ବୀର ହନୁମାନ

ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ ନିତାନ୍ତ କଷ୍ଟକର । କେବଳ ହନୁମାନର ଶକ୍ତିକୁ ଦେଖନ୍ତୁ । ଏତେ ବଡ ସମୁଦ୍ର ଲଂଘନ କରି ସେ ଆସି ଏଠାରେ କେତେ ଉତ୍ପାତ କରି ଚାଲିଗଲା ହେଲେ ଆମେ ତା’ର କିଛି କରିପାରିଲେ? ଋାମ ଯେତେବେଳେ ଖରଦୁଷଣଙ୍କୁ ମାରିଲେ ଆପଣ ପ୍ରତିଶୋଧ ଯୁଦ୍ଧରେ ନ ନେଇ ଛଳନା କରି ସୀତାଙ୍କୁ ଉଠାଇ ଆଣିଲେ । ରାମ ତ ଆଉ ନିଜ ପକ୍ଷରୁ ବିନା କାରଣରେ ସେମାନଙ୍କୁ ମାରି ନଥିଲେ । ସେମାନେ ଆକ୍ରମଣ କରିବାରୁ ସେ ବାଧ୍ୟ ହୋଇ ଅସ୍ତ୍ରଚାଳନା କଲେ ନିଜ ଆତ୍ମରକ୍ଷା ପାଇଁ । ସେଥିଯୋଗୁଁ ତାଙ୍କୁ ଦୋଷୀ ବୋଲି ଭାବିବା ଆମର ଅନୁଚିତ୍ ଓ ପାପ । କିନ୍ତୁ ଆପଣ ସୀତାଙ୍କୁ ଆଣିବା ଦ୍ୱାରା ବିପଦର ସୂତ୍ରପାତ କଲେ । ଏବେ ଆମର ଉଚିତ୍ କାର୍ଯ୍ୟ ହେଉଛି ସସମ୍ମାନେ ସୀତାଙ୍କୁ ରାମଙ୍କ ପାଖରେ ପହଁଚାଇ ଦେବା । ରାମଙ୍କ ପରାକ୍ରମର କୌଣସି ସୀମା ନାହିଁ । ସେପରି ବ୍ୟକ୍ତି ସହିତ ଶତ୍ରୁତା କରିବା ବୁଦ୍ଧିହୀନର କାର୍ଯ୍ୟ ହେବ । କ୍ରୋଧ, ସର୍ବଦା ସୁଖ ଓ ଧର୍ମ ନାଶ କରିଥାଏ । ତଦ୍ୱାରା ସବୁକିଛି ନଷ୍ଟ ହୁଏ । ତେଣୁ ସୁଖଶାନ୍ତିରେ ଜୀବନ ବିତାଉଥିବା ବିଚାରା ପ୍ରଜାମାନଙ୍କ ଉପରେ ଅକାରଣ ବିପଦ କାହିଁକି ଆଣିବା?” ବିଭୀଷଣଙ୍କ କଥା ଲଙ୍କାର ରାଜା ରାବଣର ମନ ମୁତାବକ ହେଲା ନାହିଁ । ତେଣୁ ସେ ଅଧିକ ରାଗି ଯାଇ କହିଲା, “ତୁ ମୋତେ ଭୟଭୀତ କରିବାକୁ ଚାହୁଁଛୁ? ମନେରଖ ରାବଣକୁ ଭୟ ଦେଖାଇବା ପରି ବ୍ୟକ୍ତି ଏବେ ସୁଦ୍ଧା ମଧ୍ୟ ଏ ବକ୍ଷରେ ଜନ୍ମ ନେଇନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ