ପୁନର୍ମୂଷିକୋଭବ

ମେଜେଷ୍ଟର ସାହେବଙ୍କ ଗସ୍ତ ସମୟରେ ପେସ୍କାର ହମରାଏ କିଣୁ ମଫସଲ ଯିବାଆସିବା କରିବାରୁ ଅମଲାଗିରି ଘତଘାତ ତାହାକୁ କିଛି କିଛି ଜଣା । ତେଣୁ ଜମାଦାର ଗ୍ରାମରେ ପହଁଚି ଚୌକିଦାରମାନଙ୍କୁ ତଲବ କରିଦେଲେ । ତା’ପରେ ଡାକହାକରେ ଚାରିଖଣ୍ଡ ଗ୍ରାମରେ ଚହଳ ପଡିଗଲା । ନୂଆ ହାକିମ ଆସି ହାଜର, ଆଉ କଣ କେହି ଘରେ ରହିପାରେ? ମୁଖ୍ୟା ମୁଖ୍ୟା ଲୋକ ହାଜର ହୋଇଗଲେ । ଦେଖଣାହାରୀ ମଧ୍ୟରେ ପିଲାଗୁଡାକ ବେଶି । ଘର ମାଇକିନିଆମାନେ ତାଟିକବାଟ ଦରଆଉଜା କରି ଘର ଭିତରୁ ଚାହିଁଛନ୍ତି । ଜମାଦାରେ ପାଟିକରି ସମସ୍ତଙ୍କୁ ଅନାଇ ସରକାରୀ ହୁକୁମ ଶୁଣାଇଦେଲେ । ସେଥିର ସାରକଥା ଏହିପରି ବୁଝାଗଲା, ‘ଚାରିଖଣ୍ଡ ଗ୍ରାମରେ ସେ ମଫସଲ ହାକିମ ।’ କଚେରି ଭାଙ୍ଗିବାକୁ ବେଳ ଗଡିଗଲାଣି । ସେ ଗ୍ରାମର ବୁଢା ଦିଗବାର ଜଣେ ପୁରୁଖା ଲୋକ । ଢେର୍ ହାକିମହୁକୁମା ଅମଳ କଲାଣି । ନାମ ଶଙ୍କ୍ରୁ ମଲିକ । ଛିଡାହୋଇ ଗ୍ରାମଲୋକଙ୍କୁ ଅନାଇ ସେ କହିଲା, “ଆଉ ଆସିଲେ କ’ଣ ହେବ, ବେଳ ତ ଗଡିଗଲା, ମାତ୍ର ଏପର୍ଯ୍ୟନ୍ତ ହାକିମଙ୍କ ଚର୍ଚ୍ଚା ହେଲା ନାହିଁ ।” ଦିଗବାର କଥା ଶୁଣି ଗୋଟି ଗୋଟି ହୋଇ ସମସ୍ତେ ସେଠାରୁ ଉଠିଗଲେ । ଆଉ ଏକ ସ୍ଥାନରେ ବସି ବିଚାର କଲେ । ଗ୍ରାମଯାକ ଭେଦା ହୋଇଗଲା, କାହା ଘରୁ ଚାଉଳ, କାହା ଘରୁ କାଠ, ଲୁଣ, ବାଇଗଣ ଇତ୍ୟାଦି ପହଁଚିଲା । ନାଥ ମହାକୁଡ ଗଉଡ ଗୋଟାଏ ଠେକିରେ କିଛି ନିରୁତା ଗାଈଦୁଧ, ଦେଶି ଘିଅ ପହଁଚାଇଦେଲା । ଚାରିଜଣ ପାଣଟୋକା ଧାଇଁଯାଇ ବିଲ ମଧ୍ୟରୁ ଗୋଟିଏ ପାଣି ଖାଲ ବୋହିଦେଇ ଗଡେଇ, ଚେଙ୍ଗ, କଉ, ଟିପିରି ଇତ୍ୟାଦି ଦୁଇଗୁଣ୍ଡା ଭଳି ଚିପି ଘେନିଆସିଲେ । ପ୍ରଥମ ଦିନ ଜମାଦାରଙ୍କ ଭୋଜନ ବଢିବାକୁ ରାତି ଅନ୍ଦାଜ ଘଡିକ ସରିକି । ସେଦିନ ଏକାହାର । ଏହିପରି ଦୁଇ ଦିନ, ପାଂଚ ଦିନ, ଦଶ ଦିନ ମଧ୍ୟ ସ୍ୱଚ୍ଛନ୍ଦରେ କଟିଗଲା । ଦିନ ଯେପରି ଯାଏ, ଠିକ୍ ସେହିପରି ବହିଯାଉଛି । ଜମାଦାରଙ୍କ ଭୋଜନ ବିଷୟରେ କୌଣସି ଚିନ୍ତା ଭାବନା ନାହିଁ । ପ୍ରତିଦିନ କାହୁଁ ସିଦା ଚାଲିଆସୁଛି । ଦୁଧ, ମାଛ, ଘିଅର ଅଭାବ ନାହିଁ । ଏଟା କିଛି ଗ୍ରାମବାସୀଙ୍କ ଧର୍ମବୁଦ୍ଧିଯୁକ୍ତ ଆତିଥେୟ ନୁହେଁ, ଏହାର ମୂଳ କାରଣ କେବଳ ଭୟ ଓ ଜମାଦାରଙ୍କ ମନୋରଞ୍ଜନ କରିବା ଅଟେ । କେତେବେଳେ କ’ଣ ଅଛି, ଗ୍ରାମ ଗୋଟାଯାକ ତ ଚୋର, ତେଣୁ ଏ ଜମାଦାରଟା ମୁଠାରେ ଥାଉ । ଜମାଦାରଙ୍କ ହାତ ପୋଡିବାକୁ ହୁଏ ନାହିଁ, ଗ୍ରାମର ପୁରୋହିତ ନରହରି ପଣ୍ଡା ଦୁଇଓଳି ରୋଷାଇ କରି ଦେଇଯାଏ । ବେଠିଆ ଭଣ୍ଡାରି ରାମା ବସାରେ ରୋଷାଇ ଡୌଲ, ବସା ଲିପାପୋଛା ଶଙ୍କୁଡି ବାସନମଜା ଇତ୍ୟାଦି କର୍ମ କରିଦିଏ । ଦିନେ ଦିନେ ଜମାଦାର ଗସ୍ତରୁ ବାହୁଡି ଆସିଲେ ରାମା ତାଙ୍କ ଗୋଡହାତରେ ତେଲ ଟୋପାଏ ମାରିଦିଏ । ଏହିପରି ଆହୁରି ଦୁଇ ପାଂଚଦିନ କଟିଗଲା । ଦିନେ ସେ ଜମାଦାରେ ବସି ବସି ବିଚାର କଲେ, ଏପରି ବସି ବସି ଖାଇଲେ ତ ଆଉ ଚଳିବ ନାହିଁ, ସରକାରୀ କାମ ବଜାଇବାକୁ ହେବ । ଲୁଣଚୋର ଯେ ଘରେ ଘରେ ଚଲାକ । ଜମାଦାର କେତେଦିନ ଗ୍ରାମରେ ରହି ସବୁକିଛି ବେଶ୍ ବୁଝିଲେଣି, ମାତ୍ର ଧରିବେ କିପରି? ଗ୍ରାମ ଲୋକେ ହାଟରୁ ଦୁଇ ପଇସାର ବିଲାତୀ ଲାଫ୍ରି ଲୁଣ କିଣି ଆଣି ରଖିଅଛନ୍ତି, ଜମିଦାରଙ୍କ ସିଦାରେ ପୁଣି ସେହି ଲୁଣ ଦିଅନ୍ତି । ଜମାଦାରେ ଏ କଥାଟା ମଧ୍ୟ ବୁଝିଲେଣି । ଦିନଯାକ ଜମାଦାର ପାଖରେ ଲୋକ ଛୁଟଣ ନାହିଁ । ରାତ୍ରି ଛ’ ଘଡିଯାଏଁ ପାଖରେ ରହି ଏଣୁତେଣୁ କହି ତାଙ୍କୁ ଭୁଲାଉଥାଆନ୍ତି, ଅର୍ଥାତ୍ ଜମାଦାର କେତେବେଳେ କ’ଣ କରୁଅଛନ୍ତି ସମସ୍ତେ ଉଣ୍ଡୁଥାଆନ୍ତି । ସେ ଗ୍ରାମର ଅବଧାନେ ବନମାଳୀ ଓଝା ସଞ୍ଜବେଳେ ଦୁଇଘଡି ଫାଣ୍ଡିରେ (ଭାଗବତ ଘରେ) ବସି ଜମାଦାରଙ୍କୁ ଛାନ୍ଦ ଶୁଣାଏ । ହାତମୁଣ୍ଡ ହଲାଇ ‘ବକେ ବସିଥିଲା ଧ୍ରୁବ ଉପରେ’ ଗୀତର ଅର୍ଥ କରେ । ଗ୍ରାମର ଲୋକେ ଏକଜୋଟ ଆଉ ସରକାରୀ ଲୋକ ଦିଗବାର, ସେ ତ ଗ୍ରାମବାସୀ ମଧ୍ୟରେ ଜଣେ । ଜମାଦାର ବର୍ତ୍ତମାନ କିଛି ଚିନ୍ତାରେ ପଡିଲେଣି ।

ଆଜି ସେ ଜମାଦାରଙ୍କ ମିଜାଜ ଭାରି ବିଗିଡିଛି । ସବୁ କଥାରେ ସେ ଖାଲି ଖପା, ସମସ୍ତଙ୍କ ଉପରେ ଖପା । ରାଗରେ ଗୁମ୍ମାରି ଫାଣ୍ଡିରେ ବସିଛନ୍ତି, କାହାରି ସହିତ ତାଙ୍କର କିଛି ବି କଥା ନାହିଁ । ଦିଗବାର ଶଙ୍କ୍ରୁ ମଲିକ ଚାରିହାତିଆ ବାଉଁଶ ଠେଙ୍ଗାଟା କାନ୍ଧରେ ପକାଇ ପିଣ୍ଡାତଳେ କୋଡିଏ ହାତ ଦୂରରେ ବସିଛି । ଜମାଦାର ଖୁବ୍ ଖପା ହୋଇ ଦିଗବାରକୁ ପଚାରିଲେ, “କିରେ? ସେ ତ କାହିଁ ଆସିଲା ନାହିଁ?” ତହୁଁ ସେ ଦିଗବାର ଛିଡାହୋଇ ହାତଯୋଡି କହିଲା- “ହଜୁର, ଏଥର ଲଗା ତା’ ପାଖକୁ ପାଂଚଥର ଗଲି, ହେଲେ ସେ ଆସିଲା ନାହିଁ ।” କହିଲା, “ମୁଁ କ’ଣ ଜମାଦାର ଶଙ୍କୁଡି ଉଠାଇ ତିନି ପାଞ୍ଜିରୁ ଯିବି? ଜଣା ଅଜଣା ଗ୍ରାମ ସାଆନ୍ତଙ୍କ ବୋଲରେ ପଡି ଯାହା କରିଯାଇଛି- ଯାଇଛି, ମାତ୍ର ଏଣିକି ଆଉ ପାରିବି ନାହିଁ ।”

ସଞ୍ଜବେଳେ ସେ ଗ୍ରାମର ମୁଖିଆ ମୁଖିଆ ଲୋକମାନେ ଭାଗବତ ଘରଠାରେ ହାଜର ହୋଇ ରାମା ବାରିକ ଭଣ୍ଡାରିକୁ ଡକାଇଲେ । ରାମା ହାଜର ହୋଇ ଜମାଦାରଙ୍କୁ ଦଣ୍ଡବତ କରି ହାତଯୋଡି ଛିଡାହେଲା । ଗ୍ରାମର ପଧାନ ଗୋପାଳ ଘଡେଇ ପଚାରିଲେ, “କିରେ ରାମା, ତୁ ଆଜି ଜମାଦାରଙ୍କ ବସାରେ କିଆଁ ହାଜର ହେଲୁ ନାହିଁ?” ରାମା ଦୁଇଥର ଗଳାଖଙ୍କାରି ଦେଲା, ଦୁଇଥର ଗୁଇଁଗାଇଁ ହେଲା, ତା’ପରେ ସେ କ’ଣ ବିଡବିଡ୍ କରି କହିଲା । ଏସବୁ ଦେଖି ଘଡେଇ ଆଉ ଥରେ ଧମକାଇ ପଚାରିଲେ, “ରେ, କ’ଣ କହୁଛୁ ସଫା କରି କହ ।”

                ରାମା କହିଲା, “ଆଜ୍ଞା ଆଜି ସକାଳେ ନରସିଂହପୁରରୁ ଆମ ଜାତି ପରମାଣିକ ଆସିଥିଲେ । ମୋତେ ମନା କରିଗଲେ । ଏଣିକି ଆଉ ଜମାଦାରଙ୍କ ଶଙ୍କୁଡି ଉଠାଇଲେ ମୁଁ ଏକଘରିଆ ହେବି । ଆଜ୍ଞା, ଆପଣମାନେ ନିଶାପ କରନ୍ତୁ ଜାତିପାଟକ କଥା, ମୁଁ କି ପରମାଣିକ କଥା ହେଂଟିପାରେ? ଏଭଳି କଥା ଶୁଣି ସମସ୍ତେ ଚୁପ୍ଚାପ୍, କାହାରି ପାଟିରୁ କଥାଟା ଫିଟିଲା ନାହିଁ, ମାତ୍ର ଏଥିରୁ ସମସ୍ତେ ବୁଝିଗଲେ ଯେ, ଏ ଜମାଦାରଟା ଜାତିରେ ଭଣ୍ଡାରି । ରାମା ଜାତିଭାଇ ସେବା କରିବାକୁ ନାରାଜ । ଏଣେ ଜମାଦାରେ ରାଗରେ ଖାଲି କମ୍ପୁଛନ୍ତି, ମାତ୍ର ଲୋକଟା ଖୁବ୍ ସିଆଣା କିନା, ବିଚାରକଲା ରାମା ଉପରେ ଜୁଲୁମ କଲେ କଥାଟା ଫିଟିଯିବ । ତେଣୁ ସେ ଜମାଦାରେ ତୁନିତାନି ହୋଇ ରହିଲେ । ରାତି ହେଲା, ଗୋଟି ଗୋଟି ହୋଇ ସମସ୍ତେ ଘରକୁ ଚାଲିଗଲେ । ସେମାନଙ୍କ ପଛେ ପଛେ ରାମା ମଧ୍ୟ ଚାଲିଗଲା ।

                ଜମାଦାରଙ୍କ ସାତପୁରୁଷର କାମ ଅଇଁଣ୍ଠାଉଠା । ପେସ୍କାରଙ୍କ ବସାରେ ମଧ୍ୟ ସେ ସେହି କାମରେ ବାହେଲ ଥିଲେ । ଆପଣା ଶଙ୍କୁଡି ବାସନଟା ମାଜିପାରିବେ ନାହିଁ? ତେବେ କଥା କ’ଣ କି ଏଠାରେ ମର୍ଯ୍ୟାଦାକୁ ଜଗି ଚଳିବାକୁ ହେବ ତ! କ’ଣ କରିବେ, କାମ ଚଳିଗଲା, ମାତ୍ର ରାମା ଉପରେ ରାଗଟା ପୂର୍ବବତ୍ ରହିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ