ଗୋବିନ୍ଦଙ୍କ ଇଚ୍ଛା

                ଏହା ଶୁଣି ଗୋବିନ୍ଦ ହସିଦେଇ କହିଲେ, “ମୋତେ ଜଣେ ସାଧୁ ମହାତ୍ମା ଶପଥ କରାଇଛନ୍ତି ଯେ, ଯୋଗ୍ୟ ଜାମାତା ନ ମିଳିବା ଯାଏଁ ଏହି ରହସ୍ୟ ମୁଁ ଆଉ କାହା ଆଗରେ ମଧ୍ୟ ପ୍ରକାଶ କରିବି ନାହିଁ । ଆଉ କିଛି ଦିନ ଅପେକ୍ଷା କର । ବଳେ ସବୁକଥା ଜାଣି ପାରିବ ।”

                ରାଧାକୃଷ୍ଣ ଏଥିରେ ସମ୍ମତି ଜଣାଇ କହିଲେ, “ତେବେ ଠିକ୍ ଅଛି, ତାହା ହିଁ ହେଉ । କିନ୍ତୁ ହଁ, ତୁମେ ତ ଭଲଭାବେ ଜାଣିଥିବ ଯେ, ମୋର ଭଉଣୀ ସୀତାପୁରରେ ବିବାହ କରିଛି । ତା’ର ତୃତୀୟ ପୁତ୍ର ରମେଶ ଜଣେ ଅତି ଉତ୍ତମ ଯୁବକ । ମୋର କାହିଁ ମନେହେଉଛି ତୁମର ଜାମାତା ହେବାର ସମସ୍ତ ଯୋଗ୍ୟତା ତା’ନିକଟରେ ଅଛି । ତା’କୁ ଭୋଜନ ନିମନ୍ତେ ଡାକିବ କି ନାହିଁ, ସେକଥା ତୁମେ ସ୍ଥିର କରିବ ।”

                ଗୋବିନ୍ଦ କହିଲେ “ନିମନ୍ତ୍ରଣ ପଠାଇବି । ଭୋଜନର ସବୁ ପ୍ରକାର ବ୍ୟବସ୍ଥା କରିବି । ତା’ପରେ ଯାଇ ଆମେ ଅନ୍ୟ ବିଷୟ ଚିନ୍ତା କରିବା । କାଲି ଆମେ ଦୁହେଁ ଏକାଠି ତାଙ୍କ ଘରକୁ ଯାଇ ନିମନ୍ତ୍ରଣ ଜଣାଇ ଆସିବା ।”

                ଏହାପରେ ସେ ଦୁଇ ବନ୍ଧୁ ସୀତାପୁର ଗଲେ । ସେଠାରେ ପ୍ରସ୍ତାବ ସମ୍ବନ୍ଧରେ ଆଲୋଚନା କରି ଭୋଜନ ନିମନ୍ତେ ନିମନ୍ତ୍ରଣ ଜଣାଇଲେ । ରମେଶର ମା’ ବାପା ଗୋବିନ୍ଦଙ୍କର ଆଚରଣରେ ବିସ୍ମିତ ହେଲେ ମଧ୍ୟ ପୁତ୍ରକୁ ଏଥିପାଇଁ ଅନୁମତି ପ୍ରଦାନ କଲେ ।

                ରମେଶକୁ ସଙ୍ଗରେ ଆଣି ଗ୍ରାମରେ ପହଁଚିବା ପରେ ଗୋବିନ୍ଦ ରମେଶ ଓ ରାଧାକୃଷ୍ଣଙ୍କୁ କହିଲେ, “କାଲି ପ୍ରଭାତରୁ ତୁମେ ଦୁହେଁ ମୋ ଗୃହକୁ ଆସିବ । ଭଣଜା ସହିତ ମାମୁଁଙ୍କୁ ମଧ୍ୟ ମୋର ନିମନ୍ତ୍ରଣ ରହିଲା ।”

                ତତ୍ ପରଦିନ ସେମାନେ ଗୋବିନ୍ଦଙ୍କ ଘରେ ପହଁଚିବା କ୍ଷଣି ଗୋବିନ୍ଦ ତାଙ୍କର ଯଥୋଚିତ ଆଦର ସତ୍କାର କରି ବୈଠକ ଘରେ ସେମାନଙ୍କୁ ବସାଇଲେ ଓ ଅନେକ ସମୟ ଯାଏଁ ବିଭିନ୍ନ କଥା ଗପିବାରେ ଲାଗିଲେ । ଏଣେ ରାଧାକୃଷ୍ଣଙ୍କୁ ଭୀଷଣ ଭୋକ ଲାଗୁଥାଏ । ତେଣୁ ସେ ଗୋବିନ୍ଦଙ୍କୁ ପଚାରିଲେ, “କ’ଣ ରୋଷେଇ ଏତେବେଳଯାଏଁ ସରିନାହିଁ? ମୋତେ ଭୀଷଣ ଭୋକ ହେଲାଣି ।”

ଗୋବିନ୍ଦ କ୍ଷମା ମାଗିନେଇ କହିଲେ, “ବିଭିନ୍ନ କିସମର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହେଉଛି । ସେଥିପାଇଁ ବୋଧେ ଆଜି ଏତେ ଡେରି ହେଲାଣି । ମୁଁ ଏବେ ଗୋଟିଏ ଗୋଟିଏ ଗ୍ଲାସ ଦୁଧ ଆଣି ଦେବାର ବ୍ୟବସ୍ଥା କରୁଛି ।”

ରମେଶ ମନା କରି କହି ଉଠିଲେ, “ନା’ ଭୋଜନ ପୂର୍ବରୁ ଅନ୍ୟ କିଛି ଖାଇବାର ଅଭ୍ୟାସ ମୋର ମୋଟେ ନାହିଁ । ମାମୁଁଙ୍କ ପାଇଁ ଆପଣ ଦୁଧ ମଗାଇ ପାରନ୍ତି ।” ଏକଥା ଶୁଣି ରାଧାକୃଷ୍ଣ ମଧ୍ୟ ତାଙ୍କ ଭଣଜାକୁ ସମର୍ଥନ କଲେ ଓ ଦୁଧ ଆଣିବା ପାଇଁ ମନା କଲେ ।

ପ୍ରାୟ ଅଧ ଘଂଟାଏ ପରେ ଭୋଜନ ପ୍ରସ୍ତୁତ ହୋଇଗଲା । ବିଭିନ୍ନ ପ୍ରକାରର ମିଠା ଦ୍ରବ୍ୟ, ସୁସ୍ୱାଦୁ ବ୍ୟଞ୍ଜନ ଆଦି ତିନୋଟି ଥାଳିରେ ପରଷା ହେଲା । ରାଧାକୃଷ୍ଣ ଓ ଗୋବିନ୍ଦ ଖାଇବା ପାଇଁ ବସିଲେ । କିନ୍ତୁ ରମେଶ ଖାଇବାକୁ ନ ବସି କହିଲେ, “ଏତେ ଗୁଡିଏ ଖାଦ୍ୟ ପଦାର୍ଥ ଖାଇବା ମୋ ପକ୍ଷରେ ଆଦୌ ସମ୍ଭବ ନୁହେଁ । ସ୍ୱାଦିଷ୍ଟ ହୋଇଥିବ ନିଶ୍ଚୟ, କିନ୍ତୁ ଏତେ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବ । ତେଣୁ ପ୍ରଥମରୁ କିଛି ଅଲଗା କରି ରଖିଦେଲେ ଭଲ ହେବ ।”

ଗୋବିନ୍ଦ ରମେଶଙ୍କୁ ବୁଝାଇଲେ “ଏପରି କ’ଣ କହୁଛ? ଏହି ଯୁବକ ବୟସରେ ପଥର ଗିଳି ହଜମ କରିବା କଥା ।”

କିନ୍ତୁ ରମେଶ ଅଳ୍ପ ହସି ଦେଇ କହିଲେ, “ସ୍ୱଳ୍ପଆହାର ମୋର ଏକ ଅଭ୍ୟାସ । ଏହା ଜୀର୍ଣ୍ଣ ଶକ୍ତିର ଅଯଥା ଅପଚୟ କରେ ନାହିଁ । ଆପଣମାନେ ମଧ୍ୟ ଏ ବିଷୟରେ ଜାଣିଥିବେ ।”

ଗୋବିନ୍ଦ ନିଜ କନ୍ୟାକୁ କିଛି ଗୋଟେ ଇସାରା ଦେବାରୁ, ରତ୍ନମାଳା ଆସି ତହିଁରୁ କିଛି ଖାଦ୍ୟପଦାର୍ଥ କାଢି ନେଲେ । ତା’ପରେ ରମେଶ ଖାଇ ବସିଲେ ଓ ଅନ୍ୟମାନଙ୍କ ଆଗରୁ ନିଜର ଖାଇବା ଶେଷ ବି କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ