ବ୍ରାହ୍ମଣ କହିଲେ – “ହଉ, ଭଲକଥା କହିଚୁ । ମୁଁ କାଲି ଆସି ଖାଇବି – ଏବେ ରଖିଥା ।”
ବ୍ରାହ୍ମଣ ଓଧ ପାଖରୁ ଯାଇ ବିଲୁଆ ପାଖରେ ପହଁଚିଲେ ଓ ତାକୁ କିଛି ଖାଇବାକୁ ମାଗିଲେ ।
ବିଲୁଆ କହିଲା – “ମୁଁ ତୁମକୁ ମାଂସଭଜା ଓ ଦହି ଦେଇପାରିବି ।” ବ୍ରାହ୍ମଣ କହିଲେ – “ହଉ, ଭଲହେଲା । ସେ ସବୁ ରଖିଥା, କାଲି ଆସି ମୁଁ ଖାଇବି ।”
ଏହା କହି ବ୍ରାହ୍ମଣ ମାଙ୍କଡ ପାଖକୁ ଗଲେ ଓ କହିଲେ – “ମୋର କିଛି ଖାଇବା ଜିନିଷ ଦରକାର – ମତେ ଦିଅ ।” ମାଙ୍କଡ ଖୁସିମନରେ କହିଲା – “ମୁଁ ତୁମକୁ ଖାଇବାକୁ ପାଚିଲା ଆମ୍ବ ଦେବି । ତୁମେ ତାକୁ ଖାଅ । ପାଖରେ ନଈ ଅଛି । ଖାଇସାରି ନଈପାଣି ପିଅ । ତା’ପରେ ଗଛ ଛାଇରେ ଟିକିଏ ଶୋଇପଡ । ଭାରି ଭଲଲାଗିବ ।”
ବ୍ରାହ୍ମଣ କହିଲେ – “ହଉ, କାଲିକୁ ଆମ୍ବତକ ରଖିଥା, ମୁଁ ଆସି ଖାଇବି ।”
ତା ପରେ ବ୍ରାହ୍ମଣ ବୋଧିସତ୍ୱଙ୍କ ପାଖକୁ ଯାଇ ତାଙ୍କୁ କିଛି ଖାଇବାକୁ ମାଗିଲେ । ବୋଧିସତ୍ୱ କହିଲେ – “ମୋର ବଡ ଭାଗ୍ୟ ଯେ ଆପଣ ମୋ ପାଖକୁ ଆସିଚନ୍ତି । ମୁଁ ଆପଣଙ୍କୁ ଖାଇବାକୁ ଦେବି । ଆଜି ମୁଁ ଯେଉଁ ଜିନିଷ ଦେବି ତାହା ଆଗରୁ କେହି ଦେଇନଥିବେ । ଆପଣ ଦୟାକରି କିଛି କାଠ ଆଣି ସେଥିରେ ନିଆଁ କରନ୍ତୁ । ମୁଁ ସେଇ ନିଆଁରେ ପଶିବି । ତା ପରେ ଆପଣ ମୋର ପୋଡା ମାଂସ ଖାଇବେ ।”
ବ୍ରାହ୍ମଣ ବେଶରେ ଆସିଥିବା ଇନ୍ଦ୍ର ଦେବତା ମାୟାକଲେ । ନିଆଁ ଜଳିଉଠିଲା । ବୋଧିସତ୍ୱ ତାହା ଦେଖି ଠିଆହୋଇଗଲେ । ସେ ଭାବିଲେ – “ମୋ ଦେହରେ ହୁଏତ ଛୋଟ ଛୋଟ ପୋକମାଛି ଥିବେ । ମୁଁ ନିଆଁରେ ପଶିଲେ ସେମାନେ ପୋଡି ମରିଯିବେ । ମୋର ପାପ ହେବ ।” ଏପରି ଭାବି ସେ ଦେହକୁ ତିନିଥର ଝାଡିଦେଲେ । ତାପରେ ହସ ହସ ମୁହଁରେ ନିଆଁକୁ ଡେଇଁପଡିଲେ । ମାତ୍ର ଆଶ୍ଚର୍ଯ୍ୟକଥା, ବୋଧିସତ୍ୱଙ୍କୁ ସେ ନିଆଁ ବରଫ ପରି ଥଣ୍ଡା ଲାଗିଲା । ତାଙ୍କର ଗୋଟିଏ ବି ରୁମ ପୋଡିଲା ନାହିଁ । ଏହାର କାରଣ ସେ ନିଜେ ବି ବୁଝିପାରିଲେନାହିଁ ।