ଯଦୁମଣି ରହସ୍ୟ

ଯଦୁମଣିଙ୍କ ନିର୍ଭିକ ଉତ୍ତର

                ରାଜା ବିନାୟକ ସିଂହ ରାଜତ୍ୱ କରୁଥିବା ସମୟରେ ନୟାଗଡରେ ସୁ-ଶାସନ ଚାଲି ଥିଲା । କିନ୍ତୁ ତାଙ୍କ ଅନ୍ତେ କିଛି ଦିନ ଅରାଜକତା ଦେଖା ଦେଲା । ତା’ପରେ ତାଙ୍କ ନାତି ଲଡୁକେଶ ନୟାଗଡର ରାଜା ହେଲେ ।

                ସେ ସମୟରେ ପ୍ରଜା ମେଳି ଦେଖା ଦେଲା । ଇଂରେଜ ସରକାର ଏହି ପ୍ରଜା ମେଳିର କାରଣ କ’ଣ ଜାଣିବା ପାଇଁ ଚାହିଁଲେ । ହରମୋହନ ଲାଲ୍ ନାମକ ଜଣେ ଉଚ୍ଚ ଅଧିକାରୀଙ୍କୁ ସନ୍ଧାନ ନିମନ୍ତେ ନୟାଗଡକୁ ପଠାଇଲେ । ଲାଲ୍ ମହୋଦୟ ନୟାଗଡର ଜଣାଶୁଣା ଲୋକ ମାନଙ୍କୁ କାରଣ କ’ଣ ପଚାରି ତଦନ୍ତ ଆରମ୍ଭ କଲେ । କବି ଯଦୁମଣିଙ୍କୁ ଯେତେ ବେଳେ ପଚରା ଗଲା, ସେ ନିର୍ଭିକ ଭାବେ ଉତ୍ତର ଦେଲେ –

                                                ଗୋଡ ଗାଡ ସସଂର୍ଗରେ ଯେ ପଟୁ

                                                ତାଙ୍କର ସୁନା ଖଡୁ ତଟୁ ପଟୁ ।

                                                ଶୁଭରେ ଶୁଭ ହୋଇଲା ଦେଖା

                                                ତାଙ୍କର ଆଡେଣି ପାଲିଙ୍କି ପଖା ।

                                                ଏହି ସକାଶରୁ କରି ଯେ,

                                                ଛ’ ପ୍ରକାର ଲିଙ୍ଗ ଉଦ୍ଭବ ମେଦିନୀ

                                                ହୋଇଗଲା ହତ ଶିରି ଯେ । ।”

                ଅର୍ଥାତ୍ କବି ଯଦୁମଣି କହିଲେ ଯେ – ଯେଉଁ ମାନେ ଗୋଡରେ ଗୋଡ ପୂରାଇ ଲୁଗା ବୁଣନ୍ତି, ସେମାନେ ତନ୍ତି । ସେମାନେ ଅଳ୍ପ ବୁଦ୍ଧିମାନ୍ ହେଲେ ସୁଦ୍ଧା, ରାଜାନୁଗ୍ରହରୁ ସୁନା ଖଡୁ ପିନ୍ଧି ବଡ ଲୋକ ହୋଇ ଛନ୍ତି । ତଟୁ ଘୋଡା ଚଢୁ ଛନ୍ତି । ତେଲି ମାନେ ରାଜକୀୟ ପାଲିଙ୍କି ଚଢି ଆଡେଣି ପକାଇ, ଆଲଟ ପଙ୍ଖା ବ୍ୟବହାର କରି ରାଜ୍ୟ ଶାସନ କରୁଛନ୍ତି ଅର୍ଥାତ୍ , ଅନଭିଜ୍ଞ ମୁର୍ଖ ମାନଙ୍କ ଦ୍ୱାରା ରାଜ୍ୟ ଶାସିତ ହେଉ ଅଛି । ରାଜା ନାମକୁ ମାତ୍ର ଅଛନ୍ତି । ଏଣୁ ସ୍ୱୟଂ ଲଡୁ ବାବା ଲିଙ୍ଗ ଅଧିଷ୍ଠିତ ଏହି ରାଜ୍ୟ ଶ୍ରୀହୀନ ହୋଇ ଗଲାଣି । ସମ୍ଭ୍ରାନ୍ତ ଲୋକ ମାନେ ନୀରବ ହୋଇ ଗଲେଣି । ଏଣୁ ସ୍ୱତଃ ପ୍ରଜା ଅଶାନ୍ତି ଓ ମେଳି ସୃଷ୍ଟି ହେବା କଥା ସ୍ୱାଭାବିକ – ବର୍ତ୍ତମାନ ତାହାହିଁ ହେଉଛି ।

                ଲାଲା ମହୋଦୟ ପ୍ରୌଢ କବି ଯଦୁମଣିଙ୍କ କଥା ପ୍ରତି ଅଧିକ ଗୁରୁତ୍ୱ ଦେଲେ… ଅନ୍ୟ ମାନଙ୍କ କଥା ଶୁଣିଲେ ନାହିଁ । କଥାର ସତ୍ୟାସତ୍ୟ ପରୀକ୍ଷା କଲେ । ଏକ ଉପଯୁକ୍ତ ସିଦ୍ଧାନ୍ତରେ ପହଁଚିଲେ ଯେ କବି ଯଦୁମଣି ଯାହା କହୁଛନ୍ତି ବାସ୍ତବରେ ତାହା ହିଁ ଠିକ୍ ।

                ଲାଲା ମହୋଦୟ ସେହି ଅନୁସାରେ ସରକାରଙ୍କୁ ରିପୋର୍ଟ ଦେଲେ । ରାଜା ଶାସନ ଭିତରେ ମଧ୍ୟ କବି ଯଦୁମଣିଙ୍କର ନିର୍ଭିକତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।   


ଗପ ସାରଣୀ

ତାଲିକାଭୁକ୍ତ ଗପ