ଏକ କ୍ରୀତଦାସର କାହାଣୀ

ଭକ୍ତମାନେ ଇଚ୍ଛା ପ୍ରକାଶ କଲେ ଯେ “ଆମେ କେବଳ ଏଇ ଯୁବକଟିକୁ କିଣିବାକୁ ଚାହୁଁ ।” ସବୁଶୁଣି ସେ ବ୍ୟବସାୟୀ ଆଶ୍ଚର୍ଯ୍ୟ ହୋଇ ମୁହଁ ଫେରାଇ ସେମାନଙ୍କ ମୁହଁକୁ ଅନାଇଲା । ତା’ପରେ ସେ କହିଲା, “ଦେଖନ୍ତୁ, ମୁଁ ଜଣେ ନୀତିବାନ୍ ଲୋକ ହୋଇ କିପରି ଆପଣଙ୍କଠାରୁ ପଇସା ନେଇ ଏ ପାଗଳଟାକୁ ବିକିବି? ଆପଣଙ୍କର ଦରକାର ହେଲେ ମୁଁ ବହୁତ ଭଲ କ୍ରୀତଦାସଟିଏ ବାଛି ଦେଇପାରେ ।”

ତାଙ୍କ କଥା ଶୁଣି ଭକ୍ତମାନେ କହିଲେ “ଆମେ ଏଇ କ୍ରୀତଦାସକୁ ହିଁ ଚାହୁଁ ।”

ଏହା ପରେ ସେ ବ୍ୟବସାୟୀ ଅଳ୍ପ ହସି ସାମାନ୍ୟ କିଛି ମୂଲ୍ୟର ବିନିମୟରେ ତାକୁ ବିକି ଦେଲା ।

ଭକ୍ତମାନେ ତାକୁ ସାଙ୍ଗରେ ନେଇ ରାସ୍ତା ଉପରକୁ ଉଠି ଆସିଲେ । ସେ ହାତଯୋଡି ଭକ୍ତମାନଙ୍କୁ କହିଲା, “ହେ ମୋର ମାଲିକମାନେ, କୁହନ୍ତୁ ମୁଁ କି ସେବା କରି ପାରିବି?”

ସେ କ୍ରୀତଦାସ ଯୁବକର କଥା ଶୁଣି ଭକ୍ତମାନେ କହିଲେ “ବରଂ ତମେ ଆମମାନଙ୍କୁ ଆଜ୍ଞା ଦିଅ । କାହିଁକିନା ତମେ ହିଁ ଆମର ମାଲିକ । ତମେ ଖୁଦାଙ୍କର କେତେ ପ୍ରିୟ ଓ କେତେ ନିଜର ସେ କଥା ଆମେ ଜାଣୁ ।”

ଏସବୁ ଶୁଣି ସେ କ୍ରୀତଦାସଟି ନିରୀହ ଆଖିରେ କେବଳ ସେମାନଙ୍କ ମୁହଁକୁ ଚାହିଁ ରହିଲା ଓ ଅଳ୍ପ ହସିଲା । ରାତିରେ ଯେଉଁ ଭକ୍ତ ତାକୁ ଦେଖିଥିଲା ସେ ଆଗକୁ ଆସି କହିଲା, “କ’ଣ ତମେ ମୋତେ ଚିହ୍ନି ପାରୁନାହଁ? ତମେ ସେଦିନ ରାତିରେ ପ୍ରାର୍ଥନା କଲା ପରେ ମୋ ସହିତ କଥା ହୋଇଥିଲ । ଏବେ ଚିହ୍ନିଲ?”

“ଓଃ, ଏମିତି କଥା ।” ଏତିକି କହି ସେ କ୍ରୀତଦାସଟି ପୁଣି ନିରୀହ ଆଖିରେ ସମସ୍ତିଙ୍କ ମୁହଁକୁ ଚାହିଁଲା । ତା’ପରେ ସେ କହିଲା, “ରାତି କଥା ମୋର କିଛି ବି ମନେ ନାହିଁ । ଯାହା ହେଉ ଦୟାକରି ମୋତେ ଥରେ ଏହି ଅନୁମତି ଦିଅନ୍ତୁ ଯେ, ମୁଁ ଯେମିତି ମସଜିଦ୍ରେ ଯାଇ ପ୍ରାର୍ଥନା କରେ ।”

ତହୁଁ ସେ ଭକ୍ତମାନେ କହିଲେ, “ନିଶ୍ଚୟ, ନିଶ୍ଚୟ ଯିବ । ଆମେ ତ ଏବେ ତୁମର ଦାସ ।”

ଅନୁମତି ପାଇ ସେ ଯୁବକଟି ମସ୍ଜିଦ୍ ଭିତରେ ଯାଇ ପହଁଚିଲା । ତା’ପରେ ସେ ଆଣ୍ଠୁମାଡି ପ୍ରାର୍ଥନା କଲା, “ହେ ଖୁଦା, ମୋ ପ୍ରତି ଆପଣଙ୍କର ଯେଉଁ ପ୍ରେମ ତାହାର ରହସ୍ୟ ତ ଏବେ ସମସ୍ତେ ଜାଣିନେଲେ । ଏବେ ଏମାନେ ଏକଥା ଚାରିଆଡେ ପ୍ରଚାର କରିବେ ଓ ଭବିଷ୍ୟତରେ ଅନେକ ଲୋକ ମୋର ଚତୁର୍ଦ୍ଦିଗରେ ଜମା ହେବେ ଓ ମୋର ଆଦର ସତ୍କାର କରିବେ । ଆପଣଙ୍କ ସହିତ ଏକେଲା ରହିବାରେ ଯେଉଁ ଆନନ୍ଦ ମୋତେ ମିଳୁଥିଲା, ସେଇଟା ଏଥର ଜାଣ ଗଲା । ଏଣୁ ଆପଣ ଦୟାକରି ମୋତେ ନିଜ ପାଖକୁ ନେଇଯା’ନ୍ତୁ ।”

ଏହାପରେ ସେ କିଛି ସମୟ ସେହି ଏକ ସ୍ଥାନରେ ନିଶ୍ଚଳ ଭାବରେ ବସି ରହିଲା । ଭକ୍ତମାନେ ତା’କୁ ଅପେକ୍ଷା କରୁଥିଲେ । ଶେଷରେ ଜଣେ ଯାଇ ତା’ର କାନ୍ଧରେ ହାତ ରଖି ଦେଖିଲା ଯେ ଅନେକବେଳୁ ତା’ ଦେହ ଥଣ୍ଡା ହୋଇ ଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ