ଉପକାରୀ ଇଗଲ୍

                ସଂଧ୍ୟା ହୋଇ ଯିବାମାତ୍ରେ ସେ ଝିଅଟିର ବୁଢାଅଜା ଏ ଯୁବକଟିକୁ ଦେଖିବା ପାଇଁ ଖବର ପଠାଇଲା । ତେଣୁ ଏ ଯୁବକଟି ଯାଇ ବୁଢା ରହୁଥିବା କୋଠରିରେ ପହଁଚିଲା । ବୁଢା ରହୁଥିବା କୋଠରିକୁ ଯାଇ ସେ ଯୁବକଟି ଯାହା ଦେଖିଲା ସେଥିରେ ସେ ଖୁବ୍ ଭୟଭୀତ ହୋଇପଡିଲା । ବୁଢାକୋଠରିରେ ବାରଟି ତୀକ୍ଷ୍ଣ ବର୍ଚ୍ଛା ଥୁଆ ହୋଇଛି ଏବଂ ଏଗାରଟି ବର୍ଚ୍ଛାରେ ଗୋଟିଏ ଲେଖାଁ କଟା ମଣିଷ ମୁଣ୍ଡ ଲାଗିଛି । ଗୋଟିଏ ମାତ୍ର ବର୍ଚ୍ଛା ଖାଲି ଥୁଆ ହୋଇଛି ।

                ଯୁବକକୁ ଦେଖି ବୁଢା କହିଲା ‘ମୁଁ ତୁମକୁ କାହିଁକି ଡକାଇଛି ଜାଣ?’ ତହୁଁ ସେ ଯୁବକଟି ଉତ୍ତର ଦେଲା ‘ନାଁ, ଆପଣ କାହିଁକି ଡାକିଛନ୍ତି ମୁଁ ତ ତାହା ଜାଣିନାହିଁ ।’

                ବୁଢାଟି କହିଲା ‘ଆସନ୍ତାକାଲି ସକାଳୁ ତୁମେ ମୋପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିଦେବ ନଚେତ୍ ଏ ଯେଉଁ ଖାଲି ବର୍ଚ୍ଛା ଦେଖୁଛ ସେଥିରେ ତୁମର କଟାମୁଣ୍ଡ ଝୁଲିବ ।’ବୁଢାଠାରୁ ଏକଥା ଶୁଣି ଯୁବକଟି ଆସି ଝିଅ ପାଖରେ ମନଦୁଃଖରେ ଏହା କହିଲା । ସବୁଶୁଣି ଝିଅଟି ହସିହସି କହିଲା ‘ଏଥିରେ ତ ବ୍ୟସ୍ତହେବାର କିଛି ବି ନାହିଁ । କାଲି ସକାଳୁ ଦେଖିବ ଗୋଟିଏ ସୁନ୍ଦର ପ୍ରାସାଦ ତିଆରି ହୋଇ ସାରିଥିବ ।’

                ଯୁବକଟି ଝିଅଠାରୁ ଏକଥା ଶୁଣି ଆନନ୍ଦରେ ଖାଇ ପିଇ ରାତିରେ ଶୋଇଲା । ସକାଳୁ ଉଠି ଯୁବକଟି ଦେଖିଲା ବେଳକୁ ଗୋଟିଏ ସୁନ୍ଦର ପ୍ରାସାଦ ତିଆରି ହୋଇ ସାରିଛି । ଯୁବକଟି ବୁଢା ପାଖକୁ ଯାଇ ଏ ସମ୍ବାଦ ଦେବାମାତ୍ରେ ବୁଢା ସେ ପ୍ରାସାଦଟିକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ।

                ବୁଢା ଏ ଯୁବକର ଆଶ୍ଚର୍ଯ୍ୟ ଗୁଣ ଦେଖି ଛଳନା କରି କହିଲା ଇରେ ବାପ, ମୁଁ ତୋ ବୁଦ୍ଧିକୁ ଖୁବ୍ ପ୍ରଶଂସା କରୁଛି । ତୁ ମୋର ଆଉ ଗୋଟିଏ କାମ କରିଦେ । ମୋର ଗୋଟିଏ ଦୁଷ୍ଟ ଘୋଡା ଅଛି, ଆଜିକୁ ପ୍ରାୟ ସାତବର୍ଷ ହେବ କେହି ହେଲେ ବି ତାକୁ ଶାସନ କରି ପାରୁନାହାଁନ୍ତି ତୁ ତାକୁ ଟିକିଏ ଶାସନ କରିଦେ ।’

                ଯୁବକଟି ବୁଢାର ଏକଥା ଶୁଣି ମନେମନେ ଭାବିଲା ଯେ ଘୋଡାଟିକୁ ଶାସନ କରିବା କଥାଟା ସେତେ କଷ୍ଟ ନୁହେଁ । ଏକଥା ଭାବି ସେ ପୁଣି ଝିଅଟି ପାଖକୁ ଫେରି ଆସି ସବୁକଥା କହିଲା ।

                ଝିଅଟି ଯୁବକର ଏକଥା ଶୁଣି କହିଲା ‘ତୁମେ ସେ ଘୋଡାଟିକୁ ଶାସନ କରିବା ଯେତେ ସହଜ ଭାବୁଛ ତାହା ସେତେ ସହଜ ନୁହେଁ । ବୁଢା ଯେଉଁ ଘୋଡା କଥା କହୁଛି ତାହା ପ୍ରକୃତରେ ଏକ ଘୋଡା ନୁହଁ । ବୁଢାଟି ନିଜେ ଘୋଡା ରୂପ ଧରି ତୁମକୁ ପରୀକ୍ଷା କରିବ । ହେଲେ ତୁମେ ଏ ବିଷୟରେ ବ୍ୟସ୍ତ ହେବାର କିଛି ବି ନାହିଁ, ତୁମେ ବଣକୁ ଯାଇ ଓକ୍ ଗଛର କିଛି ବଳ୍କଳ ଆଣ ।’

ଯୁବକଟି ଝିଅର କଥା ଅନୁସାରେ ବଣକୁ ଯାଇ ଓକ୍ ଗଛର କିଛି ବଳ୍କଳ ଆଣି ଦେଲା । ଝିଅଟି ସେ ଗଛର ବଳ୍କଳରେ ଗୋଟିଏ ଲଗାମ ଓ ଗୋଟିଏ ଚାବୁକ୍ ତିଆରି କରିଦେଲା ଓ ଲଗାମ ଚାବୁକକୁ ନେଇ ବୁଢା ପାଖକୁ ଯିବାକୁ କହିଲା ।

ତା ପରଦିନ ସକାଳୁ ଯୁବକଟି ପଡିଆକୁ ଯାଇ ଦେଖିଲା ବେଳକୁ ଘୋଡାଟିଏ ପଡିଆରେ ଠିଆ ହୋଇ ନାଚିକୁଦି ହେଉଛି । ଯୁବକଟି ଯେମିତି ତା ପାଖକୁ ଯାଇଛି ଘୋଡାଟି ନାତମାରି ତାକୁ ଆଘାତ କରିବାକୁ ଉଦ୍ୟମ କଲାମାତ୍ରେ ଯୁବକଟି ଓକ୍ ଗଛର ଛେଲିରେ ତିଆରି ହୋଇଥିବା ଚାବୁକ୍ରେ ଯେମିତି ତାକୁ ଗୋଟାଏ ଶକ୍ତ ପାହାର ଦେଇଛି ଘୋଡାଟି ତଳେ ପଡିଗଲା ଓ ଏହି ସମୟରେ ଯୁବକଟି ଡିଆଁ ମାରି ତା ପିଠି ଉପରେ ବସି ପଡିଲା । ଘୋଡାଟି ତଳୁ ଉଠି ବିଜୁଳି ବେଗରେ ଦୌଡିବାକୁ ଲାଗିଲା ଓ କିଛି ସମୟ ଦୌଡିବା ପରେ ସେ ଘୋଡାଟି ଅତ୍ୟନ୍ତ କ୍ଳାନ୍ତ ହୋଇ ତଳେପଡିଗଲା ଓ ଆଉ ଉଠି ପାରିଲା ନାହିଁ । ଘୋଡାଟିକୁ ଶାସନ କରି ପାରିଥିବାରୁ ଯୁବକଟି ଏକଥା ଯାଇ ସେ ବୁଢାକୁ ସମ୍ବାଦ ଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ