ବହୁ ପୁରା କାଳର କଥା । ଗୋଟିଏ ନଗରୀରେ ଦ୍ରୋଣ ନାମକ ଜଣେ ବ୍ରାହ୍ମଣ ବସବାସ କରୁଥିଲେ । ସେ ବଡ ଦରିଦ୍ର ଥିଲେ । ଦିନସାରା ଗାଁ ଗାଁ ବୁଲି ଭିକ୍ଷା କରି ଯାହା ସଂଗ୍ରହ କରୁଥିଲେ ସେହିଥିରେ ଚଳିଯାଉଥିଲେ । ସର୍ବଦା ଏକ ଚିରା ଗାମୁଛା ପରିଧାନ କରି ଭିକ୍ଷା କରୁଥିଲେ । ନିଜ ଦେହର ଯତ୍ନ ନେଇ ପାରୁନଥିଲେ । ହାତ, ଗୋଡରେ ନଖ ବଢି ଯାଇଥିଲା । ମୁହଁରେ ମଧ୍ୟ ନିଶ, ଦାଢି ଭର୍ତି ହୋଇଥିଲା । ଦ୍ରୋଣଙ୍କର ଏହି ରୂପ ଦେଖି ଦିନେ ତାଙ୍କର ଏକ ଯଜମାନ ତାଙ୍କୁ ଦୁଇଟି ବାଛୁରୀ ପାଳିବାକୁ ଦେଲେ । ବାଛୁରୀ ଦୁଇଟାକୁ ଦେଖି ଦ୍ରୋଣ ବହୁତ ଖୁସି ହୋଇଗଲେ । ଆନନ୍ଦରେ ସେମାନଙ୍କ ଯତ୍ନ ନେଲେ । ଘାସ, କୁଣ୍ଡା ଯୋଗାଡ କରି ପ୍ରତିଦିନ ଖାଇବାକୁ ଦିଅନ୍ତି । ଦ୍ରୋଣଙ୍କର ଯତ୍ନ ଦ୍ୱାରା ବାଛୁରୀ ଦୁଇଟି ବେଶ୍ ହୃଷ୍ଟପୃଷ୍ଟ ହୋଇ ବଢିବାକୁ ଲାଗିଲେ ।
କଅଁଳିଆ ବାଛୁରୀ ଦୁଇଟାକୁ ଦେଖି ଏକ ଚୋର ମନେ ମନେ ଠିକ୍କଲା କିପରି ସେମାନଙ୍କୁ ଚୋରାଇ ନେବ । ଦିନେ ରାତି ଅଧ ବେଳକୁ ସେ ବ୍ରାହ୍ମଣ ଘର ଆଡକୁ ଚାଲିଲା । କିଛିବାଟ ଯିବାପରେ ରାସ୍ତାରେ ତା’ର ଏକ ବ୍ରହ୍ମରାକ୍ଷସ ସହିତ ସାକ୍ଷାତ ହେଲା । ରାକ୍ଷସର ମୁନିଆଁ ନଖ, ବଡ ବଡ ଦାନ୍ତ, ଲମ୍ବା ନାକ, ନିଆଁପରି ଜଳୁଥିବା ଆଖି, ବଡ ବଡ ଚୁଟି ଇତ୍ୟାଦି ଦେଖି ଚୋରଟି ପ୍ରଥମେ ଭୟଭୀତ ହୋଇଗଲା । ଥରିଲା ଥରିଲା କଣ୍ଠରେ ପଚାରିଲା, ତୁମେ କିଏ? ରାକ୍ଷସ କହିଲା, ମୁଁ ହେଉଛି ଏକ ରାକ୍ଷସ । ମୋର ନାମ ସତ୍ୟବଚନ । ମୋ ସଂପର୍କରେ ତ ଜାଣିଲ । ବର୍ତ୍ତମାନ ତୁମ ସଂପର୍କରେ କିଛି କୁହ । ଚୋର କହିଲା, ମୁଁ ଜଣେ ଚୋର । ମୋର ନାମ କ୍ରୁରକର୍ମ । ବର୍ତ୍ତମାନ ମୁଁ ଏକ ବ୍ରାହ୍ମଣ ଘରକୁ ଦୁଇଟି ବାଛୁରୀ ଚୋରି କରିବା ଉଦ୍ଧେଶ୍ୟରେ ଯାଉଛି । ଏହିପରି ଚୋର ଏବଂ ରାକ୍ଷସ ଗପ କରି ଚାଲିଲେ ।