ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ

ଠିକ୍ ଚନ୍ଦ୍ରଉଦିଆ ପରି ସେ ଦୁଇ ରାଜକୁମାର ଦିନକୁ ଦିନ ବଢିବାକୁ ଲାଗିଲେ । ତେଣୁ ସେ ରାଜାଙ୍କ ନଅରରେ କେତେ ଆନନ୍ଦ ଉତ୍ସବ ହେଉଥାଏ । ରାଜକୁମାର ଦୁହିଁଙ୍କୁ ଦେଖିଲେ ଯେପରି ଆଖି ଲାଖି ରହିଯିବ । ରଜାଘରେ ଅବା କେଉଁ କଥାର ଅପୂର୍ବ । ଯହୁଁ ଯହୁଁ ସେ ରାଜକୁମାରଦ୍ୱୟ ବଡ ହେବାକୁ ଲାଗିଲେ, ସେମାନଙ୍କର ସ୍ୱଭାବ ଓ ଆଚରଣରେ ବି ପାର୍ଥକ୍ୟ ଧରାପଡି ଯାଉଥାଏ ।

ବଡରାଣୀଙ୍କର ପୁଅ ଭୀମଭଟ୍ଟ ଅତ୍ୟନ୍ତ ଧୀର, ବିନୟୀ ଏବଂ ସମସ୍ତ ବିଦ୍ୟାବୁଦ୍ଧିରେ ସେ ବି ପାରଙ୍ଗମ । ତେଣୁ ବିଭିନ୍ନ ବିଦ୍ୟା ଆଉ ଶସ୍ତ୍ର ବିଦ୍ୟାରେ ସେ ସବୁବେଳେ ଆଗୁଆ । ଏଇ ହିଁ ପିଲାଟିଦିନୁ ପ୍ରଜାମାନଙ୍କର ସୁଖଦୁଃଖର ସାଥୀ । ତେଣୁ ସମସ୍ତେ ବି ତାକୁ ଧନ୍ୟ ଧନ୍ୟ କରୁଥାଆନ୍ତି । ପ୍ରଜାମାନେ କଥା ହେଉଥାଆନ୍ତି ଯେ, ବୁଢା ରାଜାଙ୍କ ପରେ ଭୀମଭଟ୍ଟ ଶାସନରେ ହିଁ ସେମାନେ ଆହୁରି ସୁଖରେ ରହିବେ ।

                ଅନ୍ୟ ପକ୍ଷରେ ସେ ସାନରାଣୀଙ୍କ ପୁଅ ସମରଭଟ୍ଟର କଥା ଆଦୌ ନ କହିଲେ ଭଲ । ସେ ଯେତିକି ଯେତିକି ବଡ ହେଉଥାଏ, ତାର ଅତ୍ୟାଚାରରେ ପ୍ରଜାମାନେ ସେତିକି ବିକଳ ହେଉଥାଆନ୍ତି । ବଡ ଲୋକଙ୍କୁ ତ କିଛି ଉତ୍ତର ନାହିଁ । ତେଣୁ ସମସ୍ତଙ୍କ ମୁହଁରେ କେବଳ ସେ ବଡ ରାଜକୁମାର ଭୀମଭଟ୍ଟର ହିଁ ପ୍ରଶଂସା । ଏହି କାରଣରୁ ସମସ୍ତେ ସେ ସାନରାଣୀ ପୁଅ ବିଷୟରେ କହନ୍ତି – “ଯେତେଯାହା ହେଲେ ବି ସେ ନାଚୁଣୀର ପୁଅ ତ । ସେ ଆଉ କ’ଣ ହେବ?”

                ବେଳେ ବେଳେ ସେ ରାଜା ଉଗ୍ରଭଟ୍ଟଙ୍କ କାନରେ ତାଙ୍କ ପୁଅମାନଙ୍କର କଥା ପଡେ । ସେ ରାଜା ତ ଖାଲି ତାଙ୍କ  ସାନରାଣୀଙ୍କ ପାଇଁ ପାଗଳ । ତେଣୁ ସମରଭଟ୍ଟର ଉଗ୍ରସ୍ୱଭାବ କଥା ଶୁଣିଲେ ମଧ୍ୟ ସେ ତାକୁ ଅତ୍ୟନ୍ତ ପ୍ରଶଂସା କରନ୍ତି । ରାଜା କହନ୍ତି ‘ରଜାପୁଅ ହେବ ତ ଏହିପରି ।’ ବଡପୁଅକୁ ନାପସନ୍ଦ କରି ସେ ରାଜା କହନ୍ତି, ରଜାପୁଅ ହୋଇ ଏତେ ମାନ୍ଦା ଆଚରଣ କ’ଣ? ସମରଭଟ୍ଟ ପରି ତେଜୀୟାନ ହେବା ଆବଶ୍ୟକ ।

                ବାପାଙ୍କର ଅତି ଗେହ୍ଲା ହୋଇ ସେ ସମରଭଟ୍ଟ ଦିନକୁ ଦିନ ଅଧିକ ଉଚ୍ଛୃଙ୍ଖଳ ହୋଇପଡିଲା । ସମୟାନୁକ୍ରମେ ସେ ସମରଭଟ୍ଟ ଆଉ କାହାରିକୁ ବି ମୋଟେ ମାନିଲା ନାହିଁ । ସମୟ ପାଇଲେ ସେ ତା ବଡଭାଇ ଭୀମଭଟ୍ଟକୁ ମଧ୍ୟ ଅବହେଳା କିମ୍ବା ଅପମାନିତ କରେ । ହେଲେ ବି ବଡଭାଇ ହିସାବରେ ଭୀମଭଟ୍ଟ ସମରଭଟ୍ଟକୁ କ୍ଷମା କରିଦିଏ ।

                ଦିନକର କଥା । ସେ ଦୁଇଭାଇ ମାଲକୁସ୍ତି ଲଢୁଥିଲେ । ସମରଭଟ୍ଟ ଯେତେବେଳେ ନ ପାରିଲା, କୁସ୍ତିର ନିୟମ ଭାଙ୍ଗି ଭୀମଭଟ୍ଟକୁ ଏକ ମୁଥ ମାରିଲା । ଅନ୍ୟ କେହି ହୋଇଥିଲେ ସେ ସେହିକ୍ଷଣି ତଳେ ବେହୋସ ହୋଇ ପଡିଯାଇଥାଆନ୍ତା, ତେବେ ଭୀମଭଟ୍ଟ ଆଉ ସହିପାରିଲା ନାହିଁ । ତହୁଁ ସେ ସମରଭଟ୍ଟକୁ ଟେକି ନେଇ ବାଲି ଉପରେ କଚାଡି ଦେଲା । ତାପରେ ସେ ସମରଭଟ୍ଟ ଧୂଳି ଝାଡିହୋଇ ସିଧା ସାନରାଣୀଙ୍କ ପାଖକୁ ଗଲା ଏବଂ କାନ୍ଦି କରି ତାଙ୍କୁ ବଡଭାଇ ନାମରେ ଲଗାଇ ଜୁଟାଇ କେତେ କଥା କହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ