ପାଠୋଈ ବୋହୂ

ଘନଶ୍ୟାମଙ୍କ ପରିବାର ବୋଇଲେ ମାମୁ ମାଈଁ ଦି’ ପ୍ରାଣୀ, ଆଉ ପନ୍ଦର ବର୍ଷ ବୟସର ଗୋଟିଏ ଅଭିଆଡୀ ଝିଅ, ନାମ ତାର ସରସ୍ୱତୀ । ସେ ଗାଁଟା ତ ବଡ ବଣୁଆ, ସଞ୍ଜ ବାଜିଲା ତ ବାଘ ଭାଲୁ ସେଠାରେ ମେଳା ମେଳା, ସେଥିପାଇଁ ଦିନ ଥାଉଁ ଥାଉଁ ସେଠିକା ଲୋକମାନେ ଖାଇପିଇ ତାଟି କିଳି ଶୋଇପଡନ୍ତି । ସେଇଠାରେ କନ୍ୟା ଠିକଣା ହେଲା । ବୋଇଲା ବାର କଥାରେ ବାହା । ଢେର୍ ଥର କଥାବାର୍ତ୍ତା ଚଳିଲା । ଶେଷକୁ ଧାଈ ଦେଖି ଆସି କହିଲା, “କନ୍ୟାପରି କନ୍ୟାଟାଏ ଏକା, ତାର ନାମ ସରସ୍ୱତୀ, ଦେଖିବାକୁ ଲକ୍ଷ୍ମୀ ମୂର୍ତ୍ତିଟିଏ, ଗୋଟିଏ  ଚାଉଳରେ ଗଢା ସେ, ଗୁଣର ସୀମା ନାହିଁ ତା’ର ।”

କନ୍ୟା କଥା ଶୁଣି ସେ ବୁଢୀ ତ ଅଥୟ । ରୂପ ଗୁଣ ଶୁଣି ଗୋପାଳବାବୁଙ୍କ ମନ ଟିକିଏ ତରଳିଲା, ତା’ପରେ ସେ ବିଚାର କଲେ, ନ ପଢିଛି ତ ନାହିଁ, କ’ଣ କରାଯିବ, ତାକୁ ନହେଲେ ମୁଁ ବସାରେ ବସି ପଢାଇବି ।

ବିଭା ହୋଇଗଲା । ବସାରେ ହେଲେ ଚାରିଜଣ । ଗୋପାଳବାବୁ ତ ବାର ଚଉଦ ବର୍ଷର ଗୋଟିଏ ଭଣ୍ଡାରି ପିଲାକୁ ଡାକହାକ ଶୁଣିବା, ବଜାରହାଟ ସଉଦା କରି ଦେବାଲାଗି ରଖି ଦେଇଛନ୍ତି । ଗୋପାଳବାବୁଙ୍କ ଭାରି ଇଚ୍ଛା, ବୋହୂ ସାଙ୍ଗରେ ଯେଉଁ ଦାସୀଟା ଆସିଛି ତାକୁ ସବୁଦିନେ ବସାରେ ରଖିବେ । ହେଲେ ମା’ ଡରରେ ତାକୁ ରଖିଲେ ନାହିଁ । ବୁଢୀ ଏତେ ଢଗଢମାଳି ବୁଝେ ନାହିଁ । କହିଲେ, “ଆଜି ଜାଣି ଟଙ୍କା ଯୋଡାଏ ଘରେ ପଶୁଛି, ଦାସୀଟାଏ ରଖିପକାଇବା, କାଲି ଟଙ୍କା ନ ମିଳିଲା । ନାହିଁରେ ବାପା, ସେଇ ଟଙ୍କା ଯୋଡାକ ସାଇତି ରଖିଥିଲେ ବେଳରେ ସେ ‘ଓ’ କରିବ ପରା ।”

ବୋହୂର ରୂପ ଗୁଣ ଦେଖି ବୁଢୀ ଦିନରାତି ଖାଲି ତାହାରି ପ୍ରଶଂସା ଗାଉଛି- ମୁହଁରେ ତା’ର ସବୁବେଳେ ହାତେ ଲମ୍ବ ଓଢଣା, ନଇଁ ନଇଁ ସେ ଚାଲେ, ପନ୍ଦର ଦିନ ହେଲା ସେ ଆସିଲାଣି, ମାତ୍ର ତା’ର ପଦେ ବି କଥା କେହି ଶୁଣି ନାହିଁ । ଭଲଘର ଝିଅଟାଏ ଏକା, ମା’ ଭଲ ଗୁଣଗୁଡିଏ ଶିଖାଇଛି, ଇତ୍ୟାଦି ଇତ୍ୟାଦି ।

ବୁଢୀଟା ଯେମନ୍ତ ବୋହୂକୁ ଚାହିଁ ବସିଥିଲା । ବିଭାଘର ଅଷ୍ଟମଙ୍ଗଳା ଯାଇ ନାହିଁ, ବୁଢୀ ବାଧିକା ପଡିଲା ଯେ, ବିଛଣା ଧରିଛି, ଆଉ ଉଠିବାକୁ ନାହିଁ । ଦିନ ପନ୍ଦରଟା ମଧ୍ୟରେ ଆପଣା ନିଜ ଜାଗାକୁ ସେ ବୁଢୀ ଚାଲିଗଲା ।

ମରିବା ଦି’ଦିନ ଆଗରୁ ସେ ବୁଢୀ ତା’ ପୁଅକୁ ପାଖରେ ବସାଇ ଢେର୍ ଉପଦେଶ ଦେଲା – “ବାପା! ବେଳ ମାଫିକେ ଖାଇବୁ, ଟଙ୍କାକଉଡି ସାଇତିବୁ, ବୋହୂକୁ ଭଲପାଇବୁ, ମୋର ଢେର୍ ଦିନରୁ ମନ, ଗୋଟିଏ ସୁନା ଅଳକା ବନାଇଦେବୁ, ବୋହୂ ମୁଣ୍ଡରେ ତାକୁ ଲଗାଇବ ।” ସୀତାଦେଈଙ୍କୁ ଡକାଇ ସେ ବୁଢୀ କହିଲା, “ଆଲୋ ସୀତା, ବୋହୂଟା ତତେ ଲାଗିଲା, ପିଲାଟି କିଛିବି ଜାଣେ ନାହିଁ ।” ଏତିକି କହିସାରିଲା ପରେ ସେ ବୁଢୀର ପାଟି ପଡିଗଲା, ସେ ଆଉ କିଛିବି କହିପାରିଲା ନାହିଁ । ତା’ପରେ ଏ ମାଉସୀ ପୁତୁରା ଦି’ ଜଣ ଗୋଡପାଖରେ ବସି ଢେର୍ କାନ୍ଦିଲେ ।

ବୁଢୀର ତ କ୍ରିୟାକର୍ମ ସବୁ ଛିଡିଲା । ଗୋପାଳବାବୁ ଏବେ ସେ ବୋହୂଟାକୁ ପାଠ ପଢାଇବାକୁ ଆରମ୍ଭ କରିଦେଲେ । ରୋଜ ସଞ୍ଜବେଳେ ଗୋପାଳବାବୁ ତାଙ୍କ ସ୍ତ୍ରୀକୁ ପାଖରେ ବସାଇ ରାତି ଦୁଇଘଡିଯାଏଁ ପଢାନ୍ତି । ଅ ଅକ୍ଷରଟା ଲେଖି ଶିଖିବାକୁ ତାଙ୍କ ସ୍ତ୍ରୀକୁ ମାସେକାଳ ଲାଗିଗଲା । ମାସ ଦି’ଟା ଭିତରେ ସେ ବୋହୂ ଅ-ଆ ଦି’ଟା ପୂରାପୂରି ଶିଖିଗଲାଣି, ଇ ଅକ୍ଷରଟା କିନ୍ତୁ ସହଜରେ ହେଉ ନାହିଁ । ହର୍ସଇଟା ଶିଖିବାକୁ ଛ’ସାତ ଦିନ ଗଲା ହେଲେ ବୋହୂଟିକୁ ଲେଖି ଆସୁ ନାହିଁ । ବୋହୂ କହୁଛି, “ଏ ଅକ୍ଷରଟା ବଡ ମୋଡ, ଲେଖି ଆସୁ ନାହିଁ ।” ପନ୍ଦରଦିନ କାଳ ମେହନତ କରି ଶିଖାଇ ନ ପାରିବାରୁ ଗୋପାଳବାବୁ ବଡ ଦିକ୍ଦାର ହେଲେଣି । ବୋହୂଟା ବି ଠାଏ ଏକ ଜାଗାରେ ଦୁଇ ଘଂଟାକାଳ ପଢି ପଢି ଦିକ୍ଦାର । ଗୋପାଳବାବୁ ମନରେ କଲେ- “ବୁଢୀ ଶାରୀକୁ ରାମ ରାମ ଶିଖାଇବା ସହଜ କଥା ନୁହେଁ ।”

ସରସ୍ୱତୀଦେଈ ମନରେ କଲେ – ସେ ଏତେ ମେହନତ କରି କିଆଁ ପାଠ ପଢିବେ । ବାବୁଙ୍କୁ ଏହିକଥା ପଚାରିବେ ପଚାରିବେ ବୋଲି ସେ ମନରେ କରନ୍ତି, ହେଲେ ତାଙ୍କୁ ଭରସା ଖଟେ ନାହିଁ । ମାତ୍ର ଆଜି ସେ ଖୁବ୍ ସାହସ କରି ତାଙ୍କ ସ୍ୱାମୀଙ୍କୁ ପଚାରିଲେ, “ହଁ ହେ, ତୁମେ ସିନା କଚେରି ଦରବାରକୁ ଯିବ, ପାଠ ପଢିବ, ହେଲେ ମୁଁ କିଆଁ ପାଠ ପଢିବି?”

ଗୋପାଳ – କଚେରି ଦରବାର ନାହିଁ, ତୁମେ ପାଠ ପଢିଲେ ତୁମର ବୁଦ୍ଧି ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ