ଧନୀ ସାହୁ ମହାଜନ ଚନ୍ଦନପୁର ଗାଁର ଜଣେ ବେଶ୍ ଜଣାଶୁଣା ଲୋକ । କେବଳ ଚନ୍ଦନପୁର ଗାଁ କାହିଁକି ଆଖପାଖର କୋଡିଏ ଖଣ୍ଡ ଗାଁର ଲୋକେ ତାଙ୍କୁ ଭଲଭାବେ ଜାଣନ୍ତି । ଅଉଲ ବାରମାଣ ଚାଷଜମି ସାଙ୍ଗକୁ ଭଲ ମହାଜନୀ କାରବାର ବି ରହିଛି । ସୁଧଟିକେ ଚଢାହେଲେ ବି ରାତିଅଧରେ ପହଁଚିଲେ ଧନୀ ସାହୁ କାହାରିକୁ ବି ନିରାଶ କରେନାହିଁ । ଆଜିକାଲି କାଳ ଯେମିତି ହେଲାଣି ଖାଲି କାଗଜ ଖଣ୍ଡକରେ ଦି’ଧାଡି ଲେଖା ରଖି କିଏ ବା କାହାକୁ କରଜ ଦେଉଛି? ଧନୀ ସାହୁ ସୁନା ଜିନିଷ ବିନା କାହାକୁ କରଜ ଦିଏନାହିଁ । ସୁନାକୁ କଷଟି ପଥରରେ ତେଜାପ୍ ପକାଇ କଷିଦେବ । ନିକିତିରେ ତଉଲକରି ସେଥିରେ ଯେତିକି ଖାଂଟିସୁନା ଥିବ, ସେହି ଅନୁସାରେ ଗହଣାର ଦର କଷିଦେବ । ଯାହା ଦାମ୍ ହେଲା ତା’ର ଚଉଠେ ବନ୍ଧକ ହିସାବରେ ଦେବ ।
ଲୋକେ ତଥାପି ଟଙ୍କାଏ ମିଶାଏ ଅଧିକ ପାଇବାକୁ ନିକୁଟି ନିଉଛାଳି ହୁଅନ୍ତି । ଧନୀ ସାହୁ କିନ୍ତୁ ଖାତକର ପ୍ରାପ୍ୟରୁ ପଇସାଟିଏ ବି ଅଧିକ ଦେବନାହିଁ । କହିବ – ଦେଖ ବାବୁ ପଇସା ଆଦାୟ ପାଇଁ ଦରକାର ହେଲେ କୋର୍ଟ କଚେରି ଖର୍ଚ୍ଚ ଲାଗିବ । ଚୋରିଚପଟ ଭଲମନ୍ଦ ହେଲେ ଖାତକକୁ ତା’ ଜିନିଷ ଫେରାଇବାକୁ ହେବ । ଆଗରୁ ସାବଧାନ ନ ହେଲେ ସେତେବେଳେ ପୁଣି ପିଠିରେ କିଏ ପଡିବ?
କେବଳ ସେତିକି ନୁହେଁ । ଧନୀ ସାହୁ ଆହୁରି ମଧ୍ୟ କୁହେ ଯେ, ସୁନାଦର କମିଗଲେ ତା’ବେପାର ମାଡ ଖାଇଯିବ । ତେଣୁ ଆଗରୁ ହାତଚିପି କରଜ ଦେବା ଭଲ । ଯଦିଓ ସୁନାଦର ସବୁଦିନେ ବଢି ଚାଲିଛି; ତଥାପି ବି ଖାତକମାନଙ୍କର ଧର୍ମବାପ ଭଳି ସେ ବୁଝାଇବ – ଦେଖ, ବେଶି କରଜ ନେଲେ ବେଶି ସୁଧ ପଡିବ । ତେଣୁ ଅଳ୍ପ ନେଲେ ତମକୁ ଫାଇଦା । ମୋ ପାଣ୍ଠି ବି ଆଉ ବୁଡିଯିବ ନାହିଁ ।
ଲୋକେ ସବୁ ଜାଣିଲେ ବି ସୁଦ୍ଧା ଅଗତ୍ୟା ତା’ ପାଖରୁହିଁ କରଜ ନିଅନ୍ତି । ବେମାର ଆରାମ, ବାହା ଶୁଦ୍ଧିକୁ ଅବସ୍ଥା ଅତି ଟାଣଟୁଣ ହେଲେ ଆଉ କ’ଣ କରନ୍ତେ? ଅବଶ୍ୟ ବହୁତ ଲୋକଙ୍କର ଗହଣାଗାଣ୍ଠି ଧନୀ ସାହୁ ଖାତାରେ ବିନାଅସୁଲ ନୋଟିସ୍ରେ ତମାଦି ହୋଇଯାଇଛି । ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ କି ମୂଳସହ ମୂଳର ତିନି ଚାରିଗୁଣ ସୁଧ ଅସୁଲ୍ ଦେଇ ଧନୀ ସାହୁ ପାଖରୁ ଜିନିଷ ମୁକୁଳାଇଛନ୍ତି ।
କୋଉକଥାବି ସବୁଦିନେ ଛପି ରହେନା । ଧନୀ ସାହୁର ସବୁଠୁ ବଡ ଠକାମି ଥରେ ଗାଁବାଲାଙ୍କ ପାଖରେ ଧରା ପଡିଗଲା । ଧନୀର ଗୋଟିଏ ଭଣଜା ବଣିଆ ଦୋକାନ କରିଥାଏ । ଧନୀ ଯାହାଠୁଁ ଜିନିଷ ବନ୍ଧା ରଖିଲେ ତା’ ବାସିଦିନ ସେ ଜିନିଷଧରି ଭଣଜା ପାଖକୁ ଧାଏଁ । ବନ୍ଧକୀ ଗହଣାରେ ଯଦି ଚାରଣା ବି ଖାଦ ଥାଏ, ତେବେ ଭଣଜାକୁ ବରାଦ କରି ଅବିକଳ ସେଇଭଳି ଗହଣା ଆଠଣା ଖାଦ ଦେଇ ତିଆରି କରିଆଣି ଘରେ ଥୋଇଦିଏ । ଏ ବାବବ ଲାଭକୁ ମାମୁଁ ଭଣଜା ବାଂଟିକୁଂଟି ନିଅନ୍ତି । ଭଣଜା ଜିନିଷର ଅବିକଳ ନକଲକରି ସୁନାପାଣି ପିଆଇ ଠିକ୍ କରିଦିଏ । ମୂଳ ଗହଣାରେ କୋଉଠି ଟିକେ ଚେପାଥିଲେ ନକଲିକରା ଗହଣାର ସେଇଠି ଟିକେ ଚେପା କରିଦିଏ । ତେଣୁ ବନ୍ଧା ରଖିଥିବା ଲୋକ ସହଜରେ ଜାଣିପାରେ ନାହିଁ ତା ଗହଣା ଅସଲି କି ନକଲି ।
ମଝିରେ ଭଣଜାର ଲୋଭ ଟିକେ ବଳି ପଡିଲା । ମାମୁଁକୁ ଚାରଣା ଖାଦର ହିସାବ ଦେଇ ପ୍ରକୃତରେ ସେ ଛ’ଅଣା ଖାଦ ମିଶାଇ ଦିନେ ଦି’ଅଣା ସୁନା ମାରିନେଲା । ଅତି ହେଲେ ସବୁକଥା ତ ବିଷ । ଶେଷକୁ ଲୋକେ ଜାଣିଲେ । ଧନୀ ସାହୁ ପାଖରେ ଏହି କଥା ଉଠାଇଲେ । ସେ ସଫା ନିୟମ କରିଦେଲା, ତୁମ ଜିନିଷ ଯେମିତି ଥିଲା ସେମିତି ଥୁଆ ହୋଇଛି । ତୁମ ସୁନାରେ ଖାଦ ଥିବାରୁ ପଡିପଡି ଟିକେ କଳାପଡିଯାଇଛି ।
ଏଥକୁ ଉପାୟ ଆଉ କ’ଣ ବା ଅଛି? ପୋଲିସ କଚେରୀରେ ଫେରାଦ୍ ହେବାକୁ କାହାପାଖରେ କି ପ୍ରମାଣ ଅଛି? ଏତେ ଝିନ୍ଝଟରେ କିଏସେ ପଶୁଛି । ଧନୀ ସାହୁକୁ ଠିକଣାକରି ପାନେ ଦେବେ ବୋଲି ଚନ୍ଦନପୁର ଗାଁବାଲା ସ୍ଥିରକଲେ ।
ସେଇ ଗାଁର ସନେଇ ଓଝା । ତା’ର ବଅସ ତିନିକୋଡି । ତାଲା କାମରେ ସେ ପକ୍କା ଓସ୍ତାଦ୍ । ଯେମିତିଆ ତାଲା ହେଉ ପଛେ ଥରେ ଖାଲି ଚାହିଁ ଦେଲେ ସେ ତା’ଚାବି ତିଆରି କରିଦେବ । ଗାଁ ବାଲାଏ ତାକୁ ବୁଝାସୁଝାକରି ପଚାଶ ଟଙ୍କା ବକ୍ସିସ୍ ଦେଇ ବଡ କଷ୍ଟରେ ତାକୁ ରାଜି କରାଇଲେ । ସେଇ ଗାଁର ଯଦୁ ମହାନ୍ତି ବଜାର ଯାଇ ହରେକ କିସମର ଗିଲିଟି ଗହଣା କିଣି ଆଣିଲେ । ସୁଯୋଗ ଅପେକ୍ଷାରେ ସବୁ ସଜହୋଇ ରହିଲା ।
ଦିନେ ଧନୀ ସାହୁ ତା ସ୍ତ୍ରୀକୁ ଧରି ଭୁବନେଶ୍ୱରରେ ରହୁଥିବା ତା ପୁଅ ପାଖକୁ ନାତିର ବାଳପକା କାମରେ ଯୋଗଦେବାକୁ ବାହାରିଲା । ସେ ରାତି ନଅଟାରେ ଫେରିବା ଭିତରେ ସନେଇ ଓଝା ତା କାମ ସଫା କରିଦେଲା । ନକଲି ଗହଣାତକ ନାମଲେଖା ପୁଡିଆ ଭିତରେ ରଖି ଅସଲିତକ ଧରି ସେ ଛୁ । ଗାଁରେ ରାତିରାତି ଭଗବତ ଘରେ ଯେଝାର ଗହଣା ତାକୁ ଦେଇ ଦିଆଗଲା । ଧନୀ ସାହୁ ଘରେ ପହଁଚି ତାଲା ସବୁକୁ ନିରାପଦ ଦେଖି ଶ୍ୱସ୍ତିର ନିଃଶ୍ୱାସ ମାରିଲା । ସେ ଗାଁବାଲାଙ୍କ କାରସାଦି ଆଦୌ ଜାଣିପାରିଲା ନାହିଁ ।
ଲୋକେ ବେଶ୍ କିଛିଦିନ ନିଜନିଜର ଜିନିଷ ମୁକୁଳାଇଲେ ନାହିଁ । ଏଣେ ଏ ଧନୀ ମହାଖୁସ୍ । କାରଣ ସୁଧ ମଳର ଦି’ଗୁଣ ହୋଇଗଲେ ସେ ଜିନିଷ ସବୁକୁ ତମାଦି କରିଦେବ । ମାନେ ଲୋକଙ୍କର ଜିନିଷସବୁ ଅଳ୍ପ କେତେ ଟଙ୍କାରେ କରଜ ବିନିମୟରେ ଧନୀ ସାହୁର ହୋଇଯିବ ।
ଶେଷକୁ ସେଇଆ ହେଲା । ଧନୀ ଏଥର ତା’ମନେମନେ ଲକ୍ଷପତି । ଥରେ ଧନୀର ପୁଅ ଘରେ ଆସି ପହଁଚିଲା । ଭୁବନେଶ୍ୱରରେ ଜାଗାକିଣା ଓ ଘର ତିଆରି ବାବଦ ବାପାକୁ ଷାଠିଏ ହଜାର ଟଙ୍କା ସେ ମାଗିଲା । ଧନୀ ପୁଅକୁ ଗହଣାବନ୍ଧା ପୁଟୁଳିକୁ ବଢାଇଦେଲା ।
ବାପା ଆଗରେ ପୁଡିଆ ଖୋଲି ପୁଅ ଦେଖେ ତ ଗହଣାଗୁଡିକ ସବୁ ନକଲି । ଏକଥା ବାପାଙ୍କୁ କହିବାରୁ ଧନୀ ସାହୁ ନିଜ ମୁଣ୍ଡରେ ହାତ ଦେଇ ବସିପଡିଲା । ତା’ର ଏତେଗୁଡିଏ ଗହଣା ଗଲା କୁଆଡେ । ଏହା ଯେ ଗାଁବାଲାଙ୍କ କାମ, ତାହା ସେ ବୁଝିପାରିଲେ ବି ସେ କାହାକୁ ଏକଥା କହିବ? ପ୍ରମାଣ ତ କିଛି ନାହିଁ । ଧନୀ ସାହୁ କରମ ଆଦରି ସେହିଦିନରୁ ରହିଲା ।