ଯୋଗୀ ଗୁଣିଆ କଥା

         ଏଭଳି ଚାଲୁ ଚାଲୁ ଯାଇ ସେ ଏକ ଅଜଣା ରାଜ୍ୟରେ ପହଁଚିଲା । ସେହି ରାଜ୍ୟରେ କିଛି ଦିନ ସେ ରହିଲା ବହୁତ ବୁଝା ସୁଝା କଲାରୁ ସେ ଜାଣି ବାକୁ ପାଇଲା ଯେ ସେ ଯାହାଙ୍କୁ ଖୋଜୁ ଥିଲା ସେହି ସାନ ରାଜ କୁମାରଙ୍କର ଏହି ରାଜ୍ୟ ।

         କଥାଟି ଜାଣି ସାରିବା ପରେ ପେଟ ତାର ପୁରି ଗଲା ମନ ମଧ୍ୟରେ ଅନେକ ବଡ ଆଶା ଆସି ପହଁଚି ଗଲା । ବହୁତ ଦିନ ସେ ତା’ର ସେହି ପ୍ରିୟ ମନର ମଣିଷକୁ ଦେଖିବାକୁ ଖୋଜୁ ଥିଲା । ଆଜି ତା’ର ଆଶା ପୂରଣ ହୋଇଛି । ଏବେ ନିଶ୍ଚୟ ତାଙ୍କୁ ଦେଖା କରିବ । ସେ ତାକୁ ଆପଣାର କରି ନିଅନ୍ତୁ ନନିଅନ୍ତୁ, ନିଜର ଜୀବନର ଧନକୁ ନୟନ ପୂରାଇ ଅନ୍ତତଃ ଦେଖି ତ ପାରିବ ।

         ଏହା ଭାବିଲା ସାନ ଭଉଣୀ । ଆଉ ଖାଇବା ପିଇବା ପ୍ରତି ତାର ଧ୍ୟାନ ନାହିଁ । ସେ କେବଳ ଥରେ ଆଖି ପୂରାଇ ଦେଖି ନେବ । ତା’ର ଧନ କିପରି ଅଛନ୍ତି, ସୁଖରେ କି ଦୁଃଖରେ, ଆନନ୍ଦରେ କି ନିରାନନ୍ଦରେ । ପ୍ରତି ଦିନ ଭଲ କରି ଖିଆ ପିଆ କରୁ ଛନ୍ତି ତ ।

         ଏ କଥା ସବୁକୁ ମନ ମଧ୍ୟରେ ରଖି ସାନ ଭଉଣୀ ପୁଣି କିଛି ଦିନ ସେହି ରାଜ୍ୟ ମଧ୍ୟରେ ବୁଲା ବୁଲି କଲା । କାହାକୁ କିଛି ପରିଚୟ ନଦେଇ ରାଜ୍ୟର ସବୁ ରାସ୍ତାରେ ସେ ବୁଲି ବୁଲି ସାନ ରାଜ କୁମାରଙ୍କୁ ଦେଖିବା ଲାଗି ଚେଷ୍ଟା ଚଳାଇଲା ।

         ଦିନକର ଉପର ବେଳା କଥା । ଶୁଣି ଥିଲା ସାନ ରାଜ କୁମାର ଠିକ୍ ଏହି ସମୟରେ ଉଦ୍ୟାନ ଭ୍ରମଣରେ ଆସୁ ଛନ୍ତି । ସେ ବେଳାରେ ସାନ ଭଉଣୀ ଆସି ଉଦ୍ୟାନର ବଡ ଫାଟକ ପାଖରେ ବସି ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ