ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସର୍ପ – ମନ୍ତ୍ର

କାଶୀପୁର ଗ୍ରାମରେ ଶ୍ରୀଧର ନାମକ ଜଣେ ସାଧାରଣ କୃଷକ ବାସ କରନ୍ତି । ତାଙ୍କର ସ୍ୱଳ୍ପ ଭୂସମ୍ପତ୍ତିରୁ ଯାହା କିଛି ଆୟ ହୁଏ, ତାକୁ ସମ୍ବଳ କରି ସେ ନିଜର ଜୀବିକା ସୁଖେ ଦୁଃଖେ ନିର୍ବାହ କରନ୍ତି । ବହୁ ଦିନରୁ ସର୍ପମନ୍ତ୍ର ଶିକ୍ଷା କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥାଏ । କିନ୍ତୁ ମନ୍ତ୍ର ଶିଖାଇବା ପାଇଁ ଗୁରୁ ମିଳୁ ନଥିବାରୁ ତାଙ୍କର ଆଶା ପୂରଣ ହୋଇ ପାରୁ ନଥାଏ ।

                ଥରେ ସେ ତାଙ୍କର ଜଣେ ସଂପର୍କୀୟଙ୍କୁ ସାକ୍ଷାତ କରିବା ପାଇଁ ନିକଟସ୍ଥ ଏକ ଗ୍ରାମକୁ ଯାଇଥିଲେ । ସେ ନିଜ ମନକଥା ପ୍ରକାଶ କରି ତାଙ୍କ ବନ୍ଧୁଙ୍କୁ କହିଲେ, “ସର୍ପ-ମନ୍ତ୍ର ଶିଖିବା ପାଇଁ ମୋ ମନରେ ଜିଜ୍ଞାସା ରହିଛି । ତୁମ ଗ୍ରାମରେ ଶିଖାଇବା ପାଇଁ କେହି ଲୋକ ଅଛନ୍ତି କି?

ବନ୍ଧୁ କହିଲେ “ଆମ ଗ୍ରାମରେ କିମ୍ବା ଆଖପାଖ କେତୋଟି ଗ୍ରାମରେ ସେପରି କେହି ଦକ୍ଷ ଲୋକ ନାହାଁନ୍ତି । ସାଧାରଣତଃ ଏପରି ମନ୍ତ୍ର ସନ୍ନ୍ୟାସୀ ବା ବୈରାଗୀ ମାନଙ୍କୁ ଜଣାଥାଏ । ସେମାନେ ନିଜର ଦିବ୍ୟ ଶକ୍ତି ବଳରେ ତାହା ହାସଲ କରିଥାନ୍ତି । ତୁମେ ଯଦି ଏମାନଙ୍କ ମଧ୍ୟରୁ କାହାଠାରୁ ସହାୟତା ପାଇପାରିବ, ତେବେ ଯାଇ ଏହି ମନ୍ତ୍ର ତୁମେ ଜ୍ଞାନ ଲାଭ କରିପାରିବ ।”

ସେହିଦିନ ଠାରୁ ଶ୍ରୀଧର ସନ୍ନ୍ୟାସୀ କିମ୍ବା ବୈରାଗୀ ମାନଙ୍କର ସନ୍ଧାନରେ ଲାଗି ପଡିଲେ । ମାତ୍ର ସେପରି ସୁଯୋଗ ତାଙ୍କୁ ମିଳୁ ନ ଥାଏ ।

ସେହି ବର୍ଷ ଶ୍ରୀଧର ନିଜ ଜମିରେ ମକାଚାଷ କରିଥାଆନ୍ତି । ଫସଲ ଖୁବ୍ ଭଲ ହୋଇଥାଏ । ସାରା କ୍ଷେତ ଫସଲରେ ଉଛୁଳି ଉଠୁଥାଏ । ଫସଲକୁ ଜଗିବା ପାଇଁ ଶ୍ରୀଧର କ୍ଷେତରେ ଏକ ମଥାନ ବାନ୍ଧି ସେଠାରେ ଦିନରାତି ସର୍ବଦା ରୁହନ୍ତି ।

ଦିନେ ସେ ସଂନ୍ଧ୍ୟା ସମୟରେ ମଥାନ ଘରେ ଗଡପଡ ହେଉଛନ୍ତି । ଠିକ୍ ଏହି ସମୟରେ ବୈରାଗୀମାନଙ୍କର ଏକ ଗୋଷ୍ଠୀ, ତାଙ୍କର କ୍ଷେତ ପାଶ୍ୱର୍ଦେଇ ଯାଉଥିବାର ସେ ଦେଖିଲେ । ସେମାନଙ୍କୁ ଦେଖି ତାଙ୍କର ଖୁସିର ଆଉ କୌଣସି ସୀମା ରହିଲା ନାହିଁ । ନିଜର ଏତେ ଦିନର ଆଶା ଫଳବତୀ ହେବାକୁ ଯାଉଛି ଭାବି ସେ ମଥାନ ତଳକୁ ଡେଇଁ ପଡି ଦୌଡି ଦୌଡି ସେମାନଙ୍କ ନିକଟରେ ଯାଇ ହାଜର ହେଲେ । ସେମାନଙ୍କ ମଧ୍ୟରେ ଜଣେ ହୃଷ୍ଟପୁଷ୍ଟ, ଲମ୍ବ କୃଷ୍ଣ ବର୍ଣ୍ଣ ଶ୍ମଶ୍ରୁଧାରୀ ବୈରାଗୀଙ୍କୁ ପ୍ରଣାମ କରି ସେ ନିଜର ଇଚ୍ଛା ଜଣାଇଲେ । ସର୍ପମନ୍ତ୍ର ଶିକ୍ଷା ଦେବା ପାଇଁ ପ୍ରାର୍ଥନା କଲେ ।

ବୈରାଗୀ, ଶ୍ରୀଧରଙ୍କୁ ନୀରିକ୍ଷଣ କରି କହିଲେ, “ସର୍ପ-ମନ୍ତ୍ର ସୂର୍ଯ୍ୟୋଦୟ ଅଥବା ମଧ୍ୟାହ୍ନ ସମୟରେ ଶିଖାଇବାକୁ ପଡିଥାଏ । ତା’ହେଲେ ଯାଇ ତାହା କାମ କରିବ । ଏବେ ତ ଅନ୍ଧକାର ହେବାକୁ ବସିଲାଣି । ଏହି ସମୟ ସେଥିପାଇଁ ଅନୁକୂଳ ନୁହେଁ । ଆଜି ରାତିକ ତୁମ କ୍ଷେତରେ ଆମକୁ ରହିବା ପାଇଁ ଅନୁମତି ଦେଲେ, ମୁଁ ପ୍ରାତଃକାଳରେ ତୁମକୁ ସେ ମନ୍ତ୍ର ଶିକ୍ଷା ଦେବି ।”

ଶ୍ରୀଧର ଅତିଖୁସିରେ ସେଥିପାଇଁ ନିଜର ସମ୍ମତି ଜଣାଇଲେ । ତା’ପରେ ସେହି ବୈରାଗୀ ଗୋଷ୍ଠୀର ଅନ୍ୟମାନଙ୍କୁ ଡାକି ସେଠାରେ ଅବସ୍ଥାନ କରିବା ପାଇଁ ସେ କହିଲେ । ପରେ ସମସ୍ତେ ମନଆନନ୍ଦରେ ଗୀତ ଗାଇଗାଇ ମକା ତୋଳି ଖାଇବାରେ ଲାଗିଲେ । ସାରା କ୍ଷେତ ବିନଷ୍ଟ କରି, ମନଇଚ୍ଛା ମକା ଖାଇବା ପରେ ସମସ୍ତେ ଖୁସିରେ ଶୋଇପଡିଲେ ।

ନିଜର ଏତେସୁନ୍ଦର ଫସଲ ଉଜୁଡିଯିବାର ଦେଖି ମଧ୍ୟ ଶ୍ରୀଧରଙ୍କ ମନରେ କୌଣସି ଦୁଃଖ ନ ଥିଲା । କାରଣ ସେ ସର୍ପ-ମନ୍ତ୍ର ଶିଖିବା ପାଇଁ ସୁଯୋଗ ପାଇଛନ୍ତି ଭାବି ଅତ୍ୟନ୍ତ ଆନନ୍ଦିତ ଥିଲେ ।

ପ୍ରଭାତ ହେବା ମାତ୍ରେ ବୈରାଗୀମାନେ ନିଦରୁ ଉଠିପଡି, ଯିବା ପାଇଁ ବାହାରିଲେ ।

ଶ୍ରୀଧର ସେଇ ହୃଷ୍ଟପୁଷ୍ଟ ବୈରାଗୀଙ୍କ ନିକଟକୁ ଯାଇ ତାଙ୍କ ପାଦ ତଳେ ପଡିଯାଇ ପ୍ରାର୍ଥନା କଲେ । “ସ୍ୱାମୀ, ସର୍ପମନ୍ତ୍ର, ସର୍ପମନ୍ତ୍ର!”

ବୈରାଗୀ ତାଙ୍କର ଏପରି ଆଚରଣରେ କ୍ଷୁବ୍ଧ ହୋଇ କହିଲେ, “ଯୋଗୀ ଆସିଲେ, ମକା ଖାଇଲେ, ଯା! ଏଥର ଉଠ ।” ଏପରି କହି ସେ ଶ୍ରୀଧରଙ୍କୁ ଜୋର୍ରେ ଏକ ପ୍ରହାର ଦେଲେ ଓ ସେଠାରୁ ଚାଲିଗଲେ । ଶ୍ରୀଧର ମନେ କଲେ, ତାହାହିଁ ହେଉଛି ସର୍ପମନ୍ତ୍ର । ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଏତେ ଦିନର ଆଶା ଫଳବତୀ ହୋଇଥିବାରୁ ସେ ଖୁସୀରେ ପାଗଳ ହୋଇ, ମନ୍ତ୍ରକୁ ବାରମ୍ବାର ଦୋହରାଇ ଘରକୁ ଦୌଡିଲେ । ଘରେ ପହଁଚି ପତ୍ନୀଙ୍କୁ ସର୍ପମନ୍ତ୍ର ଶିଖିଥିବା କଥା ଜଣାଇଲେ ଓ ପତ୍ନୀ ସାରା ଗ୍ରାମରେ କଥାଟିକୁ ପ୍ରଚାରିତ କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ