କୃଷ୍ଣାବତାର

ଏହାପରେ ବୃନ୍ଦାବନରୁ ଅସୁସ୍ଥତାର ବାତାବରଣ ଚିରଦିନ ଲାଗି ଦୂର ହୋଇଗଲା । ଫଳରେ ବୃନ୍ଦାବନ ଗୋଟିଏ ଆଦର୍ଶ ଓ ସୁନ୍ଦର ବସତିରେ ପରିଣତ ହେଲା ।

ବୃନ୍ଦାବନବାସୀମାନେ ସିନା ସୁଖରେ ରହିଲେ, ହେଲେ ଯଶୋଦାଙ୍କ ପିତୃ ରାଜ୍ୟ ମିଥିଳାର ଏକ ଅଂଚଳରେ ଗୋଟିଏ ସମସ୍ୟା ଦେଖାଦେଲା  । ଯଶୋଦାଙ୍କ ଭାଇ କୁମ୍ଭକ ଜଣେ ବୀର ଓ ମହତ୍ ବ୍ୟକ୍ତି ଥିଲେ । ଯେତେବେଳେ ଦାନବ ତାରକାସୁର ପ୍ରବଳ ହୋଇ ସମସ୍ତଙ୍କର ଭୀଷଣ କ୍ଷତି କରୁଥିଲା, ସେତେବେଳେ ଭଗବାନ ତାକୁ ନିଧନ କରିଥିଲେ । ସେହି ସମୟରେ କୁମ୍ଭକ ତାରକାସୁରର ସାତ ଦୁର୍ଦ୍ଦାନ୍ତ ପୁତ୍ରଙ୍କୁ ବଧ କରିଥିଲେ । ଏହି ସାତ ଦାନବ ସାତଗୋଟି ଷଣ୍ଢ ରୂପେ କୁମ୍ଭକର ଗୋଶାଳାରେ ଜନ୍ମ ନେଇ ସେ ଅଂଚଳରେ ଭୀଷଣ ଉତ୍ପାତ ଆରମ୍ଭ କଲେ । ଲୋକେ ଉପୁଜାଉଥିବା ଶସ୍ୟ କ୍ଷେତ ସବୁ ସେମାନେ ଶୂନ୍ୟ କରିଦେବାକୁ ଲାଗିଲେ । ଖାଲି ସେତିକି ନୁହେଁ, ସେମାନେ ଯାହାକୁ ବି ଦେଖୁଥାନ୍ତି, ତାକୁ ଏଭଳି ପ୍ରଚଣ୍ଡ ଭାବରେ ଆକ୍ରମଣ କରି କ୍ଷତ ବିକ୍ଷତ କରି ଦେଉଥାନ୍ତି ଯେ ସେ ଲୋକ ହୁଏତ ମୃତ୍ୟୁ ବରଣ କରୁଥାଏ, ନହେଲେ ପଙ୍ଗୁ ହୋଇ ଯାଉଥାଏ ।

କେତେଥର କୁମ୍ଭକ ତାଙ୍କର ସହକାରୀମାନଙ୍କୁ ଧରି ଏ ସାତ ଷଣ୍ଢଙ୍କୁ ଦମନ କରିବାକୁ ବାହାରିଲେ, କିନ୍ତୁ ସେମାନଙ୍କୁ ଧରି ପାରିଲେ ନାହିଁ । ସେମାନେ କୌଣସି ସ୍ଥାନରେ ଲୁଚି ରହି ହଠାତ୍ ମଣିଷଙ୍କ ଉପରକୁ ମାଡି ଆସି ସମସ୍ତଙ୍କୁ ରକ୍ତାକ୍ତ କରିଦେଉଥାନ୍ତି, ନହେଲେ ବିଜୁଳି ବେଗରେ ଦୌଡି ପଳାଉଥାନ୍ତି ।

କୁମ୍ଭକ ତ ସେ ଅଂଚଳର ସବୁଠାରୁ ସମ୍ପନ୍ନ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ । ତେଣୁ ଲୋକେ ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ । ଏବେ ତାଙ୍କ ଗୋଶାଳାରୁ ଏଭଳି ବିପଦ ଉପୁଜିବାର ଦେଖି ସେମାନେ କ’ଣ କରିବେ ବୋଲି କିଛି ବି ବୁଝିପାରିଲେ ନାହିଁ । ଯେତେବେଳେ କୌଣସି ମତେ ସେମାନେ ଷଣ୍ଢମାନଙ୍କୁ ଦମନ କରିପାରିଲେ ନାହିଁ, ସେତେବେଳେ ଯାଇ ସେମାନେ ମିଥିଳାର ରାଜାଙ୍କୁ ସେମାନଙ୍କ ବିପଦ କଥା ଜଣାଇଲେ । ସେମାନେ କହିଲେ, “ମହାରାଜ, ଆଶ୍ଚର୍ଯ୍ୟର କଥା ହେଲା, କୁମ୍ଭକ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଶାଳାରେ ଏପରି ଦୁର୍ଦ୍ଦାନ୍ତ ଷଣ୍ଢମାନଙ୍କର ଜନ୍ମ ହୋଇଛି । ଆମ୍ଭେମାନେ ନା କୁମ୍ଭକଙ୍କୁ ଏ ସକାଶେ ଦାୟୀ କରି ପାରୁଛୁଁ, ନା ଷଣ୍ଢଙ୍କ କବଳରୁ ନିସ୍ତାର ପାଇ ପାରୁଛୁଁ । ମହାରାଜ! ଏଭଳି ବିପଦରେ ଆମ ପୂର୍ବପୁରୁଷମାନେ କେବେ ପଡିଥିବାର କାହିଁ ଆମେ ତ ଶୁଣିନାହୁଁ । ଆପଣ ଆମକୁ ଏଥିରୁ ଉଦ୍ଧାର କରନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ