ଏକଦା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କୋଲକାତାର ଏକ ରାସ୍ତାରେ ଯାଉଥାନ୍ତି । ଏହି ସମୟରେ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ତା’ ମୁଣ୍ଡରେ ହାତ ରଖି ରାସ୍ତାକଡ ଗଛମୂଳରେ ବସିଥିବାର ସେ ଦେଖିଲେ । ପରଦୁଃଖରେ ଦୁଃଖୀ ମଣିଷ ବିଦ୍ୟାସାଗର ସେ ବୃଦ୍ଧର ଦୁଃଖ ଦେଖି ଅତ୍ୟନ୍ତ ବିଚଳିତ ହୋଇଗଲେ । ତେଣୁ ସେହି ବୃଦ୍ଧବ୍ୟକ୍ତି ପାଖରେ ଅଟକିଯାଇ ସେ ତା’ର ସମସ୍ୟା କଥା ପଚାରି ବୁଝିଲେ ।
ବିଦ୍ୟାସାଗରଙ୍କ କଥାରେ ସେ ବୃଦ୍ଧଜଣକ କହିଲେ, “ବାବୁ! ମୋ’ ଦୁଃଖ ଶୁଣି ଆପଣଙ୍କର କି’ ଲାଭ ହେବ? ଏମିତି ଅନେକ ଲୋକ ତ ଏ ରାସ୍ତାରେ ଯାଉଛନ୍ତି, ହେଲେ କେହି କେବେବି ମୋତେ କିଛି ପଚାରୁ ନାହାଁନ୍ତି, କିନ୍ତୁ ଆପଣ କାହିଁକି?”
ବୃଦ୍ଧ ଏଭଳି ଅଭିମାନଭରା କଥା କହିବାର କାରଣ ଥିଲା, କାହା ଦୁଃଖ କିଏ ଲାଘବ କରୁଛି ଯେ ଇଏ କରିବେ?
ମାତ୍ର ବିଦ୍ୟାସାଗର ତ ମୋଟେ ଛାଡିବା ଲୋକ ହିଁ ନୁହଁନ୍ତି । ଆଜି ସେ ଜଣେ ସତ୍ପାତ୍ର ପାଇଛନ୍ତି, ତାଙ୍କୁ ସାହାଯ୍ୟ କରିବେ ନିଶ୍ଚୟ । ସୁତରାଂ ସେ ପୁଣି ଥରେ ବୃଦ୍ଧଙ୍କୁ ତାଙ୍କ ଦୁଃଖର କାରଣ ପଚାରିଲେ ।