ଦେଖିବା ।”

ଖାତା ବାହାର କରାଗଲା । ସେଥିରେ ବିଶାଖାପାଟଣାର ଜଣେ ଜମିଦାର ସୁବୁଦ୍ଧି ରାଓଙ୍କ ଉପରେ ହଜାରେ ସ୍ୱର୍ଣ୍ଣମୁଦ୍ରା ଥିବା କଥା ଲେଖାଥିଲା ।

ଚନ୍ଦ୍ରଶେଖର କହିଲେ “ଭାଇ, ମୁଁ ହିସାବ କରି ଦେଖିଛି, ବର୍ତ୍ତମାନ ସୁଧ ସହ ତାହା ଚାରିହଜାର ପାଖାପାଖି ହେବ । ହେଇଟି ସେ ଟଙ୍କା ।”

ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇ କିଛି ସମୟ କଥା କହିପାରିଲେ ନାହିଁ । ତା’ପରେ ସେ କହିଲେ, “ଏଭଳି ପୁଣି ସତ୍ ଲୋକ ଅଛନ୍ତି, ସେକଥା ତ ମୁଁ ଆଦୌ କଳ୍ପନା କରିପାରୁ ନାହିଁ । ଭାଇ, ଗୋଟାଏ କାମ କରାଯାଉ । ଏ ଚାରିହଜାର ସ୍ୱର୍ଣ୍ଣମୁଦ୍ରା ଖଟାଇ ଆମେ ଏକା ସାଙ୍ଗରେ ବେପାର କରିବା । ମାତ୍ର ସେ ବ୍ୟବସାୟରେ ଉଭୟଙ୍କର ସମାନ ସମାନ ଭାଗ ରହିବ ।”

ଚନ୍ଦ୍ରଶେଖର ଏଭଳି ପ୍ରସ୍ତାବରେ ରାଜି ହେଲେ । ବ୍ୟବସାୟରେ ସେ ଦୁହେଁ ପ୍ରଚୁର ଲାଭ କଲେ । ଶେଷ ଯାଏଁ ସେ ଦୁହେଁ ଅନ୍ତରଙ୍ଗ ବନ୍ଧୁ ହୋଇ ରହିଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ