ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦସ୍ୟୁ ରାଜକୁମାର

                କଟୁଆଳ ବସନ୍ତର ବାପାଙ୍କୁ ପ୍ରଶ୍ନ କଲା “ତୋ ବଡ ପୁଅ କାହିଁ?”

                ବସନ୍ତର ବାପା ଉତ୍ତର ଦେଲେ “ଆଜ୍ଞା, ଆଗ କଟୁଆଳ ଓ ତାଙ୍କ ସିପାହୀମାନେ ତ ବସନ୍ତକୁ ଧରିନେଇ ଯାଇଥିଲେ । ଆମେ ଏହାଠୁଁ ଆଉ ଅଧିକ କିଛି ବି ଜାଣୁନା ।”

ଏପରି କଥା ଶୁଣି ସେ କଟୁଆଳ ଚିତ୍କାର କରି କହିଲା “ସେ କଥା ନ ଜାଣେ ବା କିଏ? ମୁଁ ପଚାରୁଛି ସେ ବର୍ତ୍ତମାନ କେଉଁଠି! ତାକୁ ଆମ ସିପାହୀଙ୍କଠୁଁ ଛଡାଇ ନେଇଗଲା କିଏ? ଶୀଘ୍ର କହି ପକାଅ । ନହେଲେ ଫଳ ବିଷମୟ ହେବ ।”

ବସନ୍ତର ସାନଭାଇ ଦୃଢ କଣ୍ଠରେ କହିଲା “ଆଜ୍ଞା, ଆପଣଙ୍କ ଏ ପ୍ରଶ୍ନର ଉତ୍ତର ଆମେ କିପରି ଦେବା? ବସନ୍ତକୁ ସେ ଅଜ୍ଞାତ ବ୍ୟକ୍ତି ଛଡାଇ ନେଇ ଗଲାବେଳେ ଆମେ କେହି ତ ସେଠାରେ ନଥିଲୁ । ବରଂ ଆପଣ ସେଠିଥିଲେ ବୋଲି ଆମେ ଶୁଣିଛୁଁ । ତେଣୁ ଆପଣ ଆମକୁ ଉତ୍ତର ଦେବା କଥା ।”

ତା’ଦେଖାଦେଖି ଆଉ ଜଣେ ଯୁବକ କହିଲା “ଠିକ୍ । ଆପଣ ପରା ଆପଣଙ୍କ ହାକିମ, ଅର୍ଥାତ୍ ପୂର୍ବ କଟୁଆଳଙ୍କ ପଛରେ ଥିଲେ ।”

ଏସବୁ ଶୁଣି ନୂଆ କଟୁଆଳ ସେ ଯୁବକ ପିଠିରେ ଚାବୁକ ମାଡ ଦେଇ ଧମକ ଦେଲା “ଚୁପ୍ କର!” “ତମର ଏଡେ ସାହସ ଯେ ମୁଁ ସେଠି ଥିଲି ବୋଲି କହି ଦେଉଛ? ମୁଁ ଥିଲେ ବସନ୍ତ ପୁଣି ଚମ୍ପଟ ଦେଇ ପାରିଥାନ୍ତା?”

କଟୁଆଳର ଚାବୁକ ପୁଣି ଥରେ ଝଟକି ଉଠିଲା ।

ଜଣେ ଗ୍ରାମବାସୀ ଟିକିଏ ପାଖକୁ ଆସି କହିଲା “କଟୁଆଳ ବାବୁ! ତମେ ସେ ନିରୀହ ଟୋକାକୁ କାହିଁକି ପିଟୁଛ?”

ଆଉ ଜଣେ ଗ୍ରାମବାସୀ କହିଲା “ରାଜା ଶାନ୍ତିଦେବଙ୍କ ରାଜୁତି କାଳରେ ଏଭଳି ଅନ୍ୟାୟ ତ ଆମ କଳ୍ପନାକୁ ବି ଆସୁନଥିଲା!”

କଟୁଆଳ ତା’ ଆଖି ଲାଲ କରି ଗ୍ରାମବାସୀଙ୍କ ଆଡେ ଅନାଇଲା । ତା’ପରେ ସେ କହିଲା “ବୁଝିଲି । ଏଇଟା ବିଦ୍ରୋହୀମାନଙ୍କ ଗାଁ । ଏ ଗାଁ ପୋଡିଦିଅ । ପ୍ରତି ଘର ଗୋଟାଏ ଗୋଟାଏ ପାଉଁଶ ଗଦାରେ ପରିଣତ ହେଉ । ତା’ହେଲେ ଯାଇ ଏମାନେ ଠିକ୍ ଶିକ୍ଷା ପାଇବେ । ଜଲ୍ଦି କର!”

ଏହି ଧମକ୍ ଶୁଣି ଗ୍ରାମବାସୀମାନେ ସମସ୍ୱରରେ ପ୍ରତିବାଦ କଲେ “କଟୁଆଳ ବାବୁ! ତମେ ଏ କ’ଣ କରିବାକୁ ଯାଉଛ? ଆମ ଘରମାନ ପୋଡିଦେଇ ତୁମେ କି ଲାଭ ପାଇବ?” କିନ୍ତୁ ଦୁଇଜଣ ସିପାହୀ ସଙ୍ଗେ ସଙ୍ଗେ ପାଖରେ ଥିବା ଗୋଟାଏ କୁଡିଆରେ ପଶି ନିଆଁ ହୁଳା ତିଆରି କରି ଆଣି ପ୍ରଥମେ ସେହି କୁଡିଆ ଚାଳରେ ନିଆଁ ଲଗାଇଲେ । ଏଣେ ଏ କଟୁଆଳ ଅଟ୍ଟହାସ୍ୟ କଲା ।

ସିପାହୀମାନେ ଆହୁରି କେତୋଟି ନିଆଁ ହୁଳା ତିଆରି କରି ଗାଁ ଯାକ ଦୌଡି ଦୌଡି ଭିନ୍ନ ଭିନ୍ନ ଘରେ ନିଆଁ ଲଗାଇବାକୁ ଲାଗିଲେ । ଗ୍ରାମବାସୀମାନେ ଆର୍ତ୍ତନାଦ କରି ଗୋଟାଏ ଘରେ ନିଆଁ ଲିଭାଇବାକୁ ତତ୍ପର କରିବା ବେଳକୁ ଅନ୍ୟ ଦୁଇ ଚାରି ଘର ଜଳି ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ