ଗଙ୍ଗାପୁରରେ ଜଣେ ଜମିଦାର ଥା’ନ୍ତି, ତାଙ୍କ ନାମ ସୁରେନ୍ଦ୍ର । ସୁରେନ୍ଦ୍ରଙ୍କର ଗୋଟିଏ ବୋଲି ପୁଅ ଥାଏ, ତା’ର ନାମ କମଳ । ସୁରେନ୍ଦ୍ର ଥିଲେ ଜଣେ ସାଧୁ ଲୋକ । ତେଣୁ ସେ ସର୍ବଦା ପରୋପକାର କାର୍ଯ୍ୟରେ ବ୍ୟସ୍ତ ଥା’ନ୍ତି । ପୁଅର ବିବାହ ବୟସ ହେବାରୁ ସେ ଚାହିଁଲେ ଏପରି ଏକ ବୋହୁ ଆସିବ ଯିଏ କି ତାଙ୍କ ପୁଅ ପରି ରୂପ ଓ ଗୁଣରେ ଖୁବ୍ ସୁନ୍ଦର ହୋଇଥିବ; ଯେପରି ତାଙ୍କ ଘରର ମାନ ମର୍ଯ୍ୟାଦା ବଢିବ ।
ସେହି ଗାଁରେ ତ୍ରିଲୋକ ନାମକ ଜଣେ ବ୍ୟକ୍ତି ଥା’ନ୍ତି । ସେ ବେଶି ଧନୀ ନ ହେଲେ ବି ସୁରେନ୍ଦ୍ରଙ୍କର ପିଲାଦିନର ସାଙ୍ଗ । ଭଲମନ୍ଦରେ ସୁରେନ୍ଦ୍ର ସର୍ବଦା ତ୍ରିଲୋକ ସହିତ ଆଲୋଚନା କରନ୍ତି । କଥା କହୁ କହୁ ଦିନେ ସୁରେନ୍ଦ୍ର କହିଲେ, “ତ୍ରିଲୋକ, ଗୋଟାଏ କଥା କହିବି କହିବି ବୋଲି ଭାବୁଛି ହେଲେ ମୁଁ ଭୁଲି ଯାଉଛି । ତୁମେ ତ ଜାଣ ଆମ କମଳଟି ପିଲାଟି ଦିନରୁ ମା’ ଛେଉଣ୍ଡ । ଏଡେ ଶାନ୍ତସରଳ ପିଲାଟି ଯେ ଆଜିଯାଏଁ ସେ ସଂସାରର ଭଲମନ୍ଦ କିଛି ବି ଜାଣିଲା ନାହିଁ । ଏବେ ତ ତା’ର ବିବାହ ବୟସ ହେଲାଣି । ତା’ର ପଢାପଢି ମଧ୍ୟ ଶେଷ ହେଲାଣି । ଏଣିକି କନ୍ୟାଟିଏ ଖୋଜିବା ଆମର କାମ । ତୁମେ ଟିକିଏ ଏ ବିଷୟରେ ମୋତେ ସାହାଯ୍ୟ କରନ୍ତ ନାହିଁ?” ତୁମ ଛଡା ମୁଁ ଆଉ କାହାକୁ ବା ମୋ ସମସ୍ୟା କହିବି?
ସବୁ ଶୁଣି ତ୍ରିଲୋକ କହିଲେ, “ହଁ ମୁଁ ଶୁଣିଥିଲି କି ତମେ କୁଆଡେ ବୋହୁ ଖୋଜୁଛ । ମୁଁ ମଧ୍ୟ ଜଣେ ଦୁଇଜଣ କନ୍ୟାଙ୍କୁ ଜାଣେ । ସେଥିରୁ ଜଣେ ସୀତାପୁର ଜମିଦାର ଗଜାନନଙ୍କ ଝିଅ ସରଳା । ଅନ୍ୟଟି ଲକ୍ଷ୍ମୀପୁରର ଜମିଦାର ବିଶ୍ୱେଶ୍ୱରଙ୍କର ଝିଅ ସରିତା । ସେ ଦୁଇଜଣଯାକ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ଗୁଣବତୀ ମଧ୍ୟ । ତୁମେ ନିଜେ ଥରେ କମଳକୁ ସାଙ୍ଗରେ ନେଇ କନ୍ୟା ଦେଖିଆସ । କମଳର ରୁଚି ଅନୁସାରେ ସେ ଯାହାକୁ ପସନ୍ଦ କରିବ ସେହି ଝିଅଟି ହିଁ ଆମର ବୋହୁ ହୋଇ ଆସିବ ।”
ତା’ପରେ ଦିନେ ସେ ବାପ ପୁଅ ଦୁହେଁ କନ୍ୟା ଦେଖି ବାହାରିଲେ । ସେମାନେ ନାନା ପ୍ରକାର ବାହାନା ଦେଖାଇ ଦୁଇ ଜମିଦାରଙ୍କ ଘର ବୁଲି ଆସିଲେ । ଦୁଇଟିଯାକ ଝିଅ ଦେଖିବାକୁ ଅତି ସୁନ୍ଦର; ଏକକୁ ଆରେକ ବଳି । ଗୁଣ ଓ ବ୍ୟବହାରରେ ମଧ୍ୟ ସେ ଦୁହେଁ ଖୁବ୍ ଚମତ୍କାର । ଏବେ କ’ଣ କରାଯିବ? ସୁରେନ୍ଦ୍ର କିଛି ବି ଠିକ୍ କରି ପାରିଲେ ନାହିଁ । ପୁଅକୁ ପଚାରିଲେ, “ପୁଅ, ବଧୁ ନିର୍ବାଚନ ପାଇଁ ଝିଅମାନଙ୍କୁ ଦେଖିବା କାମ ତ ସରିଲା; ଏଣିକି ତୁ କହ ଯେ, ତୋର ପସନ୍ଦ କିଏ? ତୁ ଯେଉଁଠି କହିବୁ ସେଇଠି ହିଁ ତୋର ବାହାଘର ହୋଇଯିବ ।”