(ଜୟବର୍ମା, ଜୟସେନ ଦେଇଥିବା ପିତାଙ୍କର ପତ୍ର ପଢିଲେ । ସେହି ପତ୍ରରେ ସେ ଅଦ୍ଭୁତ ହାର ବିଷୟରେ ଲେଖିଥିବା ବିବରଣୀ ପଢିଲେ । କିନ୍ତୁ ସେହି ବିବରଣୀ ଗୁଢାର୍ଥ ପୂର୍ଣ୍ଣ ଥିଲା । ସେଥିରେ ସବୁକିଛି ସାଙ୍କେତିକ ଭାଷାରେ ଦିଆଯାଇଥିଲା । ତେଣୁ ଜୟବର୍ମା ସେସବୁ କିଛି ବୁଝିପାରିଲେ ନାହିଁ । ଏହିପରି ପାଂଚପିଢି ବିତିଗଲା । କିନ୍ତୁ ତା’ର ଅର୍ଥ କେହିବି ବୁଝିଲେ ନାହିଁ । ଏବେ ବର୍ତ୍ତମାନର ରାଜା ସୁଷେଣ ଚାହୁଁଥିଲେକି ଏହି ହାର ତାଙ୍କ ପୁତ୍ର କୀର୍ତ୍ତିସିଂହଙ୍କୁ ମିଳୁ । ସେଥିପାଇଁ ସେ ବୁଦ୍ଧିମତୀ ଶକ୍ତିସେନାଙ୍କୁ ସେହି କାର୍ଯ୍ୟରେ ନିଯୁକ୍ତ କଲେ । ଠିକ୍ ସେତିକିବେଳେ କାମ୍ବୋଜ ରାଜା ଗରୁଡଦତ, ନଗଦେଶର ରାଜା ନାଗକର୍ଣ୍ଣ, ତଥା ଚାକ୍ୟ ଦେଶର ରାଜା କୁଣ୍ଡିନ ବର୍ମା ମିଶି ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କଲେ । ସେମାନଙ୍କର ଲକ୍ଷ୍ୟ ଥିଲା ହାର ପାଇବେ, ରାଜା ଓ ଯୁବରାଜଙ୍କୁ ବନ୍ଦୀ କରିବେ ତଥା କୋଶଳ ରାଜ୍ୟ ଜୟ କରିବେ । ପ୍ରଥମ କାର୍ଯ୍ୟ ହେଲା ଗୁରୁକୁଳରୁ ଫେରୁଥିବା କୀର୍ତ୍ତିସିଂହଙ୍କୁ ବନ୍ଦୀ କରିବେ ।)
ଶକ୍ତିସେନା କୋଶଳ ରାଜ୍ୟରୁ ବାହାରି ପଡିଲେ । ଏଣେ ଗରୁଡଦତ ଓ ତାଙ୍କର ମିତ୍ର ସେମାନଙ୍କର ତିନି ସୈନିକଙ୍କୁ ଧରି ବାହାରି ପଡିଲେ । ବିଚରା କୀର୍ତ୍ତିସିଂହଙ୍କର ତ ଏ ବିଷୟରେ କୌଣସି ଧାରଣା ନଥିଲା । ସେ ବିଦ୍ୟାଶିକ୍ଷା ସମାପ୍ତ କରି ଘରକୁ ଫେରୁଥିବାରୁ ଅତି ଆନନ୍ଦରେ ଘୋଡା ଉପରେ ବସି ଚାଲିଥା’ନ୍ତି । କୃଷ୍ଣାଷ୍ଟମୀ ଦିନ ସେ ତାଙ୍କ ଗୁରୁଙ୍କର ଆଶୀର୍ବାଦ ନେଇ, ସାଙ୍ଗସାଥୀଙ୍କଠାରୁ ବିଦାୟ ନେଇ ଘୋଡାରେ ବସି ଘରକୁ ଫେରିଲେ ।
ଦ୍ୱିପ୍ରହର ମଧ୍ୟରେ ସେ ଗୋଟିଏ ପର୍ବତର ପାଦ ଦେଶରେ ଯାଇ ପହଁଚିଲେ । ସେହିଠାରୁ ଉତ୍ତର ଦିଗକୁ ଗଲେ ସେ କୋଶଳ ଦେଶରେ ଯାଇ ପହଁଚିବେ । ପୂର୍ବ ପଟରେ କାଳୀମନ୍ଦିର । ଅନ୍ୟପଟରେ କାମ୍ବୋଜ ରାଜ୍ୟ । ଘୋଡା ଖୁବ୍ ଜୋର୍ରେ ଦୌଡୁଥିଲା, ତା’ପରେ ହଠାତ୍ ରାସ୍ତା ମଝିରେ ଅଟକି ଯାଇ ସେ ଆଉ ଅଧିକ ଅଗ୍ରସର ହେଲା ନାହିଁ । ଘୋଡାଟିର ଗୋଟିଏ ଦିନ ଏକାଦିକ୍ରମେ ଦୌଡିବାର କ୍ଷମତା ଅଛି । କିନ୍ତୁ ଆଜି ଏ କ’ଣ ହେଲା? ସେ ମଧ୍ୟ ଘୋଡାରୁ ଓହ୍ଲାଇ ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ; ହୁଏତ କୌଣସି ଭୟଙ୍କର ଜନ୍ତୁ ଆସିବାର ସେ ଜାଣିଲା । କିନ୍ତୁ ସେପରି କିଛି ସେ ଦେଖିବାକୁ ପାଇଲେ ନାହିଁ । ତାଙ୍କର ମନେହେଲା ଯେପରି କେହି ତାଙ୍କର ପିଛା କରୁଛି ଓ ତାଙ୍କର କ୍ଷତି କରିବାକୁ ଚାହେଁ । ତା’ପରେ ସେ ତାଙ୍କ ଘୋଡାକୁ କହିଲେ, “ଭୟ କରନା, କେହି କିଛି ହେଲେ କରିପାରିବ ନାହିଁ । ତୁ ମୋ ପଛେ ପଛେ ଆସ୍; କିଛି ବାଟ ଚାଲି ଚାଲି ଯିବା, ତୁ ବୋଧହୁଏ କ୍ଳାନ୍ତ, ବିଶ୍ରାମ ମଧ୍ୟ ହୋଇ ଯିବ ।” କୀର୍ତ୍ତିସିଂହ ତରବାରୀ କାଢି ହାତରେ ଧରିଲେ ଓ ଚତୁର୍ଦ୍ଦିଗରେ ଦୃଷ୍ଟିପାତ କରି କରି ଧୀରେ ଧୀରେ ଅଗ୍ରସର ହେଲେ । ଘୋଡାଟି ତାଙ୍କୁ ଅନୁସରଣ କଲା । ହଠାତ୍ ତାଙ୍କୁ ଲାଗିଲା ତାଙ୍କ ମଥାକୁ କିଛି ସ୍ପର୍ଶ କଲା । ତେଣୁ ସେ ହଠାତ୍ ଡେଇଁପଡି ଦେଖିଲେ ଏକ ବିରାଟ କଳା ଜାଲ ତାଙ୍କ ମଥା ଉପରେ ପଡିବାକୁ ଯାଉଥିଲା । ବିଚରା ଘୋଡା ତ ବୁଝିପାରିଲା ନାହିଁ । ତେଣୁ ସେ ହିଁ ଜାଲରେ ଧରା ପଡିଲା ।
କୀର୍ତ୍ତିସିଂହ ଅଂଟାରୁ ଛୁରୀ କାଢି ଉପରକୁ ଫିଙ୍ଗିବାକୁ ଯାଉଥିଲେ, କିନ୍ତୁ ଦେଖିଲେ ସେହି ଗଛ ଉପରେ ତୀରବର୍ଷଣ ହେଲା ଓ ତୀରବିଦ୍ଧ ତିନିଜଣ ଲୋକ ଗଛରୁ ତଳକୁ ଖସି ପଡିଲେ ଓ ଛଟପଟ ହୋଇ ମରିଗଲେ । ଏ ସବୁକିଛି ବହୁ କମ୍ ସମୟ ମଧ୍ୟରେ ଘଟିଗଲା ।
ସେ ହାତରେ ତରବାରୀ ଧରି ପଚାରିଲେ “ଗଛ ପଛପଟେ କିଏ ଅଛ?”
ଗଛ ପଛରୁ ଏକ ଯୁବକ ବାହାରି ଆସି ତାଙ୍କୁ ନମସ୍କାର କଲା । କୀର୍ତ୍ତିସିଂହ ପଚାରିଲେ, “ତୁମେ କିଏ? ପୁଣି ଏହି ମୃତ ଲୋକମାନେ ବା କିଏ?”
ଯୁବକଟି ବିନୟ ଭାବରେ କହିଲା, “ମୁଁ ଜାଣେ ନାହିଁ, ଏମାନେ କିଏ । କିନ୍ତୁ ଏତିକି ଜାଣିଛି ଯେ ସେମାନେ ଆପଣଙ୍କୁ ହତ୍ୟା କରିବାକୁ ବା ବନ୍ଦୀ କରି ନେଇଯିବାକୁ ଚେଷ୍ଟା କରୁଥିଲେ । ଏବେ ସେମାନଙ୍କ ପୋଷାକପତ୍ରରୁ କୌଣସି ଜିନିଷ ବା ଚିହ୍ନ ଦେଖିଲେ ଜଣାଯିବ ସେମାନେ କିଏ ଏବଂ କେଉଁଠୁ ଆସିଛନ୍ତି?”
କୀର୍ତ୍ତିସିଂହ କିଛି ଉତ୍ତର ନ ଦେଇ ଘୋଡାକୁ ଜାଲରୁ ଉଦ୍ଧାର କଲେ ଓ ମୃତ ଲୋକଙ୍କୁ ଗଭୀର ଭାବେ ନିରୀକ୍ଷଣ କରି ଦେଖିଲେ ଯଦି ସେମାନଙ୍କ ବିଷୟରେ କିଛି ତଥ୍ୟ ମିଳେ । ସେହି ସମୟରେ ଯୁବକଟି ହାତରେ ତରବାରୀ ଧରି ଯୁବରାଜଙ୍କ ପାଖରେ ଠିଆ ହୋଇ ତାଙ୍କୁ ଜଗି ରହିଲା, ସେ ଭାବୁଥିଲା ଯୁବରାଜଙ୍କ ଉପରେ ହୁଏତ ଆହୁରି ଅଧିକ କିଛି ବିପଦ ପଡିପାରେ । ବହୁତ ସମୟ ମୃତ ଲୋକଙ୍କ ଲୁଗାପଟା ଖୋଜିବାପରେ ଜଣାଗଲା ଯେ ସେ ତିନିଜଣ ସୈନିକ ଭିନ୍ନ ଭିନ୍ନ ରାଜ୍ୟରୁ ଆସିଛନ୍ତି । ଜଣେ ସୈନିକ କାମ୍ବୋଜ, ଅନ୍ୟ ଜଣେ ଚାକ୍ୟ ରାଜ୍ୟରୁ ଓ ତୃତୀୟ ସୈନିକ ନଗ ଦେଶରୁ ଆସିଛନ୍ତି । ପୂର୍ବରୁ ସେ ଜାଣିଥିଲେ ଯେ କୋଶଳ ଓ କାମ୍ବୋଜ ମଧ୍ୟରେ ବହୁଦିନର ଶତୃତା ଅଛି । ତେଣୁ ଏବେ ସେ ଜାଣିପାରିଲେ ଯେ ତିନିରାଜ୍ୟ ଏକାଠି ହୋଇଯାଇ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଛନ୍ତି । ଏଥର ସେ ଯୁବକଟି ଆଡକୁ ଚାହିଁ ପଚାରିଲେ, “ଏବେ କୁହ, ତୁମେ କିଏ? ଅଚାନକ ତୁମେ କେଉଁଠୁ ଆସି ମୋତେ ଏ ବିପଦରୁ ଉଦ୍ଧାର କଲ? ପୁଣି କିପରି ବା ଏମାନଙ୍କ ଷଡଯନ୍ତ୍ର ବିଷୟ ଜାଣି ପାରିଲ?”