ଥଚନ୍ଦ୍ରବର୍ମା ନିଜ ସେନାପତି ଧୀରମଲ୍ଲଙ୍କୁ ସାଥିରେ ଧରି ଦୁର୍ଗ ପରିସର ଭିତରେ ପଶି ଲୁଣ୍ଠନ ଚଳାଇଥିବା ଶତ୍ରୁମାନଙ୍କୁ ଆକ୍ରମଣ କଲେ । କିନ୍ତୁ ଅଳ୍ପ ସମୟ ଭିତରେ ଦଳେ ନୂଆ ସୈନ୍ୟ ଧରି ସର୍ପକେତୁ ଆସି ସେଠାରେ ପହଁଚିଗଲା । ଚନ୍ଦ୍ରବର୍ମା, ସୁବାହୁ ଓ ଧୀରମଲ୍ଲ ଯାଇ ଦେଖିଲେ ଶତ୍ରୁପକ୍ଷ ରାଜମହଲର କବାଟ ଭାଙ୍ଗିବା ନିମନ୍ତେ ଚେଷ୍ଟା କରୁଛନ୍ତି । ଚନ୍ଦ୍ରବର୍ମା ହଠାତ୍ ସେମାନଙ୍କୁ ଆକ୍ରମଣ କଲେ । ତା’ପରେ –
ଚନ୍ଦ୍ରବର୍ମା ଏବଂ ସର୍ପକେତୁର ସୈନିକମାନଙ୍କ ଭିତରେ ପ୍ରାସାଦର ପ୍ରବେଶ ତୋରଣ ପାଖରେ ପ୍ରବଳ ଲଢେଇ ହେଲା । ସଂଖ୍ୟା ଦୃଷ୍ଟିରୁ ସର୍ପକେତୁର ସୈନ୍ୟଦଳ ଚନ୍ଦ୍ରବର୍ମାଙ୍କ ସୈନ୍ୟଙ୍କ ତୁଳନାରେ ଚାରି ପାଞ୍ଚଗୁଣ ଅଧିକ ଥିଲେ । ତଥାପି ମଧ୍ୟ ଚନ୍ଦ୍ରବର୍ମାଙ୍କ ଆକ୍ରମଣର ସମ୍ମୁଖିନ ହେବା ସେମାନଙ୍କ ପକ୍ଷରେ ଆଦୌ ସହଜ ହେଲା ନାହିଁ । ସେମାନଙ୍କର କେତେଜଣ ଦଳପତି ଚିତ୍କାର କରି ସେମାନଙ୍କୁ କହିଲେ, “ଚନ୍ଦ୍ରବର୍ମାଙ୍କ ସୈନ୍ୟସଂଖ୍ୟା ଅତି କମ୍ । ତେଣୁ ଭୟ କରିବାର କିଛି ବି କଥା ନାହିଁ । ଏଥର ଆମର ବିଜୟ ନିଶ୍ଚିତ! ଦଳପତି ଆଶା କରୁଥିଲେ ତାଙ୍କର ଏଭଳି ଘୋଷଣାରେ ତାଙ୍କ ସୈନ୍ୟମାନେ ଉତ୍ସାହ ପାଇବେ । କିନ୍ତୁ ସେତେବେଳକୁ ସେମାନେ ମାଡ ଖାଇ ଏପରି ହାଲିଆ ହୋଇ ଯାଇଥାନ୍ତି ଯେ ଦଳପତିଙ୍କ ଘୋଷଣା ସେମାନେ ଶୁଣି ମଧ୍ୟ ଶୁଣି ପାଇଲେ ନାହିଁ ବୋଲି କହିଲେ ଚଳେ । ଦଳପତି କଣ୍ଠସ୍ୱର ଆହୁରି ଚଢା କରି ତାଙ୍କ ଘୋଷଣାର ପୁନରାବୃର୍ତି କଲେ ।” ସେଥିରେ କିଛି ଫଳ ହେଲା ।
ଅନେକ ବେଳ ଯାଏଁ ସେମାନଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଲା । ଚନ୍ଦ୍ରବର୍ମା ଅନେକ ଚେଷ୍ଟା କରି ମଧ୍ୟ ପ୍ରାସାଦର ଦ୍ୱାର ପାଖକୁ ଯାଇପାରୁ ନଥାନ୍ତି । ପୁଣି ସେତିକିବେଳେ ପ୍ରାସାଦ ଦ୍ୱାରଠାରୁ ଅଦୂରରେ ଅବସ୍ଥିତ ଦୁର୍ଗ ଦ୍ୱାର ପାଖରେ ଘୋଡାଙ୍କ ଟାପୁଶବ୍ଦ ଶୁଭିଲା । ସୁବାହୁ ଗୋଟାଏ ଘୋଡା ଚଢି ଆସି ତାଙ୍କୁ କହିଲେ, “ଯୁବରାଜ, ଆହୁରି ଗୋଟାଏ ବିପଦ ଆମ ଆଗକୁ ମାଡି ଆସୁଛି । ସର୍ପକେତୁ ଆମକୁ ପଛପଟରୁ ଆକ୍ରମଣ କରିବା ନିମନ୍ତେ ଦଳେ ଘୋଡାସବାର ଧରି ଅଗ୍ରସର ହେଉଛି । ଆମେ ଯଦି ଲଢେଇ ଚାଲୁ ରଖିବୁ, ତେବେ ଦୁଇ ଚକି ମଝିରେ ଚାଉଳ ପେଶି ହୋଇ ଗୁଣ୍ଡ ହେଲାଭଳି ଆମର ବି ଠିକ୍ ସେହି ଅବସ୍ଥା ହେବ । ତେଣୁ ଆମକୁ ସାବଧାନ ହୋଇ ଆମ କର୍ତ୍ତବ୍ୟ ସ୍ଥିର କରିବାକୁ ପଡିବ । କିନ୍ତୁ ବେଶି ବଳ ଧରି ବିଚାର କରିବାର ସମୟ ବା କାହିଁ? ଯାହା କରିବାର କଥା, ବର୍ତ୍ତମାନ ସଙ୍ଗେ ସଙ୍ଗେ ତାହା ଠିକ୍ କରିବାକୁ ହେବ ।”