ବୀର ହନୁମାନ

ଶ୍ରୀରାମଙ୍କ ବ୍ୟାକୁଳ ଭାବ ଦେଖି ଲକ୍ଷ୍ମଣ ଆଉ ଧୈର୍ଯ୍ୟ ଧରି ପାରୁ ନଥିଲେ । ତଥାପି ବହୁ କଷ୍ଟରେ ଶୋକ ସମ୍ବରଣ କରି ସେ କହିଲେ, “ହେ ଅଗ୍ରଜ; ହେ ବୀରାଗ୍ରଗଣ୍ୟ, ରଘୁକୁଳ ତିଳକ ଶ୍ରୀରାମ, ଆପଣ ତିନିଲୋକର ପ୍ରଭୁ, ଆପଣ ଏପରି ଅଧୈର୍ଯ୍ୟ ହେଲେ କ’ଣ ଚଳିବ? ସତ୍ୟ, ଧର୍ମ, ଧୈର୍ଯ୍ୟ, ସାହାସ ବିବେକ ସବୁର ପ୍ରତୀକ ଆପଣ । ମଣିଷ ଧୈର୍ଯ୍ୟହୀନ ହେଲେ ଆପଣଙ୍କ ନାମ ନେଇ ବଳପାଏ, ଧୈର୍ଯ୍ୟ ଧରେ । ମାତ୍ର ଆପଣ ଏପରି ହେଲେ ମୋର ଦଶା କ’ଣ ହେବ? ମୋର ସେବାରେ ଆଉ କେଉଁଠି କିଛି ତ୍ରୁଟି ରହିଲା କି? ସେହି କଥା ଭାବି ମୋର ମନ ଅତ୍ୟନ୍ତ ବ୍ୟାକୁଳ ହେଉଛି । ସମୟର ପ୍ରବାହରେ ସବୁ କିଛି ଠିକ୍ ହୋଇଯିବ ପ୍ରଭୁ । ଶୋକ ସମ୍ବରଣ କରନ୍ତୁ । ଚତୁର୍ମ୍ୟାସ୍ୟା ଶେଷ ହେବାକୁ ବସିଛି । ଏବେ ଆମେ ଆମର କାର୍ଯ୍ୟ ବିଷୟରେ ସଚେତନ ହେବା । ଏହାହିଁ ବର୍ତ୍ତମାନର ପରିସ୍ଥିତିରେ ପ୍ରଧାନ କାର୍ଯ୍ୟ । ଶୋକ କରିବାର ସମୟ ଏ ନୁହେଁ ।

କିସ୍କିନ୍ଧ୍ୟାରେ ହନୁମାନ ଦେଖିଲେ ଯେ ଏତେଦିନ ପାହାଡ ପର୍ବତରେ ରହିବା ପରେ ମଧ୍ୟ ମାମୁଁ ସୁଗ୍ରୀବ ରାଜକୀୟ ଐଶ୍ୱର୍ଯ୍ୟରେ ବୁଡି ରହିଛନ୍ତି – ରହିବା ମଧ୍ୟ ସ୍ୱାଭାବିକ ଏବଂ ଶ୍ରୀରାମଙ୍କ କଥା ବୋଧହୁଏ ସେ ଭୁଲି ଗଲେଣି । ତେଣୁ ସେ ସୁଗ୍ରୀବଙ୍କ ପାଖକୁ ଯାଇ କହିଲେ ଯେ ମିତ୍ର ଧର୍ମ ଭୁଲିଯାଇ ସେ ଘୋର୍ ଅପରାଧ କରିଛନ୍ତି । ବର୍ଷାକାଳ ଶେଷ ହେଲାଣି, ଏବେ ସୀତା ମାତାଙ୍କୁ ଖୋଜିବାକୁ ଯିବାକୁ ହେବ । ପ୍ରକୃତରେ ଏହା ବହୁ ଆଗରୁ ହେବା ଉଚିତ୍ । ରାମ ଅତ୍ୟନ୍ତ ଭଲ ଲୋକ, ନ ହେଲେ ଏତେବେଳକୁ କ’ଣ ନାହିଁ କ’ଣ ହୋଇ ସାରନ୍ତାଣି ।

ହନୁମାନଙ୍କ କଥା ଶୁଣି ସୁଗ୍ରୀବ ସୈନ୍ୟସଜ୍ଜା ପାଇଁ ଆଦେଶ ଦେଲେ ।

ଏଣେ ଶ୍ରୀରାମ ମଧ୍ୟ ସୁଗ୍ରୀବଙ୍କର ବର୍ଷାଋତୁ ପରେ ନ ଆସିବାଟା ପସନ୍ଦ କରୁ ନାହାଁନ୍ତି କ’ଣ କରିବେ । ତେଣୁ ସେ ରାଗିଯାଇ ଲକ୍ଷ୍ମଣଙ୍କୁ କହିଲେ, “ଲକ୍ଷ୍ମଣ, ତୁମେ ଥରେ କିସ୍କିନ୍ଧ୍ୟା ଯାଇ ସୁଗ୍ରୀବଙ୍କୁ ଚେତାବନୀ ଦିଅ । ସେ ଆମକୁ ଏପରି ଉପେକ୍ଷା କଲେ କାହିଁକି?” ଲକ୍ଷ୍ମଣ ତ ଆଜନ୍ମ ରାଗି । ସୁତରାଂ ସେ ରାଗରେ ଲାଲ୍ ହୋଇଯାଇ କିସ୍କିନ୍ଧ୍ୟା ଅଭିମୁଖେ ଚାଲିଲେ । ରାମ କେବଳ ଚେତାବନୀ ଦେବାକୁ କହିବାହିଁ ଲକ୍ଷ୍ମଣଙ୍କ ପକ୍ଷେ ଯଥେଷ୍ଟ । ସେ କ୍ରୋଧରେ ଅଗ୍ନିଶର୍ମା, ମୁହଁ ଲାଲ୍ ହୋଇ ଉଠିଲାଣି ସତେ ଯେମିତି ଆଖିରୁ ତାଙ୍କର ଅଗ୍ନିର ସ୍ଫୁଲିଙ୍ଗ ବାହାରୁଛି । ଲକ୍ଷ୍ମଣ ସବୁ ସହ୍ୟ କରିବେ କିନ୍ତୁ ଶ୍ରୀରାମଙ୍କୁ କେହି ଉପେକ୍ଷା କରିବେ ସେକଥା ତାଙ୍କ କଳ୍ପନାର ଅତୀତ । ତାଙ୍କ ଚାଲି ଓ ମୁଖର ଭାବରୁ ଜଣାଯାଉଥିଲା ହୁଏତ ସେ ଯାଇ କିସ୍କିନ୍ଧ୍ୟାକୁ ତାଙ୍କ ବାଣରେ ପୋଡିଜାଳି ଭସ୍ମ କରିଦେବେ । ସୁଗ୍ରୀବଙ୍କୁ ସେଥିରୁ କେହି ବି ରକ୍ଷା କରିପାରିବେ ନାହିଁ ।

ଲକ୍ଷ୍ମଣଙ୍କର ଭୟଙ୍କର କୋପମୂର୍ତ୍ତି ଦେଖି ଶ୍ରୀରାମ କହିଲେ, “ଭାଇ ଲକ୍ଷ୍ମଣ, ଏତେ ବେଶି କ୍ରୋଧର ବଶ ହୁଅନାହିଁ । ଯେତେ ଯାହା ହେଲେ ମଧ୍ୟ ସେ ଆମର ମିତ୍ର । ତୁମେ କ୍ରୋଧ ସମ୍ଭାଳି ତାଙ୍କୁ କଥା କହିବ । ଶାନ୍ତିରେ କଥାବାର୍ତ୍ତା କର । ସେ ତ ନିଶ୍ଚୟ ବିଳମ୍ଭ କରିଛନ୍ତି । କିନ୍ତୁ ଆମ ପ୍ରତି କୌଣସି ଖରାପ ବ୍ୟବହାର ତ କରି ନାହାଁନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ