ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆଦର୍ଶ ଗୁରୁଭକ୍ତ କଠ

ପ୍ରାଚୀନ କାଳର କଥା ।

                ସେ ସମୟରେ ଶିଷ୍ୟମାନେ ଗୁରୁ ଆଶ୍ରମରେ ରହି ଶିକ୍ଷା ଅର୍ଜନ କରୁଥିଲେ । ଏମିତି ପ୍ରଥା ଦୀର୍ଘଦିନ ପର୍ଯ୍ୟନ୍ତ ଚଳି ଆସିଥିଲା । ସେ ସମୟରେ ଶିଷ୍ୟମାନଙ୍କୁ ଶିକ୍ଷା ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଗୁରୁଙ୍କ ଆଶ୍ରମରେ ହିଁ ରହିବାକୁ ପଡୁଥିଲା । ଶିକ୍ଷାକାଳ ଶେଷ ହେଲେ ଶିଷ୍ୟମାନେ ଗୁରୁଙ୍କୁ ଯଥାର୍ଥ ଦକ୍ଷିଣା ଦେଇ ଘରକୁ ଫେରି ଆସୁଥିଲେ । ସେହି ଦକ୍ଷିଣା ଥିଲା – ତ୍ୟାଗ, ଆତ୍ମୋତ୍ସର୍ଗ ଏବଂ ଐକାନ୍ତିକ ନିଷ୍ଠା । ଆଉ ଏହି ତ୍ୟାଗ ଭିତରେ ଥିଲା – ଭକ୍ତି, କୃତଜ୍ଞତା ଆଉ ସମର୍ପଣ ।

                ଏକଦା ଗୋଟିଏ ଆଶ୍ରମରେ ଋଷି ମହାତପା ଓ ତାଙ୍କର ପତ୍ନୀ ପ୍ରଜାପତି ବସବାସ କରି ଆସୁଥିଲେ । ତାଙ୍କର ଜଣେ ପୁତ୍ର ଏବଂ ଜଣେ କନ୍ୟା ବି ଥିଲେ । ପୁତ୍ରଙ୍କ ନାମ ଥିଲା – କୁଶ । ସେ ଯେମିତି ରୂପବାନ, ସେମିତି ମୃଦୁଭାଷୀ ତଥା ଶାନ୍ତ ପ୍ରକୃତିର । କିନ୍ତୁ ତାଙ୍କ କନ୍ୟାଙ୍କ ନାମ ଥିଲା – ରେବତୀ । ସେ ଥିଲେ ସୌନ୍ଦର୍ଯ୍ୟ ବିହୀନା, କର୍କଶ ଭାଷିଣୀ ଏବଂ ଉଗ୍ର ସ୍ୱଭାବର । ଏହି ସବୁ କାରଣରୁ ଋଷି ପତ୍ନୀ ପ୍ରଜାପତି ଥିଲେ ନିଜ କନ୍ୟା ପାଇଁ ଖୁବ୍ ଚିନ୍ତିତା । କାରଣ ସେ କୌଣସି ବିଷୟରେ ବି ନିପୁଣା ନ ଥିଲେ । ତା’ର ବିବାହ ବୟସ ହେବାରୁ ମାଆ ହୋଇ ପ୍ରଜାପତି ଥରେ ତାଙ୍କ ସ୍ୱାମୀ ଋଷି ମହାତପାଙ୍କୁ ନିଜ କନ୍ୟା ସମ୍ପର୍କରେ ସୂଚନା ଦେଲେ । ସେ କହିଲେ ଯେ, ‘ଆମେ ରେବତୀକୁ ବିବାହ କରାଇ ତା’ର ସ୍ୱାମୀ ସହ ପଠାଇ ଦେବା ପରେ କୁଶକୁ ମଧ୍ୟ ବିଭା କରାଇ ବୋହୂଟିଏ ଘରକୁ ନେଇ ଆସନ୍ତେ ।’ ଏକଥା ଶୁଣି ଋଷି ମହାତପା ଖୁବ୍ ଚିନ୍ତିତ ହୋଇ ପଡିଲେ । ସେ କହିଲେ, ‘ମୁଁ ତୁମର ସବୁକଥା ବୁଝି ପାରୁଛି । ପୁତ୍ର କୁଶର ବିବାହ ନେଇ ମୁଁ ଆଦୌ ଚିନ୍ତା କରୁନାହିଁ । ମାତ୍ର କନ୍ୟା ରେବତୀ ଯେଉଁ ସବୁ ଗୁଣ ନେଇ ଜନ୍ମ ହୋଇଛି, ତାକୁ ସ୍ତ୍ରୀ ଭାବରେ କିଏ ବା ଗ୍ରହଣ କରିବ କହିଲ?


ଗପ ସାରଣୀ

ତାଲିକାଭୁକ୍ତ ଗପ