ରତନ ନାମକ ଜଣେ ଗରିବ କୃଷକ ଏକ ଗ୍ରାମରେ ରହୁଥିଲା । ମନରେ ତାହାର ପ୍ରବଳ ଇଚ୍ଛା ଥାଏ ଯେ, ସେ କିପରି ଅଧିକ ଉପାର୍ଜନ କରିପାରିବ ଓ ଅନ୍ୟ ସ୍ୱଚ୍ଛଳ କୃଷକମାନଙ୍କ ପରି ହାଟକୁ କୃଷିଜାତ ସାମଗ୍ରୀ ବିକ୍ରୟ କରିବାକୁ ନେବ । କିନ୍ତୁ ସେ ବିଚରାର ଏହି ଅଭିଳାଷ କେବେବି ପୂରଣ ହୋଇପାରୁ ନ ଥାଏ । ବହୁତ ପରିଶ୍ରମ କରି ସେ ଯେତିକି କମାଉଥାଏ, ତାହା ତାର ଭରଣପୋଷଣ ପାଇଁ ଯଥେଷ୍ଟ ହେଉଥାଏ ସିନା, ହେଲେ ତା’ମନର ସ୍ୱପ୍ନଟି ଆଦୌ ସାକାର ହେଉ ନ ଥାଏ ।
ରତନ ଦିନେ ସ୍ଥିର କଲା ଯେ, କୌଣସି ଉପାୟରେ ହେଉନା କାହିଁକି, ସେ ନିଶ୍ଚୟ ହାଟକୁ ମାଲ୍ ନେଇ ବିକିବାକୁ ଯିବ । ତା ପାଖରେ ଅଳ୍ପ କିଛି କୋଳଥ ଥାଏ । ସେ ଚାହିଁଲେ ଗ୍ରାମରେ ମଧ୍ୟ ତାକୁ ବିକିପାରନ୍ତା । ହାଟକୁ ଗଲେ ଅଧିକ କିଛି ଲାଭ ମିଳିବ ନାହିଁ । ଆଉ ଏତିକି ମାଲ୍ ନେଇ ହାଟକୁ ଗଲେ ଗ୍ରାମର ଲୋକମାନେ ତାକୁ ଥଟ୍ଟା କରିବେ ।
ତେଣୁ ସେ ଜଙ୍ଗଲକୁ ଯାଇ କିଛି ଡାଳପତ୍ର କାଟି ସେସବୁକୁ ବସ୍ତାରେ ଭରିଦେଲେ । ତା ଉପରେ ପତ୍ର ବିଛାଇ କୋଳଥ ଢାଳି ଏକ ପୁରାବସ୍ତା ବାନ୍ଧିଦେଲା । ତା ପରେ ହାଟକୁ ସେ ବାହାରି ପଡିଲା ।
ସେହିପରି ଅନ୍ୟ ଜଣେ ଲୋକ ମଦନ ହାଟକୁ ଆସିଥାଏ । ତା ପାଖରେ ମଧ୍ୟ ଏକ ବସ୍ତା । ତା ବସ୍ତାରେ ସେ ତିନିଭାଗ କିଛି ଜଙ୍ଗଲୀ ଫଳ ଭରିଦେଇ ଉପରେ କିଛି ଆମ୍ବ ରଖିଦେଇଥାଏ ।
ହାଟର ଗହଳି ଭିତରକୁ ପ୍ରବେଶ କରିବା ପାଇଁ ରତନ ଆଉ ସାହସ କରିପାରିଲା ନାହିଁ । ତେଣୁ ହାଟର ପ୍ରବେଶ ଦ୍ୱାର ପାଖରେ ଥିବା ଏକ ଗଛ ମୂଳରେ ନିଜର ବସ୍ତାଟିକୁ ଧରି ସେ ବସିପଡିଲା । ମଦନ ମଧ୍ୟ ତା ନିକଟରେ ଆସି ବସିଲା । ଦୁଇଜଣ କଥା ହେଉ ହେଉ ପଚାରି ବୁଝିଲେ, କିଏ କେଉଁ ମାଲ୍ ଆଣି ହାଟକୁ ଆସିଛି । ରତନ ନିଜ ବସ୍ତାରୁ କୋଳଥ କାଢି ଦେଖାଇ କହିଲା, “ଏହା ଖୁବ୍ ଭଲ କିସମର ମାଲ୍ ଅଟେ ।” ସେହିପରି ମଦନ ବି ତାର ଆମ୍ବ ବସ୍ତାରୁ କାଢି ଦେଖାଇଲା ଓ କହିଲା “ଏହି ଆମ୍ବର ସ୍ୱାଦ ମଧ୍ୟ ଖୁବ୍ ବଢିଆ ।”
ମଦନ ପଚାରିଲା “ହାଟ ଏତେ ଗହଳି ରହିଛି ଯେ, ନା’ କେହି ଆମ ସହିତ କଥା ହେଉଛନ୍ତି ନା’ ଆମ ମାଲ୍ କିଣିବା ପାଇଁ କେହି ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ପରସ୍ପର ଭିତରେ ଜିନିଷ ଅଦଳବଦଳ କରିନେଲେ କିପରି ହୁଅନ୍ତା”