କୃଷ୍ଣାବତାର

ଏକଥା ଯେତେବେଳେ ନନ୍ଦ ଓ ଯଶୋଦା ଶୁଣିଲେ, ସେମାନେ କହିଲେ, “ନା, ତାହା ସମ୍ଭବପର ନୁହେଁ । ବାରମ୍ବାର ଭିଟାମାଟି ପରିବର୍ତ୍ତନ କରିବା ଉଚିତ୍ ନୁହେଁ । ରୋଗ ବ୍ୟାଧି ଯାହା ହେଉ, ଯେଉଁ ପ୍ରକାର ବିପଦ ଆସୁ ପଛେ, ଏହି ସ୍ଥାନରେ ରହି ତା’ର ମୁକାବିଲା କରିବାକୁ ପଡିବ । ତା’ଛଡା ଆମ ରୋଗର କାରଣ ମାଟିରେ ନଥାଇ ଅନ୍ୟ କେଉଁଥିରେ ବି ତ ଥାଇ ପାରେ । ସେ ଦିଗରେ ପ୍ରଥମେ ଯଥେଷ୍ଟ ଅନୁସନ୍ଧାନ ହେବା ଆବଶ୍ୟକ ।”

ନନ୍ଦଙ୍କର ଏ ବାଣୀ ଜଣେ ଜ୍ଞାନୀ ଲୋକର ବକ୍ତବ୍ୟ ବୋଲି କୃଷ୍ଣ ବଳରାମ ବୁଝିଲେ ଓ ଏହା ଉପରେ କଥା କହିଲେ ନାହିଁ । ତେବେ ଏହାପରେ ନନ୍ଦରାଜା ନିଜେ ଏ ସମସ୍ୟା ଉପରେ ବିଶେଷ ଧ୍ୟାନ ଦେଲେ । କୃଷ୍ଣ ବଳରାମ ମଧ୍ୟ ତାହାହିଁ ଚାହୁଁଥିଲେ । ମାତା ଯଶୋଦାଙ୍କ ପିତୃ ରାଜ୍ୟରେ ଜଣେ ଶିବଭକ୍ତ ପୂଜକ ଥିଲେ । ସେ ପୂଜକ ଥରେ ଥରେ ଆବିଷ୍ଟ ଭାବରେ ଅନେକ ଅଜଣା ରହସ୍ୟ ପ୍ରକଟ କରିପାରୁଥିଲେ । ଯଶୋଦାଙ୍କ ପରାମର୍ଶ କ୍ରମେ ତାଙ୍କୁ ନିମନ୍ତ୍ରଣ କରାଗଲା ।

ଶିବଭକ୍ତ ପୂଜକ ଆସି କିଛି ସମୟ ପୂଜା ଓ ମନ୍ତ୍ରପାଠ କରି ଧ୍ୟାନରେ ବସିଲେ । ତା’ପରେ ତାଙ୍କ ଶରୀର କର୍ମମାନ ହେବାର ଦେଖାଗଲା । ସେ ଆବିଷ୍ଟ ଭାବରେ ଉଠି ନୃତ୍ୟ କଲେ ଓ ତା’ପରେ କହିଲେ, “ଶୁଣ ସମସ୍ତେ, ଯମୁନା ତଟରେ ଗୋଟିଏ ବିଶାଳ ଅଚିହ୍ନା ବୃକ୍ଷ ଦେଖିବାକୁ ପାଇବ । ସେ ବୃକ୍ଷ ବା ତା’ର ଫଳ ତମେମାନେ କେହି କେବେ ବି ଦେଖି ନଥିବ । ସେ ଗଛକୁ ବେଷ୍ଟନ କରି ରହିଛି ଏକ ପ୍ରକାର ଘାସ, ଯାହା ଉପରେ ଚାଲିଲା ମାତ୍ରେ ମଣିଷ ନିର୍ଜୀବ ହୋଇଯିବ । ବାସ୍ତବରେ ସେ ବୃକ୍ଷ କାଳକଳି ନାମକ ରାକ୍ଷସ । ଆଉ ସେ ଘାସମାନେ ତାହାରି ଅନୁଚର । ଯେତେବେଳେ ପବନ ସେ ବିଷବୃକ୍ଷ ଉପରେ ସଂଚରଣ କରିସାରି ଏ ଜନପଦ ଭିତରେ ଆସି ପହଁଚୁଛି ଓ ତମେମାନେ ଓ ଗୋରୁଗାଈମାନେ ସେ ପବନକୁ ନିଃଶ୍ୱାସରେ ଗ୍ରହଣ କରୁଛ, ସେତେବେଳେ ଅସୁସ୍ଥ ହେଉଛ । ସେ ବିଷବୃକ୍ଷ ଉତ୍ପାଟନ କରି ତାକୁ ଭସ୍ମିଭୂତ ନକଲା ଯାଏଁ ରୋଗବ୍ୟାଧିରୁ ମୁକ୍ତି ମିଳିବ ନାହିଁ ।”

ବର୍ତ୍ତମାନ ଜନପଦ ଭିତରେ କାହିଁକି ରୋଗବ୍ୟାଧି ବ୍ୟାପୁଛି, ସେକଥା ମଧ୍ୟ ସ୍ପଷ୍ଟ ହୋଇଗଲା । ଲୋକମାନେ ଏକଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ନାନା ପ୍ରକାର ବିପଦ ଅଙ୍ଗେ ନିଭେଇଥିଲେ ସତ, କିନ୍ତୁ ରାକ୍ଷସଟାଏ ଓ ତା’ର ଅନୁଚରମାନେ ଏଭଳି ଅଦ୍ଭୁତ ଉପାୟରେ ବୃକ୍ଷ ରୂପରେ ଜନ୍ମ ନେଇ ସେମାନଙ୍କୁ ଯେ କଲବଲ କରିବେ, ଏକଥା ସେମାନେ କେବେବି କଳ୍ପନା ସୁଦ୍ଧା କରି ନଥିଲେ । ଆବିଷ୍ଟ ଭାବରେ ସେ ଶିବଭକ୍ତ ଏକଥା ପ୍ରକଟ କରି ନଥିଲେ କେହି କୌଣସି ମତେ ଏହା ଭାବିପାରି ନଥାନ୍ତା ।

ବର୍ତ୍ତମାନ ବୃକ୍ଷ ରୂପୀ ସେ ରାକ୍ଷସର ବିନାଶ ସାଧନ ହେବ କିପରି, ଏହାହିଁ ହେଲା ସେମାନଙ୍କର ଚିନ୍ତାର ବିଷୟ । ସେମାନେ କୌଣସି ମତେ ଏହାର ଉପାୟ ସ୍ଥିର କରି ପାରିଲେ ନାହିଁ । ଖାଲି ପରସ୍ପର ଆଲୋଚନା କରିବାରେ ଲାଗିଲେ ।

ଏପରି କି ନନ୍ଦ ରାଜା ମଧ୍ୟ କିପରି କ’ଣ କରାଯିବ, ସେକଥା ହଠାତ୍ ନିରୂପଣ କରି ପାରିଲେ ନାହିଁ । କିନ୍ତୁ କୃଷ୍ଣ ବଳରାମ ସେ ଦିଗରେ କ’ଣ କରିବେ, ତାହା ସଙ୍ଗେ ସଙ୍ଗେ ସ୍ଥିର କରି ସାରିଥିଲେ । କୃଷ୍ଣ ବଳରାମ ଗୋପବାଳକ ତଥା କେତେଜଣ ବଳବାନ ଲୋକଙ୍କୁ ଧରି ସେ ବିଷବୃକ୍ଷର ସନ୍ଧାନରେ ବାହାରିଲେ । ଯମୁନା କୂଳରେ ଗୋଟିଏ ଅଂଚଳରେ ଗହନ ବନ ଥିଲା । ସାଧାରଣତଃ ଲୋକେ ସେ ବନ ଭିତରେ ପ୍ରବେଶ କରୁ ନଥିଲେ । କାରଣ ତହିଁ ଭିତରେ ମାରାତ୍ମକ ଜୀବଜନ୍ତୁ ରହିଥିଲେ । କୃଷ୍ଣ ବଳରାମ ତାଙ୍କ ଦଳକୁ ନେଇ ବର୍ତ୍ତମାନ ସେହି ବନ ଭିତରେ ପ୍ରବେଶ କଲେ । ପ୍ରଥମେ ପ୍ରଥମେ ବନ ଭିତର ଦେଇ ଅଗ୍ରସର ହେବା କାଠିକାର ହେଲା । ତା’ପରେ ଦେଖାଗଲା, ତାହା ସେତେ ଗହନ ନୁହେଁ । ବନ୍ୟ ଜନ୍ତୁମାନେ ମଣିଷର ପାଦଶବ୍ଦ ଓ କଣ୍ଠସ୍ୱର ଶୁଣି ଦୂରକୁ ଦୁରକୁ ପଳାଇ ଯାଉଥାନ୍ତି, ଏକଥା ଜଣାପଡି ଯାଉଥାଏ । କେହି କେହି ଗୋପବାଳକ ଥରେ ଥରେ ଡରି ଯାଉଥାନ୍ତି, କିନ୍ତୁ କୃଷ୍ଣ ବଳରାମ ଆଗେ ଆଗେ ଚାଲିଥିବାରୁ ସେମାନେ ସାହସ ସହକାରେ ଚାଲିଥାନ୍ତି । ସେ ବିଷବୃକ୍ଷକୁ ଆବିଷ୍କାର କରିବାକୁ ବିଶେଷ କଷ୍ଟ ହେଲା ନାହିଁ । କାରଣ ସେ ବୃକ୍ଷ ଦେହରୁ ଏକ ପ୍ରକାର ଭୀଷଣ ଗନ୍ଧ ବାହାରୁଥିଲା । ଯେମିତିକି ସେଥିରେ ଜଣେ ସାଧାରଣ ଲୋକ ତା’ ଚେତା ହରାଇବ । କିନ୍ତୁ ସେ ବାଳକଦଳ ଅସାଧାରଣ ସାହସୀ ଥିଲେ । ସେମାନେ ପ୍ରଥମେ ବୃକ୍ଷକୁ ଘେରି ରହିଥିବା ଘାସମାନଙ୍କୁ କାଟି କାଟି ରାସ୍ତା ତିଆରି କରି ଅଗ୍ରସର ହେଲେ । ହଠାତ୍ ସେମାନଙ୍କ ଆଗରେ ଦେଖାଗଲା ଆଉ ଗୋଟାଏ ନୂଆ ଅସୁବିଧା । କାହୁଁ କେଜାଣି ଦଳେ ଗୋରୁ ଆସି ସେ ଗଛକୁ ଘେରି ଗଲେ । ସେମାନଙ୍କୁ ନ ମାରିଲେ ଗଛ ପାଖକୁ ଯିବା ତ ଆଦୌ ସହଜ ନୁହେଁ, କିନ୍ତୁ ଗୋହତ୍ୟା କରିବାକୁ ସେମାନେ ସେତେବେଳେ ପ୍ରସ୍ତୁତ ନଥିଲେ । ଯାହାହେଉ, କୃଷ୍ଣ ବଳରାମ ସେ ଗୋରୁମାନଙ୍କର ବାଧାଦାନ ସତ୍ତ୍ୱେ ସେମାନଙ୍କ ଭିତର ଦେଇ ଅଗ୍ରସର ହୋଇ ବିଷବୃକ୍ଷରେ ଦୁଇ ଚୋଟ ପକାଇଲେ । ସଙ୍ଗେ ସଙ୍ଗେ କେତୋଟି ଗୋରୁ ରାକ୍ଷସରେ ପରିଣତ ହୋଇ ତଳେ ପଡିଗଲେ । ବର୍ତ୍ତମାନ ବୁଝାଗଲା ଯେ ସେମାନେ ବାସ୍ତବିକ ଗୋରୁ ନୁହଁନ୍ତି, ଗୋରୁ ରୂପୀ ରାକ୍ଷସ । ଅତଏବ ଗୋପବାଳକମାନେ ସେମାନଙ୍କୁ ତଡିଲେ । ସେମାନେ ମଧ୍ୟ ନିଜ ନିଜ ରୂପ ଧାରଣ କରି ତଳେ ପଡିଯାଉଥାନ୍ତି । ଏଣେ କୃଷ୍ଣ ବଳରାମ ବିଷବୃକ୍ଷ ଉପରେ ଚୋଟ ପରେ ଚୋଟ ମାରି ଚାଲିଥାନ୍ତି । ସମଗ୍ର ଗଛ କଟା ହୋଇଗଲା । ତହିଁ ଉପରେ ଶୁଖିଲା ପତ୍ରମାନ ଠୁଳ କରି ନିଆଁ ଲଗାଇ ଦିଆଗଲା । ନିଆଁ ଦାଉ ଦାଉ ହୋଇ ଜଳି ଉଠିଲା । ଅଦୂରରେ ଠିଆ ହୋଇ ଗୋପବାଳକମାନେ ସେ ଦୃଶ୍ୟ ଦେଖିଲେ । ନିଆଁ ଲିଭିଯିବା ପରେ ସେମାନେ ଯାଇ ଯମୁନା ଜଳରେ ସ୍ନାନ କଲେ । ସେମାନଙ୍କ ଆନନ୍ଦ ଯେତିକି, ବୃନ୍ଦାବନବାସୀମାନଙ୍କ ଆନନ୍ଦ ବି ସେତିକି । ସେ ରାକ୍ଷସ-ଦମନ ଅଭିଯାନରେ ଯାଇ ବାଳକମାନେ ବହୁତ ହାଲିଆ ହୋଇ ଯାଇଥିଲେ । ତେଣୁ ଗୋପନାରୀମାନେ ସେମାନଙ୍କ ପାଇଁ ଖାଦ୍ୟ ଦ୍ରବ୍ୟ ସବୁ ନଦୀକୂଳକୁହିଁ ନେଇ ଆସିଲେ । ସ୍ନାନ ସାରି ସେମାନେ ସେହିଠାରେ ଭୋଜନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ