ମହାଭାରତ

କିନ୍ତୁ ଧର୍ମରାଜ ତାଙ୍କର ଅଭିପ୍ରାୟ ବୁଝିପାରି, ସଙ୍ଗେସଙ୍ଗେ ସେ ତାଙ୍କ ପାଦର ଆଙ୍ଗୁଳିକୁ ନିଜ ପାଦରେ ସ୍ପର୍ଶ କରି କହିଲେ, “ଆରେ, ତମେ ଏକଣ କରିବାକୁ ଯାଉଛ? ଜାଳେଣୀ କାଷ୍ଠ ସଂଗ୍ରହ ପାଇଁ ତ ଆହୁରି ଅନେକ ବୃକ୍ଷ ରହିଛି । ଦୂରକୁ ଯାଇ ଅନ୍ୟ କେଉଁ ବୃକ୍ଷରୁ ତୁମେ ତାହା ଆଣିପାର ।”

ଦ୍ରୌପଦୀ ନିଜର ପତିମାନଙ୍କର ଏଭଳି ଅସହାୟତା ଜାଣିଥିଲେ । ତେଣୁ ଅଗ୍ନିବର୍ଷା ଚକ୍ଷୁରେ ବିରାଟଙ୍କୁ ସେ ଚାହିଁ କହିଲେ, “ଏହି ନୀଚ ମୋର ଅପମାନ କରୁଛି । ମୋର ଗନ୍ଧର୍ବ-ପତି କାଳ ଓ ପରିସ୍ଥିତିରେ ପଡି ଏବେ ସିନା ମୋତେ ସେମାନେ କୌଣସି ପ୍ରକାରେ ସହାୟତା କରିପାରୁନାହାଁନ୍ତି । କିନ୍ତୁ ଏପରି ସ୍ଥିତିରେ ଜଣେ ଶାସକ ଭାବରେ ଆପଣଙ୍କର କ’ଣ କିଛି ହେଲେ ବି କର୍ତ୍ତବ୍ୟ ନାହିଁ? ଆପଣ କାହିଁକି ନିଜର ରାଜଧର୍ମ ପାଳନ କରୁନାହାଁନ୍ତି? ମୋର ସମ୍ମାନ ରକ୍ଷା କରିବା ତ ଆପଣଙ୍କର ପରମ କର୍ତ୍ତବ୍ୟ । ଆପଣ ତାହା ପାଳନ କରି ଏହି ଦୁରାଚାରୀର ବିନାଶ କରନ୍ତୁ ।” ବିରାଟ ରାଜାଙ୍କୁ ମୌନ ରହିବା ଦେଖି ସେଠାରେ ଉପସ୍ଥିତ ସଭାସଦ୍ ମାନଙ୍କୁ ସେ କହିଲେ, “ମନେ ହେଉଛି କୀଚକ ଓ ବିରାଟ ରାଜାଙ୍କ ପରି ଆପଣମାନେ ମଧ୍ୟ ସ୍ୱଧର୍ମ ଭୁଲିଯାଇ ମୋତେ ରକ୍ଷା କରିବାକୁ ଆଦୌ ସାହସ କରୁନାହାଁନ୍ତି ।”

ସେତେବେଳକୁ ଯାଇ ବିରାଟ କହିଲେ, “ଦେବୀ ମୁଁ ଜାଣିନାହିଁ ଯେ କେଉଁ କାରଣରୁ ଆପଣ ଦୁଇଜଣଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଛି । ବିନା ବିଚାରରେ ଅଜାଣତରେ ମୁଁ ବା କିପରି କେଉଁ ନିର୍ଣ୍ଣୟ ଶୁଣାଇ ପାରିବି?”

ଏହି ସମୟରେ ଧର୍ମରାଜ ହସ୍ତକ୍ଷେପ କରି କହିଲେ, “ଏଠାରେ ଚିତ୍କାର କରିବା ଏକ ବ୍ୟର୍ଥ ପ୍ରୟାସ । ଏହା ଅପେକ୍ଷା ଆପଣ ଅନ୍ତଃପୁର ଚାଲିଗଲେ ବରଂ ଆପଣଙ୍କଲାଗି ଅଧିକ ମଙ୍ଗଳକର ହେବ । ଆପଣଙ୍କ ପତି ଆପଣଙ୍କୁ ରକ୍ଷା କରିପାରୁ ନ ଥିବା ପଛରେ ନିଶ୍ଚୟ ଏକ ସବଳ କାରଣ ଅଛି । ଦେଶ, କାଳ, ପାତ୍ର, ଭୁଲି, ଏହି ରାଜସଭାରେ ଶୋକ କଲେ ଆପଣଙ୍କର ବିଶେଷ କିଛିବି ଲାଭ ହେବ ନାହିଁ । ତୁମ ସାଥିରେ କେହି ଅନ୍ୟାୟ କଲେ, ତୁମକୁ ଅପମାନିତ କଲେ, ତୁମ ପତି ତାଙ୍କୁ ନିଶ୍ଚୟ ଦଣ୍ଡ ଦେବେ । ରାଜସଭାରେ ଆଉ ଅଧିକ ଚିତ୍କାର ନ କରି, ଏବେ ତୁମେ ଏଠାରୁ ବିଦାୟ ନିଅ ।”

ଦ୍ରୌପଦୀ ଧର୍ମରାଜଙ୍କ ଇଙ୍ଗିତ ଠିକ୍ ବୁଝିପାରି ସେଠାରୁ ସିଧା ସେ ଚାଲି ଆସିଲେ । ସୁଦେଷ୍ଣାଙ୍କ ଭବନରେ, ସେ ଶୋକର ଏକ ଦେବୀ ସ୍ୱରୂପ ଅତ୍ୟନ୍ତ ବିକଳରେ କ୍ରନ୍ଦନ କରିବାକୁ ଲାଗିଲେ ।

ଏହାପରେ ଦୁଷ୍ଟ କୀଚକର ପ୍ରାଣନାଶ କରାଇବା ପାଇଁ ଦ୍ରୌପଦୀ ମନେ ମନେ ସ୍ଥିର କଲେ । ସେ ସେହି ଉଦ୍ଧେଶ୍ୟରେ ଅର୍ଦ୍ଧରାତ୍ର ସମୟରେ ଭୀମଙ୍କ ନିକଟକୁ ଆସିଲେ । ସେତେବେଳକୁ ଭୀମଙ୍କ ମନରେ କ୍ରୋଧ ମଧ୍ୟ ମୋଟେ ଶାନ୍ତ ହୋଇ ନ ଥାଏ । ସେ ନିଦ୍ରାହୀନ ଭାବରେ କଡ ଲେଉଟାଉଥାନ୍ତି । ଏହି ସମୟରେ ଦ୍ରୌପଦୀ ତାଙ୍କ ନିକଟରେ ପହଁଚି ତାଙ୍କୁ ଉତ୍ତେଜିତ କରାଇବା ନିମନ୍ତେ କହିଲେ, “ଜଣେ ମୃତଲୋକର ଶବ ପରି ତୁମେ ଏଠାରେ ଚେତନାହୀନ ଭାବରେ କାହିଁକି ପଡି ରହିଛ? ହଁ, କେହି ଜୀବିତ  ଲୋକ ଚକ୍ଷୁ ସମ୍ମୁଖରେ ନିଜ ପତ୍ନୀର ଏପରି ଅପମାନ ଦେଖି କ’ଣ କେବେବି ସ୍ଥିର ହୋଇ ରହିପାରେ? ରାଜସଭାରେ ମୋର ଅପମାନ କ’ଣ କେବଳ ମୋର ଅପମାନ?

ଭୀମ ଏହାଶୁଣି ତତ୍କ୍ଷଣି ଉଠି ବସିଲେ । ସେ ଦ୍ରୌପଦୀଙ୍କ ବିଷର୍ଣ୍ଣ କ୍ରୋଧ ଜରଜର ଚେହେରା ଦେଖି ବିଚଳିତ ହୋଇ ପଡିଲେ । ପ୍ରଶ୍ନ କଲେ, “ତୁମେ ଏଠାକୁ ଆସିବାର ଅଭିପ୍ରାୟ କ’ଣ? କୁହ, ମୋ ଦ୍ୱାରା କ’ଣ ହୋଇପାରିବ?”

“ମୋର ଏଠିକୁ ଆସିବାର ଅଭିପ୍ରାୟ କ’ଣ ତାହା ତୁମେ ମୋତେ ଦେଖି ଜାଣିପାରୁନାହଁ? ତୁମର ପଶାଖୋର ବଡଭାଇଙ୍କ କାରଣରୁ ମୁଁ ଆଜି ଏତେ ଦୁର୍ଦ୍ଦଶା ଭୋଗୁଛି । ଏକରେ ରାଣୀ ସୁଦେଷ୍ଣାଙ୍କ ପରିଚାରିକା, ତା’ ଉପରେ ପୁଣି କୀଚକର ଦୌରାତ୍ମ୍ୟ । ରାଣୀ ସୁଦେଷ୍ଣାର ପରିଚର୍ଯ୍ୟା କରି କରି ମୋର ହସ୍ତର ପାପୁଲି କିପରି ରକ୍ତାକ୍ତ ହୋଇଗଲାଣି ତାହା ତୁମେ ନିଜ ଆଖିରେ ଦେଖ ।” ଏପରି କହି ଦ୍ରୌପଦୀ ଭୀମଙ୍କ ସମ୍ମୁଖରେ ନିଜର ଦୁଇ ହସ୍ତର ପାପୁଲି ତାଙ୍କୁ ଦେଖାଇଲେ ।

ଏସବୁ ଦେଖି ସେ ଭୀମ ଅତ୍ୟନ୍ତ ବିରସ ମନରେ କହିଲେ, “ସେହି ଦୁଷ୍ଟ କୀଚକ ଯେତେବେଳେ ବିରାଟଙ୍କ ରାଜସଭାରେ ତୁମର କେଶାକର୍ଷଣ କରୁଥିଲା, ସେହି ମୁହୂର୍ତ୍ତରେ ମୁଁ ତାକୁ ଶେଷ କରି ଦେଇଥାଆନ୍ତି । କିନ୍ତୁ ଧର୍ମରାଜ ମୋତେ ବାରଣ କଲେ । ଅଜ୍ଞାତବାସ ସରିବା ପାଇଁ ଆଉ ଖୁବ୍ କମ୍ ଦିନ ଅଛି । ତେଣୁ ଧୈର୍ଯ୍ୟ ରକ୍ଷା କର । ଏହାପରେ ତୁମେ ଅବଶ୍ୟ ମହାରାଣୀ ପଦରେ ଆସୀନ ହେବ ।”

“ମୋର କଷ୍ଟ ସହନଶକ୍ତିର ସୀମା ଟପି ସାରିଲାଣି । କେବେ ଆଉ ମୁଁ ମହାରାଣୀ ହେବି, ତାହା ତ ମୋତେ ଦିବାସ୍ୱପ୍ନ ତୁଲ୍ୟ ମନେ ହେଉଛି । ସେପରି ଶୁଷ୍କ କଥାରେ କ’ଣ ବା ଲାଭ? ଏତିକି କହି ସେ ଦ୍ରୌପଦୀ ଖାଲି ବିଳାପ କରିବାରେ ଲାଗିଲେ ।

ଭୀମ ତାଙ୍କୁ ନିଜ ପାଖକୁ ଆଣି ତାଙ୍କ ଅଶ୍ରୁ ପୋଛି ଦେଉ ଦେଉ କହିଲେ, “ତୁମର ଏହି ଶୋକର କାରଣ ସେ କୀଚକକୁ ତ ମୁଁ ନିଶ୍ଚୟ ବଧ କରିବି । କିନ୍ତୁ ଆମକୁ ଏହି କାମଟି ବେଶ୍ ଚତୁରତାର ସହ କରିବା ପାଇଁ ପଡିବ । ଉତ୍ଫୁଲ୍ଲିତ ଓ ସରସ ବଦନରେ, ସ୍ମିତହାସ୍ୟ ପୂର୍ବକ ତୁମେ ସେ କୀଚକ ପାଖକୁ ଯାଇ ଏପରି ଅଭିନୟ କରିବ, ଯେପରି ସେ ମନେ କରିବ, ତୁମେ ତା’ପ୍ରତି ଆକୃଷ୍ଟ ଓ ତା’ର ଇଚ୍ଛା ପୂରଣ ପାଇଁ ସମ୍ମତ ହେଉଛ । ନୃତ୍ୟଶାଳରେ ବାଳିକାମାନେ ଦିବା ସମୟରେ ନୃତ୍ୟ ଶିକ୍ଷା କରନ୍ତି, ମାତ୍ର ରାତ୍ରକାଳରେ ତ ତା’ର ପରିବେଶ ନିର୍ଜନ ରହେ । ରାତ୍ରି ସମୟରେ କୀଚକ ସେହି ସ୍ଥାନକୁ ଯାଇ ତୁମ ପାଇଁ ପ୍ରତୀକ୍ଷା କରିବାକୁ ତୁମେ କହିବ । ସେ ସେଠାରେ ପହଁଚିବା ମାତ୍ରେ ମୁଁ ତା’ର କାମ ଶେଷ କରିଦେବି । ମୁଁ ମୋର ବାହୁ ବନ୍ଧନରେ ତାକୁ ଏତେ ଜୋର୍ରେ ଭିଡି ଧରିବି ଯେ, ଯେପରିକି ତା’ର ମୃତ୍ୟୁର ଶେଷ କରୁଣ ଶବ୍ଦ ପଦକ ମଧ୍ୟ କେହିବି ଶୁଣିପାରିବେ ନାହିଁ ।” ଭୀମଙ୍କର ଏହି ଯୋଜନା ଦ୍ରୌପଦୀଙ୍କ ମନକୁ ବେଶ୍ ପାଇଲା, ତା’ପରେ ସେ ନିଜ ଚିତ୍ତକୁ ଶାନ୍ତ କରାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ