ଯେତେବେଳେ ନିଶା ଗରଜୁ ଥାଏ । ଠିକ୍ ସେତିକିବେଳେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା ମଧ୍ୟ ହେଉଥାଏ । ବଣ ବୁଦା ଭିତରୁ ଭାସି ଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀ ମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଭୟାବହ ମୁହଁଟି ମାନ ଘନ ଘନ ବିଜୁଳି ଆଲୋକରେ ଦିଶିଯାଉଥାଏ ।
କିନ୍ତୁ ସେ ରାଜା ବିକ୍ରମାର୍କ ତିଳେହେଲେ ମଧ୍ୟ ବିଚଳିତ ବୋଧ ନ ହୋଇ ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ସେଠାରୁ କାଢି ଆଣିଲେ । ତେବେ ତାକୁ ସେ ରାଜା ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ମୋର ବିଶ୍ୱାସ ଯେ ତୁମ ପରି ଏକନିଷ୍ଠ, ପରିଶ୍ରମୀ ଲୋକ ଏ ସାରା ସଂସାରରେ ଖୁବ୍ ବିରଳ । ଏତେବାର ଅସଫଳତା ପରେ ଅନ୍ୟ ଯେ କେହି ତା’ର ନିଷ୍ଫତି ପରିବର୍ତ୍ତନ କରି, ଏଭଳି ଉଦ୍ୟମରୁ ଓହରିଯିବ । କିନ୍ତୁ ତୁମେ ନିଜ ଜିଦ୍ରେ ଅଟଳ ରହି, ନିଜେ ଅସୁବିଧାରେ ପଡିବା ସହିତ ମୋତେ ମଧ୍ୟ ବିବ୍ରତ କରାଉଛ । ହେଲେ ମନେ ରଖ, ମୁଁ ମଧ୍ୟ କିଛି କମ୍ ଜିଦ୍ଖୋର ନୁହେଁ । ତୁମ ପରି ଅନେକ ସତ୍ୟବ୍ରତ, ନିଷ୍ଠାପର ସାଧକ, ଭାବାବେଶର ବଶବର୍ତ୍ତୀ ହୋଇ, ଅନେକ ସମୟରେ ନିଜର ଚିନ୍ତାଶକ୍ତି ହରେଇ ବସନ୍ତି । ନିଜର ଆତ୍ମସମ୍ମାନ ମଧ୍ୟ ଭୁଲିଯାଆନ୍ତି । ସେମାନେ ତାଙ୍କର ଅନାଦର କରୁଥିବା, ମୂଲ୍ୟହୀନ ମନେ କରୁଥିବା ବ୍ୟକ୍ତି ନିକଟରେ ମଧ୍ୟ ଅନେକ ସମୟରେ ଆତ୍ମ ସମର୍ପଣ କରି ଦିଅନ୍ତି । ଏପରି ଏକ ଘଟଣାରେ ଜଡିତ ଥିବା ଜଣେ କବି କଳାନାଥଙ୍କ କାହାଣୀ ମୁଁ ତୁମକୁ ଶୁଣାଉଛି । ମୋର ଏ କାହାଣୀ ମନ ଦେଇ ଶୁଣ । ଶୁଣିଲେ ତୁମର ପଥଶ୍ରମ ଲାଘବ ମନେହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା ।
ବହୁଦିନତଳର କଥା । ସିଂହପୁରୀ ଦେଶର ରାଜାଙ୍କ ଦରବାରରେ ଗଣେଶ୍ୱର ନାମକ ଜଣେ କବି ସ୍ଥାନ ପାଇଥିଲେ । ସେ ସମସ୍ତ ଶାସ୍ତ୍ର ବିଶାରଦ ଥିଲେ । ବେଦ, ଉପନିଷଦ, ଅଷ୍ଟାଦଶ ପୁରାଣ ଇତ୍ୟାଦି ଉତ୍ତମ ରୂପେ ଅଧ୍ୟୟନ କରି ସେ ତା’ର ସାରତତ୍ତ୍ୱ ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ଲିଖିତ କବିତା ମଧ୍ୟ ଅର୍ଥପୂର୍ଣ୍ଣ, ଭାବଯୁକ୍ତ ଓ ରସୋତୀର୍ଣ୍ଣ ଅଟେ । ତାଙ୍କର ଏହି ବିଶିଷ୍ଟ ପାରଦର୍ଶୀତା ପାଇଁ ରାଜାଙ୍କର ସେ ଅତ୍ୟନ୍ତ ପ୍ରିୟପାତ୍ର । ରାଜା ମଧ୍ୟ ତାଙ୍କୁ କେତେ ଗୁଡିଏ ବିଶେଷ ଅଧିକାର ପ୍ରଦାନ କରିଥାନ୍ତି । ରାଜା, ବହୁ ସମୟରେ ତାଙ୍କୁ ରାଜ-ପ୍ରତିନିଧି ରୂପେ ରାଜଧାନୀ ବାହାରକୁ ବି ପ୍ରେରଣ କରନ୍ତି । ଗଣେଶ୍ୱର ନିଜେ ଲୋକମାନଙ୍କ ସହ ମିଶି ସେମାନଙ୍କର ସମସ୍ତ ସମସ୍ୟା ଜାଣିବାକୁ ଚାହାଁନ୍ତି ଓ ସେମାନଙ୍କର ଅଭାବ ଅସୁବିଧା କଥା ବୁଝିଥାଆନ୍ତି । ଭ୍ରମଣରୁ ଫେରିବା ପରେ ରାଜା ତାଙ୍କ ପ୍ରଦତ୍ତ ବିବରଣୀ ଅନୁସାରେ ପ୍ରଜା ମାନଙ୍କର ସବୁ ପ୍ରକାର ଅଭାବ ସେ ପୂରଣ କରନ୍ତି ଏହିପରି ଭାବେ ଦେଶର ବହୁ ସମସ୍ୟାର ସମାଧାନ ହୁଏ ।
ରାଜାଙ୍କର ତାଙ୍କ ପ୍ରତି ଅସୀମ ଶ୍ରଦ୍ଧା ଥାଏ । ତେଣୁ ରାଜା ତାଙ୍କ କଥା ସବୁବେଳେ ମାନିଥାଆନ୍ତି । ଏହି କାରଣରୁ ବିଭିନ୍ନ ଅଂଚଳରୁ ଲୋକମାନେ ସେମାନଙ୍କର ଅଭିଯୋଗ ଆଣି ଗଣେଶ୍ୱରଙ୍କୁ ଭେଟିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ରାଜ-ଦର୍ଶନ ସମ୍ଭବତଃ ମିଳିଯାଇପାରେ । ହେଲେ ଗଣେଶ୍ୱରଙ୍କ ଭେଟ ମିଳିବା କାଠିକର ପାଠ । ଲୋକମାନେ ତାଙ୍କୁ ଭେଟିବାର ଦୁର୍ଲଭ ସୁଯୋଗର ଅପେକ୍ଷା କରନ୍ତି ।
ସେହି ଦେଶର ରାମପୁର ନାମକ ଏକ ଗ୍ରାମରେ କଳାନାଥ ନାମକ ଯୁବକ ବାସ କରନ୍ତି । ତାଙ୍କର ସାହିତ୍ୟରେ ଅଭିରୁଚି ଥିବାରୁ, ବାଲ୍ୟକାଳରୁ ସେ କାବ୍ୟ କବିତା ପଠନରେ ନିଜ ମନକୁ ଅଭିନିବେଶ କରିଥାନ୍ତି । ଅନେକ ସମୟରେ ସ୍ୱତଃସ୍ଫୂର୍ତ ଭାବରେ ସେ ସାବଲୀଳ ଆଶୁ କବିତା ଗାନ କରି ଲୋକମାନଙ୍କୁ ଆହ୍ଲାଦିତ କରିବାରେ ସକ୍ଷମ ହୁଅନ୍ତି । ଦିନେ ସେହି ଗ୍ରାମକୁ ଜଣେ ମହାକବି ଆସିଥିଲେ । ସେ କଳାନାଥଙ୍କର କବିତା ଶୁଣି ମୁଗ୍ଧ ହେଲେ ଓ ଆଶୀର୍ବାଦ ପ୍ରଦାନ କରି କହିଲେ, “ପୁତ୍ର, ତୁମେ ଜଣେ ସାର୍ଥକ କବି । ଉପଯୁକ୍ତ ସାଧନା ଅବ୍ୟାହତ ରଖିଲେ, ଭବିଷ୍ୟତରେ ଜଣେ ବିଖ୍ୟାତ କବି ହୋଇପାରିବ ।”
ସେହିଦିନଠାରୁ କଳାନାଥଙ୍କର କବିତା ପ୍ରତି ଶ୍ରଦ୍ଧା ଯଥେଷ୍ଟ ବୃଦ୍ଧି ପାଇଲା । ପ୍ରଥମରୁ ଆଶୁ କବିତା ରଚନା କରୁଥିଲେ ମଧ୍ୟ, କୋଡିଏ ବର୍ଷ ବୟସ ବେଳକୁ ସେ ତିନୋଟି କାବ୍ୟ ରଚନା ସମାପ୍ତ କରିସାରିଥିଲେ । ତାଙ୍କର କାବ୍ୟ ପ୍ରତିଭାର ପ୍ରଶଂସାରେ ପ୍ରତ୍ୟେକ ବିଦ୍ୱାନ ଶତମୁଖ ହେଲେ । କେହି କେହି ପଣ୍ଡିତ କହିଲେ, “ମନେ ହେଉଛି, “ତୁମେ ସ୍ୱୟଂ ସରସ୍ୱତୀଙ୍କ ବରପୁତ୍ର । ଗଣେଶ୍ୱରଙ୍କ ସହ ସାକ୍ଷାତ କରି ତୁମର କବିତା ତାଙ୍କୁ ଶୁଣାଇପାରିଲେ, ତୁମର ଯୋଗ୍ୟତାର ଯଥାର୍ଥ ମୂଲ୍ୟାୟନ ହୋଇ ପାରିବ ଓ ତୁମର ସମ୍ମାନ କ୍ରମେ ବୃଦ୍ଧି ପାଇବ ।”