ପାଣ୍ଡବ ସମେତ ଦ୍ରୌପଦୀ ଅତି ରହସ୍ୟଜନକ ଭାବେ ଅଜ୍ଞାତବାସ ସମୟ ଅତିବାହିତ କରୁଥିଲେ । ପଶାଖେଳରୁ ଧର୍ମରାଜ ଯେଉଁ ଅର୍ଥ ହାସଲ କରୁଥାନ୍ତି, ତାହା ସେ ତାଙ୍କ ଭାଇମାନଙ୍କ ମଧ୍ୟରେ ବଂଟନ କରି ଦେଉଥାଆନ୍ତି । ଭୀମ ନିଜେ ଯେଉଁ ସୁସ୍ୱାଦୁ, ରୁଚିକର ଭୋଜନ ପ୍ରସ୍ତୁତ କରନ୍ତି, ସେଥିରୁ ସେ ତାଙ୍କ ଭାଇମାନଙ୍କ ପାଇଁ ମଧ୍ୟ କିଛି ସଂରକ୍ଷିତ ରଖନ୍ତି । ଅନ୍ତଃପୁରରୁ ଅର୍ଜୁନ ଯେଉଁ ପୁରୁଣା ବସ୍ତ୍ର ଉପହାର ସ୍ୱରୂପ ପାଆନ୍ତି, ତାହା ସେ ତାଙ୍କ ଭାଇ ଓ ଦ୍ରୌପଦୀଙ୍କୁ ଆଣି ଦିଅନ୍ତି । ଅଶ୍ୱ-ପାଳନ କ୍ଷେତ୍ରରେ ନିଜର ଦକ୍ଷତା ବଳରେ ନକୁଳ ବିରାଟ ରାଜାଙ୍କର ପ୍ରିୟପାତ୍ର ହୋଇ ଅନେକ ଉପହାର ଆଣି ସେ ନିଜ ଭାଇମାନଙ୍କୁ ଦିଅନ୍ତି । ସେହିପରି ସହଦେବ ଦୁଗ୍ଧ ଓ ଦହି ତାଙ୍କ ଭାଇମାନଙ୍କୁ ପ୍ରଦାନ କରନ୍ତି । ଦ୍ରୌପଦୀଙ୍କୁ ନିଜର ଅସଲ ପରିଚୟ ଲୁଚାଇବା ପାଇଁ ବେଶ୍ ସତର୍କତା ଅବଲମ୍ବନ କରିବାକୁ ପଡୁଥାଏ । ସମସ୍ତେ ନିଜେ ନିଜର ଗୋପନୀୟତା ରକ୍ଷା କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଥାଆନ୍ତି ।
ଏହିପରି ଚାରିମାସ ଅତିବାହିତ ହୋଇଗଲା । ମତ୍ସ୍ୟ ଦେଶରେ ଏକ ବ୍ରହ୍ମୋତ୍ସବ ପାଳିତ ହେଲା । ଏହି ଉତ୍ସବରେ ଭାଗ ନେବା ପାଇଁ ଅନେକ ଦେଶରୁ ଲୋକମାନେ ଆସିଲେ । ବିରାଟ ରାଜାଙ୍କର ମଲ୍ଲଯୁଦ୍ଧ ପାଇଁ ଅଭିରୁଚି ଥାଏ । ତେଣୁ ମଲ୍ଲ-ଯୋଦ୍ଧାଙ୍କ ପାଇଁ ସେ ବିଶେଷ ଆୟୋଜନ କରିଥାନ୍ତି । ସେମାନଙ୍କର ମଲ୍ଲଯୁଦ୍ଧ ଦେଖି ସେ ବଡ ଆହ୍ଲାଦିତ ହୁଅନ୍ତି ।
ସେହି ଉତ୍ସବରେ ଯୋଗ ଦେଇଥିବା ମଲ୍ଲଯୋଦ୍ଧା ମାନଙ୍କ ମଧ୍ୟରେ ଜୀମୂତ ନାମକ ଜଣେ ବଳଶାଳୀ ଯୋଦ୍ଧା ଥାଏ । ତା’ ସହିତ ଲଢିବା ପାଇଁ ସେ ଅନ୍ୟ ସମସ୍ତ ଯୋଦ୍ଧାମାନଙ୍କୁ ଆହ୍ୱାନ ଦେଉଥାଏ । କିନ୍ତୁ କେହି ଯୋଦ୍ଧା ତା’ର ସମ୍ମୁଖୀନ ହେବାକୁ ସାହସ କରୁ ନ ଥାନ୍ତି । ଏପରି ପରିସ୍ଥିତି ଦେଖି ବିରାଟ ରାଜା ତାଙ୍କର ରୋଷେଇଶାଳା ଦାଇତ୍ତ୍ଵରେ ଥିବା ଭୀମଙ୍କୁ ସେ ଜୀମୂତ ସହିତ ଲଢିବା ପାଇଁ ଆଦେଶ ଦେଲେ । ଭୀମ ମଧ୍ୟ ସଙ୍ଗେ ତାଙ୍କର ଏହି ଆହ୍ୱାନକୁ ସ୍ୱୀକାର କଲେ ।
ଏହାପରେ ସେ ଭୀମ ଓ ଜୀମୂତ ଦୁଇଟି ମତହସ୍ତୀ ସଦୃଶ ଲଢିବାରେ ଲାଗିଗଲେ । ସେମାନଙ୍କର ଏଭଳି ଭୟଙ୍କର ଯୁଦ୍ଧର ଆନନ୍ଦ ରାଜା ଓ ପ୍ରଜାମାନେ ଉପଭୋଗ କରୁଥାନ୍ତି । ଭୀମ ଜୀମୂତକୁ ଉପରକୁ ଉଠାଇ ଧରି ଅତି ଜୋର୍ରେ ଘୁରାଇବାରେ ଲାଗିଲେ । ଭୀମ ଏପରି କିଛି ସମୟ ଘୁରାଇବା ପରେ, ତାକୁ ଭୂମିରେ କଚାଡି ଦେଲେ । ସେହିଠାରେ ଜୀମୂତ ତା’ ଶେଷ ନିଶ୍ୱାସ ତ୍ୟାଗ କଲା । ବିରାଟ ରାଜା ଭୀମଙ୍କୁ ଅଗଣିତ ଉପହାର ଦେଇ ତାଙ୍କୁ ତୋଷ କଲେ ।
ଏହିପରି ପାଣ୍ଡବ ମାନଙ୍କର ଅଜ୍ଞାତବାସ କାଳ ସମାପ୍ତ ହେବାକୁ ଆସିଲା । ଏହି ସମୟରେ କୀଚକ ନାମକ ଜଣେ ବଳଶାଳୀ ଲୋକର ଦୃଷ୍ଟିରେ ଦ୍ରୌପଦୀ ପଡିଲେ । ସେହି କୀଚକ ବିରାଟ ରାଜାଙ୍କ ଶାଳକ ଓ ସେ ରାଜ୍ୟର ସେନାଧୀପତି ଥିଲେ । ସେ ଯେତେବେଳେ ସୁଦେଷ୍ଣାଙ୍କ ବାସ ଭବନରେ ଦ୍ରୌପଦୀଙ୍କୁ ପ୍ରଥମଥର ପାଇଁ ଦେଖିଲା, ତାଙ୍କର ସୌନ୍ଦର୍ଯ୍ୟ ତାକୁ ଏକବାରେ ଅନ୍ଧ କରିଦେଲା । ତେଣୁ ସେ ତା ଭଉଣୀ ସୁଦେଷ୍ଣାଙ୍କୁ କହିଲା, “ମୁଁ ଏହି ସୁନ୍ଦରୀକୁତ ଆଗରୁ କାହିଁ କେବେବି ଏଠାରେ ଦେଖି ନ ଥିଲି । ତା’ର ସୌନ୍ଦର୍ଯ୍ୟ ମୋତେ ଅତ୍ୟନ୍ତ ବିମୋହିତ କରିଛି । ଏପରି ଅପ୍ସରା ସଦୃଶ ସେ ସୁନ୍ଦର ନାରୀ ଜଣକ କିଏ, କେଉଁଠାରୁ ସେ ଆସିଛି? ସେ ମୋ ଗୃହକୁ ଆସିଲେ, ମୁଁ ତାକୁ ଖୁବ୍ ସୁଖରେ ରଖିବି ।” ଏପରି କହି କୀଚକ ସେହିଦିନ ସେଠାରୁ ଚାଲିଗଲା । ମାତ୍ର ଏହା ପରେ ଦ୍ରୌପଦୀଙ୍କ ସାନ୍ନିଧ୍ୟ ପାଇବା ପାଇଁ ଅନେକ ଉଦ୍ୟମ ସେ ଅବ୍ୟାହତ ରଖିଲା । ଦିନେ ଏକାନ୍ତରେ ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ପାଇବାରୁ ସେ କୀଚକ ତା’ ମନର ଅଭିଳାଷ ତାଙ୍କ ନିକଟରେ ବ୍ୟକ୍ତ କଲା ।
ଦ୍ରୌପଦୀ ତତ୍କ୍ଷଣାତ୍ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଲେ, “ମୋ ସହିତ ଏପରି କଥା ହେବା ତୁମପକ୍ଷେ ଅଶୋଭନୀୟ ଅଟେ । ମୁଁ ଅନ୍ୟ କାହାର ଧର୍ମପତ୍ନୀ ଅଟେ । ତୁମରି ଏପରି ମନ୍ଦ ଅଭିଳାଷ, ତୁମପାଇଁ ଖୁବ୍ ମହଙ୍ଗା ପଡିବ ଅର୍ଥାତ୍ କ୍ଷତିକାରକ ସାବ୍ୟସ୍ତ ହେବ ।”