ବହୁତ ଦିନ ପୂର୍ବେ ମିଥିଳା ଦେଶରେ ମନ୍ଦଭାଗ୍ୟ ନାମକ ଜଣେ ରାଜା ଶାସନ କରୁଥା’ନ୍ତି । ସେ ମୂର୍ଖ, କ୍ରୋଧୀ ଓ ଅହଂକାରୀ ମଧ୍ୟ ଥିଲେ । ତାଙ୍କ ମନକୁ ଯେତେବେଳେ ଯାହା କିଛି ବି ଆସିବ ତତ୍କ୍ଷଣାତ୍ ସେ ତା’ର ପରିଣାମ ଚିନ୍ତା ନକରି କାର୍ଯ୍ୟରେ ପରିଣତ କରିବେ ।
ଦିନେ ସେ ରାଜା ତାଙ୍କ ପ୍ରାସାଦର ଛାତ ଉପରେ ବୁଲୁଥା’ନ୍ତି, ହଠାତ୍ ସେ ଦେଖିଲେ ରାସ୍ତାଘାଟ ବଜାର ଚାରିଆଡେ ବହୁତ ଲୋକ ନାନା ରଙ୍ଗର ପୋଷାକ ପିନ୍ଧି ଯିବା ଆସିବା କରୁଛନ୍ତି । ସୁତରାଂ ସେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଡାକି ପଚାରିଲେ, “ମନ୍ତ୍ରୀବର, ଦେଖ ରାଜପଥ ଉପରେ କେତେ ପ୍ରକାରର ଲୋକ କେତେ ପ୍ରକାରର ପୋଷାକ ପିନ୍ଧି ଯାଉଛନ୍ତି । ଏସବୁ ମୋର ଅସହ୍ୟ । ତେଣୁ ତମେ ଯାଇ ରାଜ୍ୟରେ ଡେଙ୍ଗରା ଦେଇ ପ୍ରଚାର କରିଦିଅ କି କାଲିଠାରୁ ସମସ୍ତେ ଏକପ୍ରକାର ପୋଷାକ ପିନ୍ଧିବେ, ସମସ୍ତେ ଏକ ଭାଷା କହିବେ, ଏକ ପ୍ରକାର ଖାଦ୍ୟ ଖାଇବେ । ଆଉ ସବୁ କିଛି ଏକ ପ୍ରକାର ହେବା ମୁଁ ଚାହେଁ । ଏହା ମୋର ଆଦେଶ । ଆଉ ଯେଉଁମାନେ ମୋ ଆଦେଶ ଅମାନ୍ୟ କରିବେ ଦଣ୍ଡିତ ହେବେ ।”
ଏ ବିଚିତ୍ର ପ୍ରସ୍ତାବ ଶୁଣି ମନ୍ତ୍ରୀ ବହୁତ କରି ରାଜାଙ୍କୁ ବୁଝାଇଲେ ଯେ ଏପରି କରିବା ମୋଟେ ସମ୍ଭବ ନୁହେଁ । କିନ୍ତୁ ରାଜାଙ୍କର କୌଣସି ପ୍ରକାରରେ ମତ ପରିବର୍ତ୍ତନ ହେଲା ନାହିଁ । ବରଂ ରାଜା କହିଲେ ଯେ ତାଙ୍କର ଆଦେଶ ଯେପରି ହେଉ ପଛେ କାର୍ଯ୍ୟକାରୀ ହେବ ।
ତା’ପରଦିନ ରାଜା ମନେ ମନେ ଭାବିଲେ ମନ୍ତ୍ରୀ ଡେଙ୍ଗୁରା ପିଟି ରାଜ୍ୟରେ ରାଜାଙ୍କ ଇଚ୍ଛା କଥା ପ୍ରଚାର କରିଛି ନା ନାହିଁ ଦେଖିବାକୁ ହେବ । ମନେ ମନେ ସେ ରାଜା ପୁଣି ଭାବିଲେ, “ମୋ ଶାସନରେ ଏପରି ଏକ ନୂଆ ରୀତି ପ୍ରଚଳନ କରିବା ଦ୍ୱାରା ଇତିହାସରେ ମୋ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଯଦ୍ୱାରା ରାଜ୍ୟ ଶାସନର ଇତିହାସରେ ମୋ ଶାସନ ପଦ୍ଧତି ମଧ୍ୟ ଏକ ବିଶିଷ୍ଟ ସ୍ଥାନ ପାଇବ ।”