ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲା । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିବ । ସେ ଜଙ୍ଗଲରେ କିଛି ବାଟ ଯିବାପରେ ଦେଖିଲା ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥିବାର ଦେଖି ବ୍ରାହ୍ମଣକୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି । ପୁଣି ବାଘ ହାତରେ ଏକ ସୁବର୍ଣ୍ଣ କଙ୍କଣ ଧରିଛି । କଙ୍କଣଟିରେ ସୂର୍ଯ୍ୟ କିରଣ ପଡୁଥିବାରୁ ବେଶ୍ ଝଲ୍ମଲ୍ ଦେଖାଯାଉଛି । ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖି ବ୍ରାହ୍ମଣ ମନରେ ଲୋଭ ଜାତ ହେବା ସ୍ୱାଭାବିକ୍ କଥା । କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବ କିପରି? ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାଏ ।
କିଛି ସମୟ ପରେ ବାଘଟି ବ୍ରାହ୍ମଣକୁ କହିଲା, “ହଇରେ ବ୍ରାହ୍ମଣ! ମୁଁ ଏଠାରେ ଘାସ ଖାଉଥିବାର ଦେଖିତୁ ଆଶ୍ଚର୍ଯ୍ୟ ହୋଇ ଯାଇଥିବୁ । ତା’ପରେ ତୋତେ ମୋହାତରେ ସୁବର୍ଣ୍ଣ କଙ୍କଣ ଦେଖି ଆହୁରି ଆଶ୍ଚର୍ଯ୍ୟ ଲାଗୁଥିବ । ମୁଁ ତୋତେ ଏହି କଙ୍କଣଟି ଦେବାକୁ ଚାହୁଁଛି । ମୋ ପାଖରେ ଏହି ଜିନିଷଟି ରହି କ’ଣ ଲାଭ? ବରଂ ଜଣେ ମନୁଷ୍ୟକୁ ଏହା ଦାନ କଲେ ଜିନିଷଟି ତା’ର କାମରେ ଆସିବ । ତୁ ମୋ ଠାରୁ ଏହା ଗ୍ରହଣ କର । ମୋତେଏକ ହିଂସ୍ରଜନ୍ତୁ ବୋଲି ଭାବି ତୁ ବୋଧହୁଏ ଭୟ କରୁଥାଇପାରୁ । ମୁଁ ମୋର ଯୁବକ ଅବସ୍ଥାରେ ବହୁ ବନ୍ୟଜନ୍ତୁ, ମନୁଷ୍ୟ ମାନଙ୍କୁ ମାରି ଖାଇଛି । ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥିଲି । ଥରେ ଜଣେ ସାଧୁଙ୍କ ସହିତ ମୋର ପରିଚୟ ହେଲା । ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ । ସାଧୁ ମହାତ୍ମାଙ୍କ ଉପଦେଶମାନି ମୁଁ ନିରାମିଶାଷୀ ପାଲଟି ଯାଇଛି । ପ୍ରତିଦିନ ମୁଁ ଏହି ନଦୀରେ ଗାଧୋଇ ସାରି ନଦୀ କୂଳରେ ଥିବା ଘାସକୁ ଖାଏ । ବୋଧହୁଏ ସେଇଥିପାଇଁ ମୋର ଦାନ୍ତ ଏବଂ ପଂଝା ଗୁଡିକ ନଷ୍ଟ ହୋଇଗଲାଣି ।” ମୋ କଥା ଶୁଣିସାରିବା ପରେ ତୁ ତଥାପି ମୋତେ ବିଶ୍ୱାସ କରିପାରୁନୁ । ଦୟାକରି ମୋତେ ତୁ ବିଶ୍ୱାସ କର । ମୋଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ ପତ୍ନୀ କୁ ଦେଇଦେ । ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ ।