ସର୍ପ – ମନ୍ତ୍ର

ଏହି ଘଟଣାର ଠିକ୍ ଏକ ମାସ ପରେ ଜଣେ ଗ୍ରାମବାସୀଙ୍କୁ ସର୍ପଦଂଶନ କଲା । ତାଙ୍କର ସମ୍ପର୍କୀୟମାନେ ଅତି ବିକଳରେ ରୋଦନ କରି ଶ୍ରୀଧରଙ୍କ ପାଖରେ ଆସି ପହଁଚିବାରୁ, ସେ ତାଙ୍କର ଚିକିତ୍ସା ଆରମ୍ଭ କଲେ । ମନେ ମନେ ମନ୍ତ୍ର ପାଠ କରି, ସେ ଲୋକଟିକୁ ଶ୍ରୀଧର ଏକ ଶକ୍ତ ପ୍ରହାର ଦେଲେ । ଲୋକଟି ତତ୍କ୍ଷଣାତ୍ ଉଠି ବସିଲା । ଏବେ ଲୋକମାନଙ୍କର ବିଶ୍ୱାସ ହେଲା ଯେ ଶ୍ରୀଧର ଶିକ୍ଷା ଲାଭ କରିଥିବା ମନ୍ତ୍ର ପ୍ରଭାବଶାଳୀ ଅଟେ । ଶ୍ରୀଧର ପ୍ରଥମଥର ପାଇଁ ମନ୍ତ୍ର ପ୍ରୟୋଗ କଲେ । ତାଙ୍କ ମନରେ, ମନ୍ତ୍ରର ଉପଯୋଗୀତା ନେଇ ଥିବା ସନ୍ଦେହ ମଧ୍ୟ ଦୂରୀଭୁତ ହୋଇଗଲା ।

ସେହିଦିନଠାରୁ ଗ୍ରାମର କେହି ସର୍ପଦଂଶନରେ ଆକ୍ରାନ୍ତ ହେଲେ, ଶ୍ରୀଧରଙ୍କ ମନ୍ତ୍ର ବଳରେ ସେମାନେ ସୁସ୍ଥ ହେଉଥିଲେ । ଧୀରେ ଧୀରେ ତାଙ୍କର ସୁଖ୍ୟାତି ଆଖପାଖ ଗ୍ରାମରେ ପ୍ରଚାରିତ ହେଲା । ବହୁଲୋକ ଶ୍ରୀଧରଙ୍କ ନିକଟକୁ ସାହାଯ୍ୟ ପାଇଁ ଆସି ସୁସ୍ଥ ହେଲେ ଓ ପ୍ରତି ବଦଳରେ ଅର୍ଥ ଦାନ କଲେ । ଏହା ଫଳରେ ଶ୍ରୀଧରଙ୍କର ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଲା । ମନ୍ତ୍ର ଶିଖିବା ସମୟରେ, ସେ ଏହାକୁ ପ୍ରୟୋଗ କରି ଧନ ଉପାର୍ଜନର ଲାଳସା ରଖି ନ ଥିଲେ । ମାତ୍ର ଲୋକମାନଙ୍କର ଉପକାର କରିବାରୁ ପ୍ରତିବଦଳରେ ସେମାନେ ଯାହା କିଛି ଉପହାର ଦେଲେ, ସେ ତା’କୁ ସହର୍ଷେ ସ୍ୱୀକାର କଲେ ।

ଶ୍ରୀଧର ନିଜ କ୍ଷେତ ପାଖରେ ଆଉ ଚାରି ଏକର ଜମି କିଣିଲେ । ନିଜର ସାଧାରଣ କୁଡିଆ ଘରଟିକୁ କ୍ରମେ ସେ ଏକ ଭବ୍ୟ ଭବନରେ ପରିଣତ କଲେ । ନିଜର କନ୍ୟାକୁ ଏକ ସମ୍ଭ୍ରାନ୍ତ ପରିବାରରେ ବିବାହ ଦେବାକୁ ସକ୍ଷମ ହେଲେ । ଏତେ ସବୁ ସଫଳତା ପରେ ମଧ୍ୟ ଶ୍ରୀଧରଙ୍କ ମନରେ ଆଦୌ ଅହଂକାର ନ ଥିଲା । ସରଳ ବିଶ୍ୱାସୀ ଶ୍ରୀଧର ନିଜ ହାତରେ କୃଷି କାର୍ଯ୍ୟ କରି ଶାନ୍ତିରେ ଜୀବନ ବିତାଉଥିଲେ ।

ସେହି ଗ୍ରାମର, ଶ୍ରୀଧରଙ୍କର ପିଲାଦିନର ବନ୍ଧୁ ଶ୍ୟାମ, ବହୁଦିନରୁ ବ୍ୟବସାୟ କରି ସହରରେ ରହୁଥିଲେ । ଅନେକ ଦିନ ପରେ ଗ୍ରାମକୁ ଫେରି ବନ୍ଧୁ ଶ୍ରୀଧରଙ୍କର ଏତେ ଉନ୍ନତି ଦେଖି ବହୁତ ଆନନ୍ଦିତ ହେଲେ । ଦୁଇ ବନ୍ଧୁଙ୍କର ସାକ୍ଷାତ ହେବାରୁ ସେମାନେ ବାଲ୍ୟକାଳର ସ୍ମୃତି ମନେ ପକାଇ ବହୁ ସମୟ ଧରି ଦୁଃଖ ସୁଖ ହେଲେ ।

ଫେରିବା ସମୟରେ ଶ୍ୟାମ କହିଲେ, “ମିତ୍ର, ତମେ ପରୋପକାର କରି ଅର୍ଥ ଉପାର୍ଜନ କରୁଛ । ପ୍ରକୃତରେ ଏହା ଏକ ପ୍ରଶଂସନୀୟ କଥା । କିନ୍ତୁ ଏବେ ଯାଏଁ ତୁମେ ବୈରାଗୀଙ୍କ ଠାରୁ ଶିଖିବା ମନ୍ତ୍ରଟି କ’ଣ ତାହା ମୋତେ କହିଲ ନାହିଁ?”

ଶ୍ରୀଧର ସଙ୍ଗେ ସଙ୍ଗେ କହି ଉଠିଲେ, “ଯୋଗୀ ଆସିଲେ, ମକା ଖାଇଲେ, ଯା’ ଏଥର ଉଠ! ବାସ୍ ଏତିକି ମନ୍ତ୍ର ସେ ମୋତେ ଶିକ୍ଷା ଦେଇଛନ୍ତି ।”

ଏହା ଶୁଣି ଶ୍ୟାମ ହସି ହସି ଗଡିଗଲେ । କହିଲେ, “କ’ଣ ଏହା ହେଉଛି ସର୍ପ-ମନ୍ତ୍ର! ସେହି ବୈରାଗୀ ତୁମକୁ ପ୍ରତାରଣା କରିଛି । ତୁମ କ୍ଷେତର ଫସଲ ନଷ୍ଟ କରିବା ଦେଖି ତୁମେ କିଛି କହିଲ ନାହିଁ । ସେଥିରୁ ସେ ବୁଝିପାରିଲା ଯେ ତୁମେ ଜଣେ ନିହାତି ବୋକା । ତେଣୁ ତୁମେ ଯେତେବେଳେ ତା’ର ପାଦତଳେ ପଡି ସର୍ପ-ମନ୍ତ୍ର ଶିଖିବା ପାଇଁ ପ୍ରାର୍ଥନା କଲ, ସେ ରାଗିଯାଇ ତୁମକୁ ଏପରି ଗାଳି କଲା । ମୋର ବିଶ୍ୱାସ, ସେହି ବୈରାଗୀଙ୍କୁ ମଧ୍ୟ ସର୍ପ-ମନ୍ତ୍ର ଜଣା ନାହିଁ ।”

ଶ୍ରୀଧର ଜାଣିଥିଲେ ଯେ, ତାଙ୍କର ବାଲ୍ୟବନ୍ଧୁ ଶ୍ୟାମ ଜଣେ ଚତୁର ବ୍ୟକ୍ତି । ସେ କେବେବି ମିଛ କହିବ ନାହିଁ । ତା’ର ଯୁକ୍ତି ଠିକ୍ ହୋଇପାରେ । ତାଙ୍କ ମନରେ ଗଭୀର କ୍ଷୋଭ ଜାତ ହେଲା ଯେ, ଏ ଯାବତ୍ ସେ ପ୍ରୟୋଗ କରି ଆସୁଥିବା ମନ୍ତ୍ର ସର୍ପ-ମନ୍ତ୍ର ନୁହେଁ, ଏକ ମିଥ୍ୟା ଗାଳି । ତାଙ୍କ ମନରେ ମନ୍ତ୍ର ଉପରେ ଥିବା ଅତୁଟ ବିଶ୍ୱାସ ତୁଟିଗଲା ।

ଏହି ଘଟଣାର ଏକ ସପ୍ତାହ ପରେ, ଜଣେ ଲୋକକୁ ସର୍ପ-ଦଂଶନରେ ଆଘାତ ପାଇଥିବାରୁ, ତାଙ୍କ ନିକଟକୁ ଅଣାଗଲା । ଶ୍ରୀଧର ବଡ ଦ୍ୱନ୍ଦ୍ୱରେ ପଡିଗଲେ । ମନ୍ତ୍ରର ଉପଯୋଗ କରିବେ କି ନାହିଁ । ତାହା ସେ ସ୍ଥିର କରିପାରିଲେ ନାହିଁ । ତେବେ ମଧ୍ୟ ମନେ ମନେ ମନ୍ତ୍ର ଆବୃତି କରି ଲୋକଟିକୁ ଏକ ପ୍ରହାର ଦେଲେ । କିନ୍ତୁ ଲୋକଟି ନିଶ୍ଚଳ ହୋଇ ପଡି ରହିଲା । ଶ୍ରୀଧର ଏଥର ଜାଣିପାରିଲେ ଯେ, ମନ୍ତ୍ର ଆଉ କାମ କରୁନାହିଁ । ତାଙ୍କର ବନ୍ଧୁ କହିଥିବା କଥା ସତ୍ୟ ଅଟେ । ସେ ସଙ୍ଗେ ସଙ୍ଗେ ଉପସ୍ଥିତ ଲୋକମାନଙ୍କୁ ସେ ଲୋକକୁ ତୁରନ୍ତ ସହର ନେଇଯିବା ପାଇଁ ପରାମର୍ଶ ଦେଲେ ।

ଶ୍ରୀଧରଙ୍କ ମନ୍ତ୍ର ଶକ୍ତି ବିଫଳ ହୋଇଥିବା ଖବର ସମସ୍ତେ ଜାଣିପାରିଲେ । ବନ୍ଧୁ ଶ୍ୟାମ ତାଙ୍କ ନିକଟକୁ ଆସି ମନଦୁଃଖରେ କହିଲେ, “ମିତ୍ର, ମୁଁ ଏକ ଗୁରୁତର ଭୁଲ୍ କରି ବସିଲି । ତୁମେ ନିଜର ସରଳ ବିଶ୍ୱାସରେ, ସେହି କଥାପଦକୁ ମନ୍ତ୍ର ଭାବରେ ପ୍ରୟୋଗ କରି ଲୋକ ମାନଙ୍କର ଉପକାର କରୁଥିଲ । ମାତ୍ର ମୋର କଥା ତୁମ ମନର ବିଶ୍ୱାସ ନଷ୍ଟ କରି ଦେବାରୁ ମନ୍ତ୍ର ବିଫଳ ହେଲା ।” ଶ୍ରୀଧର ବନ୍ଧୁଙ୍କୁ ବ୍ୟସ୍ତ ନ ହେବା ପାଇଁ ପ୍ରବୋଧନା ଦେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ପୃଥବୀରେ ପ୍ରାୟ ୬୦୦ ରୁ ଅଧିକ ପ୍ରକାରର ସାପର ଜାତି ମାନ ଦେଖା ଯାଆନ୍ତି, ସେଥିରୁ ପ୍ରାୟ ୨୫% ମାତ୍ର ବିଷାକ୍ତ କିନ୍ତୁ ଅବଶିଷ୍ଟ ୭୫% ବିଷାକ୍ତ ନଥିବାରୁ ବିଷାକ୍ତ ସାପ କାମୁଡି ନଥିବା ଲୋକମାନେ ଗୁଣିଗାରେଡି, ଝଡା ଫୁଙ୍କା ଇତ୍ୟାଦି ଅନ୍ଧ ବିସ୍ୱାଶରେ ଭଲ ହୋଇଯାଇଥାନ୍ତି; କିନ୍ତୁ ପ୍ରକୃତ ବିଷାକ୍ତ ସାପକାମୁଡିଥିବା ବ୍ୟକ୍ତିଙ୍କୁ ଏଗୁଡିକ କିଛି କାମ ଦିଏନି, କାରଣ ଗୁଣିଗାରେଡି, ଝଡା ଫୁଙ୍କା ଇତ୍ୟାଦି କେବଳ ଅନ୍ଧ ବିଶ୍ୱାସ ଏବଂ ଏହାର କୌଣସି ଚିକତ୍ସା ପ୍ରଭାବ ରୋଗୀ ଉପରେ ପଡ଼େନି ବରଂ ଠିକ୍ସମୟରେ ରୋଗୀକୁ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ନକରିବାରୁ ରୋଗୀର ମୃତ୍ୟୁ ହୁଏ ।  ଗୁଣିଗାରେଡି, ଝଡା ଫୁଙ୍କା ଇତ୍ୟାଦି ଅନ୍ଧ ବିସ୍ୱାଶରେ ଲିପ୍ତ ବ୍ୟକ୍ତିମାନେ ସେମାନେ ନିଜେ ଗୋଟେ ଗୋଟେ ଅଜ୍ଞତା ତଥା ଅନ୍ଧବିଶ୍ୱାଶର ଶିକାର କିମ୍ବା ମାନସିକ ବିକୃତିର ଶିକାର; ଏମାନଙ୍କ ଠାରୁ ଦୁରୂରେ ରହିବ ସୁସ୍ଥ ମସ୍ତିକ ଲୋକଙ୍କ ପାଇଁ ହିତକର ।


ଗପ ସାରଣୀ

ତାଲିକାଭୁକ୍ତ ଗପ