କାବ୍ୟ ସାଧନା

କଳାନାଥ ଆଶ୍ରମକୁ ପ୍ରବେଶ କରିବା ସମୟରେ ଗଣେଶ୍ୱର ତାଙ୍କର ପତ୍ନୀଙ୍କୁ ଭାଗବତ ପୁରାଣ ଶୁଣାଉଥିଲେ । ପତ୍ନୀ ତନ୍ମୟ ଭାବରେ ଚକ୍ଷୁ ମୁଦ୍ରିତ କରି ତାହା ଶୁଣୁଥାନ୍ତି । ଶୁଣିସାରିବା ପରେ ସେ କହିଲେ, “ମୋର ଜନ୍ମ ସାର୍ଥକ ହୋଇଯାଇଛି । ଆପଣଙ୍କ ମୁଖରୁ ପୁରାଣ ଶୁଣିବାର ସୁଯୋଗ ପାଉଥିବାରୁ ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି ।”

ଗଣେଶ୍ୱର ତାଙ୍କ ପତ୍ନୀଙ୍କୁ କହିଲେ “ମୋ ମୁହଁରୁ କେବଳ ନୁହେଁ ଯାହା ନିକଟରୁ ତୁମେ ଏହି ପୁରାଣ ଶୁଣିବ ତୃପ୍ତ ଅନୁଭବ କରିବ । ଏହା ଏହି ପୁରାଣର ମାହାତ୍ମ୍ୟ । ଯେଉଁଦିନ ଏପରି କାବ୍ୟ ରଚନା କରିବାର ସାମର୍ଥ୍ୟ ମୋର ଆସିବ, ସେହିଦିନ ଯାଇ ମଁ ମୋ ନିଜକୁ ଜଣେ ପ୍ରକୃତ କବି ବୋଲି ମନେ କରିବି ।”

“ଆପଣଙ୍କ କଥାକୁ ଅସତ୍ୟ କହିବା ପାଇଁ ମୋର ସାହସ ବା ଯୋଗ୍ୟତା ନାହିଁ । ମୁଁ ସ୍ୱୀକାର କରୁଛି ଯେ, ଯେ କୌଣସି ମହାକବିଙ୍କ ସଦୃଶ ଆପଣଙ୍କର ମଧ୍ୟ ମହାନ୍ କାବ୍ୟ ରଚନା କରିପାରିବାର ପ୍ରତିଭା ରହିଛି ।” କଳାନାଥ ଅପ୍ରତ୍ୟାଶିତ ଭାବେ ଏତକ କହି ସମ୍ମୁଖରେ ଉପସ୍ଥିତ ହୋଇ ବିନମ୍ର ପ୍ରଣାମ କଲେ ।

ଗଣେଶ୍ୱର କଳାନାଥଙ୍କ ଠାରୁ ତାଙ୍କର ପରିଚୟ ଓ ସମସ୍ତ ବିବରଣୀ ପାଇଲେ । କହିଲେ, “ପୁତ୍ର, ତୁମେ ସାକ୍ଷାତ ସରସ୍ୱତୀଙ୍କ ବରପୁତ୍ର । କିନ୍ତୁ ତୁମ୍ଭର ରଚନାରେ କଦବା କ୍ୱଚିତ୍ ବ୍ୟାକରଣ ଦୋଷ ପରିଲକ୍ଷିତ ହେଉଛି । ଅବଶ୍ୟ ଏହା ସୁଧାରିନେବା କଷ୍ଟକର ନୁହେଁ । ତାହା ହୋଇପାରିଲେ ତୁମ କବିତାର ଯଥେଷ୍ଟ ମହତ୍ୱ ବଢିଯିବ ।”

କଳାନାଥ ପ୍ରଶ୍ନ କଲେ “ମହାନୁଭବ, ଆପଣ ଏହି ପଦ୍ୟମାନ ଆଗରୁ ପଢିଥିଲେ । କିନ୍ତୁ ସେତେବେଳେ କାହିଁକି ବ୍ୟାକରଣ ଦୋଷ ସମ୍ବନ୍ଧରେ ଆଲୋକପାତ କରି ନ ଥିଲେ ।”

ଗଣେଶ୍ୱରଙ୍କୁ ପ୍ରଥମେ ସାକ୍ଷାତ କରିବା ପାଇଁ ଯାଇଥିବା ଦିନ କଥା ମନେପକାଇ ଦେବାରୁ ସେ କହିଲେ, “ବତ୍ସ, ସେହିଦିନ ମୁଁ ନୁହେଁ, ମୋର ଶିଷ୍ୟ ତୁମର ପଦ୍ୟ ପାଠ କରିଥିଲେ । ସେ ସେଥିରେ ଲେଖାଥିବା ଅଭିପ୍ରାୟ ମୋତେ ଜଣାଇବାରୁ, ମୁଁ ସର୍ବସମକ୍ଷରେ ସାକ୍ଷାତ ହୋଇ ପାରିବି ନାହିଁ କହି ପ୍ରତ୍ୟୁତ୍ତର ଜଣାଇଦେବାକୁ ଅନୁମତି ଦେଇଥିଲି । ସେହିଦିନ ତୁମେ ମୋ ଠାରୁ ପଦ୍ୟ ସମ୍ବନ୍ଧରେ ମତାମତ ଜାଣିବା ପାଇଁ ଚାହିଁଥିଲେ ମୁଁ ତାହା କରିପାରିଥାନ୍ତି ।

କଳାନାଥ କହିଲେ, “ମୋର ପଦ୍ୟ ପଢିବା ପରେ, ମୋ ସମ୍ବନ୍ଧରେ ସବୁକିଛି ଜାଣିବା ପରେ ଆପଣ ନିଶ୍ଚୟ ମୋତେ ସାକ୍ଷାତ କରିବା ପାଇଁ ଅନୁମତି ଦେବେ ଏହା ମୋର ଧାରଣା ଥିଲା । କିନ୍ତୁ ଏବେ ଜାଣିପାରୁଛି, ତାହା ମୋର ଏକ ଭ୍ରମ ଥିଲା । ଆଜି ମୋର କବିତା ପଠନ କରି ସେଥିରେ ଥିବା ବ୍ୟାକରଣଗତ ତ୍ରୁଟି ଦର୍ଶାଇ ଆପଣ ମୋତେ ଧନ୍ୟ କରି ଦେଇଛନ୍ତି । ଏଠାରେ ରହି କିଛିକାଳ ଆପଣଙ୍କର ସେବା କରିବାର ସଦା ବକାଶ ମୋତେ ପ୍ରଦାନ କରନ୍ତୁ । ଏହା ମୋର ଏକମାତ୍ର ଇଚ୍ଛା ।”

ବେତାଳ ତା’ର ଏହି କାହାଣୀଟି ଶୁଣାଇ ରାଜାଙ୍କୁ ପ୍ରଶ୍ନ କଲା, “ରାଜନ୍, ଅନେକ କବି-ପଣ୍ଡିତଙ୍କ ଦ୍ୱାରା ଭବ୍ୟପ୍ରଶଂସିତ କଳାନାଥଙ୍କ ବ୍ୟବହାର ବିଚିତ୍ର ମନେ ହେଉନାହିଁ କି? ସେ ନିଜର ସ୍ୱାଭିମାନକୁ ଜଳାଞ୍ଜଳୀ ଦେଇ ଆତ୍ମ ସମର୍ପଣ କରିବା ପଛରେ କେଉଁ ସବଳ କାରଣ ରହିଛି? ଗଣେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ଯେତେବେଳେ ଗ୍ରାମମୁଖ୍ୟ ଖବର ପଠାଇଲେ ସେହି ସମୟରେ କଳାନାଥ ତାଙ୍କୁ ସାକ୍ଷାତ କରିବା ପାଇଁ ନାସ୍ତି କରିଦେଲେ । କିନ୍ତୁ ପରେ ବହୁ କଷ୍ଟ ସ୍ୱୀକାର କରି ଅରଣ୍ୟ ମଧ୍ୟରେ ତାଙ୍କୁ ସାକ୍ଷାତ କରିବାର ଉଦ୍ଧେଶ୍ୟ କଣ? ଏହା ତାଙ୍କର ବୁଦ୍ଧିହୀନତାର ପରିଚୟ ନୁହେଁ କି? କେବଳ ଏତିକି ନୁହେଁ, ସେହି ମୁଢ ଯୁବକ ଗଣେଶ୍ୱରଙ୍କୁ ସେବା କରିବାର ସୁଯୋଗ ପ୍ରାପ୍ତି ନିମନ୍ତେ ମଧ୍ୟ ପ୍ରାର୍ଥନା କରୁଛି । ଏହି ସବୁ କଥାକୁ ଆଖି ଆଗରେ ରଖି ବିଚାର କଲେ ମୋର ମନେ ହେଉଛି ଯେ କଳାନାଥ ଜଣେ ଉଦ୍ଭ୍ରାନ୍ତ, ମତିଭ୍ରଷ୍ଟ ଯୁବକ । ତୁମେ ଏଥିରୁ କ’ଣ ଧାରଣା କରୁଛ? ମୋର ଏହି ସନ୍ଦେହର ସମାଧାନ ଜାଣି ସୁଧା ତୁମେ ଯଦି ନିରୁତ୍ତର ରହିଲ, ତେବେ ତୁମର ଏ ଶିର ଶତଧା ବିଦୀର୍ଣ୍ଣ ହେବ ।”

ତା’ପରେ ବିକ୍ରମାର୍କ କହିଲେ, “କଳାନାଥ ସିଂହପୁରୀ ଯାଇଥିବା ସମୟରେ ଅନେକ ଆଶା କରିଥିଲେ ଯେ, ତାଙ୍କ କବିତା ପଢିବା ପରେ ଗଣେଶ୍ୱର ଅବଶ୍ୟ ତାଙ୍କ ସହିତ ସାକ୍ଷାତ କରିବେ । କିନ୍ତୁ ସେ ସେହି ସୁଯୋଗ ନ ପାଇବାରୁ ମନେ କଲେ ଯେ, ଗଣେଶ୍ୱରଙ୍କର ପ୍ରକୃତରେ କବିତା ପ୍ରତି ଆଉ ଅଭିରୁଚି ନାହିଁ । ସେ ନିଜର ବ୍ୟକ୍ତିଗତ ପ୍ରସିଦ୍ଧିର ଉପଯୋଗ କରି ସାଧାରଣ ଜନତାଙ୍କର ସମସ୍ୟା ସମାଧାନ କରୁଛନ୍ତି । କବିତା କ୍ଷେତ୍ରକୁ ବାଦ୍ ଦେଲେ, ଅନ୍ୟ କୌଣସି ଉଦ୍ଧେଶ୍ୟରେ ସେ ଗଣେଶ୍ୱରଙ୍କ ସାହାଯ୍ୟ ଚାହୁଁ ନ ଥିଲେ । ତେଣୁ ଗ୍ରାମମୁଖ୍ୟ ତାଙ୍କୁ ସାକ୍ଷାତ କରିବା ପାଇଁ ଡାକିବା ସମୟରେ ସେ ତାହା ଏଡାଇ ଦେଇଥିଲେ ।”

କିନ୍ତୁ ଗଣେଶ୍ୱର ନିଜର ପଦବୀ ତ୍ୟାଗ କରି ବାନପ୍ରସ୍ଥ ଜୀବନଯାପନ ପାଇଁ ଅରଣ୍ୟସ୍ଥ ଆଶ୍ରମରେ ଅବସ୍ଥାନ କରୁଥିବା ବିଷୟ ଜାଣିବା ପରେ କଳାନାଥ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଲେ । କାରଣ ସେ ଏବେ ବିଶ୍ୱାସ କଲେ ଯେ, ଏବେ ଗଣେଶ୍ୱରଙ୍କୁ ଦର୍ଶନ କଲେ ତାଙ୍କର ଅଭିପ୍ରାୟ ପୂରଣ ହୋଇପାରିବ । ତେଣୁ ବହୁକଷ୍ଟ ସ୍ୱୀକାର କରି ସେ ଯାଇ ତାଙ୍କ ଆଶ୍ରମରେ ପହଁଚିଲେ । ବାର୍ତ୍ତାଳାପ ସମୟରେ ସେ ଜାଣିପାରିଲେ ଯେ, ପ୍ରକୃତରେ ଗଣେଶ୍ୱରଙ୍କ ଶିଷ୍ୟ ତାଙ୍କ କବିତାଟିକୁ ପ୍ରଥମ ସାକ୍ଷାତ ସମୟରେ ପାଠ କରିଥିଲେ । ଏବେ ତାଙ୍କର ପଦ୍ୟ ଶୁଣିବାମାତ୍ରେ ଗଣେଶ୍ୱର ସେଥିରେ ଥିବା ବ୍ୟାକରଣ ଗତ ତ୍ରୁଟି ଦର୍ଶାଇ କଳାନାଥଙ୍କ ସନ୍ଦେହ ଦୂରୀଭୂତ କଲେ । ଗଣେଶ୍ୱରଙ୍କ ଉଦାରଭାବ ଓ ମହାନତାର ପରିଚୟ ସେ ସ୍ପଷ୍ଟ ରୂପେ ବୁଝିପାରିଲେ । ତାଙ୍କ ମଧ୍ୟରେ ଥିବା ପ୍ରକୃତ କବିସତ୍ତାକୁ ଉପଲବ୍ଧି କରି ସେ ତାଙ୍କର ଶିଷ୍ୟତ୍ତ୍ୱ କାମନା କରି ବସିଲେ । ସେବା କରିବାର ଅବକାଶ ଲୋଡିଲେ । ଏଇ କାରଣରୁ ଏହା ସ୍ପଷ୍ଟ ପ୍ରତିପାଦିତ ଯେ, କଳାନାଥଙ୍କର ମତିଭ୍ରମ ଘଟିନାହିଁ, କିମ୍ବା ସେ ନିଜର ସ୍ୱାଭିମାନ ହରାଇ ନାହାଁନ୍ତି । ଅପରନ୍ତୁ ସେ ନିଜର ପ୍ରତିଭାର ଉତ୍କର୍ଷତା ପାଇଁ ଗଣେଶ୍ୱରଙ୍କ ସାନ୍ନିଧ୍ୟ ଆଶା କରିଛନ୍ତି । ତେଣୁ ତୁମର ସନ୍ଦେହ ନିରାଧାର ଅଟେ ।”

ଏହିପରି ଭାବେ ସେ ରାଜାଙ୍କର ମୌନଭଙ୍ଗ କରାଇବାରେ ସଫଳ ହୋଇ ଶବ ଓ ଶବସ୍ଥିତ ସେହି ବେତାଳ ଜଣକ ରାଜାଙ୍କ କାନ୍ଧରୁ ତୁରନ୍ତ ଖସିଯାଇ ପୁନର୍ବାର ସେହି ବୃକ୍ଷଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ