ଆତ୍ମସମ୍ମାନ

                ଏକଥା ଶୁଣି ସୁଧର୍ମ ଅଳ୍ପ ହସି କହିଲା, “ଅଜା, ତମେ ଜାଣନାହିଁ ଯେ ଶ୍ରୀପତି ଗରୀବ ଲୋକଙ୍କର ରକ୍ତ କିପରି ଶୋଷେ; ସେ ଭୀଷଣ ସୁଧଖୋର୍! ସେମିତି ସବୁ କରି କରି ସେ ଆଜି ଧନୀ ହୋଇଛି ।”

                ତା’ପରେ ଶ୍ରୀପତିଙ୍କ ଚାକର ଫେରି ଆସି ସବୁ କହିଲା । ସେକଥା ଶୁଣି ଶ୍ରୀପତି କ୍ରୋଧରେ ପାଗଳ ହୋଇ କହିଲେ, “ଏବେ ଦେଖିଲେ ତ? ସେ କେତେ ଗର୍ବୀ ଓ ବଦମାସ୍? ଏବେ ବି କ’ଣ ଆପଣ ନିଜ ଧାରଣାରେ ଅଟଳ?” ରମାନାଥ ଶ୍ରୀପତିଙ୍କୁ ଶାନ୍ତ କରାଇବାକୁ ଯାଇ କହିଲେ, “ସମୁଦି, ସେ ତ ଆଉ ଆପଣଙ୍କ ଚାକର ନୁହେଁ ଯେ ଆପଣଙ୍କ ଆଦେଶ ପାଇବା ମାତ୍ରେ ସେ ଆସି ଏଠାରେ ହାଜର୍ ହୋଇଯିବ?”

                ଶ୍ରୀପତି ରାଗରେ ଲାଲ୍ ହୋଇ କହିଲେ “କିନ୍ତୁ ମୋର ସମ୍ମାନ ତ କରିଥାନ୍ତା; ଯେହେତୁ ମୁଁ ଏ ଗ୍ରାମର ଜଣେ ସମ୍ମାନାସ୍ପଦ ବ୍ୟକ୍ତି ।”

                ରମାନାଥ କିଛି ସମୟ ପାଇଁ ଚୁପ୍ ରହିଲେ । ତା’ପରେ ସେ କହିଲେ, “ଯେଉଁମାନଙ୍କର ଆପଣଙ୍କ ସହିତ ଦେବାନେବା ସମ୍ପର୍କ ଅଛି ସେମାନଙ୍କୁ ନ ଡାକିଲେ ମଧ୍ୟ ସେମାନେ ଆପଣଙ୍କ ସାମନାରେ ହାତ ଯୋଡି ଠିଆ ହେବେ । କିନ୍ତୁ ସୁଧର୍ମର ଆପଣଙ୍କ ସହିତ କ’ଣ ସମ୍ପର୍କ?”

                ଶ୍ରୀପତି ଚୁପ୍ ରହିଲେ; କିନ୍ତୁ ରମାନାଥଙ୍କ କଥାକୁ ସେ ଆଦୌ ବିଶ୍ୱାସ କଲେନାହିଁ । ତେଣୁ ରମାନାଥ ବାଧ୍ୟ ହୋଇ କହିଲେ, “ସମୁଦି, ମୁଁ ଏକଥା ଏବେହିଁ ପ୍ରମାଣିତ କରିବି କି ସୁଧର୍ମର ଆତ୍ମସମ୍ମାନବୋଧ ଅଛି କିନ୍ତୁ ତା’ର ଗର୍ବ ଯମାରୁ ନାହିଁ ।” ତା’ପରେ ସେ ଚାକରକୁ ଡାକି କହିଲେ, “ତୁ ପୁଣି ଯାଇ ସୁଧର୍ମକୁ କହ ତୁମ ମାଲିକଙ୍କର ତା’ ସହିତ କିଛି ଜରୁରୀ କାମ ଅଛି; କିନ୍ତୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏଠାକୁ ଚାହିଁଲେ ବି ଆସିପାରୁ ନାହାଁନ୍ତି ।”

                ଶ୍ରୀପତିଙ୍କ ଅସୁସ୍ଥତାର ଖବର ପାଇବା ମାତ୍ରେହିଁ ସୁଧର୍ମ ତୁରନ୍ତ ସେଠାକୁ ଆସିଲା ତା’ପରେ ସେ ଶ୍ରୀପତିଙ୍କୁ ନମସ୍କାର କରି ପଚାରିଲା, “ମୁଁ କ’ଣ ଶୁଣିଲି ଆପଣ ଅସୁସ୍ଥ; ଏବେ କିପରି ଅଛନ୍ତି?”

                ଶ୍ରୀପତି ହସି ହସି କହିଲେ, “ମୋର ଦେହ କାହିଁକି ଅସୁସ୍ଥ ହୁଅନ୍ତା? ମୋ ସମୁଦି ତୁମ ସହିତ ଦେଖା କରିବାକୁ ଚାହୁଁଥିଲେ ।”

                ସୁଧର୍ମ ଏବେ ରମାନାଥଙ୍କୁ ନମସ୍କାର କଲା । ରମାନାଥ ତା’ର ଟଙ୍କାପଇସା କଥା ବୁଝାଇ ଦେଲେ ଓ ଯାହାକିଛିବି ଦେବାର ଥିଲା ତାହା ମଧ୍ୟ ସେ ଦେଲେ । ତା’ପରେ ସେ ଖୁସି ହୋଇ ଦୁହିଁଙ୍କୁ ନମସ୍କାର କରି ସେଠାରୁ ଚାଲିଗଲା ।

                ସେ ଯିବା ପରେ ରମାନାଥ ଶ୍ରୀପତିଙ୍କୁ କହିଲେ, “ଏବେ ତ ଆପଣ ନିଶ୍ଚୟ ବିଶ୍ୱାସ କରିବେ ଯେ ସୁଧର୍ମର ଆଦୌ ଟିକିଏବି ଗର୍ବ ନାହିଁ, ବରଂ ତା’ର ଆତ୍ମସମ୍ମାନବୋଧ ଅଛି । ଗର୍ବୀ ହୋଇଥିଲେ ତ ସେ ଏଥର ମଧ୍ୟ ଆସି ନଥା’ନ୍ତା । ଆପଣ ଅସୁସ୍ଥ ଅଛନ୍ତି ଶୁଣି ସେ ଦୌଡି ଆସିଛି ।”

                ଏବେ ଶ୍ରୀପତିଙ୍କ ଆଖି ଖୋଲିଗଲା । ସେ ରମାନାଥଙ୍କ କଥା ଠିକ୍ ଭାବେ ବୁଝିପାରି କହିଲେ, “ମନୁଷ୍ୟର ସ୍ୱଭାବ ବୁଝିବା ବଡ କଷ୍ଟ । ସୁଧର୍ମ ଏକ ସତ୍ ଓ ବିବେକବାନ୍ ବ୍ୟକ୍ତି ବୋଲି ମୁଁ ଏପର୍ଯ୍ୟନ୍ତ ଜାଣି ନଥିଲି । ମୁଁ ତ ଏପର୍ଯ୍ୟନ୍ତ ତାକୁ ଖାଲି ଗର୍ବୀ ବୋଲିହିଁ ଭାବିଥିଲି । ସେଇଟା ମୋର ବହୁତ ବଡ ଭୁଲ୍ ଥିଲା । ଏବେ ଜାଣିଲି ମଣିଷ ଗରୀବ ହେଲେ ମଧ୍ୟ କାହା ପାଖରେ ହାତ ନ ପତାଇଲେହିଁ ଜଣାଯିବ ଯେ ତା’ର ଆତ୍ମସମ୍ମାନବୋଧ ରହିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ