ବନପରୀ

ବୁଢୀ ମାଲୁଣୀ ଆଉ କିଛି କହିବା ପୂର୍ବରୁ ହଠାତ୍ ଯୁବରାଜ କହିଉଠିଲେ – ସତରେ କ’ଣ ସେ ମୋ’ ଚିତ୍ର ଦେଖି ଏମିତି କହିଲା । ଆହା ସେ ବିଚାରୀ କି କଷ୍ଟ ପାଉ ନଥିବ । ହେ ପ୍ରିୟତମା ! ତୁମେ କେଉଁଠି ଅଛ? ଥରେ ଖାଲି ମୋତେ ଟିକେ ଦେଖାଦିଅ ।

ଏସବୁ ଦେଖି ସେ ମାଲୁଣୀ ବୁଢୀ ହଠାତ୍  ନିଜ କଣ୍ଠସ୍ୱର ବଦଳାଇ ଅତି ମାତ୍ରାରେ ମନଦୁଃଖ କରି କହିଲା – ହେ ଯୁବରାଜ ! ସେ ବନପରୀ କିଛି ସମୟ ପାଗଳିନୀପରି ଆପଣଙ୍କୁ ଝୁରିହେଲା ସତ କିନ୍ତୁ ତାପର ମୁହୂର୍ତ୍ତରେ ନିଜକୁ ଟିକେ ସଂଯତ କରିନେଲା । ତାପରେ ସେ କହିଲା – ମୁଁ ଏମିତି ଭାବିବା ଆଦୌ ଠିକ୍ ହେଉ ନାହିଁ । ସେ ଯେତେହେଲେ ବି ଜଣେ ଯୁବରାଜ ! ତାଙ୍କୁ ପାଇବା ପାଇଁ ଏତେଟା ଆଶା କରିବା ଆଦୌ ଠିକ୍ ନୁହେଁ । ସେ ଯଦି ମୋତେ ଭଲପାଉନଥିବେ, ଆଉକାହାର ଯଦି ସେ ହୋଇଥିବେ !

ତୁମେ କ’ଣ ମୋ ମନକଥା ସେ ବନପରୀକୁ ଜଣାଇଲ ନାହିଁ? ଯୁବରାଜ ପ୍ରଶ୍ନ କଲେ । ତାପରେ ସେ ମାଲୁଣୀ ବୁଢୀ ପୁଣି ଅଭିନୟ କରି ବିନୀତ ହୋଇ କହିଲା – ହଁ ଯୁବରାଜ ! ଆପଣଙ୍କ ଭଲପାଇବା କଥା ଗୋଟି ଗୋଟି କରି ମୁଁ ତାକୁ କହିଲି । ଆପଣ କେମିତି ତା’ କଥା ଅହରହ ଚିନ୍ତା କରି କରି ଦିନକୁ ଦିନ ଶୁଖି ଶୁଖି କଂଟା ହୋଇଗଲେଣି, ଖିଆପିଆ ବି ଛାଡି ଦେଲେଣି । ସୁନା ଦେହକୁ ଚୂନା କଲେଣି, ଏସବୁ ତ କହିଲି ଆଜ୍ଞା । ହେଲେ ସେ ବନପରୀ କ’ଣ କହିଲା- ନା…….. ।

କ’ଣ କହିଲା? ଅତି ଉତ୍କଣ୍ଠିତ ହୋଇ ଯୁବରାଜ ସେ ମାଲୁଣୀକୁ ପଚାରିଲେ । ତାପରେ ସେ ବୁଢୀ ମାଲୁଣୀ ପୁନଃ ଛଳନାକରି କହିଲା – ସେ ବନପରୀ ଏପରି କଥା ଶୁଣି ଆଗ କାନ୍ଦି ପକାଇଲା । ତାପରେ ସେ କହିଲା, ଯୁବରାଜ ଯେତେ ଯାହା ହେଲେ ବି ଜଣେ ପୁରୁଷ ଜାତି, ସେମାନେ ପରା ଭଅଁର ପରି ଏ ଫୁଲରୁ ଉଡି ସେ ଫୁଲରେ ବସନ୍ତି । ତାଙ୍କୁ କ’ଣ ସହଜରେ ଜାଣିହେବ । ତେବେ ଗୋଟିଏ ସର୍ତ୍ତରେ ।

ଏହା ଶୁଣି ଅତ୍ୟନ୍ତ ଅଧୈର୍ଯ୍ୟ ହୋଇ ଯୁବରାଜ ପଚାରିଲେ – ନୀରବ ରହିଲ କାହିଁକି? ତା’ ସର୍ତ୍ତ କ’ଣ? ସବୁକଥା ମୋତେ ଖୋଲି କରି କୁହ ।

ମାଲୁଣୀ ବୁଢୀ ଯୁବରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା – ସେ ବନପରୀ କହିଛି, ଆପଣଙ୍କୁ ସେ ବି ନିବିଡ ଭାବରେ ଭଲପାଏ, ମାତ୍ର ବର୍ତ୍ତମାନ ଆପଣ ତ ରାଜାଙ୍କ ପ୍ରତିନିଧି ହୋଇ ରାଜ୍ୟ ଚଳାଉଛନ୍ତି । ଯିଏ ରାଜକାର୍ଯ୍ୟ ଚଳାଏ ତାକୁ ତ ପ୍ରଜାଙ୍କ ସମସ୍ତ ପ୍ରକାର ହାନିଲାଭ ବୁଝିବାକୁ ହୋଇଥାଏ । ପଡୋଶୀ ରାଜ୍ୟ ଉପରେ ବି ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ପଡିଥାଏ । ନିଜ କର୍ମଚାରୀଙ୍କ କର୍ମନିଷ୍ଠା ପରୀକ୍ଷା କରିବା ପାଇଁ ତାଙ୍କୁ ଛଦ୍ମ ବେଶରେ ରାଜ୍ୟ ଭ୍ରମଣ କରିବାକୁ ମଧ୍ୟ ପଡେ । ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ବି ବିଚାରପତି ଆସନରେ ତାଙ୍କୁ ହିଁ ବସିବାକୁ ହୁଏ । ଏସବୁ କାମ କରୁ କରୁ ତ ଆପଣଙ୍କର ଦିନ ରାତି ବିତିଯିବ । ତେବେତ ଆପଣ ମନଖୋଲି ଆଉ ସେ ବନପରୀ ସହିତ ଦି’ପଦ କଥା ହେବା ପାଇଁ ବି ସମୟ ପାଇବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ