ଅନେକ ବର୍ଷ ତଳର କଥାଟିଏ । ଗୋଟିଏ ଗାଁରେ ଦୁଇଭାଇ ବାସ କରୁଥିଲେ । ନିଜ ନିଜର କର୍ମ ଅନୁସାରେ ସମୟ କ୍ରମେ ବଡଭାଇ ଜଣକ ବଡଧନୀ ପାଲଟି ଯାଇଥିଲା ବେଳେ ସାନଭାଇ ଅତ୍ୟନ୍ତ ଗରିବ ହୋଇଯାଇଥିଲା । ଦୁହେଁ ଗୋଟିଏ ମାଆ ପେଟର ଦୁଇଭାଇ ହୋଇଥିଲେ ମଧ୍ୟ ସାନଭାଇର ଦାରିଦ୍ର୍ୟତାକୁ ବଡଭାଇ ଘୃଣା କରୁଥାଏ । କଥା କଥାରେ ଲୋକଙ୍କ ଆଗରେ ଦେଖାଇ ଶିଖେଇ ନାନା କୁତ୍ସାଟନା କରିବାକୁ ବି ପଛାଉ ନଥାଏ । ସାନ ଭାଇ କର୍ମକୁ ଆଦରି ସବୁ ସହିଯାଉଥାଏ ।
ସାନଭାଇ ଏମିତି ଦୁଃଖ କଷ୍ଟରେ କେତେ ଦିନ ବା ଚଳିବ? ଭାବିଲା କାହାଠାରୁ କିଛି ଟଙ୍କା କରଜ ଆଣି ବ୍ୟବସାୟ କରି ନିଜ ପରିବାର ପୋଷଣ କରିବ । ହେଲେ ତା’ର ଏଭଳି ଦୀନହୀନ ଅବସ୍ଥା ଦେଖି କେହି ତାକୁ ଟଙ୍କାଟିଏ ବି ଦେଲେ ନାହିଁ ।
ଶେଷରେ ସାନଭାଇ ବଡଭାଇ ପାଖକୁ ଯାଇ ତା’ର ଅଭିପ୍ରାୟ ଜଣାଇଲା । ମାତ୍ର ସେ ଟଙ୍କା ଦେବ କ’ଣ ତାକୁ ଗଳାଧକ୍କା ଦେଇ ଘରୁ ବିଦା କରିଦେଲା ।
ଏବେ ସାନଭାଇ ମନ ଦୁଃଖରେ ଘରକୁ ଫେରୁଛି ବାଟରେ ଦେଖିଲା ଏକ ମନ୍ଦିର । ସେହି ମନ୍ଦିର ପ୍ରାଙ୍ଗଣରେ ଜଣେ ସାଧୁବାବା ଈଶ୍ୱରଙ୍କୁ ଧ୍ୟାନ କରୁଥାନ୍ତି । ସେଇଠି ସାଧୁବାବାଙ୍କ ଆଗରେ ବସିଗଲା ସାନଭାଇଟି । କିଛି ସମୟ ପରେ ସାଧୁବାବା ଆଖି ଖୋଲିଲା ବେଳକୁ ଦେଖିଲେ ଲୋକଟିକୁ । ତତ୍ କ୍ଷଣାତ୍ ସେ ହାତଯୋଡି ସାଧୁବାବାଙ୍କୁ ତା’ର ଦୁଃଖ ଜଣାଇଲା ।