ମତ୍ସ୍ୟ ସୁନ୍ଦରୀ

-ହେ ଚାଟେଶ୍ୱର ତମକୁ ରୂପାନାଗଟେ ମନାସୁଚି ପ୍ରଭୁ ! ମୋ ପୁଅକୁ ଭଲରେ ଭଲରେ ମୋ କୋଳକୁ ଫେରାଇ ଆଣ ।

-ମାଉସୀ ! ତମ ଘରେ ମୁଁ ଆଜି ରାତିଟା କଟେଇ ଦେଇ ପାରିବି କି?

-ତୁ ତ ମୋ ପୁଅଭଳି ପୁଅଟିଏ । ପୁଣି ମୋତେ ମୋ ପୁଅ କଥା ବି ଶୁଣେଇଲୁ । ତୁ ତ ମୋର ନିହାତି ନିଜର । ଆ ବାପା, ପାଖରେ ବସ । ଆଉ ଟିକେ ଦୁଃଖସୁଖ ହବା । ଆଚ୍ଛା ହେ ବାପା, ତୋ’ ଘର କୋଉଠି?

-ଏଇ ରାଜ୍ୟରେ ।

-ତୁ କି ଘରର ପୁଅ?

-କ୍ଷତ୍ରୀୟ ଘରର ।

-ତୋ ନାଁ କ’ଣ କହିଲୁନି?

-ମୋ ନାଁ ଚମ୍ପକ ।

-ତୁ ବାପ କୁଆଡେ ଯାଇଥିଲୁ ନା କୁଆଡେ ଯାଉଚୁ?

-ରାଜାଙ୍କୁ ଲୁଚିକରି ବୁଲୁଚି ମା’ ।

-ହେଲେ କାହିଁକି?

-ଯୋଉମାନଙ୍କୁ ରାଜା ଦଣ୍ଡ ଦିଅନ୍ତି, ସେମାନଙ୍କୁ ମୁଁ ସାହାଯ୍ୟ କରେ । ସେଇଥିପାଇଁ ରାଜାଙ୍କ ମୋ ଉପରେ ଅହନ୍ତା । ଆଚ୍ଛା ମାଉସୀ, ଏଠାକାର ପ୍ରଜାମାନେ ସମସ୍ତେ ଭଲରେ ଅଛନ୍ତି ତ?

-କି ଭଲରେ ବାପ, ଖାଲି ଟିକସ ଦେଇ ଦେଇ ସମସ୍ତେ ତ କାଙ୍ଗାଳ ହେଇ ଗଲେଣି । ତା’ପରେ ପୁଣି ରାଜାଙ୍କ ପୋଷା ଗୁଣ୍ଡାଙ୍କ ଜୁଲମ । ରୋଗବଇରାଗ ହେଲେ ପଥିଟିଏ କିଣିବାକୁ ଅଂଟାରେ କଉଡି ଟିଏବି ନାହିଁ । ରାଜକୁମାର ରାଜା ହେଇଥିଲେ କ’ଣ ଏ ରାଇଜକୁ ଏତେ ବିପତ୍ତି ପଡିଥାନ୍ତା? ମାତ୍ର ଏ ଅଳପେଇସା ସେନାପତିଟା… ।

ଛାଡ ବାପ… ଦୁଃଖ ବୁଝିବା ଲୋକ ଆଗରେ ଦୁଃଖ କହିଲେ ସିନା ସେ ବୁଝିବ, ଆଉ ଏ ଖଂଟ ଡକେଇତଗୁଡା କ’ଣ ଦୁଃଖ ବୁଝିବେ?

ମହାରାଜ-କ’ଣ କହିଲ ମହାମନ୍ତ୍ରୀ! ରାଜକୋଷରୁ ସମସ୍ତ ମୁଦ୍ରା ଉଦ୍ଭାନ ହେଇଯାଇଚି ! ଭଣ୍ଡାରରୁ ଖାଦ୍ୟଶସ୍ୟ ବି, ଚୋରାଇ ନେଇଚି ! ରାଜ୍ୟର ସମସ୍ତ ପ୍ରଜାମାନେ ରାଜଉଆସ ଭଳି ଘରେ ରହୁଛନ୍ତି! ଏହା କିପରି ସମ୍ଭବ?

ମହାମନ୍ତ୍ରୀ-ମଣିମା, ଚମ୍ପକ ନାମକ ଯୁବକ ଏସବୁ କରୁଚି ।

ମହାରାଜ-କିଏ ସେ ଚମ୍ପକ !

ମହାମନ୍ତ୍ରୀ-ଅନେକ କହୁଛନ୍ତି, ତା’ର ଚେହେରା ଠିକ୍ ରାଜକୁମାର ପୁଷ୍ପକଙ୍କ ଭଳି ।

ମହାରାଜ-ନାଁ, ମିଛ କଥା । ରାଜକୁମାର ତ ମୃତ ।

ମହାମନ୍ତ୍ରୀ-ସତକଥା ମଣିମା… । ମୋର ଧାରଣା, ମତ୍ସ୍ୟସୁନ୍ଦରୀ ବିଭିନ୍ନ ରୂପ ନେଇ ଏସବୁ କରୁଚି ।

ମହାରାଜ-ତାହେଲେ ଏବେ ଆମକୁ କ’ଣ କରିବାକୁ ହବ?

ମହାମନ୍ତ୍ରୀ-ଆତ୍ମସମର୍ପଣ… ।

ମହାରାଜ-ମହାମନ୍ତ୍ରୀ ! ଅପଦାର୍ଥ…ଯାଅ ଏଠୁ ବାହାରିଯାଅ ।

ମହାମନ୍ତ୍ରୀ-ମଣିମା, ମୋ ଛୋଟ କୁହାଟି ମାନନ୍ତୁ । ଆମର ସମସ୍ତ ଚେଷ୍ଟା ତ ପଣ୍ଡ ହେଇଚି । ମୋର ମନେହୁଏ, ଆହୁରି ଭୟଙ୍କର ବିପଦ ଆମପାଇଁ ମାଡି ଆସୁଚି । ତେଣୁ-

ମହାରାଜ-ମୁଁ ତୁମକୁ ହତ୍ୟା କରିବି ।

ମହାମନ୍ତ୍ରୀ-ଯାହା ମଣିମାଙ୍କ ଇଚ୍ଛା; କିନ୍ତୁ ମତେ ହତ୍ୟା କରିବା ପରେ ଆପଣ ବହୁତ ଅନୁତାପ କରିବେ ।

ମହାରାଜ-ମହାମନ୍ତ୍ରୀ ! ମୋତେ କ୍ଷୁବ୍ଧ କରନା ମୂର୍ଖ ।

ମହାମନ୍ତ୍ରୀ-କ୍ଷୁବ୍ଧ କରୁନି ମଣିମା । କେବଳ ଚେତେଇ ଦଉଚି, ଏବେ ମୋର ମନେହଉଚି ଆଉ କିଛଦିନ ପରେ ଏ ରାଜ୍ୟଟା ଧ୍ୱଂସ ହେଇଯିବ । ତା’ ପୂର୍ବରୁ ମତ୍ସ୍ୟସୁନ୍ଦରୀ ନିକଟରେ ଆତ୍ମସମର୍ପଣ କଲେ ହୁଏତ ରକ୍ଷା ମିଳିପାରେ ।

ମହାରାଜ-ବେଇମାନ… । ଶେଷକୁ ମତେ ଏହି ଉପଦେଶ ଦବାର ଥିଲା? ତୋତେ ମୁଁ ହତ୍ୟା କରିବି । ରେ ମୂର୍ଖ; ତୋ ଇଷ୍ଟଙ୍କୁ ତୁ ସ୍ମରଣ କର ।

ଚିକିମିକିଆ ତଲୁଆରଟା ଘୂରି ଆସିଲା ତତ୍କ୍ଷଣାତ୍ । ମାତ୍ର ସେଥିରେ ମହାମନ୍ତ୍ରୀଙ୍କ ମୁଣ୍ଡ କଟିଲାନି; ବରଂ ତାଙ୍କ ଗଳାରେ ଝୁଲିଗଲା ଫୁଲ ମାଳଟିଏ । ଆଉ ଏ ସେନାପତିଙ୍କ ହାତରେ କଳା ନାଗଟିଏ । ଏସବୁ ଦେଖି ହଠାତ୍ ଚମକି ଉଠିଲେ ସେନାପତି, ଭୟଭୀତ ହୋଇଗଲେ ମଧ୍ୟ । ସଙ୍ଗେ ସଙ୍ଗେ ହାତ ଛିଂଚାଡି ଦେଲେ । ନାଗଟା କିଛି ଦୂରରେ ପଡି ଚମ୍ପାଫୁଲଟିଏ ହେଇଗଲା, ଏବଂ ଶୂନ୍ୟରେ କୁଆଡେ ମିଳେଇ ଗଲା ।

ସେହିକ୍ଷଣି ପାଗଳପ୍ରାୟ ହେଇ ଉଠିଲେ ସେନାପତି ମହାରାଜ! ସେତେବେଳକୁ ମହାମନ୍ତ୍ରୀ ତ ସେଠୁ ଚାଲିଯାଇଥିଲେ । ତେଣୁ ସେ ସେନାପତି ମହାରାଜ ଡାକ ଛାଡିଲେ ଦ୍ୱାରପାଳ…ଦ୍ୱାରପାଳ…!

ଦ୍ୱାରପାଳ-ଆଦେଶ କରନ୍ତୁ ମହାରାଜ…

ମହାରାଜ-ସେ ମୂର୍ଖ ମନ୍ତ୍ରୀଟାକୁ ତୁରନ୍ତ ବନ୍ଦୀକର ଏବଂ ସେନାପତିଙ୍କୁ ହାଜିର୍ ହବାକୁ ଆଦେଶ ଦେଲି ।

ଦ୍ୱାରପାଳ-ଯେ ଆଜ୍ଞା ମହାରାଜ !

ଦ୍ୱାରପାଳ-ମହାରାଜ…ମହାରାଜ !

ମହାରାଜ-କ’ଣ ହେଲା ଦ୍ୱାରପାଳ?

ଦ୍ୱାରପାଳ-ମହାରାଜ, ମନ୍ତ୍ରୀ ଏତେ ଜୋର୍ରେ ଚାଲିଛନ୍ତି ଯେ ମୁଁ ଦୌଡିବା ପରେ ବି ତାଙ୍କୁ ମୋଟେ ଧରି ପାରିଲିନି । କାରାଗାରର ଲୁହା ଫାଟକ ଆପେ ଆପେ ଭାଙ୍ଗିଯାଇଚି । ସମସ୍ତେ ଖାଲି ସେ ବନ୍ଦୀ ରାଜକୁମାରଙ୍କର ଜୟ ଗାନ କରୁଛନ୍ତି । ଆଉ ଉଆସର ଚାରିପଟେ ନିଆଁ ଜାଳୁଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ